Unknown

 

 

 

 

 

 

 

 

 

 

 

ସମାବର୍ତ୍ତନ

କାଳୀଚରଣ ଦାସ

 

ସୂଚୀପତ୍ର

 

୧.

ସୂର୍ଯ୍ୟ ସାରଥି

୨.

କପୋତ ଉବାଚ

୩.

ଫକୁ ମାଷ୍ଟ୍ରେ

୪.

ସୂର୍ଯ୍ୟାସ୍ତର ରଙ୍ଗ

୫.

ମଧ୍ୟାନ୍ତର

୬.

ଶରଶଯ୍ୟା

୭.

ମହାକାବ୍ୟର ନାୟିକା

୮.

କୁମ୍ଭକାର

୯.

ସାକ୍ଷାତକାର

୧୦.

ମାରୀଚ

୧୧.

ଉତ୍ତର ପୁରୁଷ

୧୨.

ବନଜ୍ୟୋତ୍ସ୍ନା

୧୩.

ମହାପୁରୁଷ

Image

 

ସୂର୍ଯ୍ୟ-ସାରଥି

 

ରାସପୂର୍ଣ୍ଣିମାର ଜ୍ୟୋତ୍ସ୍ନା-ବିଧୌତ ରଜନୀ । ତ୍ରିକୂଟ ପର୍ବତ ଶିଖର ଅପୂର୍ବ ଶୋଭାଶ୍ରୀରେ ମଣ୍ଡିତ ହୋଇଥାଏ । ଘୋର ଅରଣ୍ୟର ସବୁଜିମାରେ ଚନ୍ଦ୍ରାଲୋକର ଦିଗ୍‌ହଜା ପ୍ଳାବନ ମନୋହରଣ କରୁଥାଏ । ବ୍ରହ୍ମପୁତ୍ର ସୁମଧୁର ସଙ୍ଗୀତ ନିନାଦରେ ବନ୍ଦାପନା କରୁଥାଏ ତ୍ରିକୂଟର ପାଦଦେଶ । ପଲ୍ଲବିତ ବୃକ୍ଷଲତା ସଂସ୍ପର୍ଶରେ ବେଗଗାମୀ ସମୀରଣ ସୃଷ୍ଟି କରୁଥାଏ ଅଦ୍ଭୁତ ଝଙ୍କାର । ପରିବର୍ତ୍ତିତ ମୌସୁମୀରେ ଅଙ୍ଗେ ଅଙ୍ଗେ ଶିତ୍‍କାର ଉପୁଜୁଥୁଲା । ପବିତ୍ର ଗିରିଗହ୍ଵରରେ ବିଭିନ୍ନ ଯୋଗପୀଠରୁ ନିଷ୍କାମ ପୁରୁଷମାନଙ୍କର ଶଙ୍ଖଧ୍ୱନି ସୂଚନା ଦେଉଥିଲା ଆସନ୍ନ ଆର୍ଦ୍ର ରାତ୍ରିର । ଘୁମନ୍ତ ପୃଥିବୀରେ ଆଲୋକର ବର୍ଣ୍ଣ ମହୋତ୍ସବ । ବଶିଷ୍ଠ ଆଶ୍ରମର ପ୍ରବେଶ ପଥରେ ଉପନିବେଶ କରିଥିଲେ, ସିଦ୍ଧପୁରୁଷ ସଂପୂର୍ଣ୍ଣାନନ୍ଦ । ସମ୍ମୁଖରେ ଦଣ୍ଡାୟମାନ ଶିଷ୍ୟଗଣ । ଦୀକ୍ଷାନ୍ତ ପରେ ଗୁରୁଦେବଙ୍କ ସର୍ବଶେଷ ଆଦେଶ ପାଳନାର୍ଥେ ସାମୂହିକଭାବେ ଅପେକ୍ଷାରତ ।

 

ଆନନ୍ଦ-ଉତ୍‌ଫୁଲ୍ଲ ସିଦ୍ଧପୁରୁଷ ଅନନ୍ତ ମହାକାଶକୁ ଅବଲୋକନ କରୁଥିଲେ । କୌଣସି ନୂତନ ତର୍କର ସେ ଯେପରି ଅନିସନ୍ଧିତ୍ସୁ, ଅଦ୍ଭୁତ ସମାଧାନର ପ୍ରୟାସୀ । ବ୍ରହ୍ମପୁତ୍ର ନଦୀର ବିସ୍ତୀର୍ଣ୍ଣ କାୟା, ସୁଗଭୀର ଗର୍ଭ ଭଳି ଗୁରୁଦେବଙ୍କ ଜ୍ଞାନାଲୋକ ଓ ଜୀବନ ଦର୍ଶନର କ୍ଷୁଦ୍ର ଜଳକଣା ପ୍ରାପ୍ତି ଆଶାରେ ଆଶାୟୀ ଶିଷ୍ୟଗଣ ବିସ୍ଫାରିତ ନୟନରେ ଚାହିଁ ରହିଥିଲେ । ଐଶ୍ଵରିକ ଶକ୍ତିର ସର୍ବୋଚ୍ଚ ଅଧିକାରୀଭାବେ ଖ୍ୟାତ ସିଦ୍ଧପୁରୁଷ ସଂପୂର୍ଣ୍ଣାନନ୍ଦ ଶିଷ୍ୟମାନଙ୍କ ଅଭିଳାଷ ହୃଦୟଙ୍ଗମ କରି ଦୃଷ୍ଟି ଫେରାଇ ଆଣିଲେ ସେମାନଙ୍କ ଉଦ୍ଦେଶ୍ୟରେ । କୌଣସି ଶିଳ୍ପ-ଚାତୁରୀର ନମୁନା ସଦୃଶ ଶିଷ୍ୟଗଣ ଅବିଚଳଭାବେ ଠିଆ ହୋଇ ରହିଥିଲେ । ସୁଗୋଲ; ସୁଠାମ, ଅଙ୍ଗସୌଷ୍ଠବ, କଟୀଦେଶ ପର୍ଯ୍ୟନ୍ତ ଆବୃତ ଶୁଭ୍ର ବସ୍ତ୍ର ଓ କନ୍ଧଦେଶର ପବିତ୍ର ଉପବୀତ, ବିଶିଷ୍ଟ କଳାନୈପୁଣ୍ୟର ସୂଚନା ଦେଉଥିଲା ।

 

ସୃଷ୍ଟିର ସର୍ବଶେଷ ରହସ୍ୟ ଆବିଷ୍କାର କଲା ଭଳି ଗୁରୁଦେବ ସ୍ମିତ ହସି ଶିଷ୍ୟମାନଙ୍କ ଉଦ୍ଦେଶ୍ୟରେ କହିଲେ, ‘‘ତୁମ୍ଭେମାନେ ଏବେ ଶିକ୍ଷା ସମାପନ କରିଅଛ । ତୁମ୍ଭେମାନେ ସମସ୍ତେ ପ୍ରାପ୍ତବୟସ୍କ । ସୃଷ୍ଟିର ରହସ୍ୟ ଆଉ ତୁମ୍ଭମାନଙ୍କ ନିକଟରେ ନିଷିଦ୍ଧ ଗନ୍ତାଘର ନୁହେଁ । ତୁମ୍ଭେମାନେ ସାମାନ୍ୟ ମଣିଷ ସ୍ତରରୁ ଉନ୍ନୀତ ହୋଇଛ । ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାର ସମସ୍ତ ଉପାୟ ତୁମ୍ଭେମାନେ ଅନ୍ତସ୍ଥ କରିଛ । ତୁମ୍ଭେମାନେ ଯେଉଁ ବିଦ୍ୟା ଆହରଣ କରିଛ, ତା’ ବଳରେ ଅସାଧ୍ୟ ସାଧନ କରିବ । ସୃଷ୍ଟିର ରହସ୍ୟ ଭେଦ କରିବା ଏଣିକି ନିର୍ଭର କରୁଛି ତୁମ୍ଭମାନଙ୍କ ଅଧ୍ୟବସାୟ ଉପରେ । ମୁଁ ପରମ ପ୍ରୀତ ହୋଇଛି ତୁମ୍ଭମାନଙ୍କ ନିଷ୍ଠା ଓ ବିଦ୍ୟାଧ୍ୟୟନ ଫଳରେ, ସାଧନା ଓ ସଂଯମତାରେ, ଧ୍ୟାନ ଓ ଯୋଗାସନରେ । ତୁମ୍ଭେମାନେ କାଲି ପ୍ରଭାତରୁ ବିଦାୟ ନେବାର ଦାରୁଣ ଯନ୍ତ୍ରଣାରୁ ମୁକ୍ତିଲାଭ ନିମନ୍ତେ ମୁଁ ଏଇମାତ୍ର ଈଶ୍ଵରଙ୍କୁ ପ୍ରାର୍ଥନା କରୁଥିଲି । ତୁମ୍ଭେ ସମସ୍ତେ ଗୋଟିଏ ଗୋଟିଏ ସୁରଭିତ ପୁଷ୍ପ ସଦୃଶ୍ୟ, ତୁମ୍ଭେମାନେ ଏକ ଏକ ଆଲୋକବର୍ତ୍ତିକା; ମୋର ଆଶୀର୍ବାଦ ଗ୍ରହଣ କର । ତୁମ୍ଭମାନଙ୍କ ଦ୍ୱାରା ଆଲୋକିତ ହେଉ ଘୋର ତମସାବିଦୀର୍ଣ୍ଣ ପୃଥବୀ, ସୁରଭିତ ହେଉ ପୂତିଗନ୍ଧମୟ କଳୁଷିତ ବାୟୁମଣ୍ଡଳ । ତୁମ୍ଭେମାନେ ଶତାୟୁ ହୁଅ ।”

 

ଗୁରୁଦେବଙ୍କ କଣ୍ଠ ରୁଦ୍ଧ ହୋଇ ଆସିଲା । ଶିଷ୍ୟମାନେ ସାଷ୍ଟାଙ୍ଗ ପ୍ରଣିପାତ କଲେ ଗୁରୁଦେବଙ୍କ ପଦଯୁଗଳରେ । ଲୋତକାପ୍ଳୁତ ନୟନରେ ପଦଧୌତ କରି ପୁଷ୍ପାଞ୍ଜଳି ଅର୍ପଣ କଲେ-। ଆନନ୍ଦ ଗଦ୍‌ଗଦ୍ ହୋଇ ଋଷି ତୋଳି ଧରିଲେ ଆଜାନୁଲମ୍ୱିତ ବାହୁରେ ଶିଷ୍ୟବୃନ୍ଦଙ୍କୁ । ଗୁରୁଦେବଙ୍କର ଶିଷ୍ୟମାନଙ୍କ ଉଦ୍ଦେଶ୍ୟରେ ତାଙ୍କର ଶେଷ ଅମୃତବାଣୀ ନିର୍ଗତ ହେଲା : ‘‘ହେ ଶିଷ୍ୟଗଣ ! ତୁମ୍ଭେମାନେ ମୋର ଶିଷ୍ୟ; ଅଥଚ କାଲି ପ୍ରତ୍ୟୁଷରୁ ତୁମ୍ଭେମାନେ ହେବ କାହାର ଦୀକ୍ଷାପୁରୁ । କିନ୍ତୁ ମନେରଖ, ତୁମ୍ଭେମାନେ ଯେଉଁ ସବୁ ବିଦ୍ୟାରେ ସିଦ୍ଧିଲାଭ କରିଛ ତା’ ସର୍ବଜନୀନ ନୁହେଁ । ସୁତରାଂ ତୁମ୍ଭମାନଙ୍କୁ ମୋର ଏହି ଉପଦେଶ, ତୁମ୍ଭେମାନେ କୁଳାଚାର, ଧର୍ମାଧର୍ମ, ଗୁଣାଗୁଣ ନିର୍ବିଶେଷରେ କାହାରିକୁ ଏ ମାର୍ଗ ଦର୍ଶନ କରାଇବାର ଉପକ୍ରମ କରି ପାରିବ ନାହିଁ । ଆହୁରି ମଧ୍ୟ ଏ ଶିକ୍ଷାସମୂହର ପ୍ରୟୋଗ ଶତ୍ରୁସାଧନ ନିମନ୍ତେ ଯେପରି ଉଦ୍ଦିଷ୍ଟ ନୁହେଁ, ସେପରି ମଧ୍ୟ ଏହାକୁ ତୁମ୍ଭେମାନେ ଜୀବିକୋନ୍ମୁଖୀ କରିବା ଅନୁଚିତ । ଏହାର ବ୍ୟତିକ୍ରମ କଲେ ତୁମ୍ଭେମାନେ ଧର୍ମବିଦ୍ଵେଷୀ, ଗୁରୁଦ୍ରୋହୀଜନିତ ଅପରାଧରେ ନର୍କଗାମୀ ହେବ ।”

 

ଗୁରୁଦେବଙ୍କ ଆଦେଶ ଶିରୋଧାର୍ଯ୍ୟ ପୂର୍ବକ ମସ୍ତକ ଅବନତ କଲେ ଶିଷ୍ୟମଣ୍ଡଳୀ, କିନ୍ତୁ ପୂର୍ବବତ ଦଣ୍ଡାୟମାନ ହୋଇ ରହିଲେ ଜଣେ ଦୀର୍ଘକାୟ ଗୌରାଙ୍ଗ ଯୁବକ । ଗୁରୁଦେବଙ୍କ ଆଦେଶ ଶ୍ରବଣମାତ୍ରେ ପୁନରାୟ ଦୁଇବିନ୍ଦୁ ଜଳ ନିର୍ଗତ ହେଲା ତାଙ୍କ ଚକ୍ଷୁ ଯୁଗଳରୁ । ବିସ୍ଫାରିତ ନୟନରେ ସେ ଚାହିଁ ରହିଥିଲେ ତାଙ୍କର ଗୁରୁଦେବଙ୍କୁ, ଦେବୋପମ ଶରୀରରେ ଦୃଷ୍ଟି ନିବଦ୍ଧ ଥିଲା ଚତୁର ଶିଷ୍ୟ ପ୍ରବରଙ୍କର । ଯେପରି ନିଗୂଢ଼ ରହସ୍ୟାତ୍ମକ । କି ଅଭିପ୍ରାୟ ନେଇ ସେ ମଥାନତ କରି ସମ୍ମତି ଦେଇ ପାରୁ ନାହାନ୍ତି ଗୁରୁଦେବଙ୍କୁ; ଏ କଥା ଚିନ୍ତା କରି ଅସ୍ଥିର ହୋଇପଡ଼ୁଥିଲେ ସ୍ଥିତପ୍ରଜ୍ଞ ସହଧ୍ୟାୟୀଗଣ । ଶିଷ୍ୟଙ୍କର ଏତାଦୃଶ ଔଦ୍ଧତ୍ୟରେ ସଂଶୟ ଜାଲରେ ଛନ୍ଦି ହୋଇଯାଉଥିଲେ । ହଠାତ୍ ଏତିକିବେଳେ ବ୍ୟଙ୍ଗ କଲେ, କୌତୁକପ୍ରିୟ ଚପଳମତି ରୂପେ ପରିଚିତ ଶୀଳଭଦ୍ର : ‘‘ସାଧୁ, ସାଧୁ, ସାଧୁ ଚିତ୍ରଙ୍ଗଦ । ତୁମର ଶିକ୍ଷା ଅସମାପ୍ତିର ପ୍ରତିଫଳନ ହୋଇଛି ତୁମର ଅନ୍ତିମ ପରୀକ୍ଷାରେ-। ତୁମେ ତାହା ଅସ୍ଵୀକାର ନ କରିଥିବାରୁ ଆମ ସମସ୍ତଙ୍କର ଧନ୍ୟବାଦାର୍ହ । ଆଶ୍ରମର ଚତୁଃସୀମା ଭିତରେ ତୁମେ ପୁନରାୟ ସମ୍ଭତ୍ସରବ୍ୟାପୀ ଆବଦ୍ଧ ହୁଅ, ତେବେ ତୁମେ ଯାଇ ହେବ ସଫଳକାମୀ । ଗୁପ୍ତ ମାର୍ଗରେ ସ୍ଵଚ୍ଛନ୍ଦରେ ପରିଭ୍ରମଣ କରିବାର ଯୋଗ୍ୟତା ଅର୍ଜନ କରିବ ।”

 

ଗୁରୁଦେବଙ୍କ ଦୃଷ୍ଟି ଆକର୍ଷଣ କଲା ଶୀଳଭଦ୍ରଙ୍କ ଏତାଦୃଶ ମନ୍ତବ୍ୟ । ଦୃକପାତ୍ କଲେ ପୁତ୍ରତୁଲ୍ୟ ପରମଶିଷ୍ୟ ଚିତ୍ରଙ୍ଗଦଙ୍କୁ, ଯେ ତାଙ୍କର ଥିଲା ସର୍ବାଧିକ ପ୍ରିୟ, ଯାହାର ବିଚକ୍ଷଣତା, ଉନ୍ମୋଷତା ତାଙ୍କୁ ପରମ ଆନନ୍ଦିତ କରିଥିଲା । ସାଗର ସୈକତର ଅସଂଖ୍ୟ ବାଲୁକାରାଶିରୁ ସେ ଆବିଷ୍କାର କରିଥିଲେ ଏହି ସ୍ୱର୍ଣ୍ଣ କଣିକାଟିକୁ । ତାଙ୍କ ଜ୍ଞାନାଲୋକରେ ଯିଏ ଉଜ୍ଜ୍ୱଳ ଜ୍ୟୋତିଷ୍କ ଭଳି ଉଦ୍‌ଭାସିତ ହେଇଛି । ଯାହାର ପ୍ରଭାତୀ କୀରଣରେ ନଭୋମଣ୍ଡଳ ଲୋହିତ ବର୍ଣ୍ଣ ଧାରଣ କରିଛି । ଗୁରୁଦେବଙ୍କ ନୟନ ଆରକ୍ତ ହୋଇ ଉଠିଲା । ସେ ମନେ କଲେ ଚିତ୍ରଙ୍ଗଦ କ୍ଷେତ୍ରରେ ତାଙ୍କର ଅପରିହାର୍ଯ୍ୟ ତ୍ରୁଟି ଅସ୍ଵୀକାର କରାଯାଇ ନ ପାରେ ।

 

ଗୁରୁଙ୍କ ଚକ୍ଷୁରେ ଅସଂଖ୍ୟ ପ୍ରଶ୍ନବାଚୀ । ଉଦ୍‌ବିଘ୍ନ ହେଲେ ଦିବ୍ୟଜ୍ଞାନପ୍ରାପ୍ତ ଶିଷ୍ୟ ଚିତ୍ରଙ୍ଗଦ । ସେ କାଳ ବିଳମ୍ବ ନ କରି ଅତି ବିନମ୍ରଭାବରେ ପ୍ରଶ୍ନ କଲେ, ଗୁରୁଦେବ ! ମୁଁ ସଂସାରର ହତାଶା ନୈରାଶ୍ୟରେ ଆନ୍ଦୋଳିତ ହୋଇ ତା’ର ସମାଧାନ ନିମିତ୍ତ ଦେଶଦେଶାନ୍ତର ଘୂରି ବୁଲିଲି ଓ ନିଜକୁ ପରିଚିତ କରାଇଲି କଳିଙ୍ଗ ପରିବ୍ରାଜକ ଚିତ୍ରଙ୍ଗଦ ଭାବେ । କିନ୍ତୁ ମୋର ବିଶ୍ଵାସ ଥିଲା ମୁଁ ଦିନେନା ଦିନେ ସେ ସୂକ୍ଷ୍ମ ପଥର ଦ୍ଵାରସ୍ଥ ହେବି । ବହୁପଥ ଅତିକ୍ରାନ୍ତ କରି ମୁଁ ଯେତେବେଳେ ଏହି ପବିତ୍ର ବନସ୍ଥଳୀରେ ଉପବିଷ୍ଟ ହୁଏ, ମୋର ମନେହେଲା କୌଣସି ମହାପୁରୁଷଙ୍କର ଅଲୌକିକ ଯାଦୁକରୀ ସ୍ପର୍ଶରେ ଏ ବନଭୂମି ମର୍ମରିତ ହୋଇଛି । ସେହି ପରମାତ୍ମାଙ୍କ ସନ୍ଧାନରେ ଆସି ଆପଣଙ୍କ ପଦ ସେବାର ସୌଭାଗ୍ୟ ଅର୍ଜନ କରି ମୁଁ ସିଦ୍ଧିଲାଭ କଲି । ଏତ୍‌ଦପରେ ମୁଁ ପ୍ରତ୍ୟାବର୍ତ୍ତନ କରିବି ସେହି ପତିତ ଜନସମାଜକୁ । ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ମୋଚନାର୍ଥେ ମୁଁ ସେହି ପବିତ୍ର ବାଣୀର ପ୍ରଚାର କରିବି । କିନ୍ତୁ ଗୁରୁଦେବ ! ମୁଁ ଆପଣଙ୍କ ଆଦେଶରେ ମର୍ମାହତ ହେଲି । କୁଳାଚାର ନିର୍ବିଶେଷରେ ଦୀକ୍ଷା ଗ୍ରହଣ ନିଷେଧାଜ୍ଞାରେ ମୁଁ ସ୍ତମ୍ଭୀଭୂତ ହୋଇଛି । ମୋତେ କ୍ଷମା କରନ୍ତୁ ଗୁରୁଦେବ । ଏ ଜଟିଳ ସମସ୍ୟାର ସମାଧାନ ଆପଣ ନିଜେ କରନ୍ତୁ । ଶତ ସହସ୍ର ବର୍ଷ ଧରି ପ୍ରଚଳିତ ସଂକୀର୍ଣ୍ଣ ନୀତି ନିୟମକୁ ଭାଙ୍ଗି ଆଗେଇ ଯିବାକୁ ଅନୁମତି ଦିଅନ୍ତୁ । ମୁଁ ପରମାତ୍ମାଙ୍କ ଅଭିଳାଷକୁ ନିଗୂଢ଼ ବନ୍ଧନୀର ଆବର୍ତ୍ତ ଭିତରେ ସୀମିତ ରଖିପାରିବି ନାହିଁ ଗୁରୁଦେବ ! ତା’ହେଲେ ମୋର ପ୍ରୟୋଜନ ଥିଲା କ’ଣ ନିଜକୁ କେବଳ ଆବିଷ୍କାର କରିବା ।

 

ଗୁରୁରେବ ଗମ୍ଭୀର କଣ୍ଠରେ କହିଲେ ଚିତ୍ରଙ୍ଗଦ ! ମୁଁ ବୁଝିଥିଲି ତମେ ଦିନେନା ଦିନେ ଭାବପ୍ରବଣ ହେବ । କିନ୍ତୁ ଉତ୍ତମ ଶିଷ୍ୟ ବ୍ୟତିରେକ; ଗୁଣାଗୁଣ ବିବେଚନା ନ କରି ତୁମେ କିପରି କାହାକୁ ଶିକ୍ଷା ଦେବ ଓ ତାକୁ ଗ୍ରହଣ କରିବ କିଏ ? ସେ ସାମର୍ଥ୍ୟ କ’ଣ ସବୁ ମଣିଷର ରହିଛି ??

 

ଚିତ୍ରଙ୍ଗଦ ଗୁରୁଦେବଙ୍କ କଥାରେ ସନ୍ତୁଷ୍ଟ ହୋଇପାରୁ ନ ଥିଲେ । କହିଲେ; ଗୁରୁଦେବ ! ଉତ୍ତମ ଶିଷ୍ୟର ସନ୍ଧାନ ଯଦି ମୋର ଅବଶିଷ୍ଟ ଜୀବନର ବ୍ରତ ହୁଏ ତା’ହେଲେ ମୋ ଜୀବନକାଳ ଭିତରେ ଏକାଧିକ ଶିଷ୍ୟ ଲାଭ କରିବା ଦୁସ୍କର ହେବ । କିନ୍ତୁ ମୋ ସମ୍ମୁଖରେ ନିପୀଡ଼ିତ ଜନସମୁଦ୍ର-। ସମସ୍ତେ ମୋର ପ୍ରିୟ । ସମସ୍ତେ ସ୍ଵଜନ । ସେମାନଙ୍କୁ ନେଇ ମୁଁ ଆଂଶିକ ସଫଳ ହେଲେ ତା’ ହେବ ମୋ ଶିକ୍ଷାର ଉପଯୁକ୍ତ ପ୍ରାପ୍ୟ । ସମ୍ମାନିତ ହେବେ ମୋର ଚିରନମସ୍ୟ ଗୁରୁଦେବ । ଜନମାନସରେ ପ୍ରତିବିମ୍ବିତ ହେବ ପ୍ରଭୁଙ୍କ ଅଦ୍ଭୁତ ଜ୍ଞାନାଲୋକ ।

 

ଗୁରୁଦେବ ପ୍ରତ୍ୟୁତର କଲେ, ଚିତ୍ରଙ୍ଗଦ ! ତୁମେ ବୁଝିଛ, ଏ କଠୋର ଶିକ୍ଷା ପଦ୍ଧତି କଦାପି ସର୍ବଜନୀନ ହୋଇପାରିବ ନାହିଁ । ସବୁ ଶ୍ରେଣୀର ଜନସମାଜ ଏହା ଆହରଣ କରିବା ଅବସ୍ଥାରେ ଏବେ ନାହାନ୍ତି । ଅଜ୍ଞାନ ଅନ୍ଧକାର ବିଜଡ଼ିତ ଜନସମାଜ ଭିତରୁ ତୁମେ ଗୋଟିଏ ମାତ୍ର ଉପଯୁକ୍ତ ବ୍ୟକ୍ତି ଆବିଷ୍କାର କର, ଏବଂ ସେ ହେବ ତୁମର ପ୍ରମୁଖ ମାଧ୍ୟମ । ଦେଖିବ, ତା’ କିମିତି ପର୍ଯ୍ୟାୟକ୍ରମେ ବ୍ରହ୍ମରୁ ବ୍ରହ୍ମକୁ ବ୍ୟାପ୍ତ ହେଉଛି । ଯଦି ତୁମେ ବହୁମୁଖୀ ଭାବେ ଏହାକୁ ପ୍ରୟୋଗ କର ତା’ହେଲେ ତୁମ ଶିକ୍ଷାର ଅସମ୍ମାନ ସୁନିଶ୍ଚିତ । ମାନବ ସମାଜର କଲ୍ୟାଣାର୍ଥେ ତୁମେ ପ୍ରଲୁବ୍‌ଧ ହୋଇ ନିଜର ସ୍ଥିତି ଅସ୍ଵୀକାର କରିପାରିବ ନାହିଁ । ତୁମ ସମ୍ମୁଖରେ ବିବିଧ ଆଧ୍ୟାତ୍ମିକ ପଦ୍ଧତି ରହିଛି, ଯାହା ପ୍ରୟୋଗାତ୍ମକ ମାର୍ଗ । କିନ୍ତୁ ତା’ ନ କରି ଯଦି ତୁମେ ଲୋଭାସକ୍ତ ହୋଇ ନିମିଷ ମାତ୍ରକେ ଯାଦୁକର ଭଳି ଫଳାଶା କର, ତା’ହେଲେ ତା’ ହେବ ପ୍ରମାଦପୂର୍ଣ୍ଣ ଏବଂ ପରିଶେଷରେ ତୁମେ ସେଥିରୁ ନିବୃତ୍ତ ହେବାକୁ ବାଧ୍ୟ ହେବ ।

 

ଚିତ୍ରଙ୍ଗଦ ଗୁରୁଦେବଙ୍କ ତର୍କ ଗ୍ରହଣ କରିପାରୁ ନଥିଲେ । ତାଙ୍କ ସମ୍ମୁଖରେ ଜନସମାଜର ଅକଳନ ବ୍ୟଥାତୁର କରୁଣ ଦୃଶ୍ୟ ନାଚି ଉଠୁଥିଲା । ସେ ପତିତ ଉଦ୍ଧାରଣ ନିମନ୍ତେ ଉଦ୍ଦିଷ୍ଟ ସର୍ବୋତ୍ତମ ମହୌଷଧିର ଅଧିକାରୀ ହୋଇ ଗୁରୁଦେବଙ୍କ କାର୍ପଣ୍ୟ-ପରିଧିର କେନ୍ଦ୍ରବିନ୍ଦୁ ହେବାକୁ ଚାହୁଁ ନ ଥିଲେ । ତେଣୁ ସେ ବାରମ୍ବାର କ୍ଷମା ପ୍ରାର୍ଥନା ପୂର୍ବକ ଗୁରୁଦେବଙ୍କୁ ପ୍ରତ୍ୟେକ ମଣିଷର ନିଗୂଢ଼ ରହସ୍ୟ ଭେଦ କରିବାର ଜନ୍ମସିଦ୍ଧ ଅଧିକାରର ଯୁକ୍ତି ରଖୁଥିଲେ ।

 

ଗୁରୁ ଶିଷ୍ୟଙ୍କର କୌତୂହଳପୂର୍ଣ୍ଣ ଉକ୍ତି-ପତ୍ୟୁକ୍ତିକୁ ଅନ୍ୟ ଶିଷ୍ୟମାନେ ବିଶ୍ଳେଷଣ କରୁଥିଲେ । ଅନୁଶୀଳନ କରୁଥିଲେ ଗୁରୁ ଶିଷ୍ୟଙ୍କୁ ଓ ଶିଷ୍ୟ ଗୁରୁଦେବଙ୍କୁ । ଶିଷ୍ୟଙ୍କ ନିକଟରେ ପରାଜୟ ଭୟରେ ତପସ୍ଵୀଙ୍କର ତେଜୋଦୀପ୍ତ ଶରୀର ପାଣ୍ଡୁର ବର୍ଣ୍ଣ ଓ ଚକ୍ଷୁଦ୍ଵୟ ରକ୍ତାଭ ହୋଇ ଉଠୁଥିଲା । ଉଭୟେ ନିଜ ନିଜର ତର୍କରେ ଅଟଳ । କେହି ଯେପରି ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହନ୍ତି । ଶିଷ୍ୟଙ୍କର ଅଦ୍ଭୁତ ପ୍ରଜ୍ଞାରେ ଅଭିଭୂତ ହେଉଥିଲେ; ସିଦ୍ଧପୁରୁଷ ସଂପୂର୍ଣ୍ଣାନନ୍ଦ । ଏତିକିବେଳେ ମନ୍ଦିରରୁ ଘଣ୍ଟାଘଣ୍ଟିର ଧ୍ଵନି ଭାସି ଆସିଲା । ଆଲୋଚନା ଅସମାପ୍ତ ରଖି ଗୁରୁଦେବ କହିଲେ, “ଚିତ୍ରଙ୍ଗଦ ! ଏହାର ସମାଧାନ ମୁଁ କାଲି ପ୍ରତ୍ୟୁଷରୁ ଦେବି, ତୁମେ ଏକାନ୍ତରେ ମୋ କକ୍ଷକୁ ଆସି ସ୍ମରଣ କରାଇ ଦେବାକୁ ଯେପରି ଭୁଲି ନ ଯାଅ । ଆସ, ପ୍ରାର୍ଥନାର ସମୟ ହୋଇଯାଇଛି ।”

 

ରାତ୍ରିର ଗଭୀରତା ବଢ଼ି ଚାଲିଛି । କ୍ଷୁଦ୍ର କୁଟୀର ଭିତରେ ଚିନ୍ତାଗ୍ରସ୍ତ ଚିତ୍ରଙ୍ଗଦ । ନିମଗ୍ନ ଥିଲେ ଗୁରୁଙ୍କୁ ଅବଜ୍ଞା କରୁଥିବା ଦୁର୍ନିବାର ସିଦ୍ଧାନ୍ତକୁ ଦମନ କରି ପାରୁ ନ ଥିବାର କାରଣ ଅନ୍ୱେଷଣରେ । ସେ ନିଜକୁ ଶତଧିକ୍‌କାର କରୁଥିଲେ । ଜୀବନ ଦର୍ଶନର ସୁବୃହତ୍ ଗନ୍ତାଘରକୁ ଗୋପନ ପଥ ଆବିଷ୍କାର କରି; ସେ ଯଦି କାହାରି ଉପକାରରେ ତା’ ବିନିଯୋଗ କରି ନ ପାରନ୍ତି ତା’ହେଲେ ଈଶ୍ୱରଦ୍ରୋହୀ ବୋଲି ବିବେଚିତ ହେବେ । କିନ୍ତୁ ତା’ ଅନୁମତି ସାପେକ୍ଷ । ଏକ ପକ୍ଷରେ ଦୁର୍ଦ୍ଦଶାକାତର ସମାଜ, ଅପର ପକ୍ଷରେ ଗୁରୁଦ୍ରୋହୀ ହେବାର ଅନିବାର୍ଯ୍ୟ ଭୟ ଭିତରେ ଚିତ୍ରଙ୍ଗଦ ଶଯ୍ୟା ତ୍ୟାଗ କରି ପଦଚାରଣ କଲେ କୁଟୀର ସମ୍ମୁଖରେ । ମହାରଣ୍ୟ ଚନ୍ଦ୍ର କିରଣରେ ହୋରି ଖେଳୁଛି । ନିର୍ମଳ ଆକାଶର ରୂପାଥାଳିଟିରୁ ଝରି ପଡ଼ୁଛି ଅମୃତର ଅବାରିତ ଧାରା । ପ୍ରକୃତିର ବୈଚିତ୍ର୍ୟରେ ପ୍ରମତ୍ତ ହେଲେ କଳିଙ୍ଗ ପରିବ୍ରାଜକ । ସେ ତାଙ୍କର ଜ୍ଞାନାଲୋକରେ ତମସାଚ୍ଛନ୍ନ ସମାଜର କାଳିମା ଦୂରୀଭୂତ କରିବାକୁ କୃତସଂକଳ୍ପ ହେଲେ । ମାର୍ଗ ପରିବର୍ତ୍ତନର ପୁରୋଧା ସେ ନିଜେ ହେବେ ।

 

ଚିତ୍ରଙ୍ଗଦଙ୍କୁ ପ୍ରତୀୟମାନ ହେଲା ଅଦୂରରେ ଏକ ଉଜ୍ଜ୍ୱଳ ଜ୍ୟୋତିର୍ପିଣ୍ଡ । ତାଙ୍କର ସନ୍ତୁଳିତ ମନକୁ ହଠାତ୍ ଆକର୍ଷଣ କଲା । ସେ ଗୁରୁଦେବଙ୍କ ଦୁର୍ଭେଦ୍ୟ ପ୍ରାଚୀର ଭେଦ କରି ଅତିକ୍ରମ କରିବାକୁ ସହସା ଆରମ୍ଭ କଲେ । ଶ୍ଵାପଦସଙ୍କୁଳ ଘୋର କଣ୍ଟକିତ ଗିରିପଥରେ ଚଞ୍ଚଳ ପଦରେ ଅଗ୍ରସର ହେବାକୁ ଲାଗିଲେ ଚିତ୍ରଙ୍ଗଦ । ତ୍ରିକୂଟ ପର୍ବତର ଶିଖର ଦେଶରୁ ନିମ୍ନଗାମୀ ହୋଇ ସେ ନିକଟବର୍ତ୍ତୀ ହେଲେ ତଥାକଥିତ ଜ୍ୟୋତିର୍ପିଣ୍ଡର । ପୂର୍ଣ୍ଣିମାର ନିଷ୍କଳଙ୍କ ଚନ୍ଦ୍ରାଲୋକ ପ୍ରତିଫଳିତ ହୋଇଛି ଗୋଟିଏ କ୍ଷୁଦ୍ର ପ୍ରସବଣରେ ଏବଂ ତାହା ହିଁ ଦୂରକୁ ଅନୁମିତ ହେଉଥିଲା ଜ୍ଵଳନ୍ତ ଗ୍ରହଟିଏ ସଦୃଶ । ଚିତ୍ରଙ୍ଗଦ ଭାବିଲେ ଏହି ପ୍ରସବଣର ତୁଳନା ଗୁରୁଦେବଙ୍କ ଜଡ଼ଶରୀର ଓ ଦିବ୍ୟଜ୍ଞାନଭିତ୍ତିକ ଏକ ପ୍ରେରଣା ମାତ୍ର ।

 

ଚିତ୍ରଙ୍ଗଦ ସାଧୁବାଦ ଜଣାଇଲେ ଈଶ୍ଵରଙ୍କୁ । କେଡ଼େ ବିଚିତ୍ର ଲୀଳା ସତରେ ତୁମର ପ୍ରଭୁ-! ଚିତ୍ରଙ୍ଗଦ ଦେଖିଲେ, ସେ ପ୍ରସବଣରୁ କ୍ଷୁଦ୍ର ଝରଣାଟିଏ ଲମ୍ବିଯାଇଛି ସାଧାରଣ ଦୃଷ୍ଟି ଶକ୍ତିର ଅନେକ ଦୂରକୁ । ତାଙ୍କର ସଂଶୟ ଦୂର ହେଲା । ସେ ଝରଣାଟିଏ ଭଳି ବହିଯାଇ ନିଜକୁ ସାମିଲ କରିବେ ସାଧାରଣ ଜନସମାଜ ସହିତ । ହୁଅନ୍ତୁ ପଛେ ଗୁରୁଦେବ ଅସନ୍ତୁଷ୍ଟ । କ୍ଷିପ୍ର ଗତିରେ ପରିବ୍ରାଜକ ଝରଣା ତୀରେ ତୀରେ ବନଭୂମି ପରିତ୍ୟାଗ କରି ଜନପଦ ଆଡ଼କୁ ଆଗେଇ ଗଲେ ।

 

ରଜନୀର ଅନ୍ତିମ ପ୍ରହର । ସିଦ୍ଧପୁରୁଷ ସଂପୂର୍ଣ୍ଣାନନ୍ଦଙ୍କର ନିଦ୍ରାଭଙ୍ଗ ହେଲା । ସେ ଅନୁଭବ କଲେ ତାଙ୍କ ଶରୀରରୁ ଏକ ଉଜ୍ଜ୍ୱଳ ଅଗ୍ନିଶିଖା ନିର୍ଗତ ହୋଇ ଦୂରରୁ ବହୁଦୂରକୁ ଯେପରି ଲମ୍ବିଯାଉଛି । ଗୁରୁଦେବ ଅସ୍ଥିର ହୋଇଉଠିଲେ । ଶରୀରରେ ସୃଷ୍ଟି ହେଲା ଅପୂର୍ବ ସ୍ପନ୍ଦନ । ଉଦ୍‌ବିଗ୍ନ ହୋଇ ଧ୍ୟାନାସୀନ ହେଲେ ତପସ୍ଵୀ ସଂପୂର୍ଣ୍ଣାନନ୍ଦ । ତାଙ୍କ ଦୃଷ୍ଟିଶକ୍ତିର ପରସୀମା ବ୍ୟାପ୍ତ ହୋଇଗଲା ପାର୍ବତ୍ୟ ଝରଣାଟି ଯେଉଁଠି ସମତଳ ଅଞ୍ଚଳକୁ ବିସ୍ତାର ଲାଭ କରିଛି । ସେ ଦେଖିଲେ ଚିତ୍ରଙ୍ଗଦ ମହୋଲ୍ଲାସରେ ଆଗେଇ ଯାଉଛନ୍ତି । ତାଙ୍କ ଶରୀରରେ ଦିବ୍ୟଜ୍ୟୋତି ପ୍ରକଟିତ ହୋଇଛି-। ସେ ଗୋଟିକ ପରେ ଗୋଟିଏ ବ୍ୟୁହ ଭେଦ କରି ଚାଲିଛନ୍ତି ପ୍ରବୀଣ ଶିଷ୍ୟଙ୍କର ଦୁର୍ବାର ଆଶାରେ ଉଲ୍ଲସିତ ହେଲେ ଗୁରୁଦେବ । ପରକ୍ଷଣରେ ସେ ଯେତେବେଳେ ଦେଖିଲେ, ଚିତ୍ରଙ୍ଗଦ ସମସ୍ତ ନୀତି ନିୟମକୁ ଅବଜ୍ଞା କରି ଚାଲିଛନ୍ତି, ସେତେବେଳେ ସେ ଉଦ୍‌ବିଗ୍ନ ହୋଇଉଠିଲେ । ବିଗତ ସନ୍ଧ୍ୟାର ବିତର୍କିତ ମୁହୂର୍ତ୍ତ ସ୍ମରଣ ମାତ୍ରେ ସର୍ବାଙ୍ଗ ଶରୀର ରୋମାଞ୍ଚିତ ହେଲା । ଯେଉଁ ଗୂଢ଼ତ୍ତ୍ୱକୁ ସେ ତାଙ୍କର ଉପଯୁକ୍ତ ଶିଷ୍ୟ ମନେକରି ଚିତ୍ରଙ୍ଗଦକୁ ଅର୍ପଣ କରିଥିଲେ, ସେ ବର୍ତ୍ତମାନ ସୀମାତିକ୍ରମ କରି ଆଗେଇ ଯାଉଛି । ହୁଏତ ପର ମୁହୂର୍ତ୍ତରେ ସେ ବୀଜମନ୍ତ୍ରକୁ ନେଇ ଅସଂଖ୍ୟ ଅନୁର୍ବର ମସ୍ତିଷ୍କରେ ଅଙ୍କୁରୋଦ୍‌ଗମ କରାଇବାରେ ପ୍ରୟାସୀ ହେବ ।

 

ଚିତ୍ରଙ୍ଗଦ କ୍ଷିପ୍ର ଗତିରେ ଆଗକୁ ବଢ଼ି ଚାଲିଛନ୍ତି । ତାଙ୍କଠି କ୍ଳାନ୍ତି ନାହିଁ, ନାହିଁ ବିଶ୍ରାମ । ଯେଉଁ ସଂକୀର୍ଣ୍ଣ ଝରଣାର ଉଦ୍ଭବ ସ୍ଥଳୀରୁ ସେ ଯାତ୍ରାରମ୍ଭ କରିଥିଲେ ସେ ଝରଣାର ବକ୍ଷ କ୍ରମଶଃ ପ୍ରସାରିତ ହେବାକୁ ଲାଗିଛି । ଉତ୍‌ଫୁଲ୍ଲ ହେଉଛନ୍ତି ଚିତ୍ରଙ୍ଗଦ । ମନ ଗହନରେ ପ୍ରବଳ ଉଦବେଗ ।

 

ପୂର୍ବଦିଗରେ ସୁନ୍ଦରା ଫାଟିବାକୁ ଆରମ୍ଭ କଲା । ଚନ୍ଦ୍ରକିରଣ ଧୀରେ ଧୀରେ ନିଷ୍ପ୍ରଭ ହୋଇଉଠିଲା । ଚିତ୍ରଙ୍ଗଦ ପ୍ରଭାତର ସୂଚନାରେ ଗଦ୍‌ଗଦ୍ ହୋଇଉଠୁଛନ୍ତି । ସେ ଭେଟିବାକୁ ଯାଉଛନ୍ତି ତାଙ୍କର ପ୍ରିୟ ଜନ-ସମାଜକୁ, ଯେଉଁମାନଙ୍କ ପ୍ରେରଣା ନେଇ ସେ ମହାମନ୍ତ୍ରକୁ ନିଜସ୍ଵ କରିଛନ୍ତି ।

 

ଗୁରୁଦେବ ତାଙ୍କର ଅସୀମ ଶକ୍ତି ନେଇ ଶିଷ୍ୟଙ୍କର ଅନ୍ତରାତ୍ମା ଭେଦ କରି ଗଲେ । ସେ ହୃଦୟଙ୍ଗମ କଲେ ଆଉ କାହାର ପ୍ରତିରୋଧ, ପ୍ରତିବନ୍ଧନ ଚିତ୍ରଙ୍ଗଦଙ୍କ ପଥରୁଦ୍ଧ କରି ପାରିବ ନାହିଁ । ତାଙ୍କ ପ୍ରଦତ୍ତ ମହାବୀଜମନ୍ତ୍ରକୁ ନେଇ ସେ ପରୀକ୍ଷା କରି ସେହି ଅମାର୍ଜିତ, ଅସଂସ୍କୃତ, ଅବୋଧ୍ୟ, ପଶୁ ସଦୃଶ ନିମ୍ନସ୍ତରୀୟ ସମାଜରେ । ନିଜ ଉତ୍ପତ୍ତି ସ୍ଥିତି ସମ୍ପର୍କରେ ଯେଉଁମାନେ ଅବଚେତନ । ଗୁରୁଦେବ ବୁଝୁଥିଲେ ମହାମନ୍ତ୍ରର ଅଧିକାରୀ ଚିତ୍ରଙ୍ଗଦ ଐଶ୍ଵରିକ ଶକ୍ତିରେ ବଳୀୟାନ । ଏବେ ତା’ର ଅଂହକାର ସୀମାଲଙ୍ଘନ କରିବାକୁ ବସିଛି । ଅସ୍ଥିର ହୋଇଉଠିଲେ ତପସ୍ଵୀ ।

 

ଏଣେ ଚିତ୍ରଙ୍ଗଦ ନିଜର ସମସ୍ତ ଶକ୍ତି ନେଇ ଦ୍ରୁତ ଅଗ୍ରସର ହେଉଛନ୍ତି । ସମ୍ମୁଖରେ ତାଙ୍କର ଏକ ପୂର୍ଣ୍ଣଗର୍ଭା ନଦୀ । ନଦୀର ଅପରପାର୍ଶ୍ଵରେ ବିଶାଳ ଜନସମୁଦ୍ର । ସମ୍ଭବତଃ ଚିତ୍ରଙ୍ଗଦଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଏକତ୍ରିତ ହୋଇଛନ୍ତି । ସେ ଅଲୌକିକ ଶକ୍ତି ନେଇ ଫେରୁଥିବାର ଶୁଭସମ୍ବାଦ ଓ ସେମାନଙ୍କ ନିକଟରେ ପ୍ରଚାରିତ ହୋଇଯାଇଛି । ସେ ଆହୁରି ଉତ୍ସାହର ସହିତ ନଦୀତୀରକୁ ଆଗେଇ ଗଲେ ।

 

ସୁଦୀର୍ଘ ନଦୀବକ୍ଷ ପ୍ରବଳ ହିମପାତ ଫଳରେ ତୁଷାରାଚ୍ଛିନ୍ନ । ଚିତ୍ରଙ୍ଗଦଙ୍କୁ ଅତିକ୍ରମ କରିବାରେ ଅସୁବିଧା ହେଲାନି । ସେ ପାଦ ଥୋଇଲେ ନଦୀଗର୍ଭରେ । ସୁନିର୍ମିତ ରାଜପଥ ଭଳି ନଦୀ ଗର୍ଭରେ ଅନାୟାସରେ ଆଗେଇ ଯାଉଛନ୍ତି ଚିତ୍ରଙ୍ଗଦ । ଗୁରୁଦେବ ତାଙ୍କ ଧୀଶକ୍ତି ବଳରେ ଅବଲୋକନ କଲେ ତାଙ୍କର ପ୍ରିୟ ଶିଷ୍ୟଙ୍କୁ, ଯିଏ ମୁହୂର୍ତ୍ତକ ପରେ ତାଙ୍କର ସେହି ମହାବୀଜମନ୍ତ୍ରକୁ ପ୍ରୋତ୍‌ଥିତ କରି ଅପବିତ୍ର କରିବ । ଗୁରୁଦେବ ନିଜକୁ ଆଉ ଆୟତ୍ତରେ ରଖିପାରିଲେ ନାହିଁ । ତାଙ୍କ ଚକ୍ଷୁରୁ ଅଗ୍ନି ସ୍ଫୁଲିଙ୍ଗ ନିର୍ଗତ ହେବାକୁ ଆରମ୍ଭ କଲା ଏବଂ ତା’ ପରିବ୍ୟାପ୍ତ ହେଲା ଚିତ୍ରଙ୍ଗଦଙ୍କ ବହିର୍ଗମନ ପଥ ଅବଧି । କିନ୍ତୁ ସେ ଅଗ୍ନିବଳୟ ଭିତରେ ଆବଦ୍ଧ ହେବା ଊର୍ଦ୍ଧ୍ଵରେ ଥିଲେ ଚିତ୍ରଙ୍ଗଦ । ଗୁରୁଦେବଙ୍କ ତଡ଼ିତ୍‍ ପ୍ରବାହ ତାଙ୍କ ତେଜସ୍କ୍ରୀୟ ଶକ୍ତିର ସୀମାରେଖା ଅତିକ୍ରମ କରିପାରୁ ନ ଥିଲା ।

 

ପରନ୍ତୁ ସିଦ୍ଧପୁରୁଷଙ୍କ ପ୍ରଚଣ୍ଡ ଜ୍ଵାଳାମୟୀ ଶକ୍ତିରେ ନଦୀ, ତୀରସ୍ଥ ଜମାଟବନ୍ଧା ବରଫଖଣ୍ଡ ପଲକମାତ୍ରେ ଜଳାଧାର ହୋଇ ଗତିଶୀଳ ହେଲା । ଦ୍ରବିଭୂତ ହେଲା ବାମ ଓ ଦକ୍ଷିଣପାର୍ଶ୍ଵସ୍ଥ ତୁଷାରଶୀଳା । ଚିତ୍ରଙ୍ଗଦ ଖଣ୍ଡିଏ ଚତୁଃକୋଣ ବିଶିଷ୍ଟ ବରଫଖଣ୍ଡ ଉପରେ ଦଣ୍ଡାୟମାନ ହୋଇଥିଲେ । ଚତୁଃର୍ଦ୍ଦିଗ ଜଳାର୍ଣ୍ଣବ । କୋଳାହଳମୟ ନଦୀ କୂଳରେ ସମ୍ଭାଷଣ-ପ୍ରୟାସୀ ଅସଂଖ୍ୟ ନର-ନାରୀଙ୍କ ଆର୍ତ୍ତନାଦ ତାଙ୍କ କର୍ଣ୍ଣଗହ୍ୱର ଭେଦକରୁଥିଲା । ବାହୁ ପ୍ରସାରିତ କରି ଆହ୍ଵାନ କରୁଥିଲେ ପରିବ୍ରାଜକ ଚିତ୍ରଙ୍ଗଦକୁ । ଚିତ୍ରଙ୍ଗଦ ତଥାପି ଅବଚଳିତ । ଗୁରୁଦେବଙ୍କ କୋପାଗ୍ନିରେ ଦଗ୍‌ଧିଭୂତ ହେବାର ଭୟ ତାଙ୍କର ନ ଥିଲା । ସେ ଅଭୟ ହସ୍ତ ଉତ୍ତୋଳନ କରି ସମବେତ ଜନତାଙ୍କୁ ଆଶ୍ୱାସନା ଦେଉଥିଲେ । ସୁବୃହତ୍ ତୁଷାରଖଣ୍ଡ ଉପଗ୍ରହ ଭଳି ଏକ ନିର୍ଦ୍ଦିଷ୍ଟ କକ୍ଷରେ କିଛି ସମୟ ଘୂର୍ଣ୍ଣୟମାନ ହେବା ପରେ ନଦୀ ଗର୍ଭରେ ଭାସମାନ ଭେଳା ସଦୃଶ ଆଗକୁ ବଢ଼ିବାକୁ ଆରମ୍ଭ କରିଥିଲା ଓ ନଦୀ ତୀରସ୍ଥ ଜନସମୁଦ୍ର ତାଙ୍କର ଅନୁଗମନ କରିବାକୁ ପ୍ରସ୍ତୁତ ହୋଇଯାଇଥିଲେ । ଗୁରୁଦେବ ଧ୍ୟାନ ଭଗ୍ନ କରି ଆଶ୍ରମ ବାହାରେ ଉପନୀତ ହେଲେ । ତାଙ୍କୁ ସେଦିନର ପ୍ରଥମ ସୂର୍ଯ୍ୟାଲୋକ ଏକ ନିତ୍ୟନୂତନ ଭଙ୍ଗୀରେ ଆସି ପ୍ରଣିପାତ କଲା ।

Image

 

କପୋତ ଉବାଚ

 

ଅପରିହାର୍ଯ୍ୟ କାରଣ ଯୋଗୁଁ ମୋତେ ନିର୍ଦ୍ଦିଷ୍ଟ ସମୟସୂଚୀର ଦୁଇ ସପ୍ତାହ ପୂର୍ବରୁ ଫେରି ଆସିବାକୁ ପଡ଼ିଥିଲା । ପାଞ୍ଚବର୍ଷର ଦୀର୍ଘ ପ୍ରସ୍ତୁତି ସତ୍ତ୍ୱେ ହିଲଷ୍ଟେସନ ଭ୍ରମଣର ଉପଭୋଗ୍ୟ କଳ୍ପନାକୁ ପୂର୍ଣ୍ଣ ବାସ୍ତବାୟିତ କରିବାର ଅନେକ ଆଗରୁ ବାଧ୍ୟ ହୋଇ ଫେରି ଆସିଥିଲି । ନିରନ୍ତର ଏକ ଜ୍ଵାଳାମୟୀ ସହରରେ ଦଗ୍‌ଧୀଭୂତ ହେବାର ଜ୍ୱଳନ କିଞ୍ଚିତ ଉପଶମ ନ ହେଉଣୁ, ପୁନଶ୍ଚ ସେ ଯନ୍ତ୍ରଣାର କର୍କଶ ସ୍ଵର ମୋତେ ଅସ୍ଥିର କରି ପକାଇଲା । ତେଣୁ ମୋ ମନରେ କ୍ରୋଧ ଓ ଅସନ୍ତୋଷ; ଆଘାତପ୍ରାପ୍ତ ଅଙ୍ଗରୁ ରକ୍ତ ନିଷ୍କ୍ରାନ୍ତ ହୋଇ ନ ପାରିବା ଭଳି ଜମାଟ ବାନ୍ଧିଥିଲା, ଯେମିତି ଉପରିସ୍ଥ କର୍ମଚାରୀଙ୍କ ଅନ୍ୟାୟ ଆଚରଣର ପ୍ରତିବାଦ ଜଣାଇବାର କ୍ଷମତା ନ ଥିଲେ ଅଯଥା କ୍ରୋଧ ଘନୀଭୂତ ହୋଇଥାଏ ।

 

ମୁଁ ମାତ୍ରାଧିକ ବିକ୍ଷୁବ୍‌ଧ ଥିଲି, କାରଣ ଗ୍ରୀଷ୍ମାବକାଶ ଅବସରରେ ସେମାନଙ୍କର ଅନୁପସ୍ଥିତିର ଅସହ୍ୟ ବେଦନାରେ ଜର୍ଜରିତ ହେବାର ଆଶଙ୍କାରେ, ଯାହା ସହିତ ମୋର ପୂର୍ବରୁ ସମ୍ପର୍କ ଆଦୌ ନ ଥିଲା । ଅତଏବ ମୋର ସମଗ୍ର ପ୍ରତ୍ୟାବର୍ତ୍ତନ ପଥଟି ଦନ୍ତୁରିତ ବେଳାଭୂମି ଭଳି ଅନୁମିତ ହେଇଥିଲା । ଅସନ୍ତୋଷ, କ୍ଷୋଭ, ମିଳନ ବିଚ୍ଛେଦରେ ଧୂମାୟିତ ବାୟୁମଣ୍ଡଳ ମୋତେ ଏକ ଘୋର ଅଭାବବୋଧର ସୂଚନା ଦେଉଥିଲା ଯାହାର ସମ୍ମୁଖୀନ ହେବା ପାଇଁ ମୁଁ ପ୍ରସ୍ତୁତ ହୋଇ ପାରୁ ନ ଥିଲି । ମୁଁ ମନେ ମନେ ଭାବୁଥିଲି, ଠିକ୍ ପର ମୁହୂର୍ତ୍ତରେ; ମୋର ଏତାଦୃଶ ବୀରୋଚିତ କାର୍ଯ୍ୟ ନିସ୍ଵାର୍ଥପର କର୍ତ୍ତବ୍ୟ ସମ୍ପାଦନ ପାଇଁ ସମସ୍ତେ ପ୍ରଶଂସାଜନକ ମନ୍ତବ୍ୟ କରିବେ, ଯାହା ମୋର ଭବିଷ୍ୟତ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଏକମାତ୍ର ସହାୟକ ହେବ ।

 

ଯିବା ଓ ଆସିବା ଭିତରେ ଯେଉଁ ତାରତମ୍ୟ ଥିଲା ତାକୁ ମୁଁ ସହଜରେ ଏଡ଼ାଇ ପାରୁ ନ ଥିଲେ ମଧ୍ୟ ଅନ୍ତତଃପକ୍ଷେ ସାଧାରଣ ପର୍ଯ୍ୟାୟକୁ ଫେରିଆସିବାକୁ ଚେଷ୍ଟା କରୁଥିଲି । କାହାକୁ ନେଇ ଅଧିକ ଚିନ୍ତା କରିବା ଭଳି ମାନସିକ ପ୍ରସ୍ତୁତି ମୋର ନ ଥିଲା । ଇତର ପ୍ରାଣୀଜଗତଠାରୁ ଆରମ୍ଭ କରି ପ୍ରତିଟି ପ୍ରାଣବନ୍ତ ଚିହ୍ନାମୁହଁ, ଯେଉଁମାନେ ମୋତେ ଚକ୍ଷୁପଲକଠାରୁ ଦୂରରେ ରଖିବାକୁ ଚାହୁଁ ନ ଥିଲେ ଇତ୍ୟବସରେ ସେମାନଙ୍କ ଶୂନ୍ୟ ଆସନଗୁଡ଼ିକ ମୋ’ପାଇଁ ଭୀତପ୍ରଦ ଥିଲା । ତଥାପି ସମସ୍ତ ବ୍ୟତିକ୍ରମକୁ ମୁଁ ସାଧାରଣ ଭାବେ ଗ୍ରହଣ କରି ଫେରିଥିଲି, ସମସ୍ତ ଗ୍ଳାନି ଅସନ୍ତୋଷକୁ ନିଜ ଭିତରେ କବର ଦେଇ ।

 

ଜନପଥରୁ ମୋ ଫ୍ଲାଟ ମାତ୍ର କେତେଟା ମୁହୂର୍ତ୍ତର ରାସ୍ତା ଥିଲା । ମୁଁ ଆଶା କରୁଥିଲି, ମୋ’ପ୍ରତିବେଶୀ ଯେଉଁମାନେ ମୋ ପରିବାର, ଅଧିକନ୍ତୁ ମୋ’ପ୍ରତି ଅଧିକ ସହାନୁଭୂତିଶୀଳ ଓ ମୋତେ ସାଙ୍ଘାତିକ ଭଲପାଉଥିବା କଥା ପ୍ରକାଶ୍ୟରେ ଆଲୋଚନା କରନ୍ତି ଏବଂ ମୋ ପ୍ରତ୍ୟାବର୍ତ୍ତନର କାରଣ ଯେଉଁମାନେ ସର୍ବପ୍ରଥମେ ଜାଣିଥିବେ; ସେମାନେ ଧାଇଁ ଆସି ମୋ’ପ୍ରତି ଅନ୍ୟାୟ ହୋଇଛି ବୋଲି ଦୁଃଖ ପ୍ରକାଶ କରିବେ । କିନ୍ତୁ ମୋର ଦୁର୍ଭାଗ୍ୟ, ସେପରି କିଛି ହେଲା ନାହିଁ । ମୁଁ ଏକ ଅନାଗତ ଅତିଥି ଭଳି ସିଡ଼ି ଦେଇ ଉପରକୁ ଉଠିଗଲି, ସମ୍ପୂର୍ଣ୍ଣ ଅଜଣା ଅଚିହ୍ନା ଭଳି-

 

ଦ୍ଵାର ଉନ୍ମୁକ୍ତ ପରେ ମୋ’ପାଇଁ ସବୁଠାରୁ ଅତ୍ୟନ୍ତ ବିସ୍ମୟକର ଥିଲା; ସେଇ ପ୍ରାଣୀଟି, ଯାହାକୁ ଏହି ଷୋଳ ଘଣ୍ଟାର ସଂକ୍ଷିପ୍ତ ଇତିହାସ ରଚନା କାଳରେ ଥରଟିଏ ସ୍ମରଣ କରିବାର ସାଧାରଣ ସୌଜନ୍ୟବୋଧର ଅଭାବ ମୋର ଥିଲା; ସେ ପ୍ରଥମେ ଅଭିବାଦନ ଜଣାଇଥିଲା ଏକ ସୁଲଭ ମଧୁର କଳ ଗୁଞ୍ଜନରେ । ତା’ର ଚଳଚଞ୍ଚଳ ଭଙ୍ଗୀ, ପକ୍ଷୀ ଝାଡ଼ି ନିର୍ଜନ ପରିବେଶକୁ କୋଳାହଳ ମୁଖର କରିବାର ଉଦ୍ୟମ, ନିଶ୍ଚିତ ଭାବେ ମାନବୋଚିତ ଥିଲା ଏବଂ ତା’ର ବାକ୍‌ପ୍ରବଣତା ମୋତେ ବିମୁଗ୍‌ଧ କରିଥିଲା । ମୁଁ ଯଦି ପ୍ରାଣୀ-ବିଜ୍ଞାନୀ ହୋଇଥାନ୍ତି ଅଥବା ମନୁଷ୍ୟ ଭିନ୍ନ ପ୍ରାଣୀଜଗତର ଭାଷା ଉପରେ ସାମାନ୍ୟ ଜ୍ଞାନର୍ଜନ କରିଥାନ୍ତି, ତା’ହେଲେ ସେହି ପକ୍ଷୀରାଜଟି ପ୍ରତି ଯେତିକି ସହାନୁଭୂତିଶୀଳ ହୋଇଥାନ୍ତି ସେଥିରେ ଟିକିଏ ହେଲେ ତ୍ରୁଟି କରି ନ ଥିଲି । ମୋ ହୃଦୟର କେଉଁ ନିଭୃତ କୋଣରୁ ପକ୍ଷୀଟି ପ୍ରତି ମମତାର ଏକ ଜଳାଧାର ନିର୍ଗତ ହୋଇଥିଲା ।

 

ଦି’ମାସ ତଳେ ଏହି ଅନାଗତ ଅତଥିଟି ଆମ ପରିବାରର ସଦସ୍ୟଭୁକ୍ତ ହେବାର ଏକ ନେପଥ୍ୟ କାହାଣୀ ଅଛି । ସିଜନର ପ୍ରଥମ ରୌଦ୍ରତାପରେ ଆହତ ହୋଇ ଫ୍ଲାଟ ମଧ୍ୟସ୍ଥ ବିଦ୍ୟୁତ୍ ବିଭାଗର ବିଜ୍ଞାପିତ ଅଞ୍ଚଳରେ ଉଦ୍‍ବାସ୍ତୁ ଭଳି ଆଶ୍ରୟ ନେଇଥିଲା, ଯାହାକୁ ସେଦିନ ଆବିଷ୍କାର କରିଥିଲା ମୋର ଶେଷ ଶିଶୁ ସନ୍ତାନ, ମଧ୍ୟାହ୍‌ଣକୁ ଅତ୍ୟନ୍ତ କୋଳାହଳପୂର୍ଣ୍ଣ କରି । ତତ୍‌ପରେ ପକ୍ଷୀଟିର ଆବିର୍ଭାବ ତା’ର ସକଳ ଦୁଷ୍ଟାମିର ପ୍ରତିଷେଧକ ନିମନ୍ତେ ଏକ ମହୌଷଧି ମନେକରି ପରିବାରର ଅନ୍ୟ ସମସ୍ତେ ତା’ର ସ୍ଥାୟୀ ବସବାସ ନିମନ୍ତେ ଶୟନକକ୍ଷରେ ଏକ ଶିବିରର ପରିକଳ୍ପନା କରିଥିଲେ । କୋମଳମତି ଶିଶୁଟିକୁ ଏପରି ଭୟଭୀତ କରାଇବା ଉଚିତ ନୁହେଁ ବୋଲି ମୋର ସ୍ପଷ୍ଟ ଅଭିମତ ବିରୋଧୀ ଦଳର ସଂଶୋଧନୀ ପ୍ରସ୍ତାବ ଭଳି ଧ୍ଵନି ଭୋଟରେ ନାକଚ ହୋଇଯାଇଥିଲା ଓ ଉପଯୁକ୍ତ ସମ୍ମାନ ସହକାରେ ମୋ ଅନିଚ୍ଛା ସତ୍ତ୍ୱେ ତା’ ନିମନ୍ତେ ସ୍ଥାନ ସଂରକ୍ଷଣ କରାଗଲା ।

 

ପକ୍ଷୀଟି ସୁସ୍ଥହେବାକୁ ବେଶୀ ସମୟ ଲାଗି ନ ଥିଲା । ସେ ଭଲ ହେଲେ ଅନ୍ୟତ୍ର ପଳାଇଯିବାର ସମ୍ଭାବନାକୁ ଅଗ୍ରାହ୍ୟ କରି ନିହାତି ପରିଚିତ ଭଳି ଘର ଭିତରେ ଚଳପ୍ରଚଳ କଲା ଓ ସମସ୍ତଙ୍କୁ ଆହ୍ଲାଦିତ କଲା ତା’ର ଲାଳିତ୍ୟ କଳରବରେ । ଦେଉଳିଆ ପାରା ଭଳି ଏକ କୁତ୍ସିତ ପକ୍ଷୀକୁ ଘର ଭିତରେ ସ୍ଥାନଦେବାର ଯୌକ୍ତିକତା ମୋ ଅପେକ୍ଷା ସମସ୍ତେ କାହିଁକି ଅଧିକ ଉପଲବ୍‌ଧ‌ି କରୁଥିଲେ । ତେଣୁ ପିଲାଟି ପାରାକୁ ଏଣିକି ଆଦୌ ଭୟ କରୁ ନ ଥିଲେ ମଧ୍ୟ ତାକୁ ସମ୍ମାନୀୟ ଅତିଥି ଭଳି ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରାଧିକାର ଦିଆଗଲା । ପୂର୍ଣ୍ଣ ନାଗରିକତ୍ଵର ଅଧିକାର ନେଇ ସେ ନିର୍ଭୟରେ ନିର୍ଦ୍ୱନ୍ଦ୍ଵରେ ଘର ଭିତରେ ବିଚରଣ କରୁଥିଲା । ରୁଚିପୂର୍ଣ୍ଣ ପାନାହାରର ସୁବନ୍ଦୋବସ୍ତ ଓ ନିରାପଦ ବସବାସର ବ୍ୟବସ୍ଥା ପକ୍ଷୀଟିକୁ ସ୍ଥାୟୀଭାବେ ରହିବାକୁ ନିଶ୍ଚିତ ଭାବେ ଉତ୍ସାହିତ କରିଥିଲା । ଅବଶ୍ୟ କିଛିଦିନ ପରେ ତାହା ଅନିୟମିତ ହୋଇଥିଲା, ଆମ ଦେଶରେ ଯିମିତି ସବୁ କ୍ଷେତ୍ରରେ ହୋଇଥାଏ । କିନ୍ତୁ ପକ୍ଷୀଟି ଦେଶର ଜଳବାୟୁ ସହିତ ସମ୍ପୂର୍ଣ୍ଣ ପରିଚିତ ଥିବା ଭଳି ନିର୍ବିରୋଧରେ ପଡ଼ି ରହିଥିଲା । ମୋର ମନେ ହୋଇଥିଲା, ପକ୍ଷୀ ହେଲେ ବି ତା’ର ଗୋଟାଏ ତ ନୈତିକତା ରହିଛି, ତେଣୁ ସେ ଏତେ ଶୀଘ୍ର ସେ ଉପକାର ଭୁଲିଯିବନି ସାମାନ୍ୟ ବ୍ୟତିକ୍ରମ ନିମନ୍ତେ ।

 

ସେଦିନ ନ ହୋଇ ଅନ୍ୟ ଦିନ ହୋଇଥିଲେ ମୁଁ ପାରାଟିକୁ କଠୋର ଶାସ୍ତି ନ ଦେଇ ଛାଡ଼ି ନ ଥାନ୍ତି, କାରଣ ଦଶଦିନ ଧରି ସେ ଘରଟିକୁ ପ୍ରଚୁର ଆବର୍ଜନାପୂର୍ଣ୍ଣ କରିବା ପାଇଁ ଯେଉଁ କଠୋର ପରିଶ୍ରମ କରିଥିଲା । କିନ୍ତୁ ସେଦିନ ତା’ର ପରମ ଆତ୍ମୀୟତାକୁ ମୁଁ ଶୀଘ୍ର ଅସ୍ଵୀକାର କରି ପାରୁ ନ ଥିଲି । ତେଣୁ ତା’ ଦୁଷ୍ଟାମି ପାଇଁ ମୋର ଜାଗରୁକ ପ୍ରତିଶୋଧାତ୍ମକ ମନୋବୃତ୍ତି ନିରୁତ୍ତାପ ହୋଇଯାଉଥିଲା ।

 

ପକ୍ଷୀଟିର ଏ ଭିତରେ କିଛିଟା ପରିବର୍ତ୍ତନ ହୋଇଥିବାର ମୁଁ ଲକ୍ଷ୍ୟ କଲି । ଖୁବ୍ ଉଗ୍ର, ଅହଂକାରୀ, ଶାସନହୀନ ଧନିକପୁତ୍ର ଭଳି ତା’ର ଆଚରଣ ମୋତେ ବିସ୍ମିତ କଲା । ମୋ ସୁଟକେଶ, ବେଡ଼ିଂ, ହ୍ୟାଣ୍ଡବ୍ୟାଗ ଉପରେ ସେ ଏପଟ ସେପଟ ହୋଇ ଆସି ବସିଯାଉଥିଲା ଓ ବେଳେ ବେଳେ ଚଞ୍ଚୁକାଘାତ କରୁଥିଲା । ତା’ର ଅଭଦ୍ର ବ୍ୟବହାର ମୋତେ ଯେତେ ପରିମାଣରେ ବିକ୍ଷୁବ୍‌ଧ କରି ନ ଥିଲା ତା’ ଅପେକ୍ଷା ମୁଁ ତା’ ଉପରେ ଅଧିକ ଅସନ୍ତୁଷ୍ଟ ହେଉଥିଲି କାରଣ ଆବର୍ଜନା ସଫା କରିବାକୁ ମୋତେ ଘଣ୍ଟାଏ ପର୍ଯ୍ୟନ୍ତ ଜଳଦ୍‌ଘର୍ମ ହେବାକୁ ପଡ଼ିଥିବାରୁ । ସେ ମୋର ଦୟନୀୟ ଅବସ୍ଥାକୁ ବେଖାତିର ପ୍ରଦର୍ଶନ କରିବାକୁ ଟିକିଏ ହେଲେ କୁଣ୍ଠାବୋଧ କରୁ ନ ଥିଲା । ତା’ର ଏହି ନିର୍ମମ ପରିହାସ ଯୋଗୁଁ ମୋର ଅସାମାନ୍ୟ କ୍ରୋଧ ଜାତହେଉଥିଲେ ହେଁ ମୁଁ କାହିଁକି ପ୍ରତିକ୍ରିୟାଶୀଳ ହୋଇ ପାରୁ ନ ଥିଲି ।

 

ଅପରାହ୍‌ଣରୁ ସଂଧ୍ୟା ପର୍ଯ୍ୟନ୍ତ ପକ୍ଷୀଟି ଘର ବାହାର ହେଉଥିଲା; ଅଥଚ ନିର୍ଦ୍ଦିଷ୍ଟ ଗତିପଥକୁ ସେ ଅନୁସରଣ କରୁ ନ ଥିଲା । ସବୁବେଳେ ତା’ର କିମିତି ଗୋଟାଏ ଅସ୍ଥିର ଅସ୍ଥିର ଭାବ । ତା’ ବସାରେ ସେ ଆଗଭଳି ସ୍ଥିର ହୋଇ ବସି ପାରୁ ନ ଥିଲା । ଏତେ ଚଞ୍ଚଳତା ମୁଁ ତା’ଠି ଆଗରୁ କେବେ ଆଉ ଦେଖି ନ ଥିଲି । କ’ଣ ଗୋଟାଏ ହଜାଇବା ଭଳି ସେ ହେଉଥିଲା, ଯେପରି ତା’ର ସବୁଠାରୁ ଅତି ଆଦରର ଜିନିଷ । ତେଣୁ କାହାରିକୁ ସେ ଗୁରୁତ୍ଵଦେବାକୁ ପ୍ରସ୍ତୁତ ନ ଥିଲା, ନିହାତି ବେପରୁଆ ଭାବେ ସେ ଅତି ସନ୍ଦିଗ୍‌ଧଭାବେ ଘୂରୁଥିଲା ।

 

ସନ୍ଧ୍ୟା ନଇଁ ଆସିବା ମାତ୍ରେ ମୁଁ ବାହାରକୁ ବାହାରି ପଡ଼ିଲି । ସରକାରୀ ବେସରକାରୀ କାମ ସାରି ଫେରିବା ବେଳକୁ ଅନେକ ରାତି ହେଲା । କିନ୍ତୁ ମୁଁ ଆସିବା ପର୍ଯ୍ୟନ୍ତ ପାରା ଶୋଇ ନ ଥିଲା । ମୁଁ ବାହାରେ ଖାଇପିଇ ଆସିଥିବାରୁ ଆଉ ବିଳମ୍ବ ନ କରି ଶୋଇବା ପାଇଁ ପ୍ରସ୍ତୁତ ହୁଅନ୍ତେ ସେ ଉଡ଼ିଆସି ମୋ କାନ୍ଧରେ ବସିଗଲା ଓ କ’ଣ ଗୁଡ଼ାଏ କହିଗଲା । ବଡ଼ ଅଭିଯୋଗ ସମ୍ବଳିତ ସ୍ମାରକପତ୍ର ଧରି ସେ ଯେପରି ଅନେକ କିଛି କହିଯାଉଛି ଯାହା ବୁଝିବାର ବିଦ୍ୟା ମୁଁ ହାସଲ କରି ନ ଥିଲି ।

 

ସେଦିନ ରାତିରେ ମୁଁ ଶୋଇ ପାରି ନ ଥିଲି । ପାରାର ଘନ ଘନ ଆକ୍ରମଣ ମୋ ନିଦ୍ରାରେ ବାରମ୍ବାର ବ୍ୟାଘାତ ଘଟାଇଥିଲା । ପକ୍ଷୀଟି ଶତ୍ରୁ ଆକ୍ରମଣଜନିତ ଭୟରେ ଏପରି ହେଉଥିବାର ସନ୍ଦେହ କରି ମୁଁ ଏକାଧିକବାର ଲାଇଟ୍ ଜଳାଇବାକୁ ବାଧ୍ୟ ହୋଇଥିଲି । କିନ୍ତୁ ସାପ, ବିରାଡ଼ି ଭଳି ତା’ର କୌଣସି ଦୁର୍ଦ୍ଦର୍ଷ ଶତ୍ରୁ ମୁଁ କେଉଁଠି ଦେଖି ପାରିଲି ନାହିଁ; ଅଥଚ ପାରାଟି ମୋ ଆଡ଼େ କେବଳ ଭୟାର୍ତ୍ତ ନୁହେଁ; ବେଶ୍ ଅର୍ଥପୂର୍ଣ୍ଣ ଭାବେ ଚାହିଁ ରହିଥିଲା । ରାତିସାରା ପାରାଟି ବାରମ୍ବାର ଉଡ଼ିଆସି ମୋ ବିଛଣାରେ କେତେବେଳେ ମୁଣ୍ଡ ପାଖରେ ତ କେତେବେଳେ ପାଦ ଆଡ଼େ ବସୁଥିଲା । ଗୁଡ଼ୁ ଗୁଡ଼ୁ ହୋଇ ସେ ଖାଲି କ’ଣ କହିଯାଉଥିଲା ଓ ବେଳେ ବେଳେ ଥଣ୍ଟରେ ମୋ ହାତଗୋଡ଼କୁ ଆଘାତ କରୁଥିଲା ଏବଂ ମୁଁ ହଲଚଲ ହେବା ମାତ୍ରେ ଉଡ଼ିଯାଇ ଟେବୁଲ କିମ୍ବା ଅନ୍ୟ କୌଣସି ଆସବାବ ପତ୍ରରେ ଅଥବା ସେ ବସାଘରଟିର ଛାତ ଉପରେ ବସି ରହୁଥିଲା । ପୁଣି ଟିକିଏ ପରେ ତା’ର ପୁନରାବୃତ୍ତି, ଅତ୍ୟନ୍ତ ଅସହ୍ୟ ଓ ନିଦାରୁଣ ।

 

କେବଳ ପରଦିନ ନୁହେଁ, ଏକାଦିକ୍ରମେ ବେଶ୍ କେତେଦିନ ପକ୍ଷୀଟିର ଏତାଦୃଶ ଅନୁଭବଯୋଗ୍ୟ କାର୍ଯ୍ୟକଳାପ ଲାଗି ରହିଥିଲା । ମୁଁ ଘରେ ଅତ୍ୟନ୍ତ ବ୍ୟଥିତ ଭାବେ କଟାଉଥିବା ସମୟତକ ଏବଂ ମୋର କ୍ରିୟାକର୍ମକୁ ସେ ଅତି ତାତ୍ପର୍ଯ୍ୟପୂର୍ଣ୍ଣ ଭାବେ ଲକ୍ଷ୍ୟ କରୁଥିଲା । କେବେ ସେ ବାହାରେ ରହୁଥିବାର ମୁଁ ଦେଖି ନ ଥିଲି । ପରମ ଆତ୍ମୀୟତା ନେଇ ଘର ଭିତରେ ସେ ନିସଂକୋଚଭାବେ ଚଳପ୍ରଚଳ କରୁଥିଲା । ତେବେ ତା’ର ଅନିସନ୍ଧିଚ୍ଛୁ, ଭାବଭଙ୍ଗୀ ପ୍ରତି ମୋର ଗୋଟାଏ ଅକାରଣ କ୍ରୋଧ ଘନିଭୂତ ହୋଇ ଆସୁଥିଲା । ସେ ସବୁବେଳେ କ’ଣ ଗୋଟାଏ ଖୋଜି ହେଉଥିଲା, ତା’ ପୁଣି ଅତି ସାଙ୍ଘାତିକ ଭାବେ । ଦିନସାରା ଗୋଟାଏ ପାଗଳା ହାତୀ ଭଳି ଖାଲି ଘର ପକା ଉଠା କରୁଥିଲା ଓ ରାତିରେ ମଧ୍ୟ ସେହି ଏକା ଧରଣର ବାଚାଳାମି ।

 

ଭଲଭାବେ ରାତିରେ ଶୋଇବା ପାଇଁ ମୁଁ ପରଦିନଠାରୁ ମଶାରିର ସାହାଯ୍ୟ ନେଇଥିଲି-। ତା’ର କିନ୍ତୁ ସୁନିୟୋଜିତ ଆକ୍ରମଣ ପୂର୍ବ ଭଳି ଅବ୍ୟାହତ ରହିଥିଲା । ଦୌରାତ୍ମ୍ୟ ବୃଦ୍ଧିପାଇଥିଲା । ବରଂ କମ୍ ହେବା ପରିବର୍ତ୍ତେ । ଡେଣା ଫଡ଼ ଫଡ଼ କରି ଘରଟା ଯେମିତି ଭଙ୍ଗିପକାଉଥିଲା । ମଶାରିଟାକୁ ଟାଣି ଓଟାରି ଖିନ୍‌ଭିନ୍ କରି ଦେଉଥିଲା । ତା’ ଆକ୍ରୋଶର ଯିମିତି କୌଣସି ସୀମା ନ ଥିଲା । ହୁଏତ ତା’ର ଶକ୍ତି ଥିଲେ ସେ ମୋତେ ଖୁନ୍ କରି ପକାଇଥାନ୍ତା । ସେତକ ନଥାଇ ମଧ୍ୟ ସେ ମୋତେ ଯେତିକି ଶାସ୍ତି ଦେଉଥିଲା ତା’ କିଛି କମ୍ ନ ଥିଲା । ମୁଁ ଏହି କ୍ଷୁଦ୍ର ଜୀବଟିର ଆଚରଣକୁ ମାନବିକ ଦୃଷ୍ଟିକୋଣ ନେଇ ବିଚାରୁଥିବାରୁ ତା’ପ୍ରତି କଠୋର ହୋଇ ପାରୁ ନ ଥିଲି; ବରଂ ଗଭୀର ଭାବେ ମୁଁ ଚନ୍ତାଶୀଳ ଥିଲି । ଏପରି ହେବାର କାରଣ କ’ଣ ଥାଇପାରେ ?

 

ସମସ୍ତେ ଫେରିବା ଅବଧି ମୁଁ ଦିନବେଳା ଅଫିସ କ୍ୟାଣ୍ଟିନରେ ଓ ରାତିରେ ଅଫିସର୍‌ସ କ୍ଲବ ସାମନା ରେଷ୍ଟୁରାଣ୍ଟରେ ଖାଇବାର ନିଷ୍ପତି ନେଇଥିଲି । ତେଣୁ ସ୍ନାନାଦି ନିତ୍ୟକର୍ମ ସାରି ଅଫିସ୍ ବାହାରି ଯାଉଥିଲି ରାସ୍ତାରେ ଚା’ ଜଳଖିଆ ଖାଇ ଓ ଫେରୁଥିଲି ବେଶ୍ କିଛି ରାତି ହବା ପରେ । ତେଣୁ ଘର ସହିତ ସମ୍ପର୍କ ଖୁବ୍ କମ୍ ରହୁଥିଲେ ବି ସକାଳ ଦି’ ଘଣ୍ଟା ଓ ଅବଶିଷ୍ଟ ରାତିତକ ସେ ମୋତେ ଶାନ୍ତିରେ ରହିବାକୁ ଦେଉ ନ ଥିଲା । ସବୁଠାରୁ ମୋ’ପାଇଁ ବେଦନାଦାୟକ ଥିଲା ମୋର ବ୍ୟର୍ଥତା, ମୁଁ ସାମାନ୍ୟ ପକ୍ଷୀଟିଠାରୁ ନିଜକୁ ପରାଜୟ ମୁଖରୁ ରକ୍ଷା କରି ପାରୁ ନ ଥିଲି । ଅବଶ୍ୟ ଶକ୍ତି ପ୍ରୟୋଗ ଭିନ୍ନ ଅନ୍ୟ ସମସ୍ତ କଥା ମୁଁ ଚିନ୍ତା କରୁଥିଲି । ତା’ ଦୁଃସାହସିକ ପଦକ୍ଷେପ ବିରୁଦ୍ଧରେ କଠୋର ଦମନ ନୀତି ବା ବଳପ୍ରୟୋଗ ମାନବୋଚିତ ନୁହେଁ ବୋଲି ମୁଁ ବିଚାରୁଥିବାରୁ ପାରାଟି ଅଧିକ ଉତ୍ସାହିତ ହେବାର ସୁଯୋଗ ନେଉଥିଲା ।

 

ସେଦିନ ରବିବାର । ଅଫିସ ଯିବାର ନ ଥାଏ । ବିଗତ ଦିନମାନଙ୍କର ଅନିଦ୍ରାଜନିତ କ୍ଳାନ୍ତି ଯୋଗୁଁ ମୁଁ ସୂର୍ଯ୍ୟୋଦୟ ପରେ ବି ବିଛଣାରେ ପଡ଼ିରହିଲି । ଗାଢ଼ ନିଦ୍ରାର ପ୍ରଶ୍ନ ଆସୁନଥିଲା । ଏମିତି ଯାହା ଖାଲି ଏକପ୍ରକାର ଆତ୍ମସନ୍ତୋଷ । କିନ୍ତୁ ମୋ’ପ୍ରତି ସତର୍କ ଦୃଷ୍ଟି ରଖିଥିବା ପକ୍ଷୀଟି ମୋତେ ବେଶୀ ସମୟ ଶୋଇବାକୁ ଦେଇ ନ ଥିଲା । ସାମାନ୍ୟ ଛାଇ ନିଦ ଲାଗି ଆସିବା ବେଳକୁ ସେ ପାଦକୁ ଖୁମ୍ପି ଦେଇଥିଲା ଅତ୍ୟନ୍ତ ନିର୍ମମ ଭାବେ । ଛୁଟିଦିନର ଆରମ୍ଭ ଏପରି ଭାବରେ ହେଉ, ମୁଁ ଆଦୌ ଚାହୁଁ ନ ଥିଲି । ତେଣୁ ପାରାର ଏଭଳି ଦୁର୍ବ୍ୟବହାର ମୋତେ ଆଣି ଏକ ଚରମ ସୀମାରେ ପହଞ୍ଚାଇ ଦେଲା । ଆଜି ପର୍ଯ୍ୟନ୍ତ ମୁଁ ଯାହା ନିଜକୁ ସାନ୍ତ୍ଵନା ଦେଇ ଆସୁଥିଲି; ‘‘ଯାହାହେଲେ ତ ପକ୍ଷୀଟାଏ, ତା’ଠାରୁ ଆଉ ଅଧିକ ଆଶା କରିବା କ’ଣ ଉଚିତ ହେବ’’ ସେ କଥା ଆଉ ମୁଁ ଚିନ୍ତା କରିବା ସପକ୍ଷରେ ନଥିଲି । ତେଣୁ ମୁଁ ତାକୁ ନେଇ ଅତ୍ୟନ୍ତ ସିରିୟସ୍ ହୋଇପଡ଼ିଲି । କ’ଣ ତା’ର ହୋଇଛି, କ’ଣ ପାଇଁ ସେ ମୋ ସ୍ଥିତିକୁ ସ୍ଵୀକାର କରିବାକୁ ପ୍ରସ୍ତୁତ ନୁହେଁ, ଏବଂ ତା’ର ଏ ବେଖାତିର ଭାବ ଓ ରୁକ୍ଷ ବ୍ୟବହାର ? ପୁଣି ମୁଁ ଭାବୁଥିଲି ଏହାକୁ ସହଜ ଓ ସାଧାରଣ ଭାବେ ଏଯାବତ୍ ଗ୍ରହଣ କରିବା କ’ଣ ଉଚିତ ହୋଇଛି !

 

ପାରା ସେତେବେଳକୁ ଉଡ଼ିଯାଇ ଦକ୍ଷିଣପଟ ଝର୍କା ଉପରେ ବସି ମୋରି ଆଡ଼କୁ ଅବିଚଳିତ ଭାବେ ଚାହିଁ ରହିଥିଲା । ତା’ର ଚାହାଣୀ କେତେବେଳେ କରୁଣ ତ କେତେବେଳେ ବିଦ୍ରୂପାତ୍ମକ ମନେହେଉଥିଲା । ମୋର ସମଗ୍ର ଚିନ୍ତା ଜଗତରେ ସେଇ ରହସ୍ୟମୟ ପାରାଟି ବାଟବଣା ହୋଇଗଲା ଭଳି ବିଦ୍ୟୁତ୍‍ ବେଗରେ ଏଣେ ତେଣେ ଧାଉଁଥିଲା । ସେ ଅସୁସ୍ଥ, ମୋ ବ୍ୟବହାରରେ ଅସନ୍ତୁଷ୍ଟ, ତାକୁ ଏଠାରେ ସ୍ଥାନ ଦେବା କାଳରେ ମୋ ବିରୂପ ମତାମତର ପ୍ରତିଶୋଧ ନେବାକୁ ସଂକଳ୍ପବଦ୍ଧ କିମ୍ବା ତା’ର ପ୍ରିୟଜନମାନଙ୍କର ଅନୁପସ୍ଥିତ ଯୋଗୁଁ ଅତିଶୟ କ୍ଷୁବ୍‌ଧ, ତା’ ଭିତରୁ କେଉଁଟାକୁ ମୁଁ ପ୍ରକୃତ କାରଣ ବୋଲି ବିଚାରୁ ନ ଥିଲି ।

 

ସାଧାରଣ ପକ୍ଷୀଟିର ଏଇ ଅସାଧାରଣ ଗତିବିଧିକୁ ତର୍ଜମା କରିବାକୁ ଯାଇ ସମୟାନୁବର୍ତ୍ତୀ ହେବାକୁ ମୁଁ ଭୁଲିଯାଇଥିଲି । ମୁଁ ସକାଳୁ ଅଗାଧୁଆ ଅପାଧୁଆ ବସି ରହିଛି ଓ ଜଳ ପର୍ଯ୍ୟନ୍ତ ସ୍ପର୍ଶ କରିନି, ଏକଥା ସ୍ମରଣ ହେଲା ସହକର୍ମୀ ଗୋପସୁନ୍ଦରଙ୍କ ଚାକର ପିଲାଟି ଯେତେବେଳେ ମୋ ଖାଇବା ଆଣି ପହଞ୍ଚିଲା । ଗୋପସୁନ୍ଦରର ନିମନ୍ତ୍ରଣ ରକ୍ଷା କରି ନିର୍ଧୁମ ଖରାବେଳେ ତା’ ଘରକୁ ଯିବା ସମ୍ଭବ ନଥିବା ଯୋଗୁଁ ଏ ଧରଣର ପୂର୍ବ ବ୍ୟବସ୍ଥା ଥିଲା । ମୁଁ ସବୁକଥା ପଛକୁ ପକାଇ ଦେଇ ବାଥ୍‌ରୁମରେ ପ୍ରବେଶ କଲି । କ୍ଷୁଧାରୂପୀ ରାକ୍ଷସ ତା’ର ସମସ୍ତ ବିକ୍ରମ ନେଇ ମୋତେ ଆକ୍ରାନ୍ତ କରି ପକାଇଥିଲା । ନ୍ୟୁନତମ ସମୟସୀମାଠାରୁ ବି କମ୍ ସମୟ ଭିତରେ ମୁଁ ନିତ୍ୟକର୍ମ ସାରି ଆସି ଦେଖେ ପାରାଟି ଟିଫିନ୍‍ କ୍ୟାରିଅର ଉପରେ ବସି ଝୁଲୁଛି । ଏକପ୍ରକାର ଲାଞ୍ଜ ହଲାଇ ନାଚୁଛି କହିଲେ ଚଳେ । ମନରେ ତା’ର ଯେପରି ପରମ ଆନନ୍ଦ । ମୁଁ ତା’ ଉପରେ ଆଦୌ ଗୁରୁତ୍ଵ ନ ଦେଇ ଖାଇବାକୁ ବସିଗଲି । କିନ୍ତୁ ପକ୍ଷୀଟି ଦୂରକୁ ଉଡ଼ି ନ ଯାଇ ମୋ ସହିତ ଯେତିକି ଦୂରତ୍ଵ ସେ ଯାଏଁ ରକ୍ଷା କରୁଥିଲା ଏଥର ତା’ ନ କରି ବିଲ୍‌କୁଲ ମୋ ହାତ ପାଖରେ ବସି ରହିଲା । ମୁଁ ଟିଫିନ୍ କ୍ୟାରିଅର ଥାକଗୁଡ଼ିକ ଖୋଲି ତଳେ ରଖୁ ରଖୁ ଲକ୍ଷ୍ୟ କଲି ସେ ତା’ ଭାଗ ପାଇଁ ଶିକାରୀ ବିରାଡ଼ିଟିଏ ଭଳି ଥଣ୍ଟମାରିବାକୁ ଉଦ୍ୟତ ହେଉଛି । ମୁଁ ତାକୁ ସାବଧାନ କରାଇଦେଲି । ସେ କିନ୍ତୁ ଦୂରକୁ ଘୁଞ୍ଚି ନ ଯାଇ ମୋ ଚାରିପାଖରେ ଘୂରି ବୁଲିଲା ଓ ଗୁଡ଼ୁ ଗୁଡ଼ୁ ହୋଇ ଖାଦ୍ୟପଦାର୍ଥ ପାଇଁ ମୋ ଅସତର୍କ ମୁହୂର୍ତ୍ତରେ ଚେଷ୍ଟା କରୁଥିଲା ।

 

ତା’ ଉପଯୋଗୀ ଖାଦ୍ୟ ପଦାର୍ଥ କିଛି ଥିଲାନି । ତଥାପି ତାକୁ ସନ୍ତୁଷ୍ଟ କରିବା ପାଇଁ ପଲାଉ ଓ ବୁଟଡାଲିରୁ ମେଞ୍ଚାଏ ତଳେ ଥୋଇ ଦେଲି । ମୋର ବିସ୍ମୟର ସୀମା ରହିଲା ନାହିଁ ଯେତେବେଳେ ମୁଁ ଦେଖିଲି ପାରାଟି ଗୋଟିଏ ଯନ୍ତ୍ର ଭଳି ସବୁ ଟକ୍ ଟକ୍ କରି ଖାଇଯାଉଛି, ଯେପରି ସେ ଅନେକ ଦିନ ହେଲା ଭଲ-ମନ୍ଦ ଖାଇ ନ ଥିଲା । ତା’ପରେ ମୁଁ କୌତୂହଳୀ ହୋଇ ଖଣ୍ଡେ ପାପଡ଼ ହାତରେ ଗୁଣ୍ଡ କରି ରଖିଦେଲି । ସେତକ ମଧ୍ୟ ସେ ଅଳ୍ପ ସମୟ ମଧ୍ୟରେ ଖୁଣ୍ଟି ଦେଲା । ପେଟ ଭରି ଆସିଥିବା କାରଣରୁ କିମ୍ବା ଉତ୍ତମ ଖାଦ୍ୟ ହୋଇ ନ ଥିବାରୁ ସେ ଏଣେ ତେଣେ ଥଣ୍ଟମାରିବାକୁ ଲାଗିଲା କିଛି ସମୟ ପରେ । ମୁଁ ତା’ ଖାଇବା ପ୍ରତି ଧ୍ୟାନ ନ ଦେଇ ଖାଇବା ଶେଷ କରି ଉଠି ଆସିଲି । ପାରାଟି କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ ପରିତ୍ୟକ୍ତ ଥାକଗୁଡ଼ିକରେ ବ୍ୟସ୍ତ ଥିଲା । ମୁଁ ପାରାର ପଲାଉ ଖାଇବା କଥାରୁ, ମଣିଷ ଟଙ୍କା ଖାଇବା, ଗାଈର ଫାଇଲ ହଜମ କରିବା କଥା ଚିନ୍ତା କରୁ କରୁ କେତେବେଳେ ଯେ ନିଦ ଆସି ଯାଇଥିଲା ଜାଣିପାରିଲି ନାହିଁ ।

 

ସେଦିନ ସନ୍ଧ୍ୟା ମୋ’ପାଇଁ ଅତ୍ୟନ୍ତ ମନୋରମ ଥିଲା । ତିନି, ଚାରି ଘଣ୍ଟା ସୁନିଦ୍ରା ପରେ ଅପରାହ୍‌ଣରେ ନଦୀ କୂଳେ ଭ୍ରମଣ ଓ ପରେ ପରେ ସିନେମା ଦେଖା ଏବଂ ରାତ୍ରୀ ଭୋଜନ ଶେଷ କରି ମୁଁ ବେଶ୍ ବିଳମ୍ବରେ ଫେରିଲି । ମୁଁ ଏକ ଖଳଗ୍ରହଠାରୁ ମୁକ୍ତି ପାଇଛି ଏବଂ ସପ୍ତାହବ୍ୟାପୀ ଯେଉଁ ମାନସିକ ସନ୍ତୁଳନ ସୃଷ୍ଟି ହୋଇଥିଲା ତା’ର ଯେ ସମାପ୍ତି ଘଟିଛି ମୁଁ ଘରକୁ ଫେରିବା ପରେ ତା’ ଜାଣିପାରିଲି; କାରଣ ପାରାଟି ସବୁଦିନ ଭଳି ସେଦିନ ମୋ ଅପେକ୍ଷାରେ ନ ଥିଲା । ମୁଁ ଦେଖିଲି ସେ ତା’ ବସାରେ ଘୁମେଇ ପଡ଼ିଛି । ଖରାବେଳେ ମୋତେ ନିଶ୍ଚିନ୍ତରେ ଶୋଇବାକୁ ଦେବା ଓ ସେତେବେଳେ ସେ ପୁନର୍ବାର ଉପଦ୍ରବ କରିବା ମନୋବୃତ୍ତି ରଖି ନ ଥବା ମୁଁ ବୁଝିପାରିଲି । ମୁଁ ବିଛଣାକୁ ଗଲାବେଳେ ଦେଖିଲି ସେ ଅନୁନୟ ହେଲା ଭଳି ମୋ ଆଡ଼କୁ ଟିକିଏ ଚାହୁଁଛି ଓ ପୁଣି ଆଖି ବୁଜି ଦେଇଛନ୍ତି ।

 

ମୋ ମାନସିକ ଦ୍ଵନ୍ଦ୍ଵର ଅବସାନ ଘଟିଲା । ମୋ ମନର ଭୟ ତ ସଂଶୟର ସମାଧାନ ହେଲା । ପକ୍ଷୀଟିକୁ ପୂର୍ବରୁ ଘରେ ଯେଉଁ ଖାଇବା ପିଇବାର ସୁଯୋଗ ରହିଥିଲା ସେଥିରୁ ବଞ୍ଚିତ ହେବା ପରେ ସେ ଯାବତୀୟ ଅତ୍ୟାଚାର ଆରମ୍ଭ କରି ଦେଇଥିଲା । ସୁସ୍ଵାଦୁ ଖାଦ୍ୟଭାବରେ ସେ ହୁଏତ ଅର୍ଦ୍ଧଭୁକ୍ତ ରହୁଥିଲା କିମ୍ବା ଖାଦ୍ୟ ସଂଗ୍ରହ ଭଳି ଏକ ନ୍ୟୁନତମ ବୃତ୍ତିକୁ ସେ ପୁନରୁଜ୍ଜୀବିତ କରିବାକୁ ଚାହୁଁ ନ ଥିଲା ନତୁବା ପରିବାର ଭିତରେ ଥିବା ମୌଳିକ ଅଧିକାରରୁ ତାକୁ ବଞ୍ଚିତ କରାଯାଇଥିବା ଦୃଷ୍ଟିରୁ ସେ ମୋ ଉପରେ ତା’ର ସାଧିବା ପାଇଁ ନିଷ୍ପତି ନେଇଥିଲା । ଏକପ୍ରକାର ବିଦ୍ରୋହ ଘୋଷଣା କରିଥିଲା ବୋଲି ବୁଝିବାକୁ ହେବ । ସେତକ ମିଳିଯିବା ପରେ ଅତି ବିଜ୍ଞ ପ୍ରାଣୀଟିଏ ଭଳି ସେ ସମସ୍ତ ଅଭିଯୋଗ ପ୍ରତ୍ୟାହାର କରି ନେଇଥିଲା ।

 

ସେଦିନ ମୁଁ ରାତିର ଅବଶିଷ୍ଟ ସମୟ ନିଶ୍ଚିନ୍ତରେ ସୁନିଦ୍ରାରେ କଟାଇଥିଲି । ବିଳମ୍ବରେ ହେଲେ ବି ପକ୍ଷୀଟିର ଦୁଃଖ କେଉଁଠି ମୁଁ ଆବିଷ୍କାର କରିଥିବାରୁ ଗଭୀର ଆତ୍ମସନ୍ତୋଷ ଅନୁଭବ କଲି । ତେଣୁ ପରଦିନ ସକାଳୁ କୌଣସି ଅପ୍ରୀତିକର ଘଟଣାକୁ ପ୍ରଶ୍ରୟ ନ ଦେବାକୁ ବଜାରରୁ ମସୁରଡାଲି, ସୋରିଷ, ସରୁ ଖୁଦ ଇତ୍ୟାଦି ସୁବ୍ୟଞ୍ଜନ ସାମଗ୍ରୀ ପୃଥକ୍ ପୃଥକ୍ ଭାବେ ପ୍ଲାଷ୍ଟିକ ପାତ୍ରରେ ସଜାଇ ଦେଲି । ତା’ପରେ ସବୁ ଠିକ୍ ଚାଲିଲା । ଯନ୍ତ୍ରଣାରୁ ତ୍ରାହି ମିଳିଗଲା ଓ ଯେଉଁ ବ୍ରହ୍ମରାକ୍ଷସଟି ମୋ ଘରେ କେତେଦିନ ଧରି ଉପଦ୍ରବ କରୁଥିଲା ସେଥିରୁ ନିଷ୍କୃତି ପାଇଗଲି ।

 

ପକ୍ଷୀଟି ଏଥର ମୋ ସହିତ ତା’ର ପୂର୍ବ ସମ୍ପର୍କକୁ କାଏମ ରଖିବାକୁ ଯେତିକି ସମର୍ଥ ହୋଇଥିଲା ମୋ ମୁରବିତ୍ଵକୁ ସମ୍ମାନ ଦେଖାଇବାକୁ ତତୋଽଧିକ ତତ୍ପର ହେଉଥିଲା । ମୋ ଚିନ୍ତା-ଚୈତନ୍ୟର କେନ୍ଦ୍ରବିନ୍ଦୁକୁ ଉଡ଼ିଯାଇ ସେ ଅଧାକାନ୍ଥ ଉପରେ ଏକ ପ୍ରତୀକ ଭଳି ବସି ରହିଥିଲା ।

 

କିଛି ଦିନ ପରେ ମୁଁ ତାରି ଭଳି ଆଉ ଗୋଟିଏ ପାରା ଆମ ଘରେ ଆବିଷ୍କାର କଲି । ରାତି ହେଲେ ସେ ତା’ ଜାଗାକୁ ଫେରିଯିବ ଓ ତା’ ଆସିବାଟା ସମ୍ପୂର୍ଣ୍ଣ ବନ୍ଧୁତା ଖାତିର ଉପରେ ପର୍ଯ୍ୟବସିତ ବୋଲି ମୁଁ ବୁଝିଥିଲି । କିନ୍ତୁ ରାତିରେ ଫେରି ମୁଁ ଦେଖିଲି ସେମାନେ ରାତି ଉପଭୋଗ ପାଇଁ ପାଖାପାଖି ଘୁମେଇ ପଡ଼ିଥାନ୍ତି । ଟେବୁଲ ଉପରେ ଖୁଦ ଡବା ଓଲଟି ପଡ଼ିଥାଏ । ଘର ଭିତରେ କେତେଟା ସାନ ସାନ ପର । ଏ ଦୃଶ୍ୟ ଦେଖି ପ୍ରଥମେ ମୁଁ କିଛି ବୁଝିପାରିଲି ନାହିଁ । ସହଜଲବ୍‌ଧ ସୁଷମଖାଦ୍ୟର ପ୍ରଲୋଭନ ଦେଖାଇ ସେ ଆଉ ଜଣକୁ ସାଥୀ ଭାବେ ଗ୍ରହଣ କରିଛି, ଏ କଥା ବୁଝିବାକୁ ମୋତେ ଆଉ ଡେରି ଲାଗିଲାନି । ପକ୍ଷୀର ଏ ଧରଣର ଔଦ୍ଧତ୍ୟ ଆଚରଣରେ ମୁଁ କିଛିଟା ଅବଶ୍ୟ କ୍ଷୁବ୍‌ଧ ହେଲି ।

 

ଚୁକ୍ତିରକ୍ଷା କରାଗଲା ଭଳି ଖାଦ୍ୟ ସରବରାହ ଅବ୍ୟାହତ ଥାଏ । ଦୁଇଟିଯାକ ପାରା ବସା ଭିତରେ ଘୁମୁରି ଉଠିଲେ ମୋତେ ଏକ ଅଜଣା ଆନନ୍ଦ କିପରି ମିଳୁଥିଲା । ପ୍ରଥମେ ପ୍ରଥମେ ନୂଆ ଚଢ଼େଇଟି ମୋତେ ସାମାନ୍ୟ ଭୟ କରୁଥିଲା । କିନ୍ତୁ କିଛିଦିନ ପରେ ସିଏ ବି ମୋତେ ଆଦରି ନେଲା । ପକ୍ଷୀ ଦୁଇଟିଙ୍କର ପରସ୍ପର ପ୍ରତି ପ୍ରେମ ମୋତେ ଆକୃଷ୍ଟ କରିଥିଲା । ଦଣ୍ଡକ ପାଇଁ କେହି କାହାକୁ ପାଖରୁ ଛାଡ଼ୁ ନ ଥିଲେ । ଏପରିକି ଅତି ନିର୍ଲଜ୍ଜ ଭାବେ ସେମାନେ ଦିନକ ଭିତରେ ବହୁବାର ମୋ ସମ୍ମୁଖରେ ରତି କ୍ରିୟା ସମାପନ କରୁଥିଲେ । ବହୁ ସମୟରେ ଦୁହେଁ ଥଣ୍ଟକୁ ଥଣ୍ଟ ଯୋଡ଼ି ବସି ରହୁଥିବାର ମୁଁ ଦେଖୁଥିଲି । ପୁରୁଣା ପାରାଟି ନରପକ୍ଷୀ ଓ ଅନ୍ୟଟି ତା’ର ପ୍ରକୃତି ସ୍ଵରୂପିଣୀ ଅନୁଗାମିନୀ ଏହା ତାଙ୍କ ଅଭଦ୍ର କ୍ରିୟାକଳାପରୁ ପ୍ରମାଣିତ ହେଲା । ସେ ବିନା ପରାମର୍ଶରେ ଆଉ ଜଣକୁ ସ୍ଥାୟୀ ଭାବେ ବସବାସ କରିବାକୁ ସ୍ଵୀକୃତି ଦେଇ ପୁନଶ୍ଚ ଖାଦ୍ୟ ସଙ୍କଟ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ମୋ ଉପରେ ଆର୍ଥିକ ଚାପ ପକାଇଥିବା ଧୃଷ୍ଟତା ନିମନ୍ତେ ମୋର ପ୍ରତିକ୍ରିୟା ଥିଲା ଠିକ୍ ନରମପନ୍ଥୀ ବିପ୍ଳବୀମାନଙ୍କ ଭଳି । ମୁଁ ପୁରୁଷ ସୁଲଭ ପ୍ରକୃତି ନେଇ ପକ୍ଷୀ ଦୁଇଟିଙ୍କର ଉପସ୍ଥିତିକୁ ସାମୟିକ ମନୋରଞ୍ଜନ ସାମଗ୍ରୀ ଭାବେ ଗ୍ରହଣ କରିଥିଲି ।

 

ଶିକ୍ଷକ ଧର୍ମଘଟ ଯୋଗୁଁ ନିକଟରେ ସ୍କୁଲ ଖୋଲିବାର କୌଣସି ସମ୍ଭାବନା ନ ଥିଲା । ତେଣୁ ପରିବାରରେ ଅନ୍ୟ ସଦସ୍ୟମାନଙ୍କର ଫେରିବା ସମୟ ଘୁଞ୍ଚିଗଲା । ଘରଟିର ନିର୍ଜନ ପରିବେଶରେ ମୁଁ ଯେତେ ଅଶ୍ଵସ୍ତି ବୋଧକରିବା କଥା, ପାରା ଦୁଇଟି ସେତକ କରିବାକୁ ଦେଉ ନ ଥିଲେ । ସେମାନଙ୍କ ଭିତରେ ମୁଁ ଏକ ଭିନ୍ନ ଜଗତର ଯେପରି କିଛି ସନ୍ଧାନ ପାଉଥିବାର ମଣୁଥିଲି ।

 

ଦିନେ ସକାଳେ ମୋ ନିଦ ଭାଙ୍ଗିଲାବେଳକୁ ମୁଁ ପାରା ଗୃହରୁ ଏକ କ୍ଷୀଣ ଶବ୍ଦ ଭାସି ଆସୁଥିବାର ଅନୁଭବ କଲି । ସକାଳ ହୋଇଯାଇଥିଲେ ବି ସୂର୍ଯ୍ୟକରଣ ପୃଥିବୀ ପୃଷ୍ଠକୁ ଆସି ନ ଥାଏ । ମୁଁ ଶୋଇ ରହି ଏହି ନୂତନ ସ୍ଵର ଲହରୀକୁ ଅନୁଧ୍ୟାନ କଲି । ଏହି ସମ୍ପୂର୍ଣ୍ଣ ନବୀନତମ ସ୍ଵର ସେ କପୋତ-କପୋତୀ ଦୁହିଁଙ୍କର ନୁହେଁ, ଏହା ଜାଣିବା ମୋ’ପାଇଁ ଆଦୌ କଷ୍ଟକର ନ ଥିଲା । ମୁଁ ପୃଥିବୀର ସର୍ବୋତ୍ତମ ଆଶ୍ଚର୍ଯ୍ୟ ବସ୍ତୁକୁ ଆବିଷ୍କାର କରିବାକୁ ଗଲା ଭଳି ଅତି ଆଗ୍ରହ ସହକାରେ ଉଠିଯାଇ ନିରୀକ୍ଷଣ କଲି । ମୋର ବିସ୍ମୟର ସୀମା ଲଙ୍ଘନ କଲା–ମୁଁ ପାରା ଗୃହରେ ଯେତେବେଳେ ସେମାନଙ୍କ ଯୌଥ ପ୍ରଚେଷ୍ଟାର ସ୍ମାରକୀ ସେହି ପକ୍ଷୀ ଶାବକଟିକୁ ଦେଖିବାକୁ ପାଇଲି ।

 

ମୁଁ ଜାଣେନା ପକ୍ଷୀ ଶାବକଟିକୁ ଦେଖି ମୋର ଯିମିତି କ’ଣ ଗୋଟାଏ ହୋଇଗଲା । ମୁଁ ବୁଝିପାରିଲି ନାହିଁ ସେତେବେଳେ କେଉଁ ପୃଥିବୀରେ ଥିଲି । ମୁଁ ନୀରବ ହୋଇ ଆସି ଚେୟାରରେ ବସିପଡ଼ିଲି । ଦି’ପ୍ରାଣୀଯାକ ସେତେବେଳେ ବାହାରେ ଥିଲେ । କିଛି ସମୟ ପରେ ସେମାନେ ଥଣ୍ଟରେ କାଠିକୁଟା କେତେଖଣ୍ଡ ଧରି ଘରେ ପ୍ରବେଶ କଲେ । ଅନେକ ସମୟଯାଏଁ ତାଙ୍କ ଘରକୁ ନିବୁଜ କରିବାରେ ସେମାନେ ବ୍ୟସ୍ତ ଥିଲେ । ତାଙ୍କ ଛୁଆଟିର ନିରାପତ୍ତା ନିମନ୍ତେ ସେମାନଙ୍କ ବ୍ୟଗ୍ରତା ମୁଁ ଅନୁଭବ କଲି ।

 

ମୁଁ କିନ୍ତୁ ବେଶ୍ କିଛି ସମୟ ସେଇଠି ବସି ରହି କେତେ କ’ଣ ଚିନ୍ତା କରୁଥିଲି । ମୁଁ ଭାବୁଥିଲି; ଏ ଦେଶ ଓ ଦେଶବାସୀଙ୍କ କଥା, ଆଇନ କାନୁନ ଓ ଅଧିକାର-ଅନଧିକାର କଥା, ବାଦ-ବିବାଦ, ଉଚିତ-ଅନୁଚିତ କଥା ଏବଂ ମୁଁ ସବୁଠୁ ଅଧିକ ଚିନ୍ତା କରୁଥିଲି, ‘‘ଯଦି ମୁଁ ଆମ ଲୋକମାନଙ୍କୁ କୁହେ, ତମ ଦେଶରେ ଏଭଳି ପକ୍ଷୀମାନେ ବି ରହିଛନ୍ତି” ତ’ହେଲେ ସେମାନେ କ’ଣ ମୋ କଥାକୁ ବିଶ୍ଵାସ କରିବେ ?

Image

 

ଫକୁମାଷ୍ଟ୍ରେ

 

କୋକାକୋଲା କମ୍ପାନୀ ସୌଜନ୍ୟରୁ ନିର୍ମିତ ଛଅଫୁଟ ଲମ୍ବା ଓ ତିନିଫୁଟ ଚଉଡ଼ା ସେଡ୍ ତଳେ ଆମେ ପ୍ରାୟ କୋଡ଼ିଏ କି ତିରିଶ ଜଣ ଲୋକ ବର୍ଷା ଉତ୍ପାତରୁ ରକ୍ଷା ପାଇବା ପାଇଁ ଭିଡ଼ି ଯାଇଥାଉ । ଦିନଯାକର ପ୍ରଚଣ୍ଡ ଗରମ ପରେ ବର୍ଷା ତା’ର ପ୍ରାଦୁର୍ଭାବ ଆରମ୍ଭ କରି ଦେଇଥିଲା । ତୁହାକୁ ତୁହା ବର୍ଷା । ସିଜନ୍‌ର ସବୁଠାରୁ ବଡ଼ ବର୍ଷା । ବହୁ ଦିନର ଅଭିମାନ ଭାଙ୍ଗି ବର୍ଷା ଯେପରି ପୃଥିବୀ ବକ୍ଷରେ ଲୋଟିପଡ଼ୁଛି । ଘଡ଼ଘଡ଼ିର ପ୍ରଚଣ୍ଡ ଶବ୍ଦରେ ଆକାଶ ଭାଙ୍ଗି ପଡ଼ୁଛି ଯେମିତି ।

 

ଚାହୁଁ ଚାହୁଁ ରାସ୍ତା ଉପରେ ଆଣ୍ଠୁଏ ପାଣିଚାଲିଲା । ଗାଡ଼ି ମୋଟର ରିକ୍‌ସାର ଯାତାୟାତ ବନ୍ଦ ହୋଇଗଲା । ପବନରେ ଦେହ ଶୀତେଇ ଉଠୁଥାଏ । ପାଣି ଛିଟିକାରେ ଆମେ ଅଧାଅଧି ଭିଜିଯାଇଥାଉ । ସେଡ୍ ତଳେ ଉଷା-ଆଲୋକ କ୍ଲବର, ତୃଷାହରଣ ବୋର୍ଡ଼ଟିକୁ ମୁଁ ପଛ କରି ଠିଆ ହୋଇଥାଏ । ବର୍ଷା ସହଜେ ଛାଡ଼ିଯିବ, ସେ କଥା ମୁଁ ଭାବିପାରୁ ନ ଥିଲି, ଯଦିଓ ମୋର ଶୀଘ୍ର ଫେରିଯିବାର ଥିଲା ।

 

ପ୍ରାୟ ଅଧଘଣ୍ଟାଏ ଅତିବାହିତ ହୋଇଗଲା । ମୂଷଳ ଧାରା ବର୍ଷାର ବିରାମ ନାହିଁ । ସମସ୍ତଙ୍କ ମନରେ ଅସହାୟ ଭାବ । କିଛି ସମୟ ପରେ ବର୍ଷାରେ ଭିଜି ଭିଜି ଯିବା ପାଇଁ କେତେକ ପ୍ରସ୍ତୁତ ହୋଇଯିବାରୁ ଭିଡ଼ ଟିକିଏ କୋହଳ ଧରିଲା । ଜଣେ ଅଧେ ସାହସ କରି ଆର ଫୁଟ୍‌ପାଥକୁ ମଧ୍ୟ ଚଢ଼ିଗଲେ । ଦୀର୍ଘଦିନର ଧର୍ମଘଟ ପରେ ଆଶୁସମାଧାନର ସମ୍ଭାବନା ନ ଥିଲେ, ଧର୍ମଘଟୀମାନେ ଯେପରି ନରମ ନୀତି ଗ୍ରହଣ କରିଥାନ୍ତି, ଲୋକମାନେ ସେପରି ବର୍ଷା ନିକଟରେ ସରେଣ୍ଡର ହେବାକୁ ପ୍ରସ୍ତୁତ ହୋଇ ଯାଇଥିଲେ । ମୋର ଆଗପଛ ବାମ, ଦକ୍ଷିଣ ଚତୁଃର୍ଦ୍ଦିଗକୁ ମୁଁ ଯେତେଦୂର ଦେଖିପାରୁଥିଲି ଖାଲି ଗଦା ଗଦା ଲୋକ, ଫସଲ ଉଠା କ୍ଷେତ ମଝିରେ ନଡ଼ା କଳେଇ ଗଦାଭଳି । ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଯିଏ ଯେଉଁଠି ଠିଆ ହୋଇଛି ସେଇଠି । ବର୍ଷାର ଅତର୍କିତ ଆକ୍ରମଣରେ ମୁଁ ଅତି ଅସହାୟ ହୋଇପଡ଼ିଥିଲି । ନିଜକୁ ହାଲୁକା କରିବା ପାଇଁ ଚିହ୍ନା ଲୋକଟିଏ ମନେ ମନେ ଖୋଜି ହେଉଥିଲି ପଦେ ଅଧେ କଥା ହେବାପାଇଁ । ଲୋକ ସାମାନ୍ୟ କମିଯିବା ଫଳରେ ମୁଁ ସେଡ୍‍ ତଳେ ଠିଆହୋଇଥିବା ଲୋକମାନଙ୍କ ଭିତରେ ଆବିଷ୍କାର କଲି ଫକୁମାଷ୍ଟ୍ରଙ୍କୁ । ସେ କେତେବେଳେ ଆସି ସେଠି ଠିଆହୋଇ ଯାଇଥିଲେ । ମୁଁ ଦେଖିପାରି ନ ଥିଲି । ଆଗୁଆ ହୋଇ କଥା କହିବାରେ ସେ ଅଭ୍ୟସ୍ତ ନ ଥିବାରୁ ମୋତେ ଅନେକ ଆଗରୁ ଦେଖିଥିଲେ ବି ସାହସ କରି କଥା କହୁ ନ ଥିଲେ । କିନ୍ତୁ ସେ ମୋର ମୁହାଁମୁହିଁ ହୋଇଯିବାରୁ ଉପାୟଶୂନ୍ୟ ହୋଇ ଅତି ବିନମ୍ର ଭାବରେ କହିଲେ, ‘ନମସ୍ତେ’ ଏବଂ ଟିକିଏ ହସିଦେଲେ ।

 

ଫକୁମାଷ୍ଟ୍ରେ ଆମ ବ୍ଲକର ବାର ନମ୍ବର ଫ୍ଲାଟର ବାସିନ୍ଦା । ହାଇସ୍କୁଲ ପାସ୍‍ କରିବା ପରେ ସେଇ ସ୍କୁଲରେ କୋଡ଼ିଏ ବର୍ଷ ଧରି ଶିକ୍ଷକତା କରି ଆସୁଛନ୍ତି । ଫକୁମାଷ୍ଟ୍ରଙ୍କୁ ସହରର ପ୍ରାୟ ଅଧାଅଧି ଲୋକ ଜାଣନ୍ତି । ଅଷ୍ଟମ ଶ୍ରେଣୀରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଇତିହାସ, ଭୂଗୋଳ ପଢ଼ାନ୍ତି । ବାପର ଶିକ୍ଷକ, ପୁଅର ଶିକ୍ଷକ । ଧୋତି, କୁର୍ତ୍ତା, ଜହର କୋଟ କିମ୍ବା ପାଇଜାମା ପଞ୍ଜାବି ମଫଲରରେ ଆବୃତ୍ତ ଫକୁମାଷ୍ଟ୍ରେ ଏଇ ନାଁରେ ସବୁଠି ପରିଚିତ । ତାଙ୍କର ପୂରା ନାମ ତାଙ୍କର ଅଧିକାଂଶ ଛାତ୍ର ଏପର୍ଯ୍ୟନ୍ତ ଜାଣନ୍ତି ନାହିଁ । ଓଡ଼ିଆ ରାଜଭାଷା ହେବା ପରଠୁ ସେ ଇଂରାଜୀରେ ଦସ୍ତଖତ କରିବା ଛାଡ଼ିଦେଇ ନିଜ ନାଁକୁ ଛୋଟ କରି ଦେଇଥିଲେ । ତାଙ୍କର ପୂରାନାମ ଫନୀନ୍ଦ୍ର କୁମାର ମହାନ୍ତି । କିନ୍ତୁ ସେ ଦସ୍ତଖତ କଲାବେଳେ ଫକୁ ମହାନ୍ତି ଏଭଳି ଭାବେ ଲେଖନ୍ତି ଯେ କେହି ତାକୁ ଫକୁମାଷ୍ଟର ବୋଲି ପଢ଼ିବ ଓ ସେହି ନାମରେ ତାଙ୍କୁ ସମ୍ବୋଧନ କରିବାଟା ଅଧିକ ପସନ୍ଦ କରୁଥିବାରୁ ନିଜର ଅପଭ୍ରଂଶ ନାଁ ପାଇଁ କେବେ ପ୍ରତିବାଦ ଜଣାଇ ନାହାନ୍ତି ।

 

ମୋ’ଠାରୁ ସୂଚନା ପାଇ ଫକୁମାଷ୍ଟ୍ରେ ଭିଡ଼ ଠେଲି ମୋ ପାଖକୁ ଲାଗି ଆସିଲେ । ସେ ସବୁଦିନ ଅପେକ୍ଷା ଆଜି ଟିକିଏ ଅଧିକ ପ୍ରଫୁଲ୍ଲ ଦେଖା ଯାଉଥାନ୍ତି । ହାତରେ ଗଙ୍ଗୁରାମର ମିଠା ପ୍ୟାକେଟଟିଏ । ଅପରାଧିଟିଏ ଭଳି ମୋ ପାଖକୁ ଆସି କହିଲେ, ‘‘ମାଟିନ୍ ସୋ’ ସିନେମା ଯାଇଥିଲି । ଡକ୍ଟର ପରିଜାଙ୍କର କାଳ ହୋଇଯିବାରୁ ସ୍କୁଲ ଅଧାରୁ ଛୁଟି ହୋଇଗଲା । ସୌଭାଗ୍ୟକୁ ଆଜି ଦରମାଟା ମିଳିଗଲା, ଛଅ ମାସର ଏରିଅର ମହଙ୍ଗାଭତ୍ତା ସହ । ପିଲାଙ୍କ ପାଇଁ ତିନି ଟଙ୍କାର ସନ୍ଦେଶ କଣି ଘରକୁ ଫେରୁଥିଲି; ବର୍ଷା ଭଗାରି ହେଲା । ଏଇଠି ଠିଆ ହୋଇଛି ତ ଠିଆ ହୋଇଛି-।” ଡ. ପରିଜାଙ୍କର ମୃତ୍ୟୁ ସମ୍ବାଦଟାକୁ ଫକୁମାଷ୍ଟ୍ରେ ଏମିତି ଭାବେ ବ୍ୟାଖ୍ୟା କଲେ, ଯେମିତି ଆଜିପରା ଦିନ ତାଙ୍କ ପାଇଁ ଏକ ଉତ୍ସବମୁଖରର ଦିନ । ମୁଁ ବିସ୍ମିତ ହେଲାଭଳି କହିଲି; କ’ଣ କହିଲେ–ଡକ୍ଟର ପରିଜାଙ୍କର କାଳ ହୋଇଗଲା ?

 

‘‘ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ସମସ୍ତଙ୍କର ଦିନ କାଳ ହେଲେ ମରିବେ । ତାଙ୍କର ହାଟ ବାହୁଡ଼ା ବେଳ ହୋଇଗଲା । ତାଙ୍କୁ କ’ଣ କିଏ ବାଟ ଓଗାଳି ଥାଆନ୍ତା ?” ଅତି ନିର୍ବିକାର ଭାବେ ଫକୁମାଷ୍ଟ୍ରେ ଜବାବ ଦେଲେ । ଫକୁମାଷ୍ଟ୍ରଙ୍କର ବାହାର ଭିତର ଏମିତିକା ସବୁବେଳେ ସମାନ । ତାଙ୍କୁ ପାଖରେ ଦୂରରେ ବିଭିନ୍ନ ଅବସ୍ଥାରେ ଦେଖିଛି । ତାଙ୍କର କୌଣସି କଥାରେ ଅସନ୍ତୋଷ, ପ୍ରତିବାଦ ବା ପ୍ରତିରୋଧ ନ ଥିଲା । ପ୍ରଯତ୍ନ ବା ପ୍ରତିକାର ପାଇଁ ସେ କେବେ ମଧ୍ୟ ଆଗ୍ରହ ରଖି ନ ଥିଲେ ।

 

ମୁଁ ଲକ୍ଷ୍ୟ କଲି ଫକୁମାଷ୍ଟ୍ରେ ଅନ୍ୟମାନଙ୍କ ଭଳି ଆକାଶକୁ, ରାସ୍ତାକୁ କଟମଟ କରି ଚାହିଁ ରହିଛନ୍ତି । ତାଙ୍କୁ ଖୁସି କରାଇବା ପାଇଁ କହିଲି, ଏ ବର୍ଷାଟାକୁ ଦେଖୁନାହାନ୍ତି; ହଠାତ୍ କିମିତି ପାଗଳ ସାଜିଛି ? ସେ ଉତ୍ତର ଦେଲେ, ବର୍ଷାଦିନେ ତ ବର୍ଷାହେବ, ଏଥିରେ ଅସନ୍ତୋଷ ହୋଇ ଲାଭ କ’ଣ-? ବର୍ଷା ବିହୁନେ ସୃଷ୍ଟି ନାଶ । ବର୍ଷା ନ ହେଲେ ପ୍ରାଣୀଜଗତ ଜୀବନ ଧାରଣ କରିବେ କିମିତି-?

 

ମୁଁ କହିଲି, ନାଇଁ ଯେ ଏଇ ରସ୍ତାଘାଟ ଯାନବାହନର ଯେଉଁ ଅବସ୍ଥା !

 

ସେ ତର୍କ କଲେ, ଅବସ୍ଥାଟା ତ କେବଳ ଆମରି ପାଇଁ ନୁହେଁ । ରାସ୍ତାଘାଟ, ଯାନବାହନ ପାଇଁ ସମସ୍ତେ ଯେମିତି ଭୋଗିବେ, ଆମେ ଭୋଗିବା । ପକ୍‌କା ରାସ୍ତା ଗାଡ଼ି ମୋଟରର ଯେଉଁଠି ଆଦୌ ସୁବିଧା ନାହିଁ ?

 

ବର୍ଷା ସମ୍ପୂର୍ଣ୍ଣଭାବେ ଯଦିଓ ଛାଡ଼ି ଯାଇ ନ ଥାଏ; ତେବେ ପୂର୍ବର ବଡ଼ ବଡ଼ ବରକୋଳିଆ ଟୋପା ପରବର୍ତ୍ତେ ସରୁ ନିବୁଜ ଧାରାର ବିରାମ ନ ଥାଏ । ବିଜୁଳି ଘଡ଼ଘଡ଼ି ତଳକୁ ଓହ୍ଲାଇ ଆସିଥାନ୍ତି । ବର୍ଷା ନିକଟରେ ଛାଡ଼ିଯିବାର ସୂଚନା ମିଳୁଥିଲେ ବି ସହରର ଚତୁର୍ଦ୍ଦିଗବ୍ୟାପୀ ଘଡ଼ଘଡ଼ି ଚଡ଼ଚଡ଼ି ଶତ୍ରୁ ଦୁର୍ଗ ଅବରୋଧ କଲା ଭଳି ଅକଥନୀୟ ଆକ୍ରମଣ ସମସ୍ତଙ୍କୁ ଭୟଭୀତ କରି ପକାଉଥିଲା ।

 

ଫକୁମାଷ୍ଟ୍ରେ କହିଲେ, ଦେଖୁଛନ୍ତି ଆଜ୍ଞା ! ଆଜି ପ୍ରକୃତି କିମିତି ଦାଉ ସାଧିବାକୁ ବସିଛି ! ଏମିତି ଘଡ଼ଘଡ଼ି ବିଜୁଳି ଆପଣ କେବେ ଦେଖିଥିଲେ । ମୁଁ କହୁଛି ଆଜି ଏ ମୁଣ୍ଡେ ଦି’ମୁଣ୍ଡ ନ ନେଇ ଛାଡ଼ିବନି । ମାଷ୍ଟ୍ରରଙ୍କ ତୁଣ୍ଡରୁ କଥା ସରିନି ସହରର ଐଶାନ କୋଣରେ ବଜ୍ରପାତ ହେଲା । ପୃଥିବୀ ରସାତଳ ହୋଇଗଲା ଭଳି ମନେହେଲା । ଦେହ ହାତ ଝିମି ଝିମି ହୋଇଗଲା । ମୁଁ ଭୟରେ କାନରେ ଆଙ୍ଗୁଠି ଗୁଞ୍ଜିଲି । ମାଷ୍ଟ୍ରେ ରାମନାମ ଉଚ୍ଚାରଣ କଲେ । ଚତୁର୍ଦ୍ଦିଗ କୋଳାହଳ ଗୁଞ୍ଜନରେ ଚହଲି ପଡ଼ିଲା । ପାଖରେ ଠିଆହୋଇଥିବା ଲୋକେ ପୁରୁଣା କପ ସୁଆଁରି ନୂଆ ରୂପ ଦେବାକୁ ଚେଷ୍ଟାକଲେ । କିନ୍ତୁ ଫକୁମାଷ୍ଟ୍ରେ ନିର୍ଭୟରେ ଘୋଷଣା କଲେ, ଗ୍ରହ କଟିଗଲା, ଏଥର ଚାଲନ୍ତୁ ଯିବା-

 

ବର୍ଷା ଟିକିଏ କମି ଆସିଥିଲା । ଲୋକମାନେ ଏଥର ବର୍ଷାକୁ ଭ୍ରୂକ୍ଷେପ ନ କରି ଚଳ ପ୍ରଚଳ ଆରମ୍ଭ କରିଦେଲେ । ମାଷ୍ଟ୍ରେ ଗୃହ ପ୍ରତ୍ୟାବର୍ତ୍ତନ ଉଦ୍ଦେଶ୍ୟ ନେଇ ଝାଡ଼ିଝୁଡ଼ି ହେଲେ । ମୁଁ କହିଲି ଟିକିଏ ଅପେକ୍ଷା କରନ୍ତୁନା; ବର୍ଷାରେ ଭିଜି ଯିବେ ଯେ ! ମାଷ୍ଟ୍ରେ ଅତି ନିର୍ଲିପ୍ତ ଭାବେ ଜବାବ ଦେଲେ, ସମସ୍ତେ ତ ବର୍ଷାରେ ଭିଜିଯାଉଛନ୍ତି, ଆମେ କାହିଁକି ଅପେକ୍ଷା କରିବା, ବର୍ଷାରେ ଭିଜିଯିବାର ଗୋଟାଏ ଆନନ୍ଦ ବି ତ ଥାଏ !

 

ମୋତେ ଅପେକ୍ଷା ନ କରି ମାଷ୍ଟ୍ରେ ବାହାରି ପଡ଼ିଲେ । ମୁଁ ତାଙ୍କ ଅଦ୍ଭୁତ ଜୀବନ ଦର୍ଶନ ସହିତ ରୋମାଣ୍ଟିକ୍‍ ଚେତନା କଥା ଚିନ୍ତା କରିବାକୁ ଲାଗିଲି । ବର୍ଷାରେ ଭିଜିଯିବାର ଆନନ୍ଦ ବି ମାଷ୍ଟ୍ରଙ୍କୁ ଜଣା ଅଛି । ଜୀବନ ସହିତ କିମିତି ସାଲିସ କରାଯାଏ ତା’ର ବଳିଷ୍ଠ ଉଦାହରଣ ହେଉଛନ୍ତି ଆମ ଫକୁମାଷ୍ଟ୍ରେ । ତାଙ୍କ ସହିତ ମୋର ପରିଚୟ ମୋ ପୁଅ ଏକୋଇଶା ନିମନ୍ତ୍ରଣରୁ । ନବ ଜାତକକୁ ଆଶୀର୍ବାଦ ସୂଚକ ଏକ ଶ୍ଳୋକ ଲେଖି ଲଫାପାରେ ମୋ ହାତକୁ ବଢ଼ାଇ ଦେଇ କହିଲେ, ହଉ; ଗୋଟାଏ ନୂଆ ସମ୍ପର୍କର ଶ୍ରୀ ଗଣେଶ ହେଲା । ମାଷ୍ଟ୍ରଙ୍କ ସାଙ୍ଗରେ ପାଞ୍ଚ ଛଅ ବର୍ଷର ଝିଅଟିଏ ଥିଲା । ଛୁଆଟାଏ ସାଙ୍ଗରେ ଆଣି ସେ ଗୋଟାଏ ଅପରାଧ କରିଥିବା ମନେକରି ମୋତେ କ୍ଷମା ପ୍ରାର୍ଥନା ମାଗିବା ଭଙ୍ଗିରେ କହିଲେ, ପିଲାଟା ଖୁବ୍ ଜିଦ୍‌କଲା ମୁଁ ଯିବି । ଯେତେ ବୁଝାସୁଝା କଲେବି ଅଝଟ ଧରିଲା । ଛୁଆମାତ୍ରେକେ ସମସ୍ତେ ଏମିତି ଆଜ୍ଞା । ସ୍ଥାନ କାଳ ପାତ୍ର କିଛି ବୁଝିବେ ନାହିଁ ।

 

ମୋ ଜାଣିବାରେ ଫକୁମାଷ୍ଟ୍ରେ ଖାଲି ଆମ ବ୍ଲକର ନୁହଁନ୍ତି କି ସହରର ନୁହଁନ୍ତି ଏପରିକି ଆମ ରାଜ୍ୟର ଜଣେ ଆଦର୍ଶବାଦୀ ବ୍ୟକ୍ତି । ସେ ରାଜାର ପ୍ରଜା ନୁହଁନ୍ତି କି ସାହୁର ଖାତକ ନୁହଁନ୍ତି । ସେ ଭଲ ତ ତାଙ୍କ ଚାକିରି ଭଲ । ମଲା ମାଇଲା କାଳରେ ତାଙ୍କର ସ୍ଵଳ୍ପ ବେତନ ଭିତରେ ସେ ଛଅ ପ୍ରାଣୀ କୁଟୁମ୍ବର ହୁଲି ଡଙ୍ଗାରେ କାତ ମାରି ହାଲିଆ ହୋଇ ପଡ଼ିଥିବାର କେହି ଦେଖି ନ ଥିବେ । ଏ ଅଦ୍ଭୁତ ପ୍ରାଣୀଟିର ସବୁ କଥାରେ ମାପଚୁପ । ବାଟ ଚାଲିଲାବେଳେ ବସୁନ୍ଧରାକୁ ଯେମିତି କଷ୍ଟ ନ ହେବ ସେଥିପାଇଁ ସେ ଯେତିକି ସତର୍କ, କଥା କହିଲା ବେଳେ ନମସ୍କାର ହେବା ସମୟରେ ସେ ଅଙ୍ଗ-ପ୍ରତ୍ୟଙ୍ଗକୁ କଷ୍ଟ ନ ହେବା ପାଇଁ ମଧ୍ୟ ସେତିକି ସଚେଷ୍ଟ । ନିଜେ ଦୁଃଖ-କଷ୍ଟଠାରୁ ଦୂରରେ ରହିବା ପାଇଁ ସେମିତି ସଜାଗ, ଅନ୍ୟମନରେ ଆଘାତ ନ ଦେବା ପାଇଁ ସେମିତି ଯତ୍ନବାନ୍‌ । ନିରାଡ଼ମ୍ବର ଜୀବନ ଯାପନ କରିବାର ସଙ୍କଳ୍ପ ଭିତରେ ସେ ଦୁନିଆର ସବୁ ଭଲ-ମନ୍ଦକୁ ଆଦରି ନେଇଥିଲେ । କୌଣସି ଜିନିଷର ଗୁରୁତ୍ଵ ଯେପରି ତାଙ୍କ ନିକଟରେ ମୂଲ୍ୟହୀନ ଥିଲା ସକଳ ପ୍ରକାର ବିଳାସ ସାମଗ୍ରୀ ତାଙ୍କ ନିକଟରେ ସେପରି ଅସାର ହୋଇପଡ଼ିଥିଲା ।

 

ତାଙ୍କର ଦୈନନ୍ଦିନ ରୁଟିନ ଥିଲା, ମାଷ୍ଟ୍ରେ ସକାଳୁ ଉଠି ଫୁଲ ତୋଳିବେ । ନିତ୍ୟକର୍ମ ସାରି ଦିଅଁ ପୂଜା କରିବା ପରେ କପେ ଚା’ ଓ ପରେ ପାନଖଣ୍ଡେ ଖାଇ ଟିଉସନକୁ ବାହାରି ପଡ଼ିବେ-। ନଅଟାବେଳେ ଫେରି ତରବର ଦି’ଗୁଣ୍ଡା ଖାଇ ସ୍କୁଲ ଅଭିମୁଖେ ଯାତ୍ରା କରିବେ । ଜ୍ୟେଷ୍ଠ, କନିଷ୍ଠ ସବୁ ଶିକ୍ଷକଙ୍କର ସେ ପ୍ରିୟପାତ୍ର । ଛାତ୍ର-ଛାତ୍ରୀମାନଙ୍କଠାରୁ ସେ ଅଧିକ ସମ୍ମାନ ପାଆନ୍ତି । କାରଣ ସେ ଛାତ୍ର-ଛାତ୍ରୀମାନଙ୍କୁ ସେ ନିଜପୁତ୍ର, କନ୍ୟା ଭଳି ଶ୍ରଦ୍ଧା କରନ୍ତି । ନିଷ୍ଠାର ସହ ପାଠ ପଢ଼ାନ୍ତି । ଠିକ୍ ସମୟ ଭିତରେ ସିଲାବସ ମୁତାବକ କୋର୍ସ ପୂରା କରି ଦିଅନ୍ତି । ଗଣ୍ଡଗୋଳ କଳିଝଗଡ଼ା ଯେଉଁଠି, ସେଠି କେହି କେବେ ଫକୁମାଷ୍ଟ୍ରଙ୍କୁ ଦେଖି ନ ଥିବେ । ସ୍କୁଲରେ ତାଙ୍କ ଉପସ୍ଥାନ ସର୍ବାଧିକ-। ମୋର ମନେପଡ଼ୁଛି, ଥରେ ଶିକ୍ଷକମାନେ ଅଧିକ ସୁବିଧା ସୁଯୋଗ ଦାବି କରି ଦିନକ ପାଇଁ ପ୍ରତୀକ ଧର୍ମଘଟ ଆହ୍ଵାନ କରିଥିଲେ । ମୁଁ ସିଡ଼ି ପାଖରେ ବସି ଖବରକାଗଜ ପଢ଼ୁଛି । ସବୁଦିନ ଭଳି ମାଷ୍ଟ୍ରେ ବେଶ-ପୋଷାକ ପିନ୍ଧି ବାହାରି ପଡ଼ିଲେ । ମୁଁ ପଚାରି ଦେଲି, କୁଆଡ଼େ ବାହାରି ପଡ଼ିଲେ ? ଆଜି ପରା ଶିକ୍ଷକମାନେ କେଉଁଠି କ୍ଲାସରେ ଯୋଗ ଦେଉ ନାହାନ୍ତି, ଆପଣ ପୁଣି କୁଆଡ଼େ ? ମାଷ୍ଟ୍ରେ ସହଜ ଭାବେ ଉତ୍ତର ଦେଲେ, ସେ କେଉଁଦିନ ଏ ସବୁରେ ନ ଥିଲେ କି ଆଜି ନାହାନ୍ତି । ପୁଣି କଥାଟାକୁ ପରିଷ୍କାର କରିଦେବା ପାଇଁ କହିଲେ, ଧର୍ମଘଟ ହରତାଳ କରି ଲାଭ କ’ଣ ହେବ । ଦେବା ଲୋକ ଦେଲେ ସିନା ଆମେ ନେବୁ । ସମସ୍ତେ ଧର୍ମଘଟ କରୁଛନ୍ତି, ସେ ଏକା ଧର୍ମଘଟରେ ଯୋଗ ନ ଦେଲେ କ’ଣ କିଛି ବିଗିଡ଼ିଯାଉଛି ! ତାଙ୍କ ଦୈନିକ କାର୍ଯ୍ୟକ୍ରମର ଶେଷ ଭାଗ ହେଲା, ସ୍କୁଲରୁ ଫେରି ହାତଗୋଡ଼ ଧୋଇ ଚା’ କପେ ପିଇବେ ଏବଂ ଝୁଲା ମୁଣିଟିଏ ଧରି ବାହାରି ପଡ଼ିବେ ଚଣ୍ଡୀ ମନ୍ଦିରଆଡ଼େ । ଫେରିଲା ବେଳକୁ ମୁଣି ଭର୍ତ୍ତି ବଜାର ସଉଦାରେ । ଶସ୍ତା ସିଜନ୍, ପରିବା କିଣିବାରେ ଫକୁମାଷ୍ଟ୍ରେ ଅଭ୍ୟସ୍ତ । ଘରକୁ ଫେରିଲା ବେଳକୁ ରାତି ଘଡ଼ିଏ ହୋଇଥିବ । ପିଲାଙ୍କ ପଢ଼ାପଢ଼ି ତଦାରଖ ପରେ ଭୋଜନ ଓ ଶୟନ । କାହାକୁ ଉଧାର ଦିଅନ୍ତି ନାହିଁ କି କାହାର ଧାର ଧାରନ୍ତି ନାହିଁ । ସେ ପିଲାମାନଙ୍କୁ ସବୁ ଦାମିକା ଜିନିଷର ଅପକାରିତା ସମ୍ପର୍କରେ ଏମିତି ବୁଝାଇ ଦେଇଥିଲେ ଯାହା ତାଙ୍କୁ ଅର୍ଥନୈତିକ ଦୁରବସ୍ଥା କ୍ଷେତ୍ରରେ ସହାୟକ ହୋଇଥିଲା ।

 

ବର୍ଷାରେ ପଡ଼ି ଉଠି ଫକୁମାଷ୍ଟ୍ରେ ସେତେବେଳକୁ ମୋଡ଼ ପାରି ହୋଇ ସାରିଥିଲେ । ବର୍ଷା ପ୍ରାୟତଃ ଛାଡ଼ି ଯାଇଥାଏ । ମୁଁ ଫକୁମାଷ୍ଟ୍ରଙ୍କୁ ଅନୁସରଣ କଲି । ବର୍ଷା ପାଣିରେ ମାଷ୍ଟ୍ରେ କଅଁଳା ବାଛୁରୀଟିଏ ଭଳି ଡେଇଁ ଡେଇଁ ଆଗକୁ ପାଦ ବଢ଼ାଉଥିଲେ । ଆଜି ତାଙ୍କର ଯେମିତି ସବୁଠାରୁ ଆନନ୍ଦର ଦିନ । ବର୍ଷା ପାଣି ପବନରେ; ଗାଡ଼ିଟଣା ବଳଦ ଚାଲିରେ ବେଳେ ବେଳେ ବ୍ୟଗ୍ରତା ଦେଖା ଦେଲା ଭଳି ମାଷ୍ଟ୍ରେ ଚଳଚଞ୍ଚଳ ପାଦରେ ଘରମୁହାଁ ହୋଇଥିଲେ । ଫକୁମାଷ୍ଟ୍ରେ ନିରୀହ ଶିକ୍ଷକର ସଂଜ୍ଞା ବହନ କରୁଥିଲେ ବି ତାଙ୍କ ମନରେ ଦାମ୍ଭିକତା ଅସମ୍ଭବ ଥିଲା । ପ୍ରତ୍ୟେକ କଥାକୁ ସେ ନିଜର ଭଳି ତୁଳନା କରୁଥିଲେ ବନ୍ୟା, ବାତ୍ୟା, ମରୁଡ଼ି, ଅଗ୍ନିକାଣ୍ଡର ବିପର୍ଯ୍ୟସ୍ତ ଲୋକଙ୍କ ସହିତ ନିଜକୁ ସାମିଲ କରିଦେବା ଭଳି । ମାଷ୍ଟ୍ରେ ମାଛିକୁ ‘ମ’ ବୋଲି କହିଥିବାର କେହି କେବେ ଶୁଣି ନଥିବେ । ଥରେ ସାମନା ଫ୍ଲାଟର କୁକୁରଟାଏ ମାଷ୍ଟ୍ରଙ୍କୁ ପୁଳାଏ କାମୁଡ଼ି ଦେଲା । ଆମେ ପ୍ରସ୍ତାବ ଦେଲୁ ଆପଣ ଥାନା ପୋଲିସ କରନ୍ତୁ, ନଚେତ୍ କୁକୁର ମାଲିକଠାରୁ କ୍ଷତି ପୂରଣ ଦାବି କରନ୍ତୁ । ଏତେ କଷ୍ଟ ଭିତରେ ମାଷ୍ଟ୍ରେ ବି କହିଦେଲେ, ସବୁ କୁକୁର କାମୁଡ଼ନ୍ତି ଆଜ୍ଞା । ଥାନା ପୋଲିସ କ’ଣ ପାଇଁ କରିବି ! ମୁଁ ବିରକ୍ତ ହୋଇ କହିଲି, ସବୁ କୁକୁର ଯଦି କାମୁଡ଼ନ୍ତି ବୋଲି ଆପଣ ଜାଣିଥିଲେ ତା’ହେଲେ କୁକୁର ଆଦେଶ ଅମାନ୍ୟ କରି ହତା ଭିତରେ ପଶିଲେ କାହିଁକି ? ମାଷ୍ଟ୍ରେ ଏଥର ହସିଦେଇ କହିଲେ, ତମେ ସିନା ବୁଝୁଛ ଭୁକିଲା କୁକୁର କାମୁଡ଼େ ନାହିଁ, କୁକୁରମାନେ ସେ କଥା କୁଆଡ଼ୁ ବୁଝିଲେ ? କୁକୁର ଭୁକିବାକୁ ଭ୍ରୂକ୍ଷେପ ନକରି ମୁଁ ପଶିବାଟା କ’ଣ ଅନ୍ୟାୟ ନୁହେଁ ?

 

ଏ ଭିତରେ ଧରମା ପାନ ଦୋକାନ ପାଖରେ ମାଷ୍ଟ୍ରେ ଯାଇ ଠିଆ ହୋଇଯାଇଥିଲେ । ମୁଁ ପଛେ ପଛେ ଆସି ପହଞ୍ଚି ଯାଇଥାଏ । ମିଞ୍ଜି ମିଞ୍ଜି ଆଲୁଅରେ ମାଷ୍ଟ୍ରେ ଖବରକାଗଜ ଉପରେ ଆଖି ବୁଲାଇ ନେଉଥାନ୍ତି । କିଏ ଜଣେ ପ୍ରଶ୍ନ କଲା, ଆରବ ଇସ୍ରାଏଲ ଭିତରେ ଏତେ ଲଢ଼େଇ ଲାଗୁଛି କ’ଣ ପାଇଁ ? ଫକୁମାଷ୍ଟ୍ରେ ସହଜ ଭାବେ ଉତ୍ତର ଦେଲେ, ଲଢ଼ନ୍ତୁ, ଆମର କିଏ କ’ଣ ନେଇଯାଉଛି ? ମାଷ୍ଟ୍ରଙ୍କ ଉତ୍ତର ନ ସରୁଣୁ କିଏ ଜଣେ ଦୋକାନ ଭିତରୁ କହିଲା, ଆଜ୍ଞା ଦେଖିଲେଣି ! ରାଜଧାନୀ ଶିକ୍ଷକ ବିକ୍ଷୋଭରେ ଯୋଗଦାନ କରିବାକୁ ନୟାଗଡ଼ରୁ ଆସୁଥିବା ଶିକ୍ଷକମାନଙ୍କ ଭିତରୁ ସାତଜଣ କିମିତି ମଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ? ମାଷ୍ଟ୍ରେ ସିରିୟସ ହୋଇଯିବେ ବୋଲି ସମସ୍ତେ ଭାବିଥିଲେ । କିନ୍ତୁ ମାଷ୍ଟ୍ରେ ପୂର୍ବଭଳି ଜବାବ ଦେଲେ, ମଣିଷ ଜୀବନଟା ଭାଇ ଏଇଆ ଦେଖୁଛ, ମୃତ୍ୟୁ କିମିତି ମଣିଷକୁ ବାଟ କଢ଼ାଇ ନେଉଛି ?

 

ଫକୁମାଷ୍ଟ୍ରେ ଏମିତି ଅନ୍ୟଠାରୁ ମାଗି ଖବରକାଗଜ ପଢ଼ି ନିଅନ୍ତି । ଖବରକାଗଜ ଦାମ୍ ପନ୍ଦରରୁ ପଚିଶ ପଇସାକୁ ବୃଦ୍ଧି ପାଇବା ପରଠୁଁ ମାଷ୍ଟ୍ରେ ଖବରକାଗଜ କିଣିବା ଛାଡ଼ି ଦେଇଥାନ୍ତି । ଦିନେ ମୁଁ ଖବରକାଗଜ ପଢ଼ୁଛି, ମାଷ୍ଟ୍ରେ ମୋ ପାଖେ ଆସିଗଲେ । ମୁଁ ତାଙ୍କୁ କ୍ରୋଡ଼ପତ୍ରଟି ବଢ଼ାଇ ଦେଲି । ସେ ଆଇ.ଏ.ଏସ୍‍. କୃତୀ ପରୀକ୍ଷାର୍ଥୀଙ୍କ ତାଲିକା ପାଖରେ ଅଟକି ଯାଇଥିଲେ । ଓଡ଼ିଶାରୁ ସେ ବର୍ଷ ୧୧ ଜଣ ଆଇ.ଏ.ଏସ୍‍. ପାଇଥାନ୍ତି । ସେ ଅଙ୍ଗୁଳିରେ ଗଣି ହିସାବ ବୁଝାଇଦେଲେ ସେ ଏଗାରଜଣଙ୍କ ଭିତରୁ ଛଅଜଣ ତାଙ୍କର ଛାତ୍ର । ଫକୁମାଷ୍ଟ୍ରେ ସ୍ଵାଭିମାନୀ ଥିବାକଥା ମୁଁ ସେଦିନ କେବଳ ଯାହା ବୁଝିଥିଲି ।

 

ଫକୁମାଷ୍ଟ୍ରେ ଜୀବନର ଭଲ-ମନ୍ଦ ସ୍ଵାଦଚାଖିବାକୁ ଅବଶ୍ୟ ବେଳେ ବେଳେ ଚେଷ୍ଟା କରିଥାନ୍ତି । ମଝିରେ ମଝିରେ ସିନେମା ଦେଖି ନିଅନ୍ତି । ବେଳେ ବେଳେ ସାଙ୍ଗ-ସାଥୀମେଳରେ ଭାଙ୍ଗପାଣି ବି ଟିକିଏ ହୋଇଯାଏ । ଫୁଟବଲ ଖେଳ ବେଳେ ଷ୍ଟାଡିୟମରେ ତାଙ୍କୁ କଦବା ଦେଖିବାକୁ ମିଳିଥାଏ । ଧାର୍ମିକ ସମାବେଶ ଓ ରାଜନୈତିକ ଦଳର ସଭାମାନଙ୍କରେ ସେ କେବେ କିମିତି ହାଜର ହୋଇଯା’ନ୍ତି । ତାଙ୍କ ପାଇଁ ସନରାଇଜ, ପି.ଆଣ୍ଡ.ଟି. ଭିତରେ ଯିମିତି କିଛି ପାର୍ଥକ୍ୟ ନଥାଏ । କଂଗ୍ରେସ, ଜନତା, ସି.ପି.ଏମ୍ ଭିତରେ. ସେମିତି କୌଣସି ପ୍ରଭେଦ ସେ ଦେଖିପାରନ୍ତି ନାହିଁ ।

 

ରାଜ୍ୟରେ ଥରେ କୌଣସି ଏକ ନିର୍ବାଚନ ହେବାର ଥାଏ । ସନ୍ଧ୍ୟା ବେଳେ ଆମେ ତାସଖେଳ ଉପଲକ୍ଷେ ଏକାଠି ହୋଇଥାଉ । ଆମ ଭିତରେ ମାଷ୍ଟ୍ରେଥାଆନ୍ତି ରେଫରୀ ଭଳି ଏକ ସ୍ଵତନ୍ତ୍ର ଦର୍ଶକ । କିଏ ହାରିବ କିଏ ଜିଣିବ ସେଥିପ୍ରତି ତାଙ୍କର କେବେ ଆଗ୍ରହ ନଥିବା ସମସ୍ତେ ଜାଣନ୍ତି । ତେବେ ଖେଳର ଆସର ଜମିଲେ ସେ ଛାଏଁ ଛାଏଁ ଆସି ହାଜର ହୋଇଯା’ନ୍ତି । କଥା ପଡ଼ିଲା, ଏଥର କିଏ ନିର୍ବାଚନରେ ଜିତିବ ଓ କିଏ କାହାକୁ ଭୋଟ ଦେବ । ମାଷ୍ଟ୍ରଙ୍କୁ ପଚରାଗଲା । ସେ କହିଲେ ମୋ’ପାଇଁ ସମସ୍ତେ ସମାନ । ମୁଁ ଭୋଟ ଦେବାକୁ କେବେ ଯାଏନି କି ଏଥର ଯିବିନି ! କିଏ ଜଣେ ପ୍ରତିବାଦ କଲେ ଇଏ କିମିତି ଗୋଟାଏ କଥା । ମାଷ୍ଟ୍ରେ ସରଳ ଭାଷାରେ ବୁଝାଇଦେଲେ, ସମସ୍ତେ ତ ଭୋଟ ଦେବେ ତାଙ୍କ ଯିବା ନଯିବାରେ କ’ଣ ଅଛି ? ସେ ଭୋଟ ନଦେଲେ କ’ଣ ସରକାର ଅଧାଗଢ଼ା ହୋଇ ରହିଯିବ ! ଯେକୌଣସି ଦଳ ସରକାର ଗଢ଼ିଲେ ତାଙ୍କର ଖୁସି । ସବୁ ସରକାର ତାଙ୍କ ପାଇଁ ସମାନ ।

 

ଫକୁମାଷ୍ଟ୍ରେ କେତେବେଳୁ ବ୍ଲକ ଭିତରେ ପଶିସାରିଥାନ୍ତି । ମୁଁ ସିଗାରେଟ୍ ଧରାଇ ଆଗକୁ ବଢ଼ିଲି । ମୋ ଫ୍ଲାଟର ଉପର ଫ୍ଲାଟଟି ଫକୁମାଷ୍ଟରଙ୍କର । ତାଙ୍କ ଘରୁ ତୁଣ୍ଡ ଶୁଭିଲା; ଏତେ ବଡ଼ ଝିଅଟେ ହେଲାଣି, ଟିକିଏ ବାଗ ବାଇସ ନାହିଁ । ଯୁଗେ ହେଲା ସାଙ୍ଗ ଘରକୁ ଗଲାଣି ଯେ ଏପର୍ଯ୍ୟନ୍ତ ଫେରିଲା ନାହିଁ–ତାକୁ କ’ଣ ରାତି ଜଣା ପଡ଼ୁନି ! ମାଷ୍ଟ୍ରେ ଅତି ଧୀରସ୍ଥିର ଭାବେ କହିଲେ, ଆଜିକାଲିକାର ଝିଅଗୁଡ଼ାକ ସବୁ ଏମିତି । ଖାଲି ତମ ଝିଅ ନୁହଁ; ସମସ୍ତଙ୍କ ଝିଅ ସେମାନଙ୍କ ବାପା ମାଆଙ୍କୁ ଏମିତି ହଇରାଣ କରୁଛନ୍ତି । ତମେ ବ୍ୟସ୍ତ ହେଲେ କିମିତି ଚଳିବ, ଯୁଗକୁ ଚାହିଁ ତ ବ୍ୟବସ୍ଥା ।

 

ଥରେ ମୋର କୌଣସି ଏକ ଲେଖା ପାଇଁ ଫକୁମାଷ୍ଟ୍ରଙ୍କଠାରୁ ଗୋଟାଏ ଇଣ୍ଟରଭିଉ ନେବା କଥା ଚିନ୍ତା କରୁଥିଲି, ସେ ଅକସ୍ମାତ୍ ଆସି ପହଞ୍ଚିଗଲେ । ହାଇସ୍କୁଲ ପରୀକ୍ଷା ଫଳ ସେଦିନ ବାହାରିଥାଏ । ମୁଁ ତାଙ୍କୁ କିମିତି କ’ଣ ପ୍ରଶ୍ନ କରିବି ଚିନ୍ତା କରୁଛି, ସେ କହିଲେ ଏଥର ଆମ ସ୍କୁଲ ଭଲ ରେଜଲଟ କରିଛି । ଶତକଡ଼ା ନବେ ଜଣ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି । ମୁଁ ପଚାରିଲି ଆପଣଙ୍କ ପୁଅ କେଉଁ କ୍ଲାସରେ ଗଲା ? ସେ ନିର୍ବିକାର ଭାବେ କହିଲେ; ସେ ଫେଲ୍‌ ହୋଇଛି । ମୁଁ ବିସ୍ମିତ ହୋଇ ପ୍ରଶ୍ନ କଲି, ଫେଲ୍‌ ହୋଇଛି, ପୁଣି ଆପଣଙ୍କ ପୁଅ ? ସେ ଉତ୍ତର ଦେଲେ, ସମସ୍ତଙ୍କ ଜୀବନରେ ପାସ୍‍-ଫେଲ୍ ଲାଗି ରହିଛି । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ମୋ ପୁଅ ବୋଲି କ’ଣ ସବୁବେଳେ ପାସ୍‍ କରୁଥିବ ! ଥରେ ଅଧେ ଫେଲ୍ ନ ହୋଇ କିଏ କ’ଣ ଭଲ ଛାତ୍ର ହୋଇଛି-

 

ତା’ପରେ ଆମେ କିମିତି ଛାତ୍ର ଉଚ୍ଛୃଙ୍ଖଳତାର ଆଲୋଚନାକୁ ଆସିଗଲୁ ମନେ ନାହିଁ । ଫକୁମାଷ୍ଟ୍ରେ କହିଲେ, ସବୁ ସେଇ ଗାନ୍ଧିଜୀର ଦୋଷ, ଲୋକଙ୍କୁ ଦାବି ହାସଲ କରିବା ପାଇଁ ଗୋଟାଏ ମାରଣାସ୍ତ୍ର ଧରାଇ ଦେଇଛି । ତା’ର ବ୍ୟବହାର ସମସ୍ତେ ଜାଣିଥିଲେ ସିନା ହୁଅନ୍ତା ! ଆମେ ତ ଏକୁଟିଆ ଭୋଗୁନେ ସମସ୍ତେ ଭୋଗୁଛନ୍ତି ।

 

ଯୁବକମାନଙ୍କୁ ଯିଏ ମତଉଛନ୍ତି ତତଉଛନ୍ତି ସେଇମାନେ ସବୁଠୁ ଅଧିକ ପାଇବେ, ଆମର ମୁଣ୍ଡ ବଥେଇ ଲାଭ କ’ଣ ?

 

ପରଦିନ ସକାଳୁ ଉଠି ମୁଁ ଖବରକାଗଜ ପଢ଼ୁଛି, ଘରଣୀ ଆସି କହିଲେ ଆହେ ! ଖବରକାଗଜ କ’ଣ ପଢ଼ୁଛ ? ଟିକିଏ ଯା‌ଇ ଆମ ଫିକୁମାଷ୍ଟ୍ରଙ୍କୁ ଦେଖି ଆସିଲ । ବିଚରା କେଡ଼େ ଭଲ ମଣିଷଟିଏ, କାଲି ସିନେମା ଦେଖି ଆସି ଖାଇପିଇ ଶୋଇଲା । ରାତିକ ଭିତରେ ତାକୁ କ’ଣ ଘୋଟିଲା କେଜାଣି ଏବେ ତାଙ୍କ ଘରେ କାନ୍ଦ ବୋବାଳି ପଡ଼ିଛି ।

 

ମୁଁ ଯାଇଁ ଦେଖିଲା ବେଳକୁ ସେ ଆଉ ମଣିଷ ଚିହ୍ନିପାରୁ ନାହାଁନ୍ତି । ତେବେ ତାଙ୍କୁ ମୃତ୍ୟୁ ଭୟଭୀତ କରାଇପାରି ଥିବାର ମୁଁ କାହିଁକି ଲକ୍ଷ୍ୟ କରିପାରଲି ନାହିଁ । ଥଙ୍ଗ ଥଙ୍ଗ ହୋଇ ସେ ଦି’ପଦ ମାତ୍ର କହିଲେ, ‘କେହି ଚିନ୍ତା କରନି, ପ୍ରାଣୀ ମାତ୍ରକେ ସମସ୍ତଙ୍କୁ ଏମିତି ଦିନେ ମୃତ୍ୟୁର ସମ୍ମୁଖୀନ ହେବାକୁ ପଡ଼ିଥାଏ ।’

 

ଫକୁମାଷ୍ଟ୍ରେ ଚାଲିଗଲେ, ଶୁଖିଲା ପାଚିଲା ପାଗରେ; ଛୁଟି ଦିନରେ । ଶୁଦ୍ଧ ଶ୍ରାଦ୍ଧ ପାଇଁ ବ୍ୟବସ୍ଥା ବି କରି ଯାଇଥିଲେ । ସେ ବଞ୍ଚିଥିଲା ବେଳେ କାହାକୁ ଯେମିତି ଅସୁବିଧାରେ ପକାଇ ନଥିଲେ, ମରିଗଲା ବେଳେ ବି କାହାକୁ ହଇରାଣ ହରକତ କଲେ ନାହିଁ, ପାଖ ପଡ଼ୋଶୀଙ୍କୁ ନା ପୁଅ ଝିଅଙ୍କୁ ।

 

କିଛିଦିନ ପରେ ମୁଁ ତାଙ୍କର ଘର ସାମନାରେ ଯାଉଯାଉ ପାଦ ମୋର ଅଟକିଗଲା । ଘର ଭିତରକୁ ପଶିଲି, ଭାବିଲି ଦେଖିବା କିପରି ଫକୁମାଷ୍ଟ୍ରଙ୍କ ପିଲାମାନେ ଅଛନ୍ତି । ଘର ଭିତର ପୂରାପୂରି ଶୂନଶାନ୍ । ଦେଖିଲି, ଶୋଇବା ଘର ଖଟ ଉପରେ ମୁଣ୍ଡରେ ହାତଭରା ଦେଇ ଝର୍କା ବାହାରକୁ ଚାହଁରହିଛନ୍ତି ଫିକୁମାଷ୍ଟ୍ରଙ୍କର ବିଧବା ପତ୍ନୀ । ଦେହରେ ଧଳା ଶାଢ଼ୀ ଓ ମୁହଁରେ ଅନେକ ଚିନ୍ତା । ତାଙ୍କୁ ଦେଖି ମୋ ମନ ମରିଗଲା, ଆଖି ମୋର ଛଳଛଳ ହୋଇ ଆସିଲା । ତାଙ୍କର ଏ ଅବସ୍ଥା ଦେଖି ଭାବିଲି, ପିଲାପିଲିଙ୍କୁ ଏପରି ଅବସ୍ଥାରେ ଛାଡ଼ି ଦେଇ ମାଷ୍ଟ୍ରେ ଚାଲିଗଲେ । ବର୍ତ୍ତମାନ ବିଧବା ପତ୍ନୀ ତାଙ୍କର ସଂସାର ଚଳାଇବେ କିପରି ? ସେ କଥା ଭାବିଲା ବେଳକୁ ଦେହଟା ମୋର ଶୀତେଇ ଉଠିଲା । କିଛି ଚିନ୍ତା କରିପାରିଲିନି ।

 

ଏମିତି ଛିଡ଼ା ହୋଇ ଭାବୁଥାଏ, ହଠାତ୍ ମୋତେ ଶୁଭିଲା ଯେପରି ଫକୁମାଷ୍ଟ୍ରେ ମୋ ପଛପଟେ ଛିଡ଼ା ହୋଇ ହସିହସି କହୁଛନ୍ତି, “ଆଦୌ ବ୍ୟସ୍ତ ହୁଅନି । ମୋର ସ୍ତ୍ରୀ ତାଙ୍କ ପରିବାରକୁ ଭଲରୂପେ ଚଳାଇ ନେଇପାରିବେ । ସଂସାରରେ ଅନେକ ସ୍ତ୍ରୀଲୋକ ଏପରି ଅବସ୍ଥାର ସମ୍ମୁଖୀନ ହୋଇଛନ୍ତି ଓ ସଂଗ୍ରାମ କରି ବଞ୍ଚି ରହିଛନ୍ତି, କେହି ହାରିଯାଇ ନାହାଁନ୍ତି । ଠିକ୍ ସେମିତି ମୋର ସ୍ତ୍ରୀ ସବୁ ଚଳେଇ ନେବେ, ଏଥିରେ ଆଶ୍ଚର୍ଯ୍ୟ ବା ବ୍ୟସ୍ତହେବାର କିଛି ନାହିଁ । ଏମିତି ଅନେକ ସମୟରେ ହୋଇଥାଏ ।”

Image

 

ସୂର୍ଯ୍ୟାସ୍ତର ରଂଗ

 

ସହର ବସିବା ପ୍ରସଙ୍ଗ ସର୍ବସାଧାରଣରେ ଆଲୋଚିତ ହେବାର ବହୁ ପୂର୍ବରୁ କୃତ୍ତିବାସ ତାଙ୍କ ଘର ସାମନାରେ ଥିବା ବିରାଟ ଅନାବାଦୀ ଜାଗାକୁ ଘେର ଦେଇ ଜବରଦଖଲ କରି ବସିଲେ-। ଅନ୍ୟୁନ୍ୟ ଦୁଇଷ୍ଟାଣ୍ଡାର୍ଡ଼ ଏକର ଜମି, ଯାହାର ମାର୍କେଟ ଭେଲ୍ୟୁ ସେତେବେଳେ କୋଡ଼ିଏ ହଜାରରୁ ଊର୍ଦ୍ଧ୍ଵ ବୋଲି ଅନୁମାନ କରାଯାଉଥିଲା; କୃତ୍ତିବାସ ସେ ଜମିକୁ ଅକ୍ତିଆରରେ ଆଣିଥିବା ପ୍ରମାଣ ସ୍ଵରୂପ ରାତାରାତି ଏକ ମନୋରମ ପୁଷ୍ପୋଦ୍ୟାନରେ ପରିଣତ କରିଦେଲେ । ନାନା ଦେଶୀ-ବିଦେଶୀ ଫୁଲଗଛ, ସୁଦୃଶ୍ୟ ଗୁଳ୍ମଲତା ସମବ୍ୟବଧାନରେ ରୋପଣ କରି, ମଝିରେ ମଝିରେ ଗୁଆ ନଡ଼ିଆ ଗଛ ଧାଡ଼ିଏ ଲେଖାଏଁ ଲଗାଇ ସରୁ ସରୁ ସଡ଼କ କେତୋଟିରେ ବିଭନ୍ନ ଭାଗକୁ ସଂଯୋଗ କରାଇଦେଲେ । ସରକାରୀ ଚୂଡ଼ାନ୍ତ ବେଳକୁ ଦିନ, ରାତି ଲୋକ ଲଗାଇ ସେ ବଗିଚାଟିକୁ ଏଭଳି ଭାବରେ ସଜାଇ ଦେଲେ, ଦୂରକୁ ତାଙ୍କ ସୁବୃହତ୍ ଅଟ୍ଟାଳିକାର ପ୍ରାଚୀରରେ ଗୋଟିଏ ସୁନ୍ଦର କ୍ୟାଲେଣ୍ଡର ଝୁଲୁଥିବା ଭଳି ଦେଖାଗଲା ।

 

କୃତ୍ତିବାସ ମନେ ମନେ ଖୁସି ହେଲେ, ଯେପରି ଦୁର୍ଘଟଣାଗ୍ରସ୍ତ ହେବାକୁ ଥିବା ଏକ ଦ୍ରୁତଗାମୀ ଟ୍ରେନ୍‌ରୁ ଶେଷ ମୁହୂର୍ତ୍ତରେ ଡେଇଁ ପଡ଼ି ସେ ଆତ୍ମରକ୍ଷା କରିଛନ୍ତି ।

 

କୃତ୍ତିବାସ ବଂଶମର୍ଯ୍ୟାଦା ଓ ଯୋଗ୍ୟତା ବଳରେ ଅନରାରି ମାଜିଷ୍ଟ୍ରେଟ ରୂପେ ନିଯୁକ୍ତି ପାଇଥିଲେ । ତାଙ୍କର ସଚ୍ଚୋଟପଣିଆ, ପକ୍ଷପାତହୀନ ନ୍ୟାୟ ବିଚାର ଯୋଗୁଁ ବ୍ରିଟିଶ ସରକାରଙ୍କର ଆସ୍ଥାଭାଜନ ଥିଲେ । ତାଙ୍କର କାର୍ଯ୍ୟକଳାପ ପ୍ରତି କାହାରି ଟିକିଏ ହେଲେ ସନ୍ଦେହର ଅବକାଶ ନଥିଲା । ତଥାପି ଘରର ପଛପଟେ ଥିବା ଗାଦି ଗୋସେଇଁ ରାଧାକାନ୍ତ ଦେବଙ୍କ ମନ୍ଦିର ସହିତ ପୁଷ୍ପୋଦ୍ୟାନଟିକୁ ଏଭଳି ଏକ ପାଚେରୀ ଦେଇ ନୂତନ ସୀମାରେଖା ଚିହ୍ନିତ କରାଇଦେଲେ ଲୋକମାନଙ୍କର ବିରୋଧାଭାସର ତାଙ୍କୁ ସମ୍ମୁଖୀନ ହେବାକୁ ପଡ଼ିଲା ନାହିଁ; ଏହା ଠାକୁର ସମ୍ପତ୍ତି ବୋଲି ସମସ୍ତେ ସହଜରେ ଗ୍ରହଣ କରିନେଲେ । କୃତ୍ତିବାସ ଭାବିଲେ, ତାଙ୍କ ପ୍ରତିଷ୍ଠା ବଜାଏ ରଖିବା ପାଇଁ ଠାକୁରେ ତାଙ୍କର ଏହି କ୍ଷୁଦ୍ର ଏବଂ ଅନିୟମିତ କାର୍ଯ୍ୟଟିକୁ ଘଣ୍ଟ ଘୋଡ଼ାଇ ଦେଇଛନ୍ତି-

 

ସ୍ଵାଧୀନତା ଆନ୍ଦୋଳନ ଯେତେବେଳେ ଦେଶରେ ପ୍ରବଳ ଭାବେ ମୁଣ୍ଡ ଟେକିଲା; କୃତ୍ତିବାସ ସେଥିରେ ନିଜକୁ ସମ୍ପୂର୍ଣ୍ଣଭାବେ ସାମିଲ କରି ପାରିଲେ ନାହିଁ । ଆନ୍ଦୋଳନ ପ୍ରତି ତାଙ୍କର ଆଂଶିକ ସମର୍ଥନ ଥିଲେ ମଧ୍ୟ ବ୍ରିଟିଶ ସରକାରଙ୍କ ଶାସନ ଶୃଙ୍ଖଳା, ଅପରିସୀମ କ୍ଷମତା, ଅଖଣ୍ଡ ପ୍ରତିପତ୍ତି ଓ ରାଜନୈତି‌କ କଳା-କୌଶଳକୁ ସେ ଅସ୍ଵୀକାର କରିପାରୁ ନଥିଲେ । ସ୍ଵରାଜ୍ୟ ଆନ୍ଦୋଳନ ପ୍ରତି ଲୋକମାନଙ୍କର ଆନ୍ତରିକତା, ନିଷ୍ଠା ଓ ତତ୍‌କାଳୀନ ନେତୃତ୍ଵ ପ୍ରତି ତାଙ୍କର ସନ୍ଦେହ ଜାତହେଉଥିଲା । ସତ୍ୟାଗ୍ରହ କରି ଶାସନ ଛଡ଼ାଇ ନେବା ଏତେ ସହଜ ନୁହେଁ ବୋଲି ସେ ପ୍ରଥମେ ମନେକରୁଥିଲେ । ଲୋକମାନେ ନିଜର ଅଧିକାର ସାବ୍ୟସ୍ତ କରିବା କ୍ଷେତ୍ରରେ ଅତ୍ୟନ୍ତ ଦୁର୍ବଳ ପଦ୍ଧତି ଅନୁସରଣ କରୁଥିବା ସେ ଆଦୌ ପସନ୍ଦ କରୁ ନ ଥିଲେ । ସେ ଚାହୁଁଥିଲେ ଆନ୍ଦୋଳନ, ଆନ୍ଦୋଳନ ଭଳି ହେଉ । ଏ କ୍ଷେତ୍ରରେ ବଳପ୍ରୟୋଗ କଦାପି ଅସ୍ପୃହଣୀୟ ନୁହେଁ; କିନ୍ତୁ କୃତ୍ତିବାସ ନିଜ ମନ କଥା କାହାକୁ କହିପାରିଲେ ନାହିଁ । ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହର ସଫଳତା ତାଙ୍କର ଅନୁଗ୍ରହ ଉପରେ ନିର୍ଭରଶୀଳ ହୋଇ ବ୍ୟାପକ ରୂପ ଧାରଣ କଲା । ପରିବର୍ତ୍ତିତ ପରିସ୍ଥିତିରେ ସେ ଏକଘରିକିଆ ହୋଇ ରହଯିବା ପୂର୍ବରୁ ନିଜକୁ ବୁଝାଇଲେ; ସ୍ଵାଧୀନତା ବିଲାତରୁ ପୋଷ୍ଟ ପାର୍ଶଲରେ ଆସୁଥିବା ଏମାନଙ୍କ ଆତୁର ନିବେଦନରେ ବମୁଗ୍ଧ ହୋଇ ଇଂରେଜଶାସକ ତାଙ୍କ ରାଜ୍ୟ ଫେରାଇ ଦିଅନ୍ତୁ; କୃତ୍ତିବାସଙ୍କୁ ଏତିକିବେଳେ କିଛି କରିବାକୁ ହେବ ! ଚତୁର କୃତ୍ତିବାସ ଅତ୍ୟନ୍ତ ଦୁରଦୃଷ୍ଟିପୂର୍ଣ୍ଣ ସିଦ୍ଧାନ୍ତ ନେଲେ । ତାଙ୍କର ଏକମାତ୍ର ଦୟାଦ ଯଦୁନାଥଙ୍କୁ ପଢ଼ାଛାଡ଼ି ସ୍ଵାଧୀନତା ଆନ୍ଦୋଳନରେ ଯୋଗଦେବାକୁ ଆଗେଇ ଦେଇ ଦେଶପ୍ରେମୀ ଓ ଜାତୀୟତାବାଦୀର ଏକ ପ୍ରଶଂସାପତ୍ର ସହଜରେ ହାସଲ କରିନେଲେ ।

 

କୃତ୍ତିବାସ ମନେକଲେ; ସେ ଯେପରି ନରହତ୍ୟା ଭଳି ଏକ ସାମାଜିକ ଅପରାଧରୁ ବିଚକ୍ଷଣ ବୁଦ୍ଧିବଳରେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିପାରିଛନ୍ତି ।

 

କୃତ୍ତିବାସଙ୍କ ନିର୍ଭୁଲ ଗଣନାରେ ଯଦୁନାଥ ଆଞ୍ଚଳିକଭିତ୍ତିରେ ସର୍ବୋଚ୍ଚ ସ୍ଥାନ ଲାଭ କଲେ । ଦେଶ ସ୍ଵାଧୀନହେଲାବେଳକୁ ଯଦୁନାଥ ପ୍ରଥମଶ୍ରେଣୀ ଦେଶସେବକର ସମ୍ମାନ ଅର୍ଜନ କରି ସାରିଥିଲେ । ନିଜର ପଦବୀ ହରାଇବାର କ୍ଷତିପୂରଣ ସ୍ୱରୂପ ସେ ଯଦୁନାଥଙ୍କ ସଫଳତାକୁ ହିସାବକୁ ଅବଶ୍ୟ ଆଣୁଥିଲେ, କିନ୍ତୁ ଏତେ ପରେ ବି ତାଙ୍କର ସନ୍ଦେହ ଥିଲା ଦିନେନା ଦିନେ ସେ ଜାଗାକୁ ନେଇ କଥା ଉଠିବ । ତାଙ୍କ ଭିତରେ ଯେଉଁ ପାପ ପଶିଯାଇଥିଲା, ତାକୁ ସେ ପୃଥକ୍ କରିପାରୁ ନଥିଲେ । ତେଣୁ ପ୍ରଥମ ସାଧାରଣ ନିର୍ବାଚନରେ ଯଦୁନାଥଙ୍କର ଭୋଟ ବ୍ୟବଧାନ ତାଙ୍କୁ ସେ ପୁରୁଣା କଥା ସ୍ମରଣ କରାଇ ଦେଲା ଏବଂ ରାଧାକାନ୍ତଙ୍କ ଚୋରା ଫାଟକ ଦେଇ ଶୋଇବା ଘରେ ସାପ ପଶିବା ସ୍ଵପ୍ନ ସେଦିନ ତାଙ୍କୁ ବେଶ୍ ଭୟଭୀତ କରାଇଥିଲା ।

 

ନାନା ଦୁର୍ଭାବନା ଭିତରେ କୃତ୍ତିବାସ ଶେଷରେ ସେ ଜାଗା ଖଣ୍ଡିକ ଭୂଦାନବାଲାଙ୍କ ହାତରେ ଟେକି ଦବାର ନିଷ୍ପତ୍ତି ନେଲେ ।

 

ଭୂଦାନ ଆହୁତି ପରେ ରକ୍ଷଣାବେକ୍ଷଣ ଅଭାବରୁ ଦେବୋଦ୍ୟାନଟିର ଶ୍ରୀ ତୁଟିଯାଇଥିଲା-। ତେବେ ତା’ର ପରିବର୍ତ୍ତିତ ସ୍ଵରୂପ ପ୍ରତି ତାଙ୍କର ଅବଶୋଷ ଏତେଟା ନ ଥିଲା, କାରଣ ତାକୁ ଜାତୀୟ ପାର୍କର ସଂଜ୍ଞା ଦେଲାବେଳେ ଯଦୁନାଥ ବାପାଙ୍କ ପରାକାଷ୍ଠା କଥା ଭୁଲି ନ ଥିଲେ; କିନ୍ତୁ କୃତ୍ତିବାସଙ୍କର ପ୍ରକୃତରେ ଦୁଃଖଥିଲା ଗଣତନ୍ତ୍ର ରୂପକ ସେହି ନବଜାତକ ଶିଶୁଟିର ଲାଳନପାଳନର ଅବ୍ୟବସ୍ଥା ଓ ଦାରୁଣ ଅବହେଳା ଯୋଗୁ ତା’ର ଅନିର୍ବଚନୀୟ ଶୋଚନୀୟ ପରିଣତିରେ । ତାଙ୍କର ମନେହେଉଥିଲା ଯେପରି ଲୋକଙ୍କର ସ୍ଵପ୍ନ ଭାଙ୍ଗିଯାଇଛି । ସେମାନେ ନିଜ ପ୍ରତି ଆଉ ଆସ୍ଥାବାନ ହୋଇପାରିବେ ନାହିଁ । ନିର୍ଧୂମ କଚଡ଼ାଏ ଖାଇଥିବା ଛୁଆକୁ ଯେପରି କିଛି ହୋଇନି ବୋଲି ଭୁଲାଇ ଦିଆଯାଏ; ସେପରି ସାନଠାରୁ ବଡ଼ଯାଏ ସମସ୍ତେ ଏକପ୍ରକାର ନୀତି ଧରିଛନ୍ତି । ସତ୍ୟ, ଶାନ୍ତି, ଅହିଂସା ଓ ତ୍ୟାଗର ନାମ ଗନ୍ଧ କେଉଁଠି ହେଲେ ନାହିଁ । ତେଣୁ ପାର୍କର ଦୁସ୍ଥିତି ନେଇ ସେ ଅଧିକ ଚିନ୍ତା କରୁ ନଥିଲେ ।

 

ପାର୍କର ସନ୍ଧ୍ୟାବେଳ ଦୃଶ୍ୟଟା କୃତ୍ତିବାସ ଆଦୌ ସହ୍ୟ କରିପାରୁ ନଥିଲେ । ଯେଉଁ ସବୁ ଲୋକଙ୍କର ସେଠାରେ ଭିଡ଼ ଜମୁଥିଲା, ତାହା ତାଙ୍କ ପାଇଁ ଅତ୍ୟନ୍ତ ବେଦନାଦାୟକ ଥିଲା । କୃତ୍ତିବାସ ପୁଣି ସହି ପାରୁ ନଥିଲେ ସେ ଲୋକଗୁଡ଼ାଙ୍କୁ, ଯେଉଁମାନେ ଯଦୁନାଥଙ୍କୁ ଘେରି ରହିଥିଲେ-। ପାର୍କରେ ଅସଂଖ୍ୟ ଅସଂଯତ ଭାବଭଙ୍ଗୀ ଯଦୁନାଥ ଓ ତାଙ୍କ ପ୍ରତି କଟୂକ୍ତି ତାଙ୍କୁ ଯେପରି ବ୍ୟତିବ୍ୟସ୍ତ କରି ପକାଉଥିଲା, ସେପରି ଯଦୁନାଥଙ୍କ ଚାଟୁକାରମାନଙ୍କ ଉପସ୍ଥିତି ସେ ଆଦୌ ଚାହୁଁ ନ ଥିଲେ । ବେଳେ ବେଳେ ଏ ସବୁରେ ଅନଭ୍ୟସ୍ତ କୃତ୍ତିବାସଙ୍କର ଅବସାଦର ସୀମା ରହୁ ନ ଥିଲା-

 

କୃତ୍ତିବାସ ଲୋକଙ୍କ କଥା ଶୁଣୁଥିଲେ ବିଭିନ୍ନ ସ୍ଥାନରେ ବିଭିନ୍ନ ପରିବେଶରେ । ସବୁ କଥାରେ ସ୍ଵାର୍ଥ ଯେପରି ଫୁଲର ଡେମ୍ଫ ଭଳି ଲାଗି ରହିଥିଲା । ସବୁଠାରୁ କଥାମାନଙ୍କର ଅନ୍ୟ ଏକ ବିଶେଷତ୍ଵ ଥିଲା କେହି ନିଜ କଥା କହୁ ନାହାନ୍ତି, ଯେତେ ଯାହା ସବୁ ଅପରର କଥା । କୃତ୍ତିବାସ ଦିନେ ଶୁଣିବାକୁ ପାଇଲେ, ଲୋକେ କୁହାକୋହି ହେଉଛନ୍ତି; ରାଧାକାନ୍ତଙ୍କ ସମ୍ପତ୍ତିଗୁଡ଼ାକ ସେ କେମିତି ମାଡ଼ିବସି ଭୋଗ ଦଖଲ କରୁଛନ୍ତି । ସେ “ଦିନ ରାତି କୃତ୍ତିବାସ ସ୍ଵପ୍ନ ଦେଖିଲେ, ରାଜ୍ୟରେ ନିର୍ବାଚନ ହୋଇଛି; ଯଦୁନାଥ କଡ଼ା ସଂଘର୍ଷ ଭିତରେ ମାତ୍ର ସତରଟି ଭୋଟରେ ପରାସ୍ତ ହୋଇଛନ୍ତି-।” ସନ୍ଧ୍ୟାବେଳର ଆଲୋଚନା ମଧ୍ୟ ତାଙ୍କର ସ୍ମରଣ ହେଲା । ବହୁ ଭାବିଚିନ୍ତି ବିଚାର ମସୁଧାପରେ ରାଧାକାନ୍ତଙ୍କ ଦାୟିତ୍ୱ ସେ ଦେବୋତ୍ତର ବିଭାଗ ହାତରେ ସମର୍ପିଦେଲେ ।

 

ଅବଶ୍ୟ ଏକ୍ଷେତ୍ରରେ ତାଙ୍କର ମତାମତ ପରିଷ୍କାର ଥିଲା ‘‘ଏହା ତାଙ୍କର ରେକର୍ଡ଼ ପ୍ରାୟଶ୍ଚିତ୍ତ ।” କୃତ୍ତିବାସ ଜାଣୁଥିଲେ ଯଦୁନାଥଙ୍କ ଲୋକପ୍ରିୟତା ସେ ପ୍ରାୟଶ୍ଚିତ କରି ଫେରାଇ ଆଣି ପାରିବେ ନାହିଁ । ତାଙ୍କ ସ୍ଵାର୍ଥ ତ୍ୟାଗକୁ ଲୋକେ ଅନୁସରଣ କରିବେ ଏ ବିଶ୍ଵାସ ମଧ୍ୟ ତାଙ୍କର ନଥିଲା । ପରସ୍ଥିତି ସହିତ ସଂଗ୍ରାମ କରିବାକୁ ସେ ଲୋକଙ୍କୁ ନେତୃତ୍ୱ ଦେଇପାରିବେ, ସେ ଶକ୍ତି ତାଙ୍କର ଆଉ ନାହିଁ । ତଥାପି ତ୍ୟାଗର ଗୋଟାଏ ମହନୀୟ ଆକର୍ଷଣ ତାଙ୍କୁ ପ୍ରଲୁବ୍‌ଧ କରୁଥିଲା ।

 

ଯଦୁନାଥ ଏ ଭିତରେ ନିର୍ବାଚନମଣ୍ଡଳୀ ବଦଳାଇ ସାରିଥାନ୍ତି । ରାଜଧାନୀ ତାଙ୍କର ନୂଆ ନିର୍ବାଚନମଣ୍ଡଳୀ । ତାଙ୍କ କୃତିତ୍ୱର ପିରାମିଡ଼ମାନେ ସେଇଠି ସଗର୍ବରେ ମୁଣ୍ଡ ଟେକୁଥିଲେ । କୃତ୍ତିବାସ ଯୋଗବିୟୋଗର ଅଙ୍କ ଖାତାଟିଏ ଧରି ରାଜଧାନୀ ଓ ସହରର ଦୂରତା ମାପୁଥିଲେ । ଯିବା ଆସିବାର, ଜମା ପଇଠର; ହାନି-ଲାଭ, କ୍ଷୟ-କ୍ଷତି ଓ ସୁନାମ ବଦନାମର । କୃତ୍ତିବାସ ଏଇଠି ଟିକିଏ ନରମି ଯାଉଥିଲେ । କାରଣ ନିଜର ଏକ ସାମାନ୍ୟତମ ତ୍ରୁଟି ପାଇଁ ସେ ପ୍ରାଥମିକ ସ୍କୁଲର ଛାତ୍ରଟିଏ ଭଳି ଲକ୍ଷେଥର କାନଧରି ବସ୍‌ ଉଠ୍ ହୋଇଛନ୍ତି, ଅଥଚ ଯଦୁନାଥ ! ତାଙ୍କ କ୍ଷମତା, ପ୍ରତିପତ୍ତି, ଅର୍ଥପ୍ରାଚୁର୍ଯ୍ୟ ସହିତ ନିଷ୍ଠୁର ସମାଲୋଚନା ଓ କଟୂମନ୍ତବ୍ୟର ଦର କଷିବାକୁ ଯାଇ କୃତ୍ତିବାସ ବେଳେ ବେଳେ ସମୟଜ୍ଞାନ ହରାଇ ବସୁଥିଲେ । ବୃଦ୍ଧ କୃତ୍ତିବାସଙ୍କ ଚନ୍ଦା ମୁଣ୍ଡରେ ଝାଳ ଜମି ଆସୁଥିଲା ।

 

କୃତ୍ତିବାସ ଶୁଦ୍ଧ ଅଶୁଦ୍ଧ ମିଶାଇ ପଢ଼ିବାର ପକ୍ଷପାତି ନଥିଲେ । ଭୁଲ ପ୍ରଥମରୁ ହୋଇଛି-। ଶାସନ କ୍ଷମତା ହାସଲ କରିବା ଓ ହସ୍ତାନ୍ତରିତ ହେବା ଭିତରେ ଯେଉଁ ମୌଳିକ ଭୁଲଟି ରହିଗଲା, ତା’ର ସଂଶୋଧନ କିଏ କରିବ । ଏବେ ସବୁ ଚାଲିଛି ଗୋଟିଏ ଫର୍ମୂଲାରେ, ଲୋକଙ୍କୁ କିଛି ଜାଣିବାକୁ ଦିଅ ନାହିଁ; ଅଥଚ ଲୋକମାନେ ବୁଝୁଛନ୍ତି ସେମାନେ ସବୁ କିଛି ଜାଣିଛନ୍ତି । କୃତ୍ତିବାସ ଶାସନଦଣ୍ଡର ଖୁବ୍ ନିକଟରେ ଥାଇ ଏହି ଦୁଇଗୋଷ୍ଠୀର ମଣିଷଙ୍କୁ ଦେଖିଛନ୍ତି । ଦେଶଭକ୍ତମାନଙ୍କର ଗଣତନ୍ତ୍ର ପ୍ରେମ ଯେପରି ବିଚିତ୍ର, ସେପରି ଅଦ୍ଭୁତ, ଏ ଦେଶବାସୀଙ୍କର ଆଶ୍ଚର୍ଯ୍ୟଜନକ ଗଣତାନ୍ତ୍ରିକ ଉପଲବ୍‌ଧି ।

 

କୃତ୍ତିବାସ ଯଦୁନାଥଙ୍କ ବାପା; ଜଣେ ମନ୍ତ୍ରୀଙ୍କ ବାପା ଅତୀତର ନିର୍ଭୀକ ଯଶସ୍ଵୀ ବିଚାରପତି, ଜଣେ ଏକନିଷ୍ଠ ନ୍ୟାୟପରାୟଣ ବ୍ୟକ୍ତିଙ୍କ ପୁତ୍ର, ବହୁ ଚର୍ଚ୍ଚିତ ଗଣତନ୍ତ୍ରର ଶ୍ରେଷ୍ଠ ଉପାସକ, ଏକଥା ଚିନ୍ତା କଲାବେଳେ କୃତ୍ତିବାସଙ୍କୁ ଲାଗୁଥିଲା, ସେ ଯେପରି ଗୋଟିଏ ଜଟିଳ ଅଙ୍କର ସୂତ୍ର ସ୍ମରଣ କରି ପାରୁନାହାନ୍ତି ଯଦିଓ ଏକଦା ତାଙ୍କର ଗଣିତ ଶାସ୍ତ୍ରରେ ବେଶ୍ ପାରଦର୍ଶିତା ଥିଲା ।

 

କୃତ୍ତିବାସ ଏପରି ଅନେକ କିଛି ଭାବିବା ଭିତରେ ଏଇ ନିଷ୍ପତ୍ତିରେ ପହଞ୍ଚିଲେ, ଦେଶ ଗୋଟାଏ ବିରାଟ ସଙ୍କଟ ଭିତରେ ଗତି କରୁଛି ।

 

ଯଦୁନାଥଙ୍କୁ ଜଣେ ଦକ୍ଷ ମୁରବି ଭଳି କୃତ୍ତିବାସ ମଝିରେ ମଝିରେ ପରାମର୍ଶ ଦେଉଥିଲେ, ଇଂରେଜମାନେ କ’ଣ କହୁଥିଲେ ତମର ମନେ ଅଛି ? ଭାରତରେ ସ୍ଵାଧୀନତା ଆନ୍ଦୋଳନ ଯେତେବେଳେ ପ୍ରବଳ ଭାବରେ ଦେଖାଗଲା, ସେମାନେ କହୁଥିଲେ, ‘‘ଭାରତୀୟମାନେ ଗୋଟାଏ ସ୍ଵାଧୀନ ଦେଶର ନାଗରିକ ହେଲା ଭଳି ଯୋଗ୍ୟ ହୋଇ ନାହାନ୍ତି । ଦେଶ ଶାସନ ତ ଦୂରର କଥା, ସ୍ଵାଧୀନତା ପରେ ସେମାନେ ସୁଶୃଙ୍ଖଳିତ ଭାବେ ଚଳି ପାରିବେ ନାହିଁ । ତେଣୁ ତମେ ଏମିତି କାମ କର ନାହିଁ, ଯେଉଁଥିରେ ସେମାନେ ହସିବେ । ଦେଶ ବିଦେଶରେ ସୁନାମ ନଷ୍ଟ ହେବ ।”

 

ଆଗେ ଯଦୁନାଥ ଅତି ଆଗ୍ରହ ସହକାରେ ବାପାଙ୍କୁ ଶୁଣୁଥିଲେ । ଏବେ କିନ୍ତୁ ତାଙ୍କର କ’ଣ ହେଲା କେଜାଣି ସେ ଖାଲି ଦଳ, ଦଳପତି ହୋଇ ସବୁ କଥା ଟାଳିଦେଉଛନ୍ତି । ପାପ; ପୁଣ୍ୟ, କାର୍ଯ୍ୟ ଅକାର୍ଯ୍ୟକୁ ଦଳୀୟ ସ୍ଵାର୍ଥ ନାଁରେ ଦଳି ଚକଟି ପକାଉଛନ୍ତି । କୃତ୍ତିବାସ ଆଗେ ନିଜର ପରିଚୟ ପ୍ରଥମେ ଯଦୁନାଥଙ୍କୁ ଦେଇ ଆରମ୍ଭ କରୁଥିଲେ : ଏବେ କିନ୍ତୁ ସେ ସ୍ପୃହା ତାଙ୍କର ଆଉ ନାହିଁ । ତାଙ୍କର ଯେମିତି ମନେହେଉଥିଲା, ସେ ଯଦୁନାଥଙ୍କୁ ଗୋଟାଏ ଭୁଲବାଟ ଧରେଇ ଦେଇଛନ୍ତି । ଆଉ ସେହି ଅଙ୍କାବଙ୍କା ରାସ୍ତାରେ ଗଣତନ୍ତ୍ରର ଲଗାମ ଧରି ଯଦୁନାଥଙ୍କ ବେଗଗାମୀ ଅଶ୍ୱ ଛୁଟିଛି–ଯାହା ସମ୍ମୁଖରେ ବାଛ ବିଚାର, ଦୟା ଉପ୍ରୋଧ କିଛି ନାହିଁ ।

 

କୃତ୍ତିବାସ ମାସକୁ ସମାନ ସମାନ ଦୁଇ ଭାଗରେ ବାଣ୍ଟି ଦେଇଥିଲେ, ତାଙ୍କର ସହର ଓ ରାଜଧାନୀ ଭିତରେ । ତେବେ ତାଙ୍କର ସନ୍ଦେହ ହେଉଥିଲା ଏ ସମ୍ପର୍କ ଯିମିତି ବେଶୀ ଦିନର ନୁହେଁ-। ତାଙ୍କୁ ଦିନେନା ଦିନେ ସର୍ତ୍ତ ଭଗ୍ନ କରିବାକୁ ପଡ଼ିବ । ପରସ୍ଥିତି ନିକଟରେ ଏମିତି କେଉଁଠି ଆତ୍ମସମର୍ପଣ କରାଯାଏ ନାହିଁ କି ସମ୍ପର୍କ ରକ୍ଷା କରିବାକୁ ଅନ୍ୟ କାହା ଭଳି ସେ ଧୃତରାଷ୍ଟ୍ର ସାଜିପାରିବେ ନାହିଁ ।

 

କୃତ୍ତିବାସ ରାଧାକାନ୍ତଙ୍କୁ ସ୍ମରଣ କଲେ, ରାଧାକାନ୍ତ ତାଙ୍କୁ କ୍ଷମା କରିଛନ୍ତି । ସାମାନ୍ୟ ଲୋଭଗ୍ରସ୍ତ ହୋଇ ସେ ଯେଉଁ ତ୍ରୁଟିପୂର୍ଣ୍ଣ ସିଦ୍ଧାନ୍ତ ନେଇଥିଲେ, ତା’ର ପ୍ରାୟଶ୍ଚିତ କରିଛନ୍ତି ନାନା ଉପାୟରେ । ଯାହାହେଲେ ତାଙ୍କର ମଧ୍ୟ ଗୋଟାଏ ଲମ୍ବା ଇତିହାସ ରହିଛି, କିନ୍ତୁ ସେ ତ କେବେ ଯଦୁନାଥଙ୍କ ଭଳି କ୍ଷମତାନ୍ଧ ହୋଇଯାଇ ନାହାନ୍ତି । ତେଣୁ ଏବେ ସେ ଯଦୁନାଥଙ୍କ ଅଠା ନିଜ ମୁଣ୍ଡରେ ବୋଳି ନ ହୋଇ ପରିଚୟ ବିପରୀତ ଦିଗରୁ ଆରମ୍ଭ କରିଥାଆନ୍ତି । ପ୍ରୟୋଜନ ନଥିଲେ ସେ ଯଦୁନାଥଙ୍କ ନାମୋଲ୍ଲେଖ ପର୍ଯ୍ୟନ୍ତ କରନ୍ତି ନାହିଁ ।

 

ଅବଶେଷରେ ତାହାହିଁ ହେଲା । ପ୍ରଥମଥର ପାଇଁ ସେ ନିର୍ଦ୍ଧାରିତ ସମୟରେ ଦୁଇଦିନ ପୂର୍ବରୁ ଫେରି ଆସିବାକୁ ବାଧ୍ୟ ହେଲେ । ପ୍ରତ୍ୟେକ ଥର ସେ ଫେରୁଥିଲେ ସରକାରୀ ମଟର ଗାଡ଼ିରେ; ଏଥର କିନ୍ତୁ ଫେରୁଛନ୍ତି ଅଣଲେଉଟା ରେଳଗାଡ଼ିରେ । ଅବଶ୍ୟ ତାଙ୍କର ଏ ବ୍ୟତିକ୍ରମ ଆଜି ଆକସ୍ମିକ ନୁହେଁ; ବରଂ ସେ ଭୁଲିଯାଇଥିବା ରାସ୍ତାକୁ ପୁଣି ଆବିଷ୍କାର କରିଛନ୍ତି, ଯାହାକୁ ସେ ବେଶ୍ କିଛି ଦିନହେଲା ଖୋଜି ହେଉଥିଲେ ।

 

ଦୃଢ଼ ମନ ନେଇ ମନ୍ତ୍ରୀନିବାସରୁ ବାହାରି ଆସିବାର ଏବେ ପ୍ରାୟ ତିନିଘଣ୍ଟା ହେବ କୃତ୍ତିବାସ ନିଜକୁ ସଜାଡ଼ି ପାରୁନାହାନ୍ତି; ଏଇ ବ୍ୟତିକ୍ରମର ସୁଯୋଗରେ ସେ ନିଜକୁ, ନିଜର ଅତୀତ କାର୍ଯ୍ୟକଳାପ ସହିତ ଯଦୁନାଥ ଓ ତାଙ୍କର ବ୍ୟବସାୟିକ ରାଜନୀତିକୁ ତର୍ଜମା କରୁଛନ୍ତି । ସେ ବିଶ୍ଳେଷଣ କରୁଛନ୍ତି ସେମାନଙ୍କୁ, ଯାହାଙ୍କ ପାଇଁ ସୃଷ୍ଟିର ସାମାଜିକ ସମ୍ପର୍କ ବିରୁଦ୍ଧରେ ଆଜି ଯୁଦ୍ଧ ଘୋଷଣା କରିଛନ୍ତି ।

 

ଟ୍ରେନ୍ ଭିତର ଯାତ୍ରୀମାନଙ୍କୁ କୃତ୍ତିବାସ ଚାହିଁଲେ, ତାଙ୍କର କାହିଁକି ମନେହେଲା ନାହିଁ; ଏମାନେ ସବୁ ବିଶ୍ୱର ଏକ ବୃହତ୍ତମ ଗଣତନ୍ତ୍ର ରାଷ୍ଟ୍ରର ନାଗରିକ । ଚିନ୍ତାମଗ୍ନ, ଗମ୍ଭୀର କୃତ୍ତିବାସ ଚାହିଁରହିଥିଲେ ସେମାନଙ୍କୁ ବେଶ୍ ଅର୍ଥପୂର୍ଣ୍ଣ ଦୃଷ୍ଟିରେ, ଯେଉଁମାନଙ୍କ ପାଇଁ ଏକମାତ୍ର ଆଶ୍ୱାସନା ହେଉଛି ସେହି ଗଣତନ୍ତ୍ର; ଯାହା ନାଆଁରେ ଏମାନେ ବେଳେ ବେଳେ ଛେଳି ମେଣ୍ଢା ଭଳି ବିକ୍ରି ହୁଅନ୍ତି । ଯେଉଁମାନେ କେବଳ ଯୁଗ ଯୁଗ ଧରି ପ୍ରତିଶ୍ରୁତିରେ ବଞ୍ଚି ରହିଛନ୍ତି; ଗଣତନ୍ତ୍ର ଯେଉଁମାନଙ୍କ ପାଇଁ ହେଉଛି ଏ ଶତାବ୍ଦୀର ସର୍ବଶ୍ରେଷ୍ଠ ପରିହାସ ।

 

ଟ୍ରେନ ଭିତରେ କିନ୍ତୁ ସରଗରମ ଆଲୋଚନା । ଘୂର୍ଣ୍ଣିଝଡ଼ ଭଳି ଆଲୋଚନା କେତେବେଳେ କୁଆଡ଼କୁ ମାଡ଼ିଯାଉଛି ତା’ର ଧାଡ଼ି ନାଡ଼ି କିଛି ନଥିଲା । ରେଲ ଭଡ଼ା ବୃଦ୍ଧି, ଯାତ୍ରାକାଳୀନ ଅବ୍ୟବସ୍ଥାଠାରୁ ଆରମ୍ଭ କରି ସର୍ବବ୍ୟାପୀ ଦୁର୍ନୀତି, ସରକାରୀ ବ୍ୟର୍ଥତା ପର୍ଯ୍ୟନ୍ତ ବହୁବିଧ ଆଲୋଚନା, ସମାଲୋଚନା, ଅସନ୍ତୋଷ ଓ ଦୋଷାରୋପ; ଅଥଚ କୃତ୍ତିବାସ ନିର୍ଲିପ୍ତ । ତାଙ୍କ ଚତୁର୍ଦ୍ଦିଗରେ କ’ଣ ସବୁ ଚାଲିଛି ତା’ର ରହସ୍ୟ ଭେଦ କରିବାକୁ ସେ ଚାହୁଁ ନଥିଲେ ।

 

କୃତ୍ତିବାସ ଜାଣୁଥିଲେ ଏ ଆକ୍ଷେପ ଓ ଅସନ୍ତୋଷ କ୍ଷଣିକ ମାତ୍ର । ଏଥିରୁ ସେହି ଚିରାଚରିତ ବିପ୍ଳବ ଜନ୍ମ ନେବ ଯାହାର ସର୍ବୋଚ୍ଚ ସୀମା ଏପର୍ଯ୍ୟନ୍ତ କାଗଜ ଦୁର୍ଗ ହୋଇ ରହିଛି । ଏଇଭଳି ଏକ ସାମାନ୍ୟ ଘଟଣାରୁ ଆଜି କଥା ଉଠିଲା । ଯଦୁନାଥ ବାପାଙ୍କୁ ବିରୋଧ କଲେ, କହିଲେ; “ଏ ଦେଶର ଲୋକଙ୍କ ପାଇଁ ଏଇ ଧରଣର ଶାସନ ଦରକାର । ସେମାନେ ସରକାର ପାଇଛନ୍ତି ଯେଉଁଭଳି ସରକାର ତାଙ୍କର ପ୍ରାପ୍ୟ । ତମେ ଯେଉଁ କଥା କହୁଛ, ସେ ଏ ଦେଶରେ ଚଳିବ ନାହିଁ । ଯେଉଁ ଦେଶରେ ତମ କହିବା ଭଳି ଶାସନ କାର୍ଯ୍ୟ ଚଳେ ସେ ଦେଶର ଲୋକ ଆମ ଲୋକଙ୍କ ଭଳି ନୁହନ୍ତି ।”

 

କୃତ୍ତିବାସ ଛାଡ଼ିବା ଲୋକ ନୁହନ୍ତି, ଅନେକ ଦିନ ପରେ ସେ ସୁଯୋଗ ପାଇଛନ୍ତି । ସେ ଭଲଭାବେ ଜାଣିଥିଲେ ଦେଶ ସ୍ଵାଧୀନ ହବାର ସମ୍ଭାବନା ମାତ୍ରେ କିପରି ଦେଶଭକ୍ତ ନେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା, ଯାହାର ଏବେ ପୁନରାବୃତ୍ତି ମାତ୍ର ଚାଲିଛି । କୃତ୍ତିବାସ ଶାସନ କଲାଭଳି ଦୃଢ଼କଣ୍ଠରେ ପ୍ରଶ୍ନ କଲେ, ‘‘ତମେମାନେ ଉତ୍ତରାଧିକାରୀ ସୂତ୍ରରେ ଶାସନ ହାତକୁ ନେବା ପରେ ଦେଶବାସୀଙ୍କ ଚରିତ୍ର ଗଠନ ପାଇଁ କେବେ ଉଦ୍ୟମ କରିଛ ? ସେମାନଙ୍କ ମନରେ ଜାତୀୟତାବୋଧ ଭାବ ଜାଗ୍ରତ କରାଇବାକୁ କେବେ ଚେଷ୍ଟା କରିଛ ? ଏ ଦାୟିତ୍ୱ କ’ଣ ତମର ନୁହେଁ ???

 

ଯଦୁନାଥ ଅସ୍ଵୀକାର କଲେ । ଏ ଜାତିର ଚାରିତ୍ରିକ ସଙ୍କଟ ଆଜି ନୂଆ ହୋଇ ଦେଖା ଦେଇନି । ଏ ଦେଶର ଲୋକଙ୍କର ଜାତିପ୍ରେମର ଗୋଟାଏ ଉଲ୍ଲେଖଯୋଗ୍ୟ ଦୃଷ୍ଟାନ୍ତ ସେ କେଉଁଠି ପାଇନାହାନ୍ତି । କୃତ୍ତିବାସ କ୍ରୋଧଜର୍ଜରିତ ହୋଇ କହିଲେ, ତମେ ତା’ହେଲେ ଇତିହାସକୁ ଅସ୍ଵୀକାର କରୁଛ ? ଦେଶ ଗଠନ କ୍ଷେତ୍ରରେ ତମେ ଇତିହାସକୁ ଉପେକ୍ଷା କରିବାକୁ ଚାହଁ ?

 

ଯଦୁନାଥ ବିରକ୍ତ ହେବା ଭଳି କହିଲେ, ଏ ଦେଶର ଇତିହାସ ଆଦୌ ପ୍ରେରଣାଦାୟକ ନୁହେଁ । ଏ ଦେଶର ଇତିହାସ କେବଳ ବିଜେତାମାନଙ୍କର ଇତିହାସ ।

 

କୃତ୍ତିବାସଙ୍କର ଟ୍ରେନ୍ ଭିତରେ କାହାରିକୁ ଶୁଣିବାର ସଦ୍ଦିଚ୍ଛା ନଥିଲା । ସେ ଜାଣିଥିଲେ ନେତୃତ୍ୱର ବିଫଳତା ପାଇଁ ଏମାନଙ୍କର ଅବଦାନ କମ୍ ନୁହେଁ । ଜଡ଼ତାର ଅଲଙ୍ଘନୀୟ ଦୁର୍ଗ ଭିତରେ ଏମାନେ କେବଳ ଆର୍ତ୍ତଚିତ୍କାର କରି ଶିଖିଛନ୍ତି । ପ୍ରାଚୀର ଭେଦ କରି ନୂଆ ଜଗତରେ ପ୍ରବେଶ କରିବାକୁ ଯେଉଁ ନିସର୍ତ୍ତ ଆତ୍ମାହୁତିର ମହାମନ୍ତ୍ରରେ ଦୀକ୍ଷିତ ହେବାକୁ ପଡ଼େ, ତା’ର ଆଦ୍ୟ ଉଚ୍ଚାରଣ ଏପର୍ଯ୍ୟନ୍ତ କେହି କରିନାହାନ୍ତି । ସୁସଂଯୋଜିତ ସ୍ଳୋଗାନ, ବକ୍ତୃତାରେ ଆଗ୍ନେୟ ଉଦ୍‌ଗିରଣ କା’ପୁରୁଷତାର ସର୍ବଶ୍ରେଷ୍ଠ ପରିଣତି ଏଠି ବିପ୍ଳବର ସଂଜ୍ଞା ବହନ କରିଛି, ଯାହାର ଭିତିରି ରହସ୍ୟ ଯଦୁନାଥଙ୍କ ବକ୍ତବ୍ୟରୁ ପ୍ରମାଣିତ ହୋଇଛି ।

 

ସମ୍ପୂର୍ଣ୍ଣ ଜରାଗ୍ରସ୍ତ କୃତ୍ତିବାସ ‘ଉତ୍ସର୍ଗ ପର୍ବ’ କଥା ଚିନ୍ତା କରିବାକୁ ଲାଗିଲେ । ତାଙ୍କୁ ଦେଶର ଅଥର୍ବ, ଚିନ୍ତାଧାରା କୌଣସି ମୀମାଂସାରେ ପହଞ୍ଚାଇ ଦେଇପାରୁ ନଥିଲା । ସେ ଭାବୁଥିଲେ ଏହାର ନେତୃତ୍ୱ ଦେବା ପାଇଁ ଏବେ ବି ଠିକଣା ଲୋକର ଅଭାବ ରହିଛି । ଯଦୁନାଥ ଭଳି ଯେଉଁମାନେ ସାମାଜିକ ପ୍ରଶାସନିକ ପ୍ରତିଷ୍ଠାର ଶୀର୍ଷରେ ସେମାନେ ଲୋକଙ୍କୁ ପ୍ରକୃତ ବାଟ ଦେଖାଇବେ ନାହିଁ । ଆଉ ଯେଉଁମାନେ ବାହାରେ ରହି କେବଳ ଅଭୁକ୍ତ ଶ୍ଵାନ ଭଳି ଚିତ୍କାର କରୁଛନ୍ତି, ସାମାନ୍ୟ ପ୍ରଲୋଭନ ତାଙ୍କୁ ସନ୍ତୁଷ୍ଟ କରାଇବାକୁ ସକ୍ଷମ ହେଉଛି । “ଅଳ୍ପ ସନ୍ତୁଷ୍ଟୁ” ମନୋବୃତ୍ତିରେ ଆଉ ଦଳେ ଆସ୍ତି ନାସ୍ତି କିଛି ନ କହି ନୀରବ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି-

 

କୃତ୍ତିବାସ ମନ୍ଥର ହୋଇଆସୁଥିବା ରେଳଗାଡ଼ିର ମିଞ୍ଜି ମିଞ୍ଜି ବିଜୁଳିବତୀ ଭଳି ନିସ୍ତେଜ ହୋଇ ଆସୁଥିଲେ । ଅତିଶୟ ମାନସିକ ଦ୍ୱନ୍ଦ୍ୱ ବୃଦ୍ଧଙ୍କୁ ବ୍ୟତିବ୍ୟସ୍ତ କରି ପକାଉଥିଲା । ସେ ନିଜ କଥା ବା ଯଦୁନାଥଙ୍କ କଥା ଆଉ ଚିନ୍ତା କରିପାରୁ ନ ଥିଲେ । ତାଙ୍କୁ ସମବେଦନା ଜଣାଇବା ଉଦ୍ଦେଶ୍ୟରେ ଗାଡ଼ିର କର୍କଶ ଅସହ୍ୟ ଶବ୍ଦ ଏକ ମଧୁର ଝଙ୍କାରରେ ଯେପରି ପରିବର୍ତ୍ତିତ ହୋଇଥିବାର ସେ ଅନୁଭବ କଲେ । ବୋଧହୁଏ ଗାଡ଼ି କୌଣସି ଏକ ନଦୀ ପୋଲ ଉପରକୁ ଉଠିଆସିଛି । ଅର୍ଦ୍ଧ ମୁଦ୍ରିତ ନୟନରେ କୃତ୍ତିଦାସ ନିଜର ଅନିର୍ଦ୍ଦିଷ୍ଟ ଯାତ୍ରାର ସୂଚୀ ପ୍ରସ୍ତୁତ କରିବା ପାଇଁ ଉପଭୋଗ୍ୟ ସ୍ଵର ସମ୍ଭାର ଭିତରେ ଚିନ୍ତାମଗ୍ନ ହେବାକୁ ଚେଷ୍ଟା କରୁଥିଲେ ।

 

ଟ୍ରେନ୍‍ର ଗତି ସମ୍ପୂର୍ଣ୍ଣ ନିୟନ୍ତ୍ରିତ । ଗାଡ଼ି ଚାଲିଛି ନିରଳସ, ଗର୍ଭିଣୀ ସାପଟିଏ ଭଳି । କୃତ୍ତିବାସଙ୍କର ଅବଶିଷ୍ଟ ଜୀବନର ମାନଚିତ୍ରସ୍ଥ ବିନ୍ଦୁଗୁଡ଼ାକୁ ସଂଯୋଗ କରିବାକୁ ଯେପରି ତତ୍ପର । ଟ୍ରେନ ଭିତରେ ଆଲୋଚନାର ଗୋଳମାଳ ଯୁଦ୍ଧ ଭିତରେ କୃତ୍ତିବାସ ଏକ ସ୍ଵତନ୍ତ୍ର ସତ୍ତା ନେଇ ଭାବବିହ୍ୱଳ ହୋଇପଡ଼ିଥିଲେ । ଏତିକିବେଳେ ଟ୍ରେନ୍ ହଠାତ୍ ବିପଦ ସୂଚନା ଦେଇ ସମସ୍ତଙ୍କୁ ହତ୍‌ଚକିତ କରାଇଦେଲା । କମ୍ପାର୍ଟମେଣ୍ଟର ଅନ୍ୟମନସ୍କ ଯାତ୍ରୀମାନେ ସତର୍କ ହୋଇଉଠିଲେ । ବିଦ୍ୟୁତ୍‌ ସରବରାହରେ ବ୍ୟାଘାତ ଘଟିଲେ ବେତାର କାର୍ଯ୍ୟକ୍ରମ ହଠାତ୍ ବନ୍ଦ ହୋଇଯିବା ଭଳି ଆଲୋଚନାର ଧାର ଛିଣ୍ଡି ପଡ଼ିଲା । ଅସ୍ଵାଭାବିକ ଭାବେ ଟ୍ରେନ ଆଗପଛ ନ ହୋଇ ଅଟକି ଗଲା ।

 

ବାହାରେ ନିରନ୍ଧ୍ର ଅନ୍ଧକାର କୃତ୍ତିବାସଙ୍କ ଚିନ୍ତାଚୈତନ୍ୟର, ମେଘନାଦ ପାଚେରୀ ଆରପାଖ ଭଳି । କ’ଣ ଘଟିଗଲା କିଛି ଜାଣିବାର ଉପାୟ ନାହିଁ । ପଛରୁ ଶୁଭୁଥିଲା ହୋ ହାଲ୍ଲା, ଧାଁଧପଡ଼, ଚିତ୍କାର, ଆର୍ତ୍ତନାଦ ଓ ଠେଲାପେଲା ଚାଲିଥିବାର ସୂଚନା । ରୀତିମତ ଗୋଟାଏ ଲୋମହହର୍ଷଣକାରୀ ଘଟଣା । କେତୋଟି ଭୟାର୍ତ୍ତ ସ୍ଵର କେବଳ ସନ୍ଦେହର ସ୍ପଷ୍ଟୀକରଣ କରୁଥିଲା, ‘‘ଚୋର ଚୋର ଚୋର ।”

 

କୃତ୍ତିବାସ ହତବମ୍ବ । ଦେଖିଲେ, ଟିକିଏ ପୂର୍ବରୁ ଯେଉଁମାନେ ପ୍ରଶାସନ ବ୍ୟବସ୍ଥା ଓ ତା’ର ପ୍ରଣେତାମାନଙ୍କୁ ନିଷ୍ଠୁର ସମାଲୋଚନା କରୁଥିଲେ, ସେମାନେ ସବୁ ଭୟରେ ଥରୁଛନ୍ତି । ଅଧିକାଂଶ ନିଜ ନିଜର ମୂଲ୍ୟବାନ ଜିନିଷପତ୍ରର ସୁରକ୍ଷାରେ ବ୍ୟସ୍ତ । ଲୁହା ଝରକାଗୁଡ଼ାକ ଧଡ଼ ଧଡ଼ ହୋଇ ଖସିପଡ଼ୁଛି । ଚାରି ଛଅ ଜଣ ଯୁବକ, ଧାଇଁଯାଇ ବନ୍ଦ ହୋଇପାରୁ ନ ଥିବା ଦରଜାକୁ ଭିତରପଟୁ ମାଡ଼ିବସିଛନ୍ତି । ସମସ୍ତେ ନିର୍ବାକ, ସବୁ ଚାଲିଛି ଯାହା କେବଳ ସଙ୍କେତରେ ।

 

କୃତ୍ତିବାସ ଅଳ୍ପକ୍ଷଣ ପୂର୍ବରୁ ସେହି ବାକ୍‌ପଟ୍ଟୁ ମଣିଷଗୁଡ଼ାଙ୍କୁ ଭଲଭାବେ ନିରୀକ୍ଷଣ କଲେ-। ତାଙ୍କର ମନେହେଲା ସମସ୍ତଙ୍କର ଜୀବନଶକ୍ତି ଯେପରି ଲୋପ ପାଇଯାଇଛି; ମାତ୍ର କେତେଟା ଚୋର ଡକାୟତମାନଙ୍କର ସମ୍ମୁଖୀନ ହେବାର ଶକ୍ତି ଏମାନଙ୍କର ନାହିଁ; ଅଥଚ ସମସ୍ତେ ପରିବର୍ତ୍ତନ ଚାହାନ୍ତି । ସମସ୍ତ ନିରାପତ୍ତା ବ୍ୟବସ୍ଥାକୁ କାବୁକରି ଡକାୟତମାନେ ଯାତ୍ରୀମାନଙ୍କୁ ଲୁଟ କରୁଛନ୍ତି; ଅଥଚ କାହାରି ପ୍ରତିରୋଧ କରିବାର ସତ୍‌ସାହସ ନାହିଁ । ସମସ୍ତେ ନିଜ ନିଜର ଜିନିଷକୁ ଅତି ବିକଳ ଭାବେ ଚାହିଁରହିଛନ୍ତି, ଯେମିତି ସେମାନଙ୍କର ମୂଲ୍ୟବାନ ଗଣତନ୍ତ୍ର ଏଇ ମାତ୍ର ଲୁଟ ହୋଇଯିବ ।

 

ବୃଦ୍ଧ କୃତ୍ତିବାସ ଏ ନିର୍ଜୀବ ମଣିଷଗୁଡ଼ାକଙ୍କର କାପୁରୁଷୋଚିତ ଅଦ୍ଭୁତ ଗତିବିଧି ଦେଖି ଉତ୍ତେଜିତ ହୋଇଉଠିଲେ । ଶରୀରରେ ତାଙ୍କର କମ୍ପନ । ଚାରି-ଛଅ ଜଣ ଚୋର ହଜାରେ ଯାତ୍ରୀଙ୍କୁ ଭୟ ଦେଖାଇ ଏବେ ଚମ୍ପଟ କରିବେ; ସେ ଆଦୌ ଏହା ଶୁଣିବାକୁ ପ୍ରସ୍ତୁତ ନ ଥିଲେ । ପ୍ରତିବାଦ କଲେ ହୁଏତ ଗୋଟାଏ ଦୁଇଟା ଲୋକ ଆଘାତ ପାଇବେ; କିନ୍ତୁ ଡକାୟତମାନେ ତ ଧରାପଡ଼ିବେ । ଗୋଟିଏ ପରମ୍ପରାକୁ ଭାଙ୍ଗିବାକୁ ହେଲେ ଆତ୍ମୋତ୍ସର୍ଗ ତ ଅନିବାର୍ଯ୍ୟ; କିନ୍ତୁ ଛୁରା, ପିସ୍ତଲର ସମ୍ମୁଖୀନ ହେବାକୁ ଏ ଦେଶର ଲୋକମାନଙ୍କର ଏବେ ବି ଆତ୍ମବଳର ଅଭାବ ରହିଛି । ଏମିତି ଦିନେ ଏମାନେ ବିନା ପ୍ରତିବାଦରେ ଏତେ ବଡ଼ ଦେଶକୁ ଇଂରେଜମାନଙ୍କୁ ଛାଡ଼ିଦେଇଥିଲେ, ଏବେ ତା’ ଆସି ଚୋର ଡକାୟତମାନଙ୍କ ହାତରେ ପଡ଼ିଛି । ଜୀବନର ମୂଲ୍ୟ କେବଳ ଏମାନେ ଜାଣନ୍ତି; ଅଥଚ ଆତ୍ମସମ୍ମାନବୋଧ ଏମାନେ କ’ଣ ଶିଖି ନାହାନ୍ତି !

 

ଜୀବନର ଶେଷ ଆୟୁଧ ବେତବାଡ଼ି ଖଣ୍ଡକ ଧରି କୃତ୍ତିବାସ ବିଦ୍ୟୁତ୍‍ ବେଗରେ ଉଠିଗଲେ, କୌଣସି ଦୈବୀଶକ୍ତି ତା’, ଶରୀରରେ ପ୍ରବେଶ କଲାଭଳି । ନିଜର ପୁରୁଷୋଚିତ ନିଃଶବ୍ଦ ଆହ୍ଵାନର ସମର୍ଥନକୁ ଅପେକ୍ଷା ନ କରି ଟ୍ରେନରୁ ସେ ଗଭୀର ଅନ୍ଧାରକୁ ନିର୍ବିରୋଧ ଲମ୍ଫ ପ୍ରଦାନ କଲେ । ଶତାବ୍ଦୀ ଶତାବ୍ଦୀ ଧରି ଯେଉଁ ଆକାଶରେ ସୂର୍ଯ୍ୟୋଦୟ ହୋଇ ନ ଥିଲା ଏଇ କ୍ଷୁଦ୍ର ଉଲ୍‌କାପାତ ଫଳରେ ନଭୋମଣ୍ଡଳ ଓ ଭୂପୃଷ୍ଠର କେତେ ପରିମିତ ସ୍ଥାନ ଆଲୋକିତ ହେଲା ତା’ ଜାଣିବା ଉଦ୍ଦେଶ୍ୟରେ କୃତ୍ତିବାସଙ୍କ ସହଯାତ୍ରୀମାନେ ଅନେକ ଦିନଯାଏଁ ସମ୍ବାଦପତ୍ରର ନିଜ ପ୍ରତିନିଧିଙ୍କ କଲମରେ କେବଳ ଯାହା ଖୋଜିହୋଇଥିବ ସିନା !

Image

 

ମଧ୍ୟାନ୍ତର

 

ସନ୍ଧ୍ୟା ପୂର୍ବରୁ ସମଗ୍ର ଶିଳ୍ପାଞ୍ଚଳରେ ସାନ୍ଧ୍ୟ ଆଇନ ଜାରି ହୋଇଗଲା ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଗଲା, “ଆଇନ ଅମାନ୍ୟ କରି କୌଣସି ଲୋକ ରାସ୍ତାରେ ସନ୍ଦେହଜନକଭାବେ ବୁଲୁଥିବାର ଦେଖାଗଲେ ତାକୁ ଗୁଳି କରି ଦିଆଯିବ ।” ମିଲିଟାରୀ ଗାଡ଼ି, ଓ୍ୱାରଲେସ ଭ୍ୟାନ୍, ଫାୟାର ବ୍ରିଗେଡ଼ କେବଳ ସରକାରଙ୍କର ବିଜୟ ଘୋଷଣା କରି ବିଦ୍ୟୁତ୍ ବେଗରେ ଏଣେତେଣେ ଚିରାମାରି ବୁଲୁଥିଲେ କଅଁଳା ବାଛୁରୀ ଭଳି । ସାରା ସହରକୁ ସଶସ୍ତ୍ର ସେନାବାହିନୀ ହାତରେ ଏକରକମ ଛାଡ଼ିଦିଆଯାଇଥିଲା କହିଲେ ଚଳେ !

 

ଗଙ୍ଗାପ୍ରସାଦ କ୍ଷୁଦ୍ରଷ୍ଟାଫ କ୍ଵାର୍ଟରଟିର ଛାତ ଉପରେ ବସି ତା’ ଚବିଶ ବର୍ଷ ଚାକିରି ଜୀବନର ସମୀକ୍ଷା କରୁଥିଲା । ସହର ସମ୍ପୂର୍ଣ୍ଣ ଅନ୍ଧକାର । ପୋଲିସ ମିଲିଟାରୀ ଗାଡ଼ିର ହେଡ୍‍ ଲାଇଟିରୁ ସହରର ଦୟନୀୟ ଅବସ୍ଥା ଦେଖି ତା’ର ଯେମିତି ଅର୍ନ୍ତଦଗ୍‌ଧ ହୋଇଯାଉଥିଲା । ଶ୍ରମିକ ସ୍ଵାର୍ଥକୁ ତଳୁ ଉପର ପର୍ଯ୍ୟନ୍ତ ଚାଲିଥିବା ସତରଞ୍ଜ ଖେଳର ଅନ୍ତିମ ପରିଣତି ଦେଖିବାର ତା’ର ଧୈର୍ଯ୍ୟ ସରି ଆସୁଥିଲା । ତେଣୁ ଆସନ୍ନ ବିପଦ ଆଶଙ୍କାରେ ସେ ଶିହରି ଉଠିଲା । ଶ୍ରମିକ ଆନ୍ଦୋଳନର ଇତିହାସରେ ଆଜି ଗୋଟାଏ ନୂଆ ଘଟଣା ଘଟିଗଲା । ଛାତ୍ର-ଶ୍ରମିକ ସଂଘର୍ଷ ! ତାକୁଇ କେନ୍ଦ୍ର କରି ସହରରେ ତାଣ୍ଡବଲୀଳା । ସରକାରୀ ଅଫିସ, ଖଜଣାଖାନାରେ ଅଗ୍ନି ସଂଯୋଗ, ବସ, ରେଲ ଚଳାଚଳରେ ବାଧାସୃଷ୍ଟି ଓ ଭଙ୍ଗାରୁଜା, ଦୋକାନବଜାର ଲୁଟ୍‌ପାଟ କେତେ କେତେ କ’ଣ ଯେ ଘଟି ନଗଲା ମୁହୂର୍ତ୍ତକ ଭିତରେ । ଶହ ଶହ ଲୋକ ଖଣ୍ଡିଆ ଖାବରା ହେଲେ ପୋଲିସ ଲାଠିରେ, ଅଙ୍ଗ-ପ୍ରତ୍ୟଙ୍ଗ ହରାଇଲେ ଅନ୍ଧାଧୂନ ଗୁଳି ଚାଳନାରେ, ଆହତ ହେଲେ ଇଟା ପଥର ମାଡ଼ରେ ତା’ର ଇୟତ୍ତା ରହିଲା ନାହିଁ । ସବୁ ଯେମିତି ଭୌତିକ କାଣ୍ଡ ଭଳି ଘଟିଗଲା !

 

ଗଙ୍ଗାପ୍ରସାଦର ଆଖି ଆଗରେ ନାଚିଉଠିଲା ମିଲ୍ ଫାଟକରେ ଝୁଲୁଥିବା ବିରାଟ ତାଲା-। କାର୍ଯ୍ୟରତ ଶ୍ରମିକମାନଙ୍କୁ ମ୍ୟାନେଜମେଣ୍ଟ ପୋଲିସ ସାହାଯ୍ୟରେ ଅତି ସହଜରେ ପଦାକୁ ବାହାର କରିଦେଇ ତାଲାବନ୍ଦ ଘୋଷଣା କରିଦେଲେ । ଶ୍ରମିକମାନଙ୍କର ନୂନତମ ଦାବିକୁ ଏଡ଼ାଇଦେବାର ଅଭିନବ ଷଡ଼ଯନ୍ତ୍ର କଥା ସେ କେବଳ ଭାବୁଥିଲା, ଭାବୁଥିଲା କ’ଣ ହେବାର ଥିଲା ଓ କ’ଣ ହେଲା ! ଚାରିହଜାର ଶ୍ରମିକଙ୍କ ପ୍ରତିନିଧି ଭିତରେ ସେ ଜଣେ । ଶ୍ରମିକମାନଙ୍କ ଦାବି ହାସଲ ପାଇଁ ସେ ଦୁଇଦିନ ହେଲା ଅନଶନ ଆରମ୍ଭ କରି ଦେଇଥିଲା । ସମସ୍ତେ ଆଶା କରିଥିଲେ ଏଥର ମ୍ୟାନେଜମେଣ୍ଟ ମୁଣ୍ଡ ନୁଆଁଇବ । କାରଣ ସମନ୍ଵୟ କମିଟିର କମରେଡ଼ମାନଙ୍କର ଏଥର ଆକ୍ରମଣ ଥିଲା ସମ୍ପୂର୍ଣ୍ଣ ନୂଆ ଧରଣର । ଛଅଟିଯାକ ଶ୍ରମିକ ସଙ୍ଗଠନର ମିଳିତ ଇସ୍ତାହାର, ଶ୍ରମିକ ସ୍ଵାର୍ଥ-ବିରୋଧୀ ବିଭେଦକାରୀମାନଙ୍କୁ ଚେତାବନୀ; ସମଗ୍ର ଶିଳ୍ପାଞ୍ଚଳରେ ଚହଳ ପକାଇ ଦେଇଥିଲା-। ସମସ୍ତେ ଧରି ନେଇଥିଲେ ଏଥର ଦେଖିଲା ଭଳି ଗୋଟାଏ କାମ ହୋଇଛି ।

 

ଗଙ୍ଗାପ୍ରସାଦର ଭୀଷଣ ଅବଶୋଷ ହେଉଥିଲା । ମିଲ୍ ଅଚଳ କରିଦେବାର ଧମକ ଫସର ଫାଟିଗଲା । ଭିତରେ ଭିତରେ କେଡ଼େ ବଡ଼ କାମଟାଏ ହୋଇଗଲା କେହି ଟିକିଏ ଟେର୍ ପାଇଲେ ନାହିଁ । ସଙ୍ଗଠନର ସବୁଯାକ ଆଗୁଆ କର୍ମୀ ଗିରଫ ହୋଇସାରିଛନ୍ତି । କାଲି ହୁଏତ ସେ କିମ୍ବା ତାରି ଭଳି ଖସିଯାଇଥିବା ଲୋକଙ୍କ ପାଳି ପଡ଼ିଯିବ । ଆଗରୁ ତାଲିକା ପ୍ରସ୍ତୁତ ହେଲା ଭଳି ଅଧଘଣ୍ଟାକରେ ସମସ୍ତେ ପୋଲିସ ଜାଲରେ ଧରାପଡ଼ିଗଲେ ।

 

ଗଙ୍ଗାପ୍ରସାଦକୁ କା’ଲି ଭଳି ଲାଗୁଛି । ନୂଆ କରି ଯେତେବେଳେ ସେ ଚାକିରିରେ ଜଏନ୍ କଲା କେତେ ଉତ୍ସାହ ନେଇ ସେ ଟ୍ରେଡ଼ ୟୁନିଅନ ଗଠନ ପାଇଁ ଆଗଭର ହେଉ ନ ଥିଲା ! ଶ୍ରମିକମାନଙ୍କ ଭିତରେ ସେ କି ଏକତା ! ଦିନକୁ ଦିନ ଗଳିତ କୁଷ୍ଠରେ ଆକ୍ରାନ୍ତ ରୋଗୀର ଅଙ୍ଗ-ପ୍ରତ୍ୟଙ୍ଗ ଭଳି ସେ ସହୃଦୟତା ଓ ଭ୍ରାତୃଭାବ କିମିତି ହ୍ରାସ ପାଇଲା କେହି ଜାଣିପାରିଲେ ନାହିଁ । ସମସ୍ତେ ଜାଣିଶୁଣି ଅଜଣା ହେଲେ । ଗୋଟିଏ ଅନୁଷ୍ଠାନରୁ ଛଅଟି ହେଲା । ଗୋଟାଏ ଗୋଟାଏ ଡିପାର୍ଟମେଣ୍ଟରେ ଦୁଇ ଦୁଇଟା ସଙ୍ଗଠନ । ବିଭିନ୍ନ ରାଜନୈତିକ ଦଳର ନେତାମାନେ କିମିତି ଆସି ଶ୍ରମିକ କଲ୍ୟାଣ, ନାଆଁରେ ସୁନାଘର ଭାଙ୍ଗି ଚୂନା କଲେ, ରକ୍ତରେ ବାଡ଼ ଦେଲେ, ନିରୀହ ଅଶିକ୍ଷିତ ଶ୍ରମିକମାନେ ତା’ ଆଦୌ ବୁଝିପାରିଲେ ନାହିଁ ।

 

ରଜ୍ୟରେ ଥରେ ସରକାର ବଦଳିବା ମାନେ ହିଁ ଟ୍ରେଡ଼ ୟୁନିଅନରେ ନିଶ୍ଚିତ ଗୋଟାଏ ହଲଚଲ ହେବ । କେତେଥର ଏ ଭିତରେ ନିର୍ବାଚନ ହେଲାଣି ତା’ ଗଙ୍ଗାପ୍ରସାଦର ଆଉ ମନେ ନାହିଁ; କିନ୍ତୁ ତାଙ୍କ ମୂଳ ଅନୁଷ୍ଠାନରୁ ଛଅଟି ଶାଖା ପ୍ରଶାଖା ମେଲିଯାଇଛି ଓ ଶ୍ରମିକନେତାମାନଙ୍କ ଭିତରେ ଶ୍ରମଜୀବୀ ହୋଇ ଆଉ କେହି ରହିନାହାନ୍ତି । ସମସ୍ତେ ବିଭିନ୍ନ ରାଜନୈତିକ ଦଳର ଚେଲାଚାମଣ୍ଡା । ଶେଷକୁ ଅବସ୍ଥା ଏପରି ଆକାର ଧାରଣ କଲା, ସଙ୍ଗଠନ-ସଙ୍ଗଠନ ଭିତରେ ନା ରହିଲା ବୁଝାମଣା, ସହଯୋଗ ନା ସମର୍ଥନ ।

 

ପ୍ରତ୍ୟେକ ସଙ୍ଗଠନର ମୁଖ୍ୟ କାର୍ଯ୍ୟକଳାପ ହେଲା, ଶ୍ରମିକମାନେ ଚାନ୍ଦା ଦେଇ ସଭ୍ୟ ହେବେ, ଯେଉଁମାନଙ୍କୁ ବେଠି ବେଗାରୀଠାରୁ ଆରମ୍ଭ କରି ନିର୍ବାଚନ ପ୍ରଚାର ପର୍ଯ୍ୟନ୍ତ ଖଟିବାକୁ ହେବ ଏବଂ ସେମାନଙ୍କ ଏକତ୍ରିତ ଅର୍ଥ ଖର୍ଚ୍ଚ ହେବ ନେତାମାନଙ୍କ ନିତ୍ୟ ସତ୍କାରରେ । ବର୍ଷକେ ଗୋଟିଏ ଦୁଇଟି ଦାବି ପତ୍ର ମ୍ୟାନେଜମେଣ୍ଟକୁ ଦିଆଯିବ ଏକାଧିକ ଦଫା ସମ୍ବଳିତ, ତା’ ଗ୍ରହଣଯୋଗ୍ୟ ହେଉ ବା ନ ହେଉ, ତା’ ପଛରେ ଯୁକ୍ତିଯୁକ୍ତ କାରଣ ଥାଉ ବା ନ ଥାଉ ଏବଂ ଦାବିପତ୍ରର ଶେଷ ଭାଗରେ ଧର୍ମଘଟ ବା ହରତାଳର ସଙ୍କେତ ଥିବ । ମ୍ୟାନେଜମେଣ୍ଟ ନେତାମାନଙ୍କୁ ଆସି ଧରିବେ । ନେତାମାନେ ସଙ୍ଗଠିତ ଶ୍ରମିକମାନଙ୍କୁ ଭୟ ଦେଖାଇବେ । ଆଂଶିକ ଦାବି ମାନିନେବା ପରେ ବା ମାନିନେବାର ପ୍ରତିଶ୍ରୁତି ଦେବା ପରେ ଦାବି ପ୍ରତ୍ୟାହାର ହେବ କମରେଡ଼ମାନଙ୍କ ମର୍ଜି ଉପରେ । ସେଠାରେ ଶ୍ରମିକମାନଙ୍କର ଦଖଲ ନାହିଁ, ସେମାନଙ୍କ ମତାମତର ପ୍ରୟୋଜନ ନାହିଁ । ତା’ ଭିତରେ ଅନେକ କିଛି ରହିଯିବ, ବିଚରା ଶ୍ରମିକର ବୁଝିବାର ଅବକାଶ ନାହିଁ ସେ କ’ଣ ପାଇଁ ଧର୍ମଘଟ କରୁଥିଲା ଓ ସେଥିରୁ ତାକୁ କ’ଣ ମିଳିଲା ।

 

ଅବଶ୍ୟ ଏ ସବୁର ରହସ୍ୟ ବିନ୍ଧେଶ୍ଵରୀ ପଦାରେ ପକାଇଲା । ତା’ ଆବିର୍ଭାବ ହେବା ଫଳରେ ଶ୍ରମିକମାନେ ନିଜର ଭାଗ୍ୟୋଦୟ ହୋଇଥିବା କଥା ଧରି ନେଇଥିଲେ । ତେଣୁ ପ୍ରତ୍ୟେକ ସଙ୍ଗଠନରୁ କିଛି କିଛି ଅସନ୍ତୁଷ୍ଟ ସଭ୍ୟଙ୍କୁ ନେଇ ନିଜର ଚମତ୍କାରିତା ଦେଖାଇଲା ବିପ୍ଳବୀ ସଙ୍ଗଠନର ସ୍ଥାପନା କରି ।

 

ଗଙ୍ଗାପ୍ରସାଦ ବେନ୍ଧେଶ୍ୱରୀର ଶ୍ରମିକ ସ୍ଵାର୍ଥରକ୍ଷା ନିମନ୍ତେ ଆବିଷ୍କୃତ ନୂଆ ଥିଓରୀ କଥା ଭାବୁଥିଲା । ଜେଲରୁ ମୁକୁଳିବା ପରେ ସେ କିମିତି ‘ଦୁନିଆର ଶ୍ରମିକ ଏକ ହୁଅ’ ଡାକରା ଦେଇଥିଲା । ସହବନ୍ଦୀମାନଙ୍କ ସଂସ୍ପର୍ଶରେ ଆସି ତା’ ହୃଦୟ ପରିବର୍ତ୍ତନ ହୋଇଥିବା କଥା ଘୋଷଣା କରିଥିଲା । ବିନ୍ଧେଶ୍ଵରୀ ଯଦିଓ ରାଜବନ୍ଦୀ ନ ଥିଲା ତଥାପି କାରାବାସ କାଳରେ କେତେକ ବିଶିଷ୍ଟ ନେତାଙ୍କୁ ଜେଲରେ ଭେଟିବାର ସୌଭାଗ୍ୟ ଓ ସେମାନଙ୍କ ଆଶୀର୍ବାଦ ଲାଭ ତାଙ୍କୁ ପ୍ରେରଣା ଯୋଗାଇଥିଲା । ତେଣୁ ସେ ଶ୍ରମିକମାନଙ୍କ ସେବାରେ ନିଜକୁ ନିୟୋଜିତ କରିବାର ପ୍ରତିଜ୍ଞା ସମସ୍ତେ ବିଶ୍ଵାସକୁ ଆଣିଥିଲେ ।

 

ମିଲ୍‌ର ଚାରିହଜାର ବିଭିନ୍ନ ସ୍ତରର ଶ୍ରମିକମାନଙ୍କ ଭିତରୁ କେଉଁ ୟୁନିଅନର ସଭ୍ୟ ସଂଖ୍ୟା ବେଶୀ ତା’ର ଏପର୍ଯ୍ୟନ୍ତ ସଠିକ୍‍ ହିସାବ କାହା ପାଖରେ ନାହିଁ । ଯେଉଁ ଦଳ ସରକାରକୁ ଯେତେବେଳେ ଆସିଲେ ଏ ମୁଲକଟା ତାଙ୍କର । ପ୍ରଲୋଭନ, ଧମକ-ଚମକ, ମାରଧର କରି ନିଜର ମେମ୍ବର ସଂଖ୍ୟା ବଢ଼ାଇ ଯେମିତି ହେଲେ ସେମାନେ ଆଗୁଆ ହେବେ । ମିଲ୍ ମାଲିକମାନଙ୍କ ମେଜ ସାମନାରେ ବସି ଲେକ୍‌ଚର ଦେବେ । ଶ୍ରମିକ ସ୍ଵାର୍ଥର ବଳିବେଦୀ ଉପରେ ସେମାନଙ୍କର ନୂଆ ରାଜାଭିଷେକ ହେବ ।

 

ଗଙ୍ଗାପ୍ରସାଦ ଅନେକ ସହିଛି । ଶ୍ରମିକମାନଙ୍କ ନେତୃତ୍ଵ ଦେବାକୁ ଆଗେଇ ଆସୁଥିବା ନେତାମାନଙ୍କର ନାଲି ଆଖି ଅନେକ ଦେଖିଛି । ଗତ ଦି’ବର୍ଷ ତଳେ ଯେତେବେଳେ ଦକ୍ଷିଣାବର୍ତ୍ତମାନେ ପ୍ରତାପ୍ରୀ ହୋଇଉଠିଲେ କେତେ ଅତ୍ୟାଚାର ସେମାନେ ନ କରିଛନ୍ତି । ବିଚରା ନିର୍ଦ୍ଦୋଷ ଶ୍ୟାମଲାଲକୁ ଦିନ ଦି’ପହରେ ଦି’ଗଡ଼ କରି କାଟି ଦେଲେ । କୋଉ ମହାପୁରୁଷଙ୍କ ଆଦର୍ଶ ବା ତା’ ପଛରେ ଥିଲା ! ମିଲ୍ ବସିବା ଦିନଠୁଁ କେତେ ଶ୍ରମିକ ଏମିତି ଶହୀଦ ହୋଇଛନ୍ତି ତା’ ଟ୍ରେଡ଼ୟୁନିଅନ ଇତିହାସରେ ଲେଖା ହୋଇନି । କେତେ ନିଜ ନିଜ ଭିତରେ ଲଢ଼ି ମରିଛନ୍ତି ତା’ର ମଧ୍ୟ ତାଲିକା ପ୍ରସ୍ତୁତ ହୋଇ ନାହିଁ । ସେମିତି କେତେ ଦୁର୍ଘଟଣା, ଅପମୃତ୍ୟୁ । ଡିରେକ୍ଟର ବୋର୍ଡ଼ ମିଟିଙ୍ଗ ପରେ ଖବରକାଗଜରେ କେତେ ବଡ଼ାଣିଆ କଥା ସବୁ ନ ବାହାରେ । ହେଲେ ନିରୀହ ଶ୍ରମିକମାନଙ୍କର ଯେଉଁ ଅବଦାନ ରହିଛି ତା’ର ମୁଲ୍ୟାୟନ କେହି କେବେ କ’ଣ କରିଛି । ଯେମିତି ଦେଶକୁ ସେମିତି ଶାସକ । ଶାସକଙ୍କ ସଂରକ୍ଷଣରେ ଥିବା ଶିଳ୍ପପତିଙ୍କ ମନଲାଖି ସେମିତିକା ଶ୍ରମିକ ନେତା ।

 

ଯାହା ତ ଥିଲା, ଆଗରୁ ଥିଲା । କିନ୍ତୁ ବିନ୍ଧେଶ୍ଵରୀ ଆସି ସମସ୍ତଙ୍କୁ ଟପିଗଲା । ତା’ର କଥା କଥାରେ ଯାଦୁ । ଦିନ କେତେଟାରେ ସେ ଶ୍ରମିକମାନଙ୍କ ମନ ଜିଣିନେଲା । ମାର୍କଣ୍ଡ, ଅନିରୁଦ୍ଧ, ନିଶାକର, ପ୍ରବୀର ପ୍ରଭୃତି ସମସ୍ତେ ସର୍ବହରାର ନେତା ହୋଇ ଆସି ଲକ୍ଷପତି ହୋଇଛନ୍ତି-। ମିଲ୍ ମାଲିକମାନଙ୍କ ଶୋଷଣ ମୁହଁରୁ ରକ୍ଷା କରିବା ପ୍ରଲୋଭନ ଦେଖାଇ ନିଜେ ବଡ଼ ହୋଇଛନ୍ତି-। ଶ୍ରମିକମାନଙ୍କ ନ୍ୟାୟୋଚିତ ପ୍ରାପ୍ୟରୁ ବଡ଼ ଭାଗ ନେଇ ନିଜେ, ନିଜର ଦଳକୁ ବଡ଼ କରିଛନ୍ତି । ସ୍ତନ୍ୟପାୟୀ ଶିଶୁକୁ ଚତୁରୀ ଧାଈ ଚୁଚୁମା ଧରାଇ ଦେଲା ଭଳି ଶ୍ରମିକମାନଙ୍କର ଟାକୁଆ ଚାଟିବା ସାର୍ ହୋଇ ଆସିଛି । ଏଇ ସବୁ ଅସନ୍ତୋଷର ସୁଯୋଗ ନେଲା ବିନ୍ଧେଶ୍ଵରୀ । ବିନ୍ଧେଶ୍ଵରୀ ସର୍ବୋଚ୍ଚ ମହଲରେ ହାତ ଥିବା କଥା ସେ ପ୍ରମାଣ କରେଇଦେଲା । ସେ ଶକ୍ତିଶାଳୀ । ତେଣୁ ବିଭିନ୍ନ ସଙ୍ଗଠନର, କର୍ମକର୍ତ୍ତାମାନେ ତା’ ସମନ୍ଵୟ କମିଟି ଗଠନର ପ୍ରସ୍ତାବ ମାନିନେଲେ ।

 

ଗଙ୍ଗ।ପ୍ରସାଦ ମୂଳ ଅନୁଷ୍ଠାନର ପୁରୁଖା ଲୋକ । ସମସ୍ତେ ଏପଟ ସେପଟ ହୋଇଛନ୍ତି; କିନ୍ତୁ ସେ ଅଚଳ ଅଟଳ । ମିଲର ସବୁ ସ୍ତରରେ ତା’ର ସୁଖ୍ୟତି । ଲେଖା ପଢ଼ା ବେଶୀ ଜାଣିନି ସତ, କିନ୍ତୁ ମିଲର ପ୍ରତିଟି କଳକବ୍‌ଜା ସହିତ ତା’ର ବେଶ୍‍ ପରିଚୟ । ଫୋର୍‌ମ୍ୟାନ, ଇଞ୍ଜିନିୟରମାନେ ଯେଉଁଠି ହାରନ୍ତି ସେଇଠି ଗଙ୍ଗାପ୍ରସାଦର ଜିତାପଟ । ମ୍ୟାନେଜମେଣ୍ଟର ପ୍ରତି ହାକିମଠାରୁ ଆରମ୍ଭ କରି ସବୁ ସ୍ତରର ଶ୍ରମିକ ଗଙ୍ଗାପ୍ରସାଦକୁ ଶ୍ରଦ୍ଧା କରନ୍ତି, ସମ୍ମାନ ଦେଖାନ୍ତି, କଥା ଅକଥାରେ ହାତ ବଢ଼େଇ ଦିଅନ୍ତି । ଦିନେ କଥା ପ୍ରସଙ୍ଗରେ ରାଠୋର ସାହେବ କହି ଦେଇଥିଲେ, ‘‘ଗଙ୍ଗା ମିସ୍ତ୍ରୀ ! ତୁ ହେଇଛୁ ଶ୍ରମିକମାନଙ୍କର ପ୍ରକୃତ ନେତା ।”

 

ଗଙ୍ଗା ମିସ୍ତ୍ରୀ କିନ୍ତୁ ନେତା ହୋଇପାରିଲା ନାହିଁ । ସାମାନ୍ୟ ପାର୍ଟିମେମ୍ବର ପର୍ଯ୍ୟନ୍ତ କେବଳ ଯାଇପାରିଲା । ସେ ତ ଇଂରାଜୀ ପଢ଼ିନି କି ଆଇନକାନୁନ ଜଗି କଥା କହି ଜାଣିନି, ନେତା ହୋଇଥାନ୍ତା କିପରି ? ତା’ର ପରିଚୟ ନେତାମାନଙ୍କ ଚାମଚା ହେବାରେ କେବଳ ସୀମାବଦ୍ଧ ରହିଗଲା । ଗଙ୍ଗାପ୍ରସାଦ ମନରେ ଆଜି ଅକଳନ କ୍ଷୋଭ ! ସବୁ ଫନ୍ଦିଫିକର ଜାଣିବା ପରେ ସେ ପୁନଶ୍ଚ ଅଜଣା ରହିଗଲା । ବିନ୍ଧେଶ୍ଵରୀ ଯେଉଁଦିନ ମିଲ ଫାଟକ ସାମନାରେ କେତେଜଣ ଅସନ୍ତୁଷ୍ଟ କର୍ମୀଙ୍କୁ ନେଇ ଏକତାର ଆହ୍ଵାନ ଦେଇଥିଲା ସେଦିନ ଗଙ୍ଗାମିସ୍ତ୍ରୀ ତା’ ଆଖିରୁ ବାଦ ଯାଇନଥିଲା । ଗଙ୍ଗା ଶ୍ରମିକ-ସ୍ଵାର୍ଥ ନାଁରେ ହଜାର ହଜାର କାରବାର ହୋଇଥିବାର ଦେଖିଛି । କିନ୍ତୁ ତା’ ଭାଗରେ କେବେ କିଛି ଆସିନି । ସବୁଠି ସେଇ ଗୋଟିଏ କଥା, ଜୋର ଯାହାର ମୂଲକ ତା’ର । ଗଙ୍ଗାପ୍ରସାଦ ଅସନ୍ତୋଷରେ କୁହୁଳୁଥିଲା । ତା’ ମନ କଥା ଜାଣିଲା ଭଳି ବିନ୍ଧେଶ୍ଵରୀ ଅତି ଗୋପନୀୟ ଭାବେ ସବୁ ଭିତିରି କଥା କହି ଦେଇଥିଲା । ନିଶାକର ପ୍ରବୀରଙ୍କ ଭଳି ବିନ୍ଧେଶ୍ଵରୀ ଅହଙ୍କାରୀ ନ ଥିବାରୁ ଗଙ୍ଗାପ୍ରସାଦ ଧରି ନେଇଥିଲା । ଶ୍ରମିକମାନଙ୍କ ଦୁଃଖ-ସୁଖ ବୁଝିବା ପାଇଁ ଏ ଯେମିତି ସାକ୍ଷାତ ଦେବଦୂତ !

 

ଶ୍ୟାମଲାଲର ଗୋରା ତକତକ ଶାଳୁଆ ଗଜା ଭଳି ଷୋଳବର୍ଷର ପୁଅ ରଘୁବୀର ଆସି ସାମ୍ନାରେ ଠିଆହୋଇଗଲା । ଶ୍ୟାମଲାଲ ଖୁନ୍ ହେବା ପରେ ଗଙ୍ଗାପ୍ରସାଦ ଜିପିଓଙ୍କୁ ଧରାଧରି କରି ତାକୁ ମିଲରେ ଭର୍ତ୍ତି କରି ଦେଇଛି । ବିରୋଧୀ ୟୁନିଅନ ଆପତ୍ତି ଉଠାଇଲେ, ହେଲେ ଗଙ୍ଗାମିସ୍ତ୍ରୀ ପାଖରେ କାହାରି ପଲିସ କାମ କଲାନି । ଗଙ୍ଗାପ୍ରସାଦ ରଘୁବୀରକୁ ଭଲ ମଣିଷଟିଏ କରି ଗଢ଼ିବାର ପ୍ରତିଜ୍ଞା ନେଇଛି। ଏଇ ଦି’ବର୍ଷ ଭିତରେ ଟୋକାଟା ବେଶ୍ ଉଠି ଆସିଲାଣି ! ଆଉ ବର୍ଷେ ଅଧେ ଖାଲି ଜଗି ଦେଲେ ଗଲା !

 

ରଘୁବୀର ଅନ୍ଧାର ଭିତରେ ପରିଷ୍କାର ବାରି ହୋଇଯାଉଛି । କ’ଣ ଗୋଟାଏ କହିବ କହିବ ହୋଇ ଯେମିତି ରହିଯାଉଛି । ଟିକିଏ ସାହସ ସଞ୍ଚୟ କରି ରଘୁବୀର ଡାକିଲା; ‘କାକା । ଯନ୍ତ୍ରଣା ଟିକିଏ କମିଲାଣି ତ !’ ଗଙ୍ଗାପ୍ରସାଦ ଅପେକ୍ଷାକୃତ ଗଢ଼ାଗଳାରେ ଜବାବ ଦେଲା ‘କୋଉ ଯନ୍ତ୍ରଣା କଥା କହୁଛୁ ?’ ରଘୁବୀର ଜାଣିପାରିଲା କାକା ଏପର୍ଯ୍ୟନ୍ତ ପୂରାପୂରି ଥଣ୍ଡା ହୋଇନି । ହାତର ଏ ସାମାନ୍ୟ ଆଘାତ ଗଙ୍ଗାପ୍ରସାଦ ପାଇଁ କିଛି ନୁହେଁ । ତା’ର ଅସଲ ଯନ୍ତ୍ରଣା କେଉଁଠି ତା’ ରଘୁବୀର ଜାଣେ । ତେଣୁ ସେ ଟିକିଟି ଗେହ୍ଲେଇ ହେଲା ଭଳି କହିଲା, ‘‘କାକା ! ଘରକୁ ଆସ, ରାତି ଅନେକ ହେଲାଣି । ପାଣିପଟି ବଦଳେଇ କିଛି ଖାଇନିଅ ।” ରଘୁବୀର କଥାରେ ଭୀଷଣ ରାଗିଯାଇ ଗଙ୍ଗାପ୍ରସାଦ କହିଲା, ‘ରଘୁବୀର ! ତୁ ଏପର୍ଯ୍ୟନ୍ତ ତୋ କାକାକୁ ଚିହ୍ନି ପାରିଲୁ ନାହିଁ । ସେ ଭାଙ୍ଗିଯିବ ପଛେ ନଇଁବ ନାହିଁ । ମୁଣ୍ଡ ତା’ର କଟିଯିବ ପଛେ ସେ ମୁଣ୍ଡ ନୁଆଁଇବ ନାହିଁ । ସେ ଏ ଚକ୍ରାନ୍ତର ପ୍ରତିଶୋଧ ନେବ ।” କାଠପେଟି ଉପରେ ଭରା ଦେଇଥିବା ଜଖମ ହାତଟିକୁ ଅନେକ କଷ୍ଟରେ ଉଠାଇ ଆଣି ସେ ରଘୁବୀରକୁ ଅତି ଦୃଢ଼କଣ୍ଠରେ କହିଲା, ‘‘ଆଜି ଯାହା ସବୁ ଘଟିଗଲା ତା’ର ଅସଲ ରହସ୍ୟ ତୁ କିଛି ବୁଝିପାରିଛୁ ! ଏମାନେ ସମସ୍ତେ ସଇତାନ । ଟ୍ରେଡ଼ ୟୁନିୟନ, ଶ୍ରମିକ କଲ୍ୟାଣ ନାଁରେ ଗୋଟାଏ ନିରୀହ ଶ୍ରେଣୀର ଲୋକଙ୍କୁ ଯୁଗ ଯୁଗ ଧରି ଠକି ଆସୁଛନ୍ତି । ସବୁଠାରୁ ବଡ଼ ନିମକହାରାମ ବେଇମାନ ହେଲା ଏ ଶଳା ବିନ୍ଧେଶ୍ଵରୀ । ମୋ ହାତରେ ଆଜି ଲାଠି ପଡ଼ିଛି । ମୁଁ ତା’ ହାତକାଟି ନେବି । ଏମାନେ ମୋ ନିଜ ରୂପ ଦେଖି ନାହାନ୍ତି !” କ୍ରୋଧରେ ଗଙ୍ଗାପ୍ରସାଦର କଣ୍ଠ ରୁଦ୍ଧ ହୋଇଆସୁଥିଲା, ସେ ଟିକିଏ ରହିଯାଇ କହିଲା, ‘‘ରଘୁବୀର ! ଏ ଜାତିଟା ହେଲା ଏଇଆ । ମୁଁ ଅନେକ ସହିଲିଣି ରଘୁବୀର ! ଏଥର ତାଙ୍କୁ ମୋ ଅସଲ ରୂପ ଦେଖାଇବି । ମୁଁ ୟାର ପ୍ରତିଶୋଧ କଡ଼ାକ୍ରାନ୍ତି କରି ନିଶ୍ଚୟ ନେବି, ନେବି ।”

 

ରଘୁବୀର ଗଙ୍ଗାପ୍ରସାଦକୁ ଶାନ୍ତ କରିବାକୁ ଚେଷ୍ଟା କଲା । କହିଲା, ‘କାକା ! ମୁଁ ସବୁ ଜାଣେ । ତମେ ବିନ୍ଧେଶ୍ଵରୀ କଥାରେ ଭାସିଗଲ ସିନା; କିନ୍ତୁ ଲୋକଟା ପ୍ରତି ମୋର ମୂଳରୁ ସନ୍ଦେହ ଥିଲା । ସବୁ ନାଟର ଗୋବର୍ଦ୍ଧନ ହେଉଛି ସେଇ ବିନ୍ଧେଶ୍ଵରୀ । ତା’ର ସରକାରଙ୍କ ଉପର ମହଲରେ ହାତ ଥିବା କଥା ମାଲିକମାନେ ଜାଣିବାଟା ତା’ ପାଇଁ ଅପୂର୍ବ ସୁଯୋଗ ଆଣିଦେଲା । ଏଣେ ମାଲିକମାନଙ୍କ ସହିତ ଯେମିତ ବୁଝାପଢ଼ା କଲା, ତେଣେ ସରକାରଙ୍କ ଜ୍ଞାତସାରରେ ସବୁ ଯୋଜନା ତିଆରି କରି ନେଲା । ଶ୍ରମିକମାନେ ଯିମିତି ଜାଣିଲେ ବିନ୍ଧେଶ୍ଵରୀ ତାଙ୍କ ସ୍ଵାର୍ଥ ପାଇଁ ସଂଗ୍ରାମ କରୁଛି, ମିଲ ମାଲିକ ଏ ଲୋକ ଦେଖାଣିଆ ଧମକଚମକରେ ବ୍ୟତିବ୍ୟସ୍ତ ନ ହେବା ପାଇଁ ସିମିତ ଆଶ୍ୱାସନା ମଧ୍ୟ ଦିଆଗଲା । ଆଉ ସମସ୍ତେ ବୋକା ବନି ତାଙ୍କରି କଥାରେ ନିଆଁକୁ ଡେଇଁପଡ଼ିଲେ ।”

 

ଗଙ୍ଗାପ୍ରସାଦ କଥା ମଝିରେ ବାଧା ଦେଇ କହିଲା, “କ’ଣ ହୋଇଯିବ ? ସେଇ ଗୋଟାଏ ବଡ଼ ଅସ୍ତ୍ର ତାଲାବନ୍ଦ । ତା’ପରେ ଆଖିବୁଜା ଛଟେଇ ।”

 

ରଘୁବୀର କହିଲା, ‘‘ନାଇଁ କାକା । ଖାଲି ସେତିକି ନୁହେଁ । ମିଲ ମାଲିକ, ପୋଲିସ, କମରେଡ଼ ସମସ୍ତେ ଧୋଇଧାଇ ହୋଇ ବସିଗଲେ । ତମେ ଶ୍ରମିକଗୋଷ୍ଠୀ ଲୋକଚକ୍ଷୁରେ କେତେ ଛୋଟ ହୋଇଗଲ ବୁଝିପାରୁଛ ?” ଗଙ୍ଗା ମିସ୍ତ୍ରୀ କହିଲା, ‘‘ଲୋକମାନେ ଏତେ ବୋକା ଆଉ ନୁହନ୍ତି ଯେ, ନେତାମାନଙ୍କ ଅପପ୍ରଚାରରେ ଭାସିଯିବେ ।” ରଘୁବୀର ଏଥର ବ୍ୟଙ୍ଗ କଲା ଭଳି କହିଲା, ବିନ୍ଧେଶ୍ଵରୀ ତୁମକୁ ଅଠରଦଫା ସମ୍ବଳିତ ଦାବିପତ୍ର ଦେଖେଇଦେଲା, ତମେ ସବୁ ତା’ ପଛରେ ପାଗଳ ସାଜି, ଗୋଠଛଡ଼ା ହୋଇ “ଦିଲ୍ଲୀକା ଲଡ଼ୁ” ଆଶାରେ ଧାଇଁ ଧାଇଁ ଏବେ ପରିସ୍ଥିତି କ’ଣ ହେଲା ଦେଖିଲ ? ସାରା ଦେଶବାସୀ ଯେତେବେଳେ ରାଜନୀତିହାଓ୍ୱାରେ ଭାସିଯାଉଛନ୍ତି; ଛାତ୍ର, ଶ୍ରମିକ ସଂଘର୍ଷକୁ କିମିତି ଗ୍ରହଣ କରିବେ ବୁଝିପାରୁଛଟିକି ? କାଲିକି ଦେଖିବ ରାଜ୍ୟବ୍ୟାପୀ ଛାତ୍ରଆନ୍ଦୋଳନର ସୂତ୍ରପାତ ହୋଇଯିବ । ଲୋକେ ତମମାନଙ୍କ ଉପରେ ଦୋଷ ଲଦିଦେବେ । ଛାତ୍ରମାନଙ୍କ ଭଳି ତମେ କ’ଣ ସମସ୍ତଙ୍କର ସହାନୁଭୂତି ଲାଭ କରିପାରିବ ?”

 

ଗଙ୍ଗାପ୍ରସାଦ ଟିକିଏ ଉତ୍ତ୍ୟକ୍ତ ହେଲାଭଳି କହିଲା, ଲୋକମାନେ ଠିକ୍ ବୁଝିବେ; ଶ୍ରମିକମାନଙ୍କର କିଛି ଦୋଷ ନାହିଁ, ବରଂ ଛାତ୍ରମାନେ ଉପରେ ପଡ଼ି ଝଗଡ଼ା କଲେ ।”

 

ରଘୁବୀର ପରିସ୍ଥିତିକୁ ସାମାନ୍ୟ କରିବା ପାଇଁ କହିଲା; ‘କାକା ! ମୁଁ ସବୁ ବୁଝୁଛି । ଭୁଲ ଛାତ୍ରମାନଙ୍କର ନା ଶ୍ରମିକଙ୍କର । ସରକାର ଛାତ୍ରମାନଙ୍କୁ ପାରୁ ନଥିଲେ, ମିଲମାଳିକମାନେ ଶ୍ରମିକ ଆନ୍ଦୋଳନ ନେଇ ଚିନ୍ତିତ ଥିଲେ । ସରକାର ମିଳମାଲିକ ସଲାସୁତୁରା ହୋଇଗଲେ; ଛାତ୍ରନେତା ଶ୍ରମିକନେତା ନିଜ ନିଜର ଉତ୍ତମ ବୁଝାମଣା ଭିତରେ ପ୍ରୋଗ୍ରାମ କରିନେଲେ; ସନ୍ଧ୍ୟାବେଳେ ମିଲ ଫାଟକ ନିକଟରେ ଶ୍ରମିକ ସମାବେଶ ହେବ; ଠିକ୍ ସେହି ରାସ୍ତା ଦେଇ ଅପରାହ୍‌ଣ ଅତିକ୍ରାନ୍ତ ହେବାପରେ ଛାତ୍ରଶୋଭାଯାତ୍ରା ସହର ପରିକ୍ରମା କରିବ–ଶ୍ରମିକମାନଙ୍କ ଭିତରେ ଯେପରି ନମ୍ବରୀ ଗୁଣ୍ଡା ରହିବେ; ଛାତ୍ରମାନଙ୍କ ଗହଳିରେ କିଛି ଅଣଛାତ୍ର ସାମିଲ ହେବେ; ପୋଲିସମାନଙ୍କୁ ଆଗରୁ ସତର୍କ କରାଇ ଦିଆଗଲା; ତା’ପରେ ଯାହା ହେଲା ତା’ ଅଙ୍ଗେ ନିଭେଇଲ ।”

 

ରାଘୁବୀର ଜଣେ ପୋଖତ ତାତ୍ତ୍ଵିକ ଭଳି କହିଚାଲିଥିଲା ଗଙ୍ଗାପ୍ରସାଦକୁ ଆଶ୍ଚର୍ଯ୍ୟ ଚକିତ କରି । ଗଙ୍ଗାପ୍ରସାଦ ତା’ଠାରୁ ଆଜି ପ୍ରଥମ କରି ଏତେଗୁଡ଼ାଏ କଥା ଶୁଣୁଛି । ଅତି ନିର୍ଭୀକଭାବେ ରଘୁବୀର କହୁଥିଲା ଶ୍ୟାମଲାଲର ସମସ୍ତ ଦାମ୍ଭିକତା ନେଇ । ଗଙ୍ଗାପ୍ରସାଦ ବୁଝିପାରିଲା ରଘୁବୀର ଠିକ୍ ଲାଇନ ଧରି ସାରିଛି । ଏଥର ଆଉ କୌଣସି ପ୍ରତିବନ୍ଧକ ତା’ ପଥରୁଦ୍ଧ କରିପାରିବ ନାହିଁ । ଦୁନିଆର ରହସ୍ୟ ଭେଦକରିବାର ଶକ୍ତି ତା’ର ଆସିଲାଣି । ତଳେ ଉପରେ ଯେତେସବୁ ଜାଲ ଫିସାଦି ରହିଛି ତା’ର ଛିଦ୍ର ଖୋଜି ବାହାର କରିବାରେ ତାକୁ ଆଉ ଅସୁବିଧା ହେବନି । ସେ ତା’ ବାପର ହତ୍ୟାକାରୀମାନଙ୍କୁ ବି ଜାଣେ । ଖାଲି ପଛରୁ ଟିକିଏ ଇସାରା ଦେଲେ… ।

 

ଗଙ୍ଗାପ୍ରସାଦର ଭାବାବେଶ ଦେଖି ରଘୁବୀର କହିଲା, ‘‘କାକା ! ବିପଦ ଏଥର କଟିଗଲାଣି, ଚାଲ କିଛି ଖାଇବ ।” ଗଙ୍ଗାପ୍ରସାଦର ହାଡ଼ ଭିତରେ ନିଆଁ ଜଳୁଥିଲା । ସେ ରଘୁବୀରକୁ ସେଭଳି ଭାବେ ଚାହିଁଲା, ଅନ୍ୟ ଦିନ ହୋଇଥିଲେ ସେ ହଡ଼ବଡ଼େଇ ଯାଇଥାନ୍ତା । କିନ୍ତୁ ସେ ଗଙ୍ଗାପ୍ରସାଦର ଉଗ୍ରମୂର୍ତ୍ତି ଦେଖି ପାରୁ ନ ଥିବାରୁ ପୁନଶ୍ଚ କହିଲା, “କାକା । ତମେ ଭାବୁଛ ଅନଶନ କିମିତି ଭାଙ୍ଗିବ ! ଅନଶନକାରୀଙ୍କୁ ପୋଲିସ ଲାଠି ମାରି ଘଉଡ଼େଇ ଦେଲେ । ଆଉ ଏବେ କ’ଣ ରହିଗଲା ଯେ ? ଆମ ଦେଶରେ ସତ୍ୟାଗ୍ରହ ଅନଶନକୁ ତ ଏମିତି ସମ୍ମାନ ଦିଆଯାଉଛି ଆଉ କହିବା କାହାକୁ–ଏଗୁଡ଼ାକ ସବୁ ସେମାନଙ୍କୁ ଶୋଭାପାଏ, ଯେଉଁମାନେ ମଣିଷ ରକ୍ତରେ ହୋରି ଖେଳି ଜାଣନ୍ତି, କୋଟି କୋଟି ଲୋକଙ୍କର ଜୀବନକୁ ବାଜି ଲଗାଇ ଦିଅନ୍ତି ! ତମେ ସେ ସତ୍ୟାଗ୍ରହ କଥା ଛାଡ଼ ତ !”

 

ଗଙ୍ଗାପ୍ରସାଦ ଅନ୍ଧାର ଭିତରେ ରଘୁବୀରକୁ ସ୍ପଷ୍ଟ ଦେଖିପାରୁଥିଲା–ପିତୃ ସତ୍ୟ ପାଳନ କରିବାକୁ ସ୍ଵୟଂ ପର୍ଶୁରାମ ଯେପରି ତା’ ସମ୍ମୁଖରେ ଉଭା ହୋଇଛି । ଏକ ସମ୍ପୂର୍ଣ୍ଣ ସମର୍ଥ ପୁରୁଷ । ଗଙ୍ଗା ମିସ୍ତ୍ରୀକୁ ପୋଲିସ ଲାଞ୍ଛନା, ନିର୍ଯ୍ୟାତନା ଓ ଅପବାଦ, ଅପମାନ ଆଉ ଭୟଭୀତ କରି ପାରୁ ନଥିଲା । ସେ ଅତି ଆଶାନ୍ୱିତ ହୋଇ ରଘୁବୀରକୁ ଅନ୍ଧାର ଭିତରେ ଏକ ନୂଆ ରୂପରେ ଆବିଷ୍କାର କରିବାକୁ ଉପକ୍ରମ କରୁଥିଲା ।

 

ରଘୁବୀର ପୁନରାୟ ଅତି ବିନୟଭାବେ କହିଲା, ‘‘କାକା ! ମୁଁ କହୁନି, ତମେ ଏ ପରିସ୍ଥିତି ସହ ସାଲିସ କରିନିଅ । କିନ୍ତୁ ତମର ଅଭିମାନ ଆଉ କୌଣସି କାମରେ ଆସିବ ନାହଁ, ଏପରିକି ଆତ୍ମାହୁତି ପର୍ଯ୍ୟନ୍ତ । ତେବେ ଆମକୁ ବିକଳ୍ପ ବ୍ୟବସ୍ଥା ନେଇ ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିବ । ନୂଆ ପରସ୍ଥିତି ସୃଷ୍ଟି କରିବାକୁ ହେବ । ପରସ୍ଥିତି ନିକଟରେ ଆତ୍ମସର୍ପଣ କରିବା ଭଳି ଭୀରୁତା ମୁଁ ବି ପସନ୍ଦ କରେନା କାକା ! ତମେ ଅନଶନ ଭାଙ୍ଗି କିଛିଟା ଖାଇନିଅ, ରାତିପାହିଲେ ଯାହା କରିବା କଥା ମୁଁ କରିବି ।”

 

ଗଙ୍ଗାପ୍ରସାଦର ସମ୍ମତିକୁ ଅପେକ୍ଷା ନ କରି ରଘୁବୀର ତାକୁ ଜୋର କରି ଉଠାଇ ଆଣିଲା । ଗଙ୍ଗାପ୍ରସାଦର ପାଦ ତଳେ ଲାଗୁ ନ ଥାଏ । ତାକୁ ଦୁଇହାତରେ ଧରି ଏକ ପରାକ୍ରମଶାଳୀ ଯୋଦ୍ଧାଭଳି ରଘୁବୀର ସିଡ଼ି ଦେଇ ଓହ୍ଲାଇ ଆଶୁଥିଲା । ଗଙ୍ଗାପ୍ରସାଦ ଶୁଣିପାରୁଥିଲା, ରଘୁବୀର କହୁଛି; କାକା ! ଏ ବିଷ ବୃକ୍ଷମାନଙ୍କର ମୁଳୋତ୍ପାଟନ କରିବା ପାଇଁ ଆମକୁ ବଞ୍ଚି ରହିବାକୁ ପଡ଼ିବ । ଛାତ୍ର-ଶ୍ରମିକ ସଙ୍ଗଠନ ଏମାନଙ୍କ ହାତରୁ ଛଡ଼ାଇ ନେଇ ଆମ ସମାଜର ପୁନର୍ବିନ୍ୟାସ କରିବାକୁ ହେବ । ନେତା ବିହୀନ ଟ୍ରେଡ଼ ୟୁନିଅନ ଓ ଛାତ୍ର ସଂଗଠନ ସୂତ୍ରପାତ ଆମେ କରିବା କାକା, ଆମେ ।

 

ଗଙ୍ଗାପ୍ରସାଦ କିଛି କହିପାରୁ ନଥିଲା । ତା’ ହୃଦୟରେ ଆନନ୍ଦ-ବିଷାଦର ଏକ ମିଶ୍ରଭାଗ ଗାଢ଼ ହୋଇ ଆସୁଥିଲା । ସେ ମନେ ମନେ କେବଳ ଉଚ୍ଚାରଣ କରୁଥିଲା; ହଉ, ବାବା ! ତୋ’ରି କଥା ହେଉ । ତୋ’ରି ତୁଣ୍ଡ ଶ୍ରୀତୁଣ୍ଡ ହେଉ ।

Image

 

Unknown

ଶରଶଯ୍ୟା

 

ବିଗତ ଦୁଇଶତାବ୍ଦୀ ଭିତରେ ନନ୍ଦପୁର ଗଡ଼ ଅଧିବାସୀମାନଙ୍କର ମୁଖ୍ୟତଃ ଦୁଇଟି ଆଲୋଚ୍ୟ ଆଶ୍ଚର୍ଯ୍ୟ ବସ୍ତୁ ଥିଲା; କିନ୍ତୁ ଚଳିତ ଶତାବ୍ଦୀରେ ନନ୍ଦପୁରଗଡ଼ ତୃତୀୟ ଓ ସର୍ବଶ୍ରେଷ୍ଠ ଆଶ୍ଚର୍ଯ୍ୟ ଭାବେ ଭାଗିରଥୀବାବୁଙ୍କୁ ଆବିଷ୍କାର କରିବା ପରେ ତା’ର ତୁଳନା ପୃଥିବୀର ସପ୍ତାଶ୍ଚର୍ଯ୍ୟ ସହିତ କରୁଛନ୍ତି ।

 

ନନ୍ଦପୁରଗଡ଼କୁ ଲାଗି ଯେଉଁ ଅବ୍ୟବହୃତ ପ୍ରକାଣ୍ଡ ଜଳାଶୟଟି ଅଠରଭାୟା ପୋଖରୀ ନାମରେ ପ୍ରସିଦ୍ଧି ଲାଭକରିଛି, ତା’ ହେଉଛି ଅଷ୍ଟାଦଶ ଶତାବ୍ଦୀର କୀର୍ତ୍ତି । ଏହି ପୋଖରୀଟିକୁ ତତ୍‌କାଳୀନ ଶାସକଙ୍କର ଅଠରଟି ମୁଖପତ୍ର ଅକ୍ଳାନ୍ତ ପରିଶ୍ରମ କରି ଖୋଳାଇଥିଲେ; କିନ୍ତୁ ପୋଖରୀଟିକୁ ଅଧିକ ଗଭୀର ଓ ଜଳପୂର୍ଣ୍ଣ କରିବାକୁ ଯାଇ ସେମାନେ ମାଟି ଖୋଳୁ ଖୋଳୁ ପାତାଳ ପର୍ଯ୍ୟନ୍ତ ଚାଲିଯାଇଥିଲେ ଓ କୋଦାଳରେ ବାସୁକୀର ଫଣା ପର୍ଯ୍ୟନ୍ତ ଆଘାତ କରିବାକୁ ଛାଡ଼ି ନ ଥିଲେ । କୋଦାଳ ମାଡ଼ରେ ବାସୁକୀ ଫଣାରୁ ଯେଉଁ ଉତ୍କଟ ବିଷ ନିର୍ଗତ ହେଲା ସେଥିରେ କେବଳ ଅଠରଭାଇଯାକ ଧ୍ଵଂସ ହୋଇଯାଇ ନଥିଲେ, ତା’ ସହିତ ସମ୍ପୂର୍ଣ୍ଣ ଜଳାଶୟଟି ବିଷରେ ଭରିଯାଇଥିଲା । ଏ ଯାବତ୍ ପଶୁ-ପକ୍ଷୀ କେହି ସେ ପୋଖରୀର ପାଖ ମାଡ଼ୁଥିବାର କେହି ଦେଖି ନଥିବେ, ମଣିଷ ତ ଦୂରର କଥା ।

 

ନନ୍ଦପୁରଗଡ଼ରେ ଊନବିଂଶ ଶତାବ୍ଦୀରେ ଆଶ୍ଚର୍ଯ୍ୟଭାବେ ଆବିର୍ଭାବ ହୁଅନ୍ତି ବାବୁଲାବୋଉ । ବାଲ୍ୟ ବିଧବା ବାବୁଲାବୋଉକୁ ଏବେ କେହି କେହି ନାଣ୍ଡିଅପା ବା ନାଣ୍ଡି ମାଉସୀ ବୋଲି ଡାକଥାଆନ୍ତି । ମାତ୍ର ଚଉଦ ବର୍ଷ ବୟସରେ ନାଣ୍ଡି ମାଉସୀ ବିଧବା ହେଲେ । ତାଙ୍କ ସମ୍ପ୍ରଦାୟରେ ବିଧବା ବିବାହ ପ୍ରଚଳନ ଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣଭାବେ ବୈଧବ୍ୟ ଧର୍ମ ପାଳନ କରିବାର ପ୍ରତିଜ୍ଞା ନେଲେ । କିନ୍ତୁ ଷୋଳବର୍ଷ ବୟସରେ ତାଙ୍କ ଉପରେ ମୋର ମା’ ବଘେଇ ଠାକୁରାଣୀଙ୍କର ଅନୁଗ୍ରହ ହେବାରୁ ନିଷ୍ଠାପୂର୍ବକ ଦେବୀ ଆରାଧନା କରି ଗୋଟିକ ପରେ ଗୋଟିଏ ହୋଇ ପାଞ୍ଚ ପୁଅ ଓ ତିନି ଝିଅର ସେ ଜନନୀ ହେଲେ । ନବେ ପଞ୍ଚାନବେ ବର୍ଷ ବୟସ୍କା ବାବୁଲା ବୋଉକୁ ଏବେ ପ୍ରଶ୍ନ କଲେ ବୁଢ଼ୀ ଅତି ସହଜଭାବେ ଉତ୍ତର ଦିଏ; ମୁଁ କିଛି ଜାଣେନାରେ ପୁଅ ! ସବୁ ସେଇ ମାଆର କରୁଣାରୁ ହୋଇଛନ୍ତି । ମୋତେ ରାତିରେ ସ୍ଵପ୍ନହୁଏ ତୋ ଗର୍ଭରେ ମୋର ସନ୍ତାନ ରହଛି ଏବଂ ଠିକ୍ ନଅମାସ ପୂରିଲା ବେଳକୁ... !

 

ଅଠରଭାୟା ପୋଖରୀ ଓ ବାବୁଲା ବୋଉର ଦୁଇଶ ବର୍ଷର ରେକର୍ଡ଼ ଭଙ୍ଗକଲେ ଭାଗିରଥୀବାବୁ । ନନ୍ଦପୁର ଗଡ଼ର ମାନଧାତା ପରିବାରକୁ ସମ୍ମାନର ସର୍ବୋଚ୍ଚ ସୀମାକୁ ନେଇ ଭାଗିରଥୀବାବୁ । ଅଞ୍ଚଳ ପ୍ରଧାନର ଖ୍ୟାତି ଅର୍ଜନ କରିଥିଲେ । ସାମାନ୍ୟ ଇଂରାଜୀ ଲେଖା ପଢ଼ା ଶିଖି ସେ ଦୁଇବର୍ଷ ତଳେ ଜଜକୋର୍ଟର ମୁଖ୍ୟ ସିରସ୍ତାଦାର ଭାବେ ସେବା ନିବୃତ୍ତ ହୋଇଥିଲେ । ନନ୍ଦପୁର ବ୍ୟତୀତ ଭୁବନେଶ୍ଵର ଓ ପୁରୀରେ ଦୁଇଟି କୋଠାଘର, କେନାଲବନ୍ଧକୁ ଲାଗି ଦି’ବାଟି ଦୋଫସଲୀ ଜମି, ବାଡ଼ିବଗିଚା ହୋଇ ଦଶଏକର, ବନ୍ଧାଛନ୍ଦା ଗହଣାଗାଣ୍ଠି ସମେତ ପ୍ରାୟ ପାଞ୍ଚଲକ୍ଷ ଟଙ୍କାର ଚଳନ୍ତି ସମ୍ପତିର ଏକତ୍ରିକରଣ ହେଲା ଭାଗିରଥୀବାବୁଙ୍କର ସ୍ଵଅର୍ଜିତ ସମ୍ପଦ । ଏହି ସମ୍ପତ୍ତି ବୃଦ୍ଧି ଅବଶ୍ୟ ଭାଗିରଥୀବାବୁଙ୍କ ସହଧର୍ମିଣୀ ରଧାରାଣୀ ଓ ତାଙ୍କ ଦୂର ସମ୍ପର୍କୀୟ ଭାଇ ମଉନୀବାବା ଓରଫ ଅଗାଧୁ ବାବାଜିଙ୍କ ଯୋଗୁଁ ସମ୍ଭବ ହୋଇଥିଲ ।

 

ଭାଗିରଥୀବାବୁଙ୍କ ବଡ଼ପୁଅ ବିବେକାନନ୍ଦ ଆଣବିକ କେନ୍ଦ୍ରରେ ସୁବିଖ୍ୟାତ ବୈଜ୍ଞାନିକ ଓ ସାନପୁଅ ଶ୍ରଦ୍ଧାନନ୍ଦ ନୌବାହିନୀର କ୍ୟାପଟନ ଭାବେ ଅବସ୍ଥାପିତ ହେବାପରେ, ତାଙ୍କର ଏକମାତ୍ର କନ୍ୟା ରାଜେଶ୍ୱରୀକୁ ଜଣେ ଖ୍ୟାତନାମା ଅର୍ଥବିତ୍‌ଙ୍କ ସହ ବିବାହ ଦେଇଥିଲେ । ଅବଶ୍ୟ ପିଲାମାନଙ୍କ ପାଠପଢ଼ା; ଚାକିରି, ବିବାହ, ବ୍ରତ, ଇତ୍ୟାଦିରେ ମଉନୀବାବାଙ୍କ ନିଃସ୍ଵାର୍ଥ ସହଯୋଗ କଥା ଭାଗିରଥୀବାବୁ ସ୍ଵୀକାର କରିଥାଆନ୍ତି । ଚାରିଧାମ ଫେରା ମଉନୀବାବାଙ୍କ ଜନ୍ମସ୍ଥାନ ହେଉଛି ନନ୍ଦପୁରଗଡ଼ ସନ୍ନିକଟ ପାଇକସାହିରେ । ତାଙ୍କର ପିଲାଦିନର ନାଁ ହେଉଛି ଅଗାଧୁ ମଲ୍ଲ । ସନ୍ନ୍ୟାସଧର୍ମ ଗ୍ରହଣରେ ସେ ନିଜକୁ ମଉନୀବାବା ନାମରେ ଉପାଧିସ୍ଥ କରିଥିଲେ ହେଁ ଲୋକେ ତାଙ୍କୁ ସାଧାରଣତଃ ଅଗାଧୁ ବାବାଜି ବୋଲି ସମ୍ବୋଧନ କରିଥାନ୍ତି । ମଉନୀବାବା ସଂସାର ତ୍ୟାଗ କରିବା ପଛରେ ଅନେକ ଗୁଜବ ଥିଲେ ହେଁ ସେ ମାନଧାତା ପରିବାର ସହିତ ନିଜକୁ ସାମିଲ କରିଦେଇ ସମସ୍ତଙ୍କ ମୁହଁରେ ତାଲା ଠୁକିଦେଲେ । ମଉନୀବାବା ମାନଧାତା ପରିବାରର ଏକରକମ ମୁରବି ଥିଲେ । ଭାଗିରଥୀବାବୁଙ୍କ ସନ୍ତୋଷଜନକ ଉପାର୍ଜନକୁ ସେ ସତ୍‌ମାର୍ଗରେ ଲଗାଇ ବିଲୁପ୍ତ ପ୍ରାୟ ମାନଧାତା ପରିବାରର ବୁନିୟାଦକୁ କାହିଁ କେତେ ଉପରକୁ ଉଠାଇ ଦେଇଥିଲେ । ତେଣୁ ପରିବାର ଭିତରେ ଭାଗିରଥୀବାବୁଙ୍କ ଅପେକ୍ଷା ବାବାଙ୍କର ଅଧିକ ଆଧିପତ୍ୟ ଥିଲା । ସବୁ ଯେମିତ ତାଙ୍କର ନିର୍ଦ୍ଦେଶରେ ଚାଲୁଥିଲା ଓ ଭାଗିରଥୀବାବୁ ଥିଲେ କେବଳ ନାମକୁମାତ୍ର ଗୃହକର୍ତ୍ତା ।

 

ସେଦିନ ପଣାସଂକ୍ରାନ୍ତି ଉପଲକ୍ଷେ ନନ୍ଦପୁର ଗଡ଼ରେ ପ୍ରସିଦ୍ଧ ଝାମୁଯାତ୍ରାର ଆୟୋଜନ ହୋଇଥିଲା । ଦୁଇବର୍ଷ ହେଲା ଭାଗିରଥୀବାବୁଙ୍କ ନେତୃତ୍ଵରେ ବଘେଇ ଠାକୁରଣୀଙ୍କ ପ୍ରାଙ୍ଗଣରେ ଖୁବ୍ ଜାକଜମକରେ ଉତ୍ସବ ପାଳିତ ହୋଇଆସୁଛି । ସେବର୍ଷ ଆଖପାଖ ପଞ୍ଚୁକୋଶୀ ଅଞ୍ଚଳର ପ୍ରାୟ କୋଡ଼ିଏ ହଜାର ଲୋକଙ୍କର ସମାଗମ ହୋଇଥାଏ । କୌଣସି ବିଶୃଙ୍ଖଳା ଯେପରି ସୃଷ୍ଟି ନ ହେବ ସେଥିପାଇଁ ପ୍ରାୟ ଶହେଜଣ ସେଚ୍ଛାସେବକଙ୍କୁ ନିଯୁକ୍ତ କରଯାଇଥିଲା । ଯଥା ସମୟରେ ଯାତ୍ରା ଉତ୍ସବର ସମାପନ ହୋଇଗଲା ।

 

ଭାଗିରଥୀବାବୁ ଖୁବ୍ କ୍ଳାନ୍ତ ହୋଇପଡ଼ିଥିଲେ ଘରକୁ ଫେରିବା ବେଳକୁ; କିନ୍ତୁ ସେ ସବୁଦିନ ଅପେକ୍ଷା ଅଧିକ ପ୍ରଫୁଲ୍ଲ ଦେଖା ଯାଉଥିଲେ । କାରଣ ଏତେ ବଡ଼ କାମଟାଏ ସେ ସୁରୁଖୁରୁରେ ନିର୍ବାହ କରି ପାରିଛନ୍ତି । ଭାଗିରଥୀବାବୁ ସଦର ଦରଜା ପାରିହୋଇ ଯେତେବେଳେ ଅନ୍ଦର ମହଲକୁ ପ୍ରବେଶ କଲେ, ସେତେବେଳେ ତାଙ୍କର ଦୃଷ୍ଟିପଡ଼ିଲା ଠାକୁର ଘର ଆଡ଼କୁ । ଗୃହ ଦେବତା ମଦନମୋହନଙ୍କ ଘର ଝୁଣା କର୍ପୂର ଧୂଆଁରେ ଭରିଯାଇଛି । ଦୁଆର ମୁହଁରେ ମଉନୀବାବା ଓ ରାଧାରାଣୀ କୌଣସି ଆଲୋଚନାରେ ଯେପରି ନିମଗ୍ନ । ରାଧାରାଣୀଙ୍କ ମୁହଁ ଶୁଖି କଳାକାଠ ପଡ଼ିଯାଇଛି, ଯେମିତି ସେ ସକାଳ ପହରୁ କାନ୍ଦୁଥିଲେ । ମଉନୀଦାବା ମଧ୍ୟ ଅନୁପାତ ଦୃଷ୍ଟିରୁ ଅଧିକ ବିମର୍ଷ ଦେଖାଯାଉଥିଲେ । ରାଧାରାଣୀ ଓ ମଉନୀବାବାଙ୍କ ଏତାଦୃଶ ଅବସ୍ଥା ଓ ଅବେଳରେ ମଦନମୋହନ ଆରତି ତାଙ୍କୁ ସଂଶୟରେ ପକାଇଲା । କାରଣଟା କ’ଣ ଜାଣିବା ପାଇଁ ସେ ଠାକୁରଘର ଆଡ଼କୁ ଚାଲ ଚାଲ ହୋଇ ଆଗେଇ ଗଲେ । ତାଙ୍କୁ ଦେଖିବାମାତ୍ରେ ରାଧାରାଣୀ ଆକାଶ ଛିଣ୍ଡି ପଡ଼ିଲା ପରି ବାହୁନି ଉଠିଲେ । ଭାଗିରଥୀବାବୁ କଥା କ’ଣ ପଚାରୁ ପଚାରୁ ରାଧାରାଣୀ ତାଙ୍କୁ କୁଣ୍ଢାଇ ପକାଇ ଉଚ୍ଚସ୍ଵରରେ କାନ୍ଦିବାକୁ ଲାଗିଲେ । ମଉନୀବାବା ମଧ୍ୟ ସୁଁ ସୁଁ ହୋଇ ଆଖିରୁ ଲୁହ ପୋଛୁଥାନ୍ତି । ପ୍ରାୟ ପନ୍ଦର ମିନିଟ ଅତିବାହିତ ହୋଇଯିବା ପରେ ବି ରାଧାରାଣୀ ଟିକିଏ ହେଲେ ଶାନ୍ତ ହେଉ ନଥିଲେ । କାଠଟାଏ ଭଳି ଭାଗିରଥୀବାବୁ ଠିଆହୋଇଥାନ୍ତି । ଭାଗିରଥୀବାବୁ ବାରମ୍ବାର ଘଟଣା କ’ଣ ଜାଣିବା ପାଇଁ ରାଧାରାଣୀଙ୍କୁ ଅସ୍ତବ୍ୟସ୍ତ କରି ପକାଉଥିଲେ ବି ସେ କିଛି ଉତ୍ତର ନ ଦେଇ ଖାଲି ରାହା ଧରି କାନ୍ଦୁଥାନ୍ତି ।

 

ଶେଷରେ ଭାଗିରଥୀ ନିରୁପାୟ ହୋଇ ଯେତେବେଳେ ମଉନୀବାବାଙ୍କୁ ଚାହିଁଲେ, ସେ ତାଙ୍କୁ ଶୋଇବା ଘରଆଡ଼କୁ ଚାଲିଆସିବା ପାଇଁ ସଂକେତ କଲେ । ରାଧାରାଣୀଙ୍କଠାରୁ ନିଜକୁ ମୁକ୍ତିକରି ଭାଗିରଥୀବାବୁ ମଉନୀବାବାଙ୍କ ପଛେ ପଛେ ବାହାରି ଆସି ବାବାଙ୍କୁ ପଚାରିଲେ କଥା କ’ଣ ? ମଉନୀବାବା କହିଲେ, ଆଜିଠାରୁ ବୃହସ୍ପତି ବୃଷରାଶିକୁ ଗମନ କରୁଅଛନ୍ତି । ଆପଣଙ୍କର ସିଂହ ରାଶି, ରାହୁ ମହାଦଶାରେ ଶନି ଅନ୍ତର । ଆଗାମୀ ବୃକ୍ଷ ତେରଦିନ ରବିଙ୍କ ଚଳନ ଫଳରେ ଆପଣଙ୍କ ରାଶିରେ ଅସମ୍ଭବ କ୍ଷତି ଘଟାଇବେ । ଏଥିରେ ଘୋର ଅମଙ୍ଗଳର ସୂଚନା ମିଳୁଛି । ଆଜି ଆପଣଙ୍କ କୋଷ୍ଠିଟା ଦେଖିବାକୁ ଯାଇ ମୁଁ ବଡ଼ ଦ୍ଵନ୍ଦ୍ୱରେ ପଡ଼ିଯାଇଛି । ଭାଗିରଥୀବାବୁ ଗଣନାରୁ ମୁଁ ଯାହା ସିଦ୍ଧକଲି, ଆସନ୍ତା ମେ ସତେଇଶ ତାରିଖ ରାତି ନଅଟା ପନ୍ଦର ମିନିଟ୍ ସମୟେ ରବିଙ୍କର ସ୍ଥାନ ପରିବର୍ତ୍ତନ ମାତ୍ରେ ଆପଣ….. ।

 

ମଉନୀବାବାଙ୍କ କଥା ଅଧା ରହିଗଲା, ଘର ଭିତରେ ପ୍ରବେଶ କଲେ ରାଧାରାଣୀ । ମଲାଗୁଣୀ ବନ୍ଧ ଭାଙ୍ଗିଲା ଭଳି କ୍ରନ୍ଦନ ଧ୍ଵନିରେ ଘରଟା ଉଛୁଳ ପଡ଼ିଲା । ମଉନୀବାବା କହୁଥାନ୍ତି–ଭାରି ମନ୍ଦ ଗ୍ରହ ଭାଗିରଥୀବାବୁ ! ଜ୍ୟୋତିଷ ଶାସ୍ତ୍ରରେ ଏ ଗ୍ରହ ଶାନ୍ତିର ମଧ୍ୟ କୌଣସି ବ୍ୟବସ୍ଥା ନାହିଁ । ଭାଗିରଥୀବାବୁ ରାଧାରାଣୀଙ୍କୁ ସାନ୍ତ୍ୱନା ଦେଉଥାନ୍ତି–ତମେ ବ୍ୟସ୍ତ ହୁଅନା । ଆମେ କଟକ ଯିବା । ଜ୍ୟୋତିଷରତ୍ନ ଦିବାକରଙ୍କ ପରାମର୍ଶ ନେବା । ଖଳଗ୍ରହକୁ ଶାନ୍ତ କରିବାର ପ୍ରତିବିଧାନ କିଛି ନା କିଛି ଥିବ । ସବୁ ରୋଗକୁ ଔଷଧ ଅଛି–ଗ୍ରହ ଶାନ୍ତିର ପ୍ରତିକାର କିମିତି ନଥିବ ! ତମେ ଏତେ ଅଧୈର୍ଯ୍ୟ ହୁଅନା । ସବୁ ଠିକ୍ ହୋଇଯିବ, କିନ୍ତୁ ରାଧାରାଣୀ କିଛି ଶୁଣୁ ନଥାନ୍ତି–ଖାଲି କାନ୍ଦୁଥାନ୍ତି ଏବଂ କାନ୍ଦୁଥାନ୍ତି ।

 

ପରଦିନ ସକାଳୁ ଅନେକ ସମୟ ପର୍ଯ୍ୟନ୍ତ ମନ୍ତ୍ରଣା-ଯନ୍ତ୍ରଣା ଚାଲିଲା । ଗାଧୁଆ ପାଧୁଆ ରନ୍ଧା ବଢ଼ାର କୌଣସି ପ୍ରଶ୍ନ ନାହିଁ । ଭାଗିରଥୀବାବୁ ରାଧାରାଣୀଙ୍କୁ ବୁଝାଉ ଥିଲେ, ତମେ କ’ଣ ଅଗାଧୁ କଥା ଜାଣନା । ପକ୍‌କା ମିଛୁଆଟାଏ । ଯେମିତିକା ବାବାଜି ସେମିତିକା ଜ୍ୟୋତିଷ ସେ । କୋଉ ବିଦ୍ୟାରେ ତା’ର କେତେ ଦଖଲ ତମେ କ’ଣ ଆଜିଯାଏ ଜାଣିପାରିଲ ନାହିଁ ? ଖାଲି ନିରୀହ ଲୋକଗୁଡ଼ାଙ୍କୁ ଠକୁଛି । ଏଥର ଆମ ମୁଣ୍ଡକୁ ହାତ ବଢ଼ାଇଛି । ତମେ ସେଗୁଡ଼ାକ କାହିଁକି ଶୁଣୁଛ । ଜୀବନ ମରଣ କଥା କିଏ କ’ଣ କେବେ କହିପାରିଛି ! ଖାଲି ବୃଥାଭ୍ରମ ।

 

ରାଧାରାଣୀ କହିଲେ, ତମେ ଅଗାଧୁ ଭାଇ କଥା ମୋତେ ଆଉ କହନା । ତମ ଅପେକ୍ଷା ମୁଁ ତାକୁ ଅଧିକ ଜାଣେ । ପିଲାଟି ଦିନରୁ ମୁଁ ତାକୁ ଦେଖି ଆସିଲି । ତାକୁ ତମେ ସାମନ୍ୟ ଭାବନା । ଯେତେ କଥା ସେ ମୋତେ କହିଛି, ତା’ର ବିଶ୍ଵାଏ ଏପାଖ ସେପାଖ ହୋଇନି । ତମେ କ’ଣ ଜାଣନା, ସେ କହିଥିଲେ ବିବେକାନନ୍ଦ ଜଣେ ବଡ଼ ବୈଜ୍ଞାନିକ ହବ, ହେଲା । ଟୁନାର ବାହାଘର ତମେ ଯେଉଁଦିନ ସାନ୍ତରାପୁରରେ ଠିକ୍ କରି ଆସିଥିଲ; ସେଦିନ ଅଗାଧୁ ଭାଇ କ’ଣ କହିଥିଲେ ତମର ମନେ ଅଛି ? ସେଠି ବାହାଘର ହେବନି । ତାଙ୍କ କଥା ସତ ହେଲା । ଦି’ଦିନ ପୂର୍ବରୁ ବାହାଘର ଭାଙ୍ଗିଗଲା । ପ୍ରଧାନ ଘର ସାନ ନାତିକୁ କହିଥିଲେ ତୋର ବନ୍ଧନ ଯୋଗ ଅଛି–ମାସକ ଭିତରେ ତାଠି ହାତକଡ଼ି ଲାଗିଲା । ସୁନ୍ଦରୀ ଝିଅର କିଛି ହେଉ ନଥିଲା–ସେ ହାତ ଦେଖି କହିଲେ ତୋର ଅବଶ୍ୟ ପୁତ୍ରସନ୍ତାନ ହେବ–ବର୍ଷେ ନ ପୁରୁଣୁ ତା’ର ଘର ଗହଳି ହେଲା । ତମେ ତାଙ୍କ କଥାକୁ ଏମିତ ଟାହି ଟାପରରେ ଉଡ଼ାଇ ଦିଅନା !

 

ଭାଗିରଥୀବାବୁଙ୍କ ସବୁ ଯୁକ୍ତି ରାଧାରାଣୀଙ୍କ ନିକଟରେ ହାର ମାନିଲା । ମଉନୀବାବାଙ୍କର ପରମଭକ୍ତ ଥିଲେ ରାଧାରାଣୀ । ତାଙ୍କ ଅଲୌକିକ ଭବଷ୍ୟତବାଣୀ ଉପରେ ତାଙ୍କର ଥିଲା ଅଖଣ୍ଡ ବିଶ୍ଵାସ । ତେଣୁ ତାଙ୍କ ମନର ଆତ୍ମବିଶ୍ଵାସ ଜନ୍ମାଇବାକୁ ସମସ୍ତ ଚେଷ୍ଟାକରି ଭାଗିରଥୀବାବୁ ପରାସ୍ତ ହେଲେ । ସନ୍ଧ୍ୟା ଅବଧି ସମଗ୍ର ନନ୍ଦପୁର ଗଡ଼ରେ ପ୍ରଚାର ସରିଥିଲା ଭାଗିରଥୀବାବୁଙ୍କ ସମୟ ହୋଇଗଲା । ଆଉ ଦିନ କେତେଟାର କଥା । ମଉନୀବାବା ଜାତକ ସାଧି କହି ସାରିଲେଣି । ମାନଧାତା ବଂଶର ସୂର୍ଯ୍ୟାସ୍ତ ସମୟ ଆସିଗଲା । ଏ ପ୍ରଚାରକୁ ଅଧିକ ତ୍ୱରାନ୍ୱିତ କରୁଥିଲେ ବାବାଙ୍କ ଭକ୍ତମଣ୍ଡଳୀ । ସେମାନେ କହୁଥାନ୍ତି, ସୂର୍ଯ୍ୟ ପଛେ ପଶ୍ଚିମ ପଟୁ ଉଦୟ ହେବେ, କିନ୍ତୁ ବାବାଙ୍କ କଥାର ଦି’କଥା ନାହିଁ ।

 

ଭାଗିରଥୀବାବୁ ବୈଠକ ଖାନାରେ ଚିନ୍ତାମଗ୍ନ ହୋଇ ବସିଥାନ୍ତି । ମୁଖିଆ ଲୋକମାନେ ଆସି ତାଙ୍କୁ ନମସ୍କାର ଜଣାଇ କରୁଣ ଦୃଷ୍ଟିପାତ କରି ଫେରିଯାଉଥାନ୍ତି । ଗାଁ ଦାଣ୍ଡର ବିକ୍ଷିପ୍ତ ଆଲୋଚନା ତାଙ୍କ କାନରେ ବାଜୁଥାଏ । ମଝିରେ ମଝିରେ ରାଧାରାଣୀଙ୍କ ପ୍ରଳାପ ଓ କାନ୍ଦଣାଲହରିରୀ । ଘରର ନିତ୍ୟ-ନୈମିତ୍ତିକ କାର୍ଯ୍ୟକ୍ରମ ପ୍ରାୟତଃ ସେଦିନ ବାତିଲ ହୋଇଥାଏ । ସାରା ରାତି ଝଡ଼, ବାତାସ, ବରଫପାତ, ଘରେ ଶାନ୍ତ ସକାଳ ଭଳି କର୍ମ ବିରତିର ମୁହୂର୍ତ୍ତ ଭିତରେ ସେଦିନଟି କଟିଗଲା । ଭାଗିରଥୀବାବୁ ଓ ରାଧାରାଣୀଙ୍କ ବହୁ ଉକ୍ତି-ପ୍ରତ୍ୟୁକ୍ତି ସତ୍ତ୍ୱେ ଗଭୀର ରାତି ପର୍ଯ୍ୟନ୍ତ କୌଣସି ମୀମାଂସା ହୋଇପାରିଲା ନାହିଁ ।

 

ମଉନୀବାବାଙ୍କ ବେଦବାକ୍ୟକୁ ମାନିନେବା ବ୍ୟତୀତ ଭାଗିରଥୀବାବୁଙ୍କର ଆଉ ଅନ୍ୟ ଉପାୟ କିଛି ନଥିଲା । କାରଣ ବାହାର ଲୋକଙ୍କ ଅପେକ୍ଷା ରାଧାରାଣୀଙ୍କ ହତୋତ୍ସାହ କଥା ତାଙ୍କୁ ଖାଲି ଦୁର୍ବଳ କରି ପକାଇ ନଥିଲା; ବରଂ ତାଙ୍କ ବଞ୍ଚି ରହିବାର ଦ୍ଵାରରୁଦ୍ଧ କରିପକାଇଥିଲା । ଦିନେ ଦୁଇଦିନ ହୋଇ ପ୍ରାୟ ଆଠଦିନ ଏମିତି ଅନିଶ୍ଚିତତା ଭିତରେ ଅତିବାହିତ ହୋଇଗଲା । ଭାଗୀରଥୀବାବୁଙ୍କ ଜଣାଶୁଣା ମହଲରେ ଆଉ କାହାକୁ ଏକଥା ଅଛପା ନଥାଏ । ସମସ୍ତଙ୍କର ଏକତ୍ରିତ ସମବେଦନାରେ ସେ ନିଜର ମନୋବଳ ପ୍ରାୟତଃ ହରାଇ ବସିଥାନ୍ତି । ତେଣୁ ମହନୀବାବାଙ୍କଦ୍ଵାରା ଆଗତ ଓ ରାଧାରାଣୀ ସମର୍ଥିତ ପ୍ରସ୍ତାବାନୁସାରେ ପୁରୀ ପେଣ୍ଠକଥା ଅଞ୍ଚଳରେ ତାଙ୍କର ନବନିର୍ମିତ ବାସଭବନକୁ ସ୍ଥାନାନ୍ତରିତ ହେଲେ ।

 

ସମୟ କାହାକୁ ଅପେକ୍ଷା କରେ ନାହିଁ । ଚାହୁଁ ଚାହୁଁ ସେ ସମୟ ଆସି ଉପସ୍ଥିତ ହୋଇଗଲା । ମାସକ ତଳର ଷୋଳ ସମର୍ଥ ଭାଗିରଥୀବାବୁ ଆସି କୁଟାଖିଅକରେ ରହିଗଲେ । ଆହାର ନିଦ୍ରାରେ ମଧ୍ୟ ବ୍ୟାଘାତ ଘଟିଲା । ତଥାପି ସେ ପ୍ରତ୍ୟହ ରାଧାରାଣୀ ଓ ମଉନୀବାବାଙ୍କ ପରାମର୍ଶକ୍ରମେ ସକାଳେ ସମୁଦ୍ର ସ୍ନାନ, ସନ୍ଧ୍ୟାରେ ଜଗନ୍ନାଥ ଦର୍ଶନ ଇତ୍ୟାଦ ନୈମିତ୍ତିକ କାର୍ଯ୍ୟକ୍ରମ ଅବ୍ୟାହତ ରଖିଥାନ୍ତି । ମଧ୍ୟାହ୍‌ଣ ଭୋଜନ ରାଧାରାଣୀଙ୍କ ରନ୍ଧା ହବିଷ୍ୟ ଓ ରାତ୍ରିଭୋଜନ ମହାପ୍ରସାଦରେ ସମାହିତ ହେଉଥିଲା । ଯଦିଓ ଏଭଳି ନାନାରକମର ମାନସିକ ଚାପ ତାଙ୍କ ଉପରେ ସୃଷ୍ଟି ହେଉଥିଲା, ତଥାପି ସେ ନିଜ ଶରୀର ପ୍ରତି ଏତେଟା ଆସ୍ଥା ହରାଇ ବସି ନଥିଲେ ।

 

ହାତରେ ମୋଟେ ଆଉ ଆଠଟି ଦିନ ଥିଲା । ଭାଗୀରଥୀଥିବାବୁଙ୍କ ଘର ସଂଲଗ୍ନ ଅଞ୍ଚଳରେ ପ୍ରାୟତଃ ସମସ୍ତେ ଏ ଖବର ପାଇସାରିଥିଲେ । ସାହି ଟୋକାଏ ରାସ୍ତାରେ ଗଲାବେଳେ ଝରକା ବାଟେ ଟିକିଏ ଉଣ୍ଡି ଦେଉଥିଲେ କିମ୍ବା ରାଧାରାଣୀଙ୍କୁ ଭରସା ଦେଇ ବେଳେ ବେଳେ କହୁଥିଲେ ମାଉସୀ ! ତମର କିଛି ଭୟ କରିବାର ନାହିଁ, ଆମେ ସବୁ ଏଇ ପାଖରେ ଅଛୁ । ରାତି ଅଧରେ ବାରଣ୍ଡାରେ ଠିଆ ହୋଇ ଡାକଟାଏ ମାରିଦେଲେ ଆମେ ଆସି ପହଞ୍ଚିଯିବୁ ଯେ !

 

ଗାଆଁ ଓ ପାଖଆଖ ଅଞ୍ଚଳରେ ତ ହୁଲସ୍ତୁଲ ପଡ଼ିଯାଇଥାଏ । ତେଣୁ କୋର୍ଟ କଚେରୀ କାମରେ ଆସୁଥିବା ଲୋକମାନେ ପ୍ରାୟତଃ ଆସି ଟିକିଏ ମୁହଁମାରି ଚାଲିଯାଉଥାନ୍ତି । ଭାଗିରଥୀବାବୁଙ୍କ ସହକର୍ମୀ ଅମଲା ଭାଇମାନେ ମଧ୍ୟ ଖବର ପାଇ ଆସି ବୁଲିଯାଉଥାନ୍ତି । ସମସ୍ତେ ତାଙ୍କ ଗୁଣାବଳୀ ବର୍ଣ୍ଣନା କରି ବ୍ୟଥିତ ହେଉଥିଲେ । ଭାଗିରଥୀବାବୁ ଲକ୍ଷ୍ୟ କଲେ ଏବେ ଯେଉଁମାନେ ଆସୁଛନ୍ତି, ସୌଜନ୍ୟମୂଳକ ସାକ୍ଷାତଟିଏ ଛଡ଼ା ତାଙ୍କ ସାଙ୍ଗେ ଆଉ ବେଶୀ କଥାବାର୍ତ୍ତା କରୁନାହାନ୍ତି । ତେଣୁ ତାଙ୍କର ବେଳେ ବେଳେ କାହିଁକି ମନେହେଉଥିଲା ସେ ସତରେ ମରିଯାଇ ନାହାନ୍ତି ତ ! ଏ ଆଶଙ୍କା ତାଙ୍କର ସତ୍ୟରେ ପରିଣତ ହେଲା ଯେଉଁଦିନ ବଡ଼ପୁଅ ବିବେକାନନ୍ଦ ଆସି ପହଞ୍ଚିଗଲେ । ସଦର ଘରେ ବାପାକୁ ନମସ୍କାରଟିଏ କରି ସିଧାସିଧା ମାଆଙ୍କ ପାଖକୁ ଚାଲିଗଲେ । ତାଙ୍କ ମୁଖମଣ୍ଡଳ ଯଦିଓ ବିଷାଦଗ୍ରସ୍ତ ଥିଲା, ତଥାପି ଭାଗିରଥୀବାବୁ ତାଙ୍କୁ ସେଦିନ ଏକ ନୂଆ ରୂପରେ ଦେଖିବାକୁ ପାଇଥିଲେ । ବିବେକାନନ୍ଦ ଓ ମାଆଙ୍କ ଆଲୋଚନା ସେ ଶୁଣିଲେ-। ବିବେକାନନ୍ଦ କହୁଥିଲେ ବାପାଙ୍କ ଶୁଦ୍ଧି କ୍ରିୟାରେ ଯାହା ଖର୍ଚ୍ଚ ହେବ ମୁଁ ତୁଲାଇବି । ତୁ ତାଙ୍କୁ କହ ସେ ମୋ ନାଆଁରେ ଏ ଘରଟା ଲେଖିଦେବେ । ମୋର ଭୁବନେଶ୍ୱର ଭଳି ଅଜବ ଜାଗାରେ ରହିବାକୁ ଆଦୌ ଇଚ୍ଛା ନୁହେଁ, ସେଠି ଶ୍ରଦ୍ଧାନନ୍ଦ ରହୁ । ମଉନୀବାବା ବିବେକାନନ୍ଦକୁ ସମର୍ଥନ କଲେ । ମଉନୀବାବା କହିଲେ ପ୍ରସ୍ତାବ ନ୍ୟାୟସଙ୍ଗତ; କାରଣ ତମେ ବଡ଼ ପୁଅ ଶ୍ରଦ୍ଧାନନ୍ଦର ବା ଆପତ୍ତି କ’ଣ ପାଇଁ ହବ–ଏ ଘର ଅପେକ୍ଷା ଭୁବନେଶ୍ଵର ଘରର ମୂଲ୍ୟ ଦଶ କି କୋଡ଼ିଏ ହଜାର ଅଧିକ ହେବ–ଖାଲି ଜାଗାର ଗୁଣାତ୍ମକ ମୂଲ୍ୟରେ ଯାଏ ଟିକିଏ ଫରକ ।

 

ମାଆଙ୍କ ଜରୁରୀ ଖବର ପାଇ ପରଦିନ ଶ୍ରଦ୍ଧାନନ୍ଦ ଆସି ପହଞ୍ଚିଗଲେ । ଶ୍ରଦ୍ଧାନନ୍ଦ ପିଲାଦିନୁ ବାପାଙ୍କୁ ଭୀଷଣ ଭୟ କରୁଥିଲେ । ଏଡ଼ୁଟିଏ ହେବା ଭିତରେ କେବେ ଭଲ-ମନ୍ଦ ଦୁଃଖ-ସୁଖ କଥା ହୋଇ ନାହାନ୍ତି । ତାଙ୍କର ଘର ସହିତ ସାଲିସ ମଉନୀବାବାଙ୍କ ଜରିଆରେ । ରାତିରେ ମଉନୀବାବା ଓ ରାଧାରାଣୀଙ୍କ ଭିତରେ ଆଲେଚନା ହେଲା । ଶ୍ରଦ୍ଧାନନ୍ଦ କହୁଛି ସେ ଆଉ ବେଶୀ ଦିନ ଚାକିରି କରି ପାରିବ ନାହିଁ । ତେଣୁ ତାଙ୍କୁ ଷ୍ଟେସନ ସଂଲଗ୍ନ ଜାଗାଟି ଛାଡ଼ିଦେବାକୁ ହେବ । ସେଠାରେ ସେ କ’ଣ ଗୋଟାଏ ଇଣ୍ଡଷ୍ଟ୍ରି କରିବ । ସେଥିପାଇଁ ଲକ୍ଷାଧିକ ଟଙ୍କାର ପ୍ରୟୋଜନ ହେବ । ତେଣୁ ବାପାଙ୍କୁ କହି ସେ ଅନ୍ତତଃପକ୍ଷେ ଲକ୍ଷେ କି ପଚାଶ ହଜାରର ବ୍ୟବସ୍ଥା ମୋ’ପାଇଁ କରି ଯାଆନ୍ତୁ । ରାଧାରାଣୀ ପୁଅମାନଙ୍କ ଅଭିଳାଷ ଭାଗିରଥୀବାବୁଙ୍କ ନିକଟରେ ପହଞ୍ଚାଇ ଦେଲେ । ଭାଗିରଥୀବାବୁ ଶୁଣି ନଶୁଣିଲା ଭଳି ଆସ୍ତି, ନାସ୍ତି କିଛି ନ କହି ନୀରବ ରହିଲେ ।

 

ରାଧାରାଣୀ ଏ ଭିତରେ ଖୁବ୍ କର୍ମତତ୍ପର ହୋଇ ପଡ଼ିଥାନ୍ତି । ତାଙ୍କୁ ମୁହୂର୍ତ୍ତେ ହେଲେ ଫୁରସତ୍ ନଥାଏ । ସଙ୍ଖୋଳି ଆସୁଥିବା ବନ୍ଧୁବର୍ଗଙ୍କ ସତ୍କାରରେ ପ୍ରାୟତଃ ବୁଡ଼ିରହିଥାନ୍ତି । ସମସ୍ତଙ୍କୁ ଉତ୍ତରଦେବାରେ ସେ ଏତେ ବିଚକ୍ଷଣ ହୋଇପଡ଼ିଥାନ୍ତି, ତାଙ୍କୁ ଦେଖିଲେ ଯେକେହି ଜଣେ ପ୍ରଜ୍ଞା ମହିଳା ବୋଲି କହିବ । ରାଧାରାଣୀଙ୍କ କର୍ମ ତତ୍ପରତା ଆହୁରି ବୃଦ୍ଧି ପାଇଲା ଯେଉଁଦିନ ରାଜେଶ୍ଵରୀ ଏକାଏକା ଆସି ପହଞ୍ଚିଗଲେ । ପ୍ରାୟ ଦେଢ଼ଘଣ୍ଟା ପର୍ଯ୍ୟନ୍ତ ପ୍ରତିଯୋଗିତା କଲାଭଳି ମାଆ ଝିଅ ଦିହେଁ କାନ୍ଦି ବୋବାଇ ଘର ଫଟେଇ ପକାଇଲେ । ରାଧାରାଣୀ ନିଜକୁ ଆୟତରେ ରଖି ପାରୁ ନଥିଲା ଭଳି ରଜେଶ୍ୱରୀଙ୍କ ସହିତ କୋରସରେ ଯୋଗ ଦେଲେ । ସମସ୍ତେ ମିଶି ଅନେକ ବୁଝାଇବା ପରେ ଝଡ଼ ଥମିଗଲା ଓ ମାତ୍ର କେତେ ମିନିଟ୍ ପରେ ମା’, ଝିଅ ଦୁହେଁ ସାଧାରଣ ହୋଇଗଲେ । ପୁଣି ସବୁ ଆଗଭଳି ଚାଲିଲା ।

 

ସନ୍ଧ୍ୟାବେଳକୁ ମଉନୀବାବା ରାଜେଶ୍ଵରୀଙ୍କୁ ଡାକି ଦୁଃଖ-ସୁଖ ପଚାରିଲେ । ରାଜେଶ୍ୱରୀ ମାଆଙ୍କଠାରୁ କାହିଁ କେତେ ଗୁଣ ଅଧିକଭକ୍ତ ହୋଇଛନ୍ତି ବାବାଙ୍କର । ବାବା ମନ୍ତ୍ରଣା ଦେବାରେ ସଫଳ ହେଲେ । ରାଧାରାଣୀଙ୍କ ମାର୍ଫତ ପ୍ରସ୍ତାବ ଆସିଲା; ପ୍ରଫେସର ଭଞ୍ଜଙ୍କ ଦରମାରେ ପରିବାର ଚଳୁନି । ଜମିଦାରୀ ଉଠିଗଲାବେଳକୁ ସରକାରୀ ପାଉଣା ଅନେକ ଥଲା । ତେଣୁ ସ୍ଥିତିବାନ ସମ୍ପତ୍ତିରୁ କିଛିଟା ହାତ ଛଡ଼ା ହୋଇଗଲାଣି । ଏ ଚାକିରିରେ କିଛି କରି ହେବନି । ତୁ ବାପାଙ୍କୁ କହ ମୋତେ ଜମି ପାଞ୍ଚ ଏକର ଦେବେ । ୟାଙ୍କର ଆମେରିକା ଯିବାକୁ ଭାରି ଇଚ୍ଛା । ତାଙ୍କ ଖର୍ଚ୍ଚ କଥା ବାପାଙ୍କୁ କହିଲେ କ’ଣ ତୁଲାଇ ଦେବେ ତ ! ଆଉ ମୋତେ ବାହାଘରବେଳେ ଯେଉଁ ଗହଣା ଦେଇଥିଲେ ସେଗୁଡ଼ାକ ଭଲ ସୁନା ପଡ଼ିଲା ନାହିଁ । ମୋର ତ ତିନିଟା ଝିଅ ହେଲେଣି । ମୋତେ ବନ୍ଧା ଜିନିଷରୁ କିଛି ନ ଦେଲେ ଏମାନଙ୍କ ବୋଝ କିମିତି ଉଠିବ ! ମୁଁ ତ ପୁଅଟାଏ ହୋଇଥିଲେ ଏ ସମ୍ପତ୍ତିରୁ ଭାଗଟାଏ ପାଇଥାନ୍ତି ।

 

ରାଧାରାଣୀ କହିବା ପୂର୍ବରୁ ଆରଘରେ ଥାଇ ଭାଗିରଥୀବାବୁ ସବୁ କଥା ଶୁଣୁଥିଲେ । ଝିଅ ପ୍ରସଙ୍ଗ ଉଠାଇବାମାତ୍ରେ କହିଲେ; ଏତେ ବ୍ୟସ୍ତ କାହିଁକି ହେଉଛ ? ଏଇନେ ତ ସମୟ ଅଛି–ଯାହା ସଂସାର ସୁନ୍ଦର ହେବ ସେତିକି ନ କରି ମୁଁ କ’ଣ ଯାଉଛି ।

 

ଏଇ କେତେଦିନ ହେଲା ଭାଗିରଥୀବାବୁ ସମୁଦ୍ର ଗାଧୋଇବା ଓ ମନ୍ଦିର ଯିବା ଛାଡ଼ି ସାରିଛନ୍ତି । ଦୂର ସମ୍ପର୍କୀୟ ବନ୍ଧୁବାନ୍ଧବ କେତେଜଣ ଏ ଭିତରେ ଆସି ଆସ୍ଥାନ ଜମେଇ ସାରିଲେଣି-। ବନ୍ଧୁ-ବାନ୍ଧବ ଝିଅ-ଝିଆଣୀରେ ଘର ଫାଟିପଡ଼ୁଛି । ରନ୍ଧାବଢ଼ା ଖିଆପିଆ ଧୁମଧାମ ଚାଲିଛି ବାହାପୁଆଣୀ ଘର ଭଳି ଘୋ’ ଘୋ’, ଯା’ ଆସର ବିରାମ ନାହିଁ, କିନ୍ତୁ ଭାଗିରଥୀବାରୁ ଘରଟି ଭିତରେ ରାଧାରଣୀ ଓ ରାଜେଶ୍ଵରୀଙ୍କ କୃପାପ୍ରାର୍ଥୀ ହୋଇ ପଡ଼ିରହିଥାନ୍ତି । ମଝିରେ ମଝିରେ ମାଆ, ଝିଅଙ୍କ ଭିତରୁ କେହି ଆସି ତାଙ୍କର ତଦାରଖ ଟିକିଏ କରି ଚାଲିଯାଉଥାନ୍ତି । ଭାଗିରଥୀବାବୁ ଶେଯରେ ପଡ଼ିରହିଥିଲେ ସତ; କିନ୍ତୁ ତାଙ୍କର କାନ ଦୁଇଟି ସମସ୍ତଙ୍କର ଆଳାପ ଆଲୋଚନା ପ୍ରତି ସତର୍କ ରହିଥିଲା । ସେ ବୁଝିସାରିଥିଲେ–ସେ ମରିଯିବେ ଏଥିପାଇଁ କାହା ମନରେ ଦୁଃଖ ନାହିଁ; କିନ୍ତୁ ସେ ମରିବା ପୂର୍ବରୁ କାହାକୁ କ’ଣ ଦେଇଯିବେ ସେଇ ଫଳାଫଳକୁ ସମସ୍ତେ ଉଦବେଗର ସହ ଅପେକ୍ଷା କରିଛନ୍ତି । ମାମୁଁ, ମଉସା, ପିଉସୀ ଘର ସମ୍ପର୍କରେ କେତେକ ପ୍ରାର୍ଥୀ ମଧ୍ୟ ଲାଇନରେ ଥିବା ଭାଗିରଥୀବାବୁ ଜାଣି ପାରିଥିଲେ ।

 

ପିଲାଏ ଏକାଠି ହେବାର ପ୍ରାୟ ତିନିଦିନ ଅତିକ୍ରମ ହୋଇ ଯାଇଥାଏ; କିନ୍ତୁ ଭାଗିରଥୀବାବୁ ଆଶ୍ଚର୍ଯ୍ୟ ହେଉଥିଲେ ତାଙ୍କ ବିଷୟରେ କେହି କାହା ସହିତ ଆଲୋଚନା କରୁ ନଥିଲେ । ସମସ୍ତେ ଯେଝା ତାଳରେ ଥିବା ତାଙ୍କୁ ଅଜଣା ନଥିଲା । ତାଙ୍କୁ ସବୁଠୁ ଅଧିକ ବିସ୍ମିତ ଲାଗୁଥିଲା, ପିଲାଏ କେହି ପଚାରୁ ନାହାନ୍ତି, ବାପା ତମର କ’ଣ ହୋଇଛି–କ’ଣ ପାଇଁ ତମେ ମରିଯିବ–ଡାକ୍ତର ଡାକିବା କି ? ଅଥଚ ସେମାନେ ଅଗାଧୁ ବାବାଜିର କଥାକୁ ଦେହର ଗାର କରି ଧରି ନେଇଚନ୍ତି । ବିବେକାନନ୍ଦ ଭଳି ଜଣେ ସୁବିଖ୍ୟାତ ବୈଜ୍ଞାନିକ ଅନ୍ତତଃପକ୍ଷେ ତ ପଚାରି ପାରିଥାନ୍ତା–ବାପା ଅମୁକ ସମୟରେ ଦେହ ତ୍ୟାଗ କରିବା ପଛରେ କ’ଣ ବିଜ୍ଞାନ-ସମ୍ମତ ଯୁକ୍ତି ରହିଛି ? କିନ୍ତୁ ସେ ଏସବୁ କିଛି ନ କହି ଅଗାଧୁବାବାଜି ଓ ରାଧାରଣୀଙ୍କଠାରୁ କୋଠାଟିଏ ପାଇଁ ସୁପାରିସ୍‍ କରେଇ ନେଇଛି ।

 

ହାତରେ ଆଉ ଦିନଟିଏ ମାତ୍ର ସମୟ ଥାଏ । ଭାଗିରଥୀବାବୁ ବୁଲଚାଲ କରିବା ଏକପ୍ରକାର ଛାଡ଼ି ସାରିଥାନ୍ତି । ଖାଲି ଖିଆପିଆ ବେଳେ ଯାହା ଟିକଏ ଉଠାବସା କରୁଥାନ୍ତି । ରାଧାରାଣୀଙ୍କର ତାଙ୍କ ପାଖକୁ ଯିବା ଆସିବା ମଧ୍ୟ କମି ଆସିଥାଏ । ଯେତେବେଳେ ଆସୁଥିଲେ କିଛି ନା କିଛି ଫର୍ମାସ୍‌ ନେଇ ଆସୁଥିଲେ । ଭାଗିରଥୀବାବୁ କିନ୍ତୁ ସବୁ ଧୈର୍ଯ୍ୟର ସହିତ ଶୁଣୁଥିଲେ ମଧ୍ୟ ନୀରବ ରହିଯାଉଥିଲେ । ସେଦିନ ମଧ୍ୟାହ୍ନ ଭୋଜନବେଳେ ରାଧାରାଣୀ ପ୍ରସ୍ତାବ ରଖିଲେ ଅଗାଧୁ ଭାଇତ ଆମ ପରିବାର ସହିତ ତାଙ୍କ ଜୀବନଟାକୁ ସାମିଲ କରିଦେଲେ; ଏବେ ତାଙ୍କର ଚାରି ବାହା ଆସି ରହିବା ଉପରେ ତାଙ୍କୁ ବଡ଼ ସଡ଼କ ଧାରରେ ଥିବା ଆମ ତୋଟା ଖଣ୍ଡିକ ଲେଖିଦିଅ, ସେଠି ସେ ମଠ ଖଣ୍ଡିଏ କରିବେ ।

 

ତା’ପରେ ରାଧାରାଣୀ ନିଜ ପ୍ରସଙ୍ଗ ଉଠାଇଲେ । କହିଲେ ତମ ପୁଅ-ବୋହୂଙ୍କ କଥା ତ ଦେଖୁଛ ! ତୋରାଣି ମୁନ୍ଦିଏ ଭଲରେ ଏମାନଙ୍କଠାରୁ ଆଶା କରିବା ଉଚିତ ନୁହେଁ । ମୋ କଥା କ’ଣ କରିବ କହିଲ ? ଭାଗିରଥୀବାବୁ ସେଇ ପୁରୁଣା କଥାର ପୁନରାବୁତ୍ତି କଲେ, ତମେ ଏତେ ବ୍ୟସ୍ତ କ’ଣ ପାଇଁ ହେଉଛ, ମୁଁ ସବୁ ଠିକ୍‌ ଠିକଣା କରି ଦେଇଯିବି ।

 

ରାଧାରାଣୀ କିନ୍ତୁ ଏଥର ଛାଡ଼ିବା ମତଲବରେ ନଥିଲେ । ତେଣୁ ଟିକଏ ଚଢ଼ା ଗଳାରେ କହିଲେ, ମୁଁ ଯାହା ଦେଖୁଛି, ତମେ ମୋତେ ବଡ଼ଦାଣ୍ଡରେ ବସାଇ ଦେଇଯିବ । କରିବ କରିବ ବୋଲି ତ ଆସି ଯମ ଦୁଆରେ ବସିଲଣି, କରିବ ଆଉ କେବେ ? କେଉଁଠି କ’ଣ କରିଛ, ଏପର୍ଯ୍ୟନ୍ତ ମୁଁ ଜାଣିଲି ନାହିଁ, ତୁମ ମନରେ କ’ଣ ଅଛି କହୁନା କାହିଁକି ?

 

ଭାଗିରଥୀବାବୁ କୌଣସି ଉତ୍ତର ନ ଦେଇ ରାଗରେ ଖାଇବା ଜାଗାରୁ ଉଠିଯାଇ ମୁହଁମାଡ଼ି ଶୋଇଗଲେ । ତାଙ୍କ ନିଦ ଭାଙ୍ଗିଲା, ଯେତେବେଳେ ବିବେକାନନ୍ଦ ତକିଆ ତଳୁ ଚାବିକାଢ଼ିବାର ଅସଫଳ ଚେଷ୍ଟା କରି ବସିଲେ, ସେତେବେଳକୁ ସନ୍ଧ୍ୟା ହୋଇ ଆସିଥିଲା । ବିବେକାନନ୍ଦ ଟିକଏ ଅପ୍ରସ୍ତୁତ ହୋଇପଡ଼ିଲେ ବାପାଙ୍କର ହଠାତ୍‌ ନିଦ ଭାଙ୍ଗିଯିବା ଫଳରେ । ତଥାପି ସେ ଡରି ନ ଯାଇ ଏହି ସୁଯୋଗରେ ତାଙ୍କ ପ୍ରସ୍ତାବ ସ୍ମରଣ କରାଇ ଦେଲେ ଓ ସମ୍ପତ୍ତି ବଣ୍ଟନ ସମ୍ପର୍କରେ ତାଙ୍କ ଖସଡ଼ାର ରୂପରେଖ ଦେବାକୁ ଲାଗିଲେ । ଭାଗିରଥୀବାବୁ ବାକ୍‌ଶକ୍ତି ହରାଇ ବସିଥିଲା ଭଳି କେବଳ ମୁଣ୍ଡ ହଲାଇ ସମ୍ମତି ପ୍ରଦାନ କଲେ ।

 

ସେଦିନଟି ଥିଲା ଭାଗିରଥୀବାବୁଙ୍କର ଅନ୍ତମ ଦିବସ । ସକାଳୁ ଦୈନନ୍ଦିନ ନିତ୍ୟକର୍ମ ସାରି ଶୋଇବା ଘରେ ପ୍ରବେଶ କଲେ । ପୂର୍ବଭଳି ସେ ସମ୍ପୂର୍ଣ୍ଣ ସୁସ୍ଥ ଓ ପ୍ରଫୁଲ୍ଲ ଥାଆନ୍ତି । ସେ ଆଜି ମରିଯିବେ ଏଭଳି ବିଶ୍ଵାସ ତାଙ୍କର ଆଦୌ ନଥିଲା । ତଥାପି ତାଙ୍କର ଭୀଷଣ କ୍ଷୋଭ ହେଉଥିଲା, ତାଙ୍କ ନିଜ ଲୋକଙ୍କ ଅଦ୍ଭୁତ ବ୍ୟବହାରରେ । ଜୀବନସାରା ସେ ଯେଉଁମାନଙ୍କ ପାଇଁ ତପସ୍ୟା କରୁଥିଲେ, ସେମାନେ ତାଙ୍କର ନୁହନ୍ତି । ତାଙ୍କ ସମ୍ପତ୍ତିର ଆକର୍ଷଣ ସମସ୍ତଙ୍କ ମାନବିକତାକୁ ସାମାଧି ଦେଇ ସାରିଛି । ମଉନୀବାବା ସକାଳୁ ତାଙ୍କ ଘରୁ ଆସ୍ଥାନ ଉଠାଇ ନେଲେଣି । କାରଣ ସନ୍ନ୍ୟାସ ଧର୍ମ ଗ୍ରହଣ କରି ଅଶୌଚ ଘରେ ରହିବା ଅନିୟମାକ । ବିବେକାନନ୍ଦ ଉଇଲଟିରେ କେତେବେଳୁ ଆସି ଦସ୍ତଖସ୍ତ କରାଇ ନେଲେଣି । ରାଧାରଣୀ ଚାବି ନେନ୍ଥାଟି ଉଠେଇ ନେଇ ଅଣ୍ଟାରେ ଅତି ଯତ୍ନସହକାରେ ଲୁଚେଇ ଦେଲେଣି । ଶ୍ରଦ୍ଧାନନ୍ଦ ରାଗରେ ଘରେ ପଶୁ ନାହିଁ । ତା’ର ଅଭିମାନ ଭାଇ ବାପାଙ୍କୁ ଶିଖେଇ ପଢ଼େଇ କ’ଣ ସବୁ ଲେଖେଇ ନେଇଗଲା । ଶୋଭଯାତ୍ରାରେ ସାମିଲ ହେବା ପାଇଁ ଗାଆଁର କୁଟୁମ୍ବମାନେ ସକାଳ ଗାଡ଼ିର ଆସି ଓହ୍ଲେଇଛନ୍ତି । ସାଇ ପିଲାଏ ମଝିରେ ମଝିରେ ଆସି ଖବର ନେଇଯାଉଛନ୍ତି । ରାଧାରାଣୀ ଘଡ଼ିକ ପହରକେ ଆସି କରୁଣ ଦୃଷ୍ଟି ପକାଇ ଫେରିଯାଉଛନ୍ତି ।

 

ଭାଗିରଥୀବାବୁ ଅସ୍ଥିର ହୋଇପଡ଼ିଲେ । ତାଙ୍କର ମନେହେଲା ସେ ଆଉ ବଞ୍ଚିରହନ୍ତୁ, ଏକଥା କେହି ଯେପରି ଚାହାନ୍ତି ନାହିଁ । ତେଣୁ ଗୋଟିଏ ମୃତବ୍ୟକ୍ତିର ଅଭିନୟ କରିବାକୁ ତାଙ୍କର କାହିଁକି ଭୀଷଣ ଇଚ୍ଛା ହେଲା ।

 

ଭାଗିରଥୀବାବୁ ଟିକିଏ ଚାଲ ଚାଲ ହୋଇ ବାଥରୁମ୍‌ ଆଡ଼କୁ ବାହାରିଲେ । ଘରେ ଲୋକ ଆସି ଭର୍ତ୍ତି ହୋଇଗଲେଣି । ଦିନ ଯାଇ ରାତି ହେଲାଣି । ସେଦିନ ମୁଠିଏ ଭଲରେ ଖାଇ ପାରି ନଥାନ୍ତି ସେ । ଖାଲି ମଲା ମଲା ଶବ୍ଦରେ ଘର ଉଛୁଳି ପଡ଼ୁଥାଏ । ଖଟ, ଲୁଗା, ବାଜାବାଲା ନେଇ ସମସ୍ତେ ବ୍ୟସ୍ତ । ତାଙ୍କର ମନେହେଲା ସେ ଯେମିତ ମରିସାରିଲେଣି । ଏ ସଂସାର ସହିତ ତାଙ୍କର ସମସ୍ତ ସମ୍ପର୍କ ଛିନ୍ନ ହୋଇସାରିଛି । ତାଙ୍କ ଅଦରକାରୀ ମର ଶରୀରଟାକୁ ଖାଲି ପୃଥକ୍ କରିବାର ଯାହା ବାକି ରହିଯାଇଛି । ତାଙ୍କ ପାଦ ଆଉ ଠିକ୍‌ଭାବେ ପଡ଼ୁ ନଥିଲା । ତାଙ୍କ ଭିତରେ ଥାଇ କିଏ ଯିମିତି କହୁଥିଲା, ତମେ କେଡ଼େ ଅପଦାର୍ଥ, ମୂର୍ଖ, ଏବେ ବୁଝିପାରୁଛ ? ସେ ଚାରିଆଡ଼କୁ ଲକ୍ଷ୍ୟକଲେ ସମସ୍ତେ ଯେମିତ ଅପେକ୍ଷା କରିଛନ୍ତ ତାଙ୍କ ମୃତ୍ୟୁ ଦୂତମାନେ କେତେବେଳେ ଆସି ପହଞ୍ଚିବେ । ଶୀଘ୍ର କାମଧାମ ବଢ଼ାଇ ନେବାପାଇଁ ବ୍ୟଗ୍ର ହୋଇ ପଡ଼ିଲେଣି । ବେଶୀ ରାତି ହେଲେ ଅସୁବିଧା ଭୋଗ କରିବା କଥା ସମସ୍ତେ ଚିନ୍ତାକରୁଥିବା ସେ ଅନୁମାନ କଲେ-। ସମୟ ସେତେବେଳକୁ ଆଠଟା ଉପରେ । ଆଗୁଆ ଖିଆ ପିଆ ସାରିଦେଇ ସମସ୍ତେ ବସି ଗପ ଜମେଇ ଦେଇଛନ୍ତି । ସବୁ ଆଲୋଚନା ପ୍ରାୟତଃ ତାଙ୍କୁଇ କେନ୍ଦ୍ର କରି ସୀମାବଦ୍ଧ ଥଲା । ଭାଗିରଥୀବାବୁ ବାଥ୍‌ରୁମ୍‌ରୁ ଫେରିଲାବେଳେ ତାଙ୍କ ନିଜ ଲୋକଙ୍କୁ ଟିକିଏ ଭଲଭାବେ ଦେଖିନେଲେ ।

 

ତଥାପି କିଛି ସମୟ ବାକିଥିଲା । ଭାଗିରଥୀବାବୁଙ୍କୁ କାହିଁକି ବିଷ ଖାଇଲା ଭଳି ଲଗୁଥାଏ । ବାହାରର ଆଲେଚନା ତାଙ୍କୁ ଆହୁରି ବ୍ୟତିବ୍ୟସ୍ତ କରୁଥୁଲା । କିଏ କିମିତି ଡାକି ହାକିମଲା; କୋଉ ପଣ୍ଡିତ କାହା ଜାତକ ଦେଖି କିମିତ ଗଣନା କରି ସତ କଥା କହିଥିଲା, ମଲାପରେ ଲୋକଙ୍କ ଭଲ-ମନ୍ଦ ଉପରେ କିମିତି ଚର୍ଚ୍ଚାହୁଏ, ମରିବା ପୂର୍ବରୁ ନିଜର ଅପରାଧ ସ୍ଵୀକାର କରି ମଣିଷ କିମିତି ପାପମୁକ୍ତ ହୁଏ, ଏଇସବୁ ଆଲୋଚନା ଚାଲିଥିଲା ।

 

ଭାଗିରଥୀବାବୁଙ୍କୁ ଏ କଥାଗୁଡ଼ାକ ଏଣିକି ଭଲଲାଗିଲା । ସେ ନିଜେ କ’ଣ ଅକାର୍ଯ୍ୟ କରିଛନ୍ତି ତା’ ଚିନ୍ତା କରିବାକୁ ଚେଷ୍ଟା କଲେ । ଏତିକିବେଳେ କିଏ ଜଣେ କହିଲା, ଆରେ ବସିଛ କ’ଣ; ଆଉ କ’ଣ ସମୟ ଆସୁଛି ! ଟିକଏ ପୁରାଣ ପଢ଼ୁନା କାହିଁକି ? ଭାଗିରଥୀବାବୁ ବୁଝିଗଲେ ସମସ୍ତେ ପ୍ରତିକ୍ଷାରେ ଅଛନ୍ତି ବୁଢ଼ାଟା କିମିତି ଶୀଘ୍ର ମରିଯାଉ । ରାଜେଶ୍ୱରୀ ପିତୃଭକ୍ତିର ନିଦର୍ଶନ ଓ ତାଙ୍କର ଆତ୍ମାର ସଦ୍‌ଗତି ପାଇଁ ହରିବଂଶ ଧରି ବସିଗଲେ । ରାଜେଶ୍ଵରୀ ପୁରାଣ ପଢ଼ୁଥିଲେ ସତ; କିନ୍ତୁ ତା’ପ୍ରତି କାହାର ଧ୍ୟାନ ନଥିଲା । କାରଣ ଏବେ କାହାକୁ ଆଉ ତର ସହୁ ନଥୁଲା । ବିବେକାନନ୍ଦ ଓ ରଧାରାଣୀଙ୍କ ଆଲୋଚନା ଭାଗିରଥୀବାବୁ ଶୁଣିଲେ । ନଅଟା ତ ଆସି ହୋଇଗଲା, କାହିଁ ତ କିଛି ହେଲା ନାହିଁ, ତା’ହେଲେ ମଉନୀବାବା କ’ଣ ତାଙ୍କ ଜ୍ୟୋତିଷ ବିଦ୍ୟାର ପରୀକ୍ଷା ଆମରି ଘରେ କଲେ !

 

ଅବଶ୍ୟ ମଉନୀବାବାଙ୍କ ଗଣନା ପ୍ରତି କାହାରି ତିଳେହେଲେ ସନ୍ଦେହ ନଥିଲା । ଖାଲି ରାଧାରାଣୀ ବିବେକାନନ୍ଦ କାହିଁକି, ସେଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତି ବାବାଙ୍କ ଘୋଷଣାରୁ ବ୍ରହ୍ମା ବାକ୍ୟ ବୋଲି ଧରି ନେଇଥିଲେ । ଏତିକିବେଳେ ଆର ଘରେ ଟେଲିଫୋନ୍‍ ବାଜି ଉଠିଲା । ବିବେକାନନ୍ଦ ଉଠିଗଲେ ଭିତରକୁ । ଟେଲିଫୋନରେ କଥା କହି ସାରିବା ପରେ ବାହାରକୁ ଆସି ଘୋଷଣା କଲେ, ମାଉନୀବାବାଙ୍କ ଟେଲିଫୋନ୍ ଥିଲା । କହିଲେ, ରବିଙ୍କ ସ୍ଥାନ ପରିବର୍ତ୍ତନରେ ପ୍ରାୟ ଦେଢ଼ଘଣ୍ଟା ବିଳମ୍ବ ହେଉଛି । ଏଗାରଟା ପୂର୍ବରୁ ନିଶ୍ଚୟ କାମ ବଢ଼ିଯିବ ।

 

ଭାଗିରଥୀବାବୁ ବିଛଣାରେ ପଡ଼ିରହି ଏସବୁ କଥା ଶୁଣୁଥିଲେ । ଏତିକିବେଳେ ଗହଳି ଭିତରୁ କିଏ ଜଣେ କହିଲା; ଏ ଛତରା ଅଗାଧୁ ବାବାଜି କଥାରେ ତମେ ସବୁ ମାତିଛ । ସେଇଟା କିଛି ଜାଣେ ନାହିଁ । ଯଦି ତା’ ପାଖେ ଏତେ ମହାତ୍ମ୍ୟ ଥାଆନ୍ତା ସେ କ’ଣ ମାନଧତା ଘର ଅଇଁଠା ତୋରାଣିକୁ ଆଶ୍ରା କରି ପଡ଼ିଥାନ୍ତା ! ଜ୍ୟୋତିଷମାନେ ଯଦି ଜନ୍ମମରଣ କଥା କହି ପାରୁଥାନ୍ତେ, ତା’ହେଲେ ଦୁନିଆ ଓଲଟପାଲଟ ହୋଇଯାଆନ୍ତାଣି ।

 

ଭଦ୍ରଲୋକଙ୍କ ତୁଣ୍ଡରୁ କଥା ନ ସରୁଣୁ ରାଧାରାଣୀ, ବିବେକାନନ୍ଦ, ଶ୍ରଦ୍ଧାନନ୍ଦ, ରାଜେଶ୍ଵରୀ ସମସ୍ତେ ଏକାବେଳକେ ପାଲଟା ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଗଲେ । ସେମାନଙ୍କ ଗୋଳମାଳିଆ କଥାର ସାରାଂଶ ଥିଲା ମଉନୀବାବା ହେଉଛନ୍ତି ସିଦ୍ଧଯୋଗୀ । ତାଙ୍କ କଥା କେବେ ଅନ୍ୟଥା ଯିବନି । ତାଙ୍କୁ ଈଶ୍ୱରଙ୍କ ଦର୍ଶନ ମିଳିଛି, ଝାଡ଼େଶ୍ଵରୀ ତାଙ୍କ ସହିତ ପ୍ରତିଦନ ରାତିରେ କଥାବାର୍ତ୍ତା ହୁଅନ୍ତି । ତମେ ତାଙ୍କ ପ୍ରତିଜ୍ଞା ଜାଣ ନାହିଁ I ତାଙ୍କ ତୁଣ୍ଡରୁ ଯୋଉ କଥା ବାହାରିଯାଏ ତା’ର ଦି’କଥା ହୋଇନି । ବାବାଙ୍କ ପ୍ରତି କଟୂମନ୍ତବ୍ୟ କରିଥିବା ଭଦ୍ରଲୋକଙ୍କୁ ଚୁପ୍‌ କରି ଦିଆଗଲା-

 

ଭାଗିରଥୀବାବୁ ମୁହଁମାଡ଼ି ଶୋଇ ରହି ସବୁ କଥା ଶୁଣୁଥିଲେ । ଆରପଟର ବଚସା ଓ ବିତର୍କ ଶୁଣିବାକୁ ତାଙ୍କର ଆଉ ଇଚ୍ଛା ନଥିଲା । ସେ କେବଳ ଭାବୁଥିଲେ ତାଙ୍କ ଜୀବନରେ ସେ କ’ଣ କୁକର୍ମ କରିଛନ୍ତ, ତା’ ଆଜି ପ୍ରକାଶ କରି ଦେଇଯିବେ; କିନ୍ତୁ ସେ ତାଙ୍କର ଏଇ ଶେଷ ଜମାନବନ୍ଦୀ କାହାକୁ ଦେବେ ? କାମ ବଢ଼ିଗଲେ ଯିଏ ଯାହାର ଅଧିକାର ସାବ୍ୟସ୍ତ କରିବାକୁ ଯେତେବେଳେ ବ୍ୟଗ୍ର ହୋଇଉଠିଲେଣି, ସେ କାହା ପାଇଁ ବଞ୍ଚି ରହିବେ ଓ ତାଙ୍କର ହୋଇ ଆଉ କିଏ ରହିଯାଇଛି ଯେ ତାକୁ କୈଫିୟତ ଦେବେ !

 

ନିଜ ମୃତ୍ୟୁ ସମ୍ପର୍କରେ ଭାଗିରଥୀବାବୁଙ୍କର ଆଉ ତିଳେହେଲେ ସନ୍ଦେହ ନଥିଲା । ସେ ଶେଯ ଉପରେ ଉଠିବସିଲେ । ସେ ପୁଣି ଅନୁଭବ କଲେ, ତାଙ୍କୁ ଯିମିତି କିଏ ଜାଗ୍ରତ କରାଇ କହି ଦେଉଛି, ଏଇଟା ତମର ଆତ୍ମସମୀକ୍ଷା କରିବାର ପ୍ରକୃତ ସମୟ ଭାଗିରଥୀବାବୁ ! ଦୁନିଆରୁ ଶିକ୍ଷା ଲାଭ କରିବାର ଆଉ କ’ଣ କିଛି ବାକିରହିଗଲା ? ତମେ ଯେଉଁମାନଙ୍କ ପାଇଁ ଜୀବନ ପଣ କରିଥିଲ, ସେମାନେ ତମର କେତେ ଆପଣାର ଦେଖିଲ ତ ? ଜୀବନ ପ୍ରତି ତମର ତଥାପି ଏତେ ମୋହ କ’ଣ ପାଇଁ ?

 

କାହାରି ନିର୍ଦ୍ଦେଶ ପାଇବା ଭଳି ଭାଗିରଥୀବାବୁ ବସିବା ଜାଗାରୁ ଉଠି ଯାଇ ଭିତରପଟୁ କବାଟ ବନ୍ଦ କରିଦେଲେ । ପ୍ରାୟ ଘଣ୍ଟାଏ ଅତିବାହିତ ହେବାପରେ ବିବେକାନନ୍ଦଙ୍କ ମନରେ କାହିଁକ ସଂଶୟ ହେଲା । ସେ ଭାବିଲେ ବାପା କ’ଣ ପାଇଁ ଦୁଆର ବନ୍ଦ କରି ରହିଗଲେ । ମାନସିକ ଯନ୍ତ୍ରଣାରୁ ରକ୍ଷାପାଇବା ପାଇଁ ସେ ଏଭଳି କରିଥିବା ଯାହା ସମସ୍ତେ ବିଶ୍ଵାସ କରିଥିଲେ, ତା’ ଉପରେ ଆଉ ଅଧିକ ସମୟ ଆସ୍ଥା ରଖିପାରଲେ ନାହିଁ ।

 

ବହୁ ଡକାଡକି କରିବା ପରେ କବାଟ ଆଉ ଖୋଲିଲା ନାହିଁ, ଭାଙ୍ଗିବାକୁ ପଡ଼ିଲା । କିନ୍ତୁ ସେତେବେଳକୁ ଭାଗିରଥୀବାବୁ ଖଟରେ ନଥିଲେ, ପଙ୍ଖାରେ ଝୁଲୁଥିଲେ । ସମସ୍ତେ ବିସ୍ମିତ ହୋଇ ଚାହିଁ ରହିଥାନ୍ତି, ଅଥଚ କାହାରି ତୁଣ୍ଡରୁ କଥା ବାହାରୁ ନ ଥାଏ । ତାଙ୍କ ତକିଆ ଉପରୁ ଯେଉଁ ଛୋଟ କାଗଜ ଖଣ୍ଡିକ ମିଳିଥିଲା, ସେଥିରେ କ’ଣ ଲେଖାଥିଲା, ତା’ ଜାଣିବାର ଉପାୟ ବାହାର ଲୋକଙ୍କର ଆଦୌ ନଥିଲା ।

 

X X X

 

ଏ ଘଟଣା ପରେ ନନ୍ଦପୁରଗଡ଼ର ଲୋକେ ଅଠରଭାୟା ପୋଖରୀ ଓ ବାବୁଲା ବୋଉ କଥା ଆଉ ଆଲୋଚନା କରୁ ନାହାନ୍ତି । ତୃତୀୟ ଆଶ୍ଚର୍ଯ୍ୟ ଭାଗିରଥୀବାବୁ ଏବେ ମିଶରର ପିରାମିଡ଼ଠାରୁ ଆଶ୍ଚର୍ଯ୍ୟତମ ହେଉଛନ୍ତି ନନ୍ଦପୁରଗଡ଼ର ପ୍ରତିଟି ଜନମାନସରେ ।

Image

 

ମହାକାବ୍ୟର ନାୟିକା

 

ସୁଚରିତାଙ୍କୁ କିଏ ନିଦରୁ ଉଠାଇ ଦେଲାଭଳି ସେ ଧଡ଼ପଡ଼ ହୋଇ ବିଛଣାରେ ଉଠିବସିଲେ । ନିଦଭିଜା ଆଖିପତାକୁ ବାଁ ହାତରେ ମାଡ଼ିମକଚି ଅଳସଗୁଡ଼ାକ ଫିଙ୍ଗିଦେବାର ଉପକ୍ରମ କଲେ । ମୁଣ୍ଡଟା ତାଙ୍କର କାହିଁକି ଆଜି ଖୁବ୍ ଓଜନିଆ ଲାଗୁଛି । ବହୁ ଚେଷ୍ଟା କରି ସେ ଟିକଏ ଶୋଇପାରିନାହାନ୍ତି । ଟିକିଏ ଛାଇନିଦ ଲାଗି ଆସିଲା ବେଳକୁ ଯେତେ ସବୁ ଜଟିଳ ସମସ୍ୟା ଆସି ତାଙ୍କ ଆଗରେ ଉଭା ହେଲା । କ’ଣ ତାଙ୍କର ଏସବୁ ହୋଇଗଲା ! ସୁଚରିତା ଚାଦାରଟାକୁ ଦେହ ଉପରୁ କାଢ଼ି ଅଲଗା କରିଦେଲେ । ଝାଳରେ ତାଙ୍କ ଶରୀରଟା ସମ୍ପୂର୍ଣ୍ଣ ଭିଜିଯାଇଛି । ପୁଷ ରାତିରେ କଲିଜାଥରା ଶୀତରେ ସେ ଝାଳରେ ସୁଡ଼ୁବୁଡ଼ୁ ହୋଇ ଯାଇଛନ୍ତି । ଦେହର ଏଭଳି ଅସ୍ଵାଭବିକ ଉତ୍ତାପ ମାପିବାକୁ ଯାଇ ସେ ନିଦ ଭାଙ୍ଗିବା ପୂର୍ବରୁ କ’ଣ ସ୍ଵପ୍ନ ଦେଖୁଥିଲେ ମନେପକାଇବାକୁ ଚେଷ୍ଟା କଲେ । ସୁଚରିତା ଜାଣୁଥିଲେ ସ୍ଵପ୍ନକୁ ମନ ଭିତରେ ବାନ୍ଧି ରଖିବା ଅମଙ୍ଗଳ । କିନ୍ତୁ ସ୍ଵପ୍ନର ସଂଜ୍ଞା ତାଙ୍କ ନିକଟରେ ଥିଲା ପୃଥକ୍‌ । ଯାହା ବାସ୍ତବରେ ତାଙ୍କ ପାଇଁ ସମ୍ଭବ ହୋଇନି, ସେ ସ୍ୱପ୍ନରେ ପାଇଛନ୍ତି । ବଞ୍ଚିଛନ୍ତି କେବଳ ସେଇ ସ୍ଵପ୍ନକୁ ନେଇ । ହଜିବା ସ୍ୱପ୍ନକୁ ଖୋଜି ହୋଇଛନ୍ତି । ସ୍ଵପ୍ନ ଭାଙ୍ଗିଛି, ପୁଣି ଆସିଛି । ସବୁ ସ୍ଵପ୍ନ ସବୁ କଳ୍ପନାକୁ ନେଇ ତାଙ୍କ ବଞ୍ଚିବାର ମାନଦଣ୍ଡ କେବଳ ନିର୍ଦ୍ଧାରିତ ହୋଇଛି ।

 

ନିଦ ଭାଙ୍ଗିବା ପୂର୍ବରୁ ସୁଚରିତା ସ୍ଵପ୍ନ ଦେଖୁଥିଲେ ତାରାଶଙ୍କରକୁ । ଚିଠି ଲେଖିଛି, ସରକାରୀ ଗସ୍ତରେ ସେ ଆସୁଛି ସୁଚରିତାର ସହରକୁ । ଏମିତି ଝଡ଼ ଭଳି ଆସିବା ଯିବାରେ କ’ଣ ବା ଲାଭ ଥାଏ ! ଆଖି ପୂରାଇ ଦେଖି ହୁଏନି, ମନଖୋଲି କଥା ହେବା ତ ଦୂରର କଥା । ସୁଚରିତା ଭାବିଲେ, ତାରାଶଙ୍କର ତାଙ୍କ ଜୀବନରେ ପ୍ରଥମେ ଝଡ଼ଭଳି ଆର୍ବିଭାବ ହୋଇଥିଲେ । ହେଲେ ତା’ର ଟିକଏ ହେଲେ ପରିବର୍ତ୍ତନ ଏଯାଏଁ ହେଲା ନାହିଁ । ଚବିଶ ବର୍ଷର ସମ୍ପର୍କ ଝଡ଼ ବତାସର ଆକସ୍ମିକ ଘଟଣାବଳୀ ଭଳି ତାଙ୍କ ଜୀବନୀରେ ଲିପିବଦ୍ଧ ହେଲା ।

 

ଏଥର ଅନେକ ଦିନର ବ୍ୟବଧାନ ପରେ ତାରାଶଙ୍କର ଆସୁଛି । ପ୍ରାୟ ଛଅ କି ସାତବର୍ଷ ହେବ । ପ୍ରତିରକ୍ଷା ବିଭାଗ ଛାଡ଼ିବା ପରେ ଏଇ ତା’ର ପ୍ରଥମ ଆସିବା । ସମ୍ପର୍କକୁ ଏମିତି ଆଉ କେତେଦିନ ଉଦ୍‌ଜୀବିତ ରଖାଯଇପାରେ ! ତାରାଶଙ୍କର ଲେଖିଛି, ମୋତେ ଆଗଭଳି ଗ୍ରହଣ କରିବ ବୋଲି ଆଶାରଖି ଯାଉଛି । ସୁଚରିତା ହସିଲେ । କେଡ଼େ ଭୁଲ କଥା ସତରେ ସେ ଲେଖିପାରିଲା । ତା’ପାଖେ ପୂର୍ବ ପରର ତଫାତ୍‌ ବା କ’ଣ ଅଛି ! ସେ ତା’ ନିଷିଦ୍ଧାଞ୍ଚଳରେ ଯେଉଁ ସ୍ଥାନ ଟିକକ ସମର୍ପଣ କରିଥିଲା ତା’ ତ ଏ ଯାବତ୍‌ ତାରାଶଙ୍କର ପାଇଁ ସୁରକ୍ଷିତ ରହିଛି । ତେଣୁ ଏ ଆଶଙ୍କା ତା’ର କ’ଣ ପାଇଁ ?

 

ସୁଚରିତା ଘଡ଼ି ଦେଖିଲେ, ତିନିଟା ବାଜି ଷୋଳ ମିନିଟ୍‌ । ଟିକିଏ ଚଞ୍ଚଳ ହୋଇପଡ଼ିଲେ-। ଝର୍କା ଖୋଲି ବାହାରକୁ ଚାହିଁଲେ । ପୌଷ ପୂର୍ଣ୍ଣିମାର ଜ୍ୟୋତ୍ସ୍ନା ରାତିରେ ସମଗ୍ର ପୃଥିବୀ ଘୁମେଇ ପଡ଼ିଛି ।

 

ସୁଚାରିତା କବାଟ ଖୋଲି ବାହାରକୁ ଆସିଲେ । ବଗିଚାର ଅଧା ଛାଇ ଅଧା ଆଲୁଅରେ ଗୁଣୁ ଗୁଣୁ ହୋଇ ବୁଲିବାକୁ ଲାଗିଲେ । କଅଁଳ ଜହ୍ନ ଆଲୁଅରେ କେତେ ସନ୍ଧ୍ୟା ତାଙ୍କର ଏଇ ଅଶୋକ ଗଛମୂଳେ ନ କଟିଛି ! ସେଇ ସ୍ମୃତି ବିଜଡ଼ିତ ସନ୍ଧ୍ୟାର ପ୍ରତିଟି ଆବେଗପୂର୍ଣ୍ଣ ମୁହୂର୍ତ୍ତ ସୁଚରିତାଙ୍କୁ ଆନ୍ଦୋଳିତ କଲା । ଷୋଳ-ସତର ବର୍ଷର କୁଆଁରୀ କନ୍ୟାଟିଏ ଭଳି ଅଶୋକ ଡାଳରେ ଦୋଳି ଖେଳିବାକୁ ତାଙ୍କର ଇଚ୍ଛା ହେଲା । ଇଚ୍ଛା ହେଉଥିଲା ହସି ହସି ଧୂଳିରେ ଗଡ଼ିଯିବେ । କିନ୍ତୁ ତାଙ୍କ ଶରୀରରେ ଆଉ ଆଗଭଳି ଉଡ଼ନ୍ତା ଚଢ଼େଇର ବଳ ନାହିଁ । ମେଦ-ମାଂସରେ ଭରିଗଲାଣି ଶରୀର । ମଣିଷର ଏମିତି ପରିବର୍ତ୍ତନ କ’ଣ ସତରେ ହୁଏ ?

 

କାଲି ଭଳି ତାଙ୍କର ମନେପଡ଼ୁଛି; ତାରାଶଙ୍କର ସେତେବେଳେ ନୂଆ କରି ଅଧ୍ୟାପକ ଭାବେ ଜଏନ୍‌ କରିଥାନ୍ତି । ଟିକି ଅପାର ଦୂର ସମ୍ପର୍କୀୟ ଭଣଜା । ଖରା ଛୁଟିରେ ସୁଚାରିତା ପୁରୀ ବୁଲିଯାଇଥଲେ, ସେଇଠି ପ୍ରଥମ ପରିଚୟ ହେଲା । ତା’ପରେ କେତେ ସମୁଦ୍ର ସ୍ନାନ, ସୂର୍ଯ୍ୟସ୍ନାନ ହୋଇଛି ତା’ର କଳନା ନାହଁ । କି ଅଶୁଭ ମୁହୂର୍ତ୍ତରେ ସେ ତାରାଶଙ୍କରକୁ ସେଦିନ ଭେଟିଥିଲେ କେଜାଣି, ସେଇ ପ୍ରଥମ ସାକ୍ଷାତ ପରଠୁ ତାଙ୍କର ଦୁର୍ବଳତା ବଢ଼ିଚାଲିଲା, ଯେଉଁଥିପାଇଁ ଆଜି ଭୀଷଣ ଥଣ୍ଡା ରାତିରେ ସେ ଝାଳରେ ବୁଡ଼ିଯାଇଛନ୍ତି, ଅହେତୁକ ଉତ୍ତେଜନାରେ । ତାରାଶଙ୍କରଠାରେ କି ଆକର୍ଷଣ ଥିଲା କେଜାଣି ସୁଚରିତା ନିଜକୁ ଏକତରଫା ଭାବେ ସମର୍ପଣ କରି ବସିଲେ ।

 

ଦୀର୍ଘ ଚାରିବର୍ଷର ସମ୍ପର୍କ ଦୋହଲିଗଲା ଯେଉଁଦିନ ତାରାଶଙ୍କର ପ୍ରତିରକ୍ଷା ବିଭାଗରେ ନିଯୁକ୍ତି ପାଇଲେ । ସବୁରି ଉପସ୍ଥିତିରେ ତାରାଶଙ୍କରଙ୍କୁ ଜୟମାଲ୍ୟ ପିନ୍ଧାଇ ଦେଲେ ଓ ବିଜୟ ଟୀକା ଆଙ୍କିଦେଲେ ସୁଚରିତା, ମନରେ ଅସଂଖ୍ୟ କୋହକୁ ଚାପିଧରି । ସୁଚରିତାଙ୍କ ମନରେ ଏକ ଅଜଣା ଆଶଙ୍କା ବସା ବାନ୍ଧୁଥିଲେ ବି ତାଙ୍କ ଗର୍ବର ସୀମା ନଥିଲା । ସେ ଭାବୁଥିଲେ ତାରାଶଙ୍କର କେବଳ କବି, ଜିନିୟସ ନୁହଁନ୍ତି, ଦୁଃସାହସୀ ମଧ୍ୟ । କିନ୍ତୁ ଯେଉଁଦିନ ତାଙ୍କ ପାଇଁ ଅନ୍ୟ ଏକ ବିବାହ ପ୍ରସ୍ତାବ ଆଗତ କରାଗଲା, ତାଙ୍କର ବିସ୍ମୟର ସୀମା ରହିଲା ନାହିଁ । ପରିବାରର ଜଣେ ହେଲେ କେହି ତାରାଶଙ୍କରଙ୍କ ପ୍ରଶ୍ନ ଉତ୍‌ଥାପନ କଲେନି । ତାଙ୍କର ମନେହେଲା, ତାରାଶଙ୍କର ନାମକ କେହି ବ୍ୟକ୍ତଥିବାର ସେମାନେ ଯେପରି ଜାଣନ୍ତି ନାହିଁ ।

 

ସୁଚରିତାଙ୍କର ତାରାଶଙ୍କରଙ୍କ ସହିତ ବିବାହ ସମ୍ଭବ ହେଲାନି । ପରିବାରର ପ୍ରତ୍ୟେକ ବ୍ୟକ୍ତି ଆପତ୍ତି ଉଠାଇଲେ ସେନାବାହିନୀରେ ଚାକିରି କରୁଥିବାରୁ ସେ ତାରାଶଙ୍କର ହାତରେ ଝିଅଟିଏ ଟେକି ଦେବେନି । ସୁଚରିତା ପରାସ୍ତ ହେଲେ । ପରାଜୟ ଗ୍ଳାନିର ପ୍ରତିଶୋଧ ନେଲେ ଗୋଟିକ ପରେ ଗୋଟିଏ ପ୍ରସ୍ତାବ ନାକଚ କରି ।

 

ସୁଚରିତାଙ୍କ ପ୍ରତି ପରିସ୍ଥିତ ଅନୁକୂଳ ନଥୁଲା । ଚିଠିପତ୍ର ଆଦାନ ପ୍ରଦାନ, ଦେଖା ସାକ୍ଷାତର ପଥରୁଦ୍ଧ ହେଲା । ପ୍ରବଳ ପ୍ରତିବାଦର ସେ ସମ୍ମୁଖୀନ ହେଲେ । ତେଣୁ ଅସହାୟା ସୁଚରିତା ପଢ଼ା ଛାଡ଼ି ଚାକିରି କଲେ । ତାଙ୍କର ଶେଷ ସିଦ୍ଧାନ୍ତ ସେ ବିବାହ କରିବେନି । ତାଙ୍କର ଶୂନ୍ୟ ପଞ୍ଜୁରୀ ତାରାଶଙ୍କରଙ୍କ ପାଇଁ ବିଳପି ଉଠିଲା । ତାଙ୍କ ଭଲ ପାଇବା ରୂପ ନେଲା ଏକ ଅଖଣ୍ଡ ଜ୍ୟୋତିରେ ।

 

ତାରାଶଙ୍କର ଏତେବଡ଼ ଦୁର୍ଘଟଣା ଘଟିବ ବୋଲି ଜାଣିନଥିଲେ । ତାଙ୍କ ତରଫରୁ ଆଗତ ପ୍ରସ୍ତାବ ସହଜରେ ପ୍ରତ୍ୟାଖାନ ହେଲା । ଅପମାନିତ ହେଲେ ତାଙ୍କ ଅଭିଭାବକମାନେ । ଯୋଗ ସୂତ୍ର ବିଚ୍ଛିନ୍ନ ତାରାଶଙ୍କର ଧାଇଁ ଆସିଥିଲେ ଏମିତି ଏକ ଶୀତ ଭିଜା ରାତିରେ । ସୁଚରିତାଙ୍କର ମନେପଡ଼ୁଛି, ସେଦିନ ତାଙ୍କର ନିଦ କାହିଁକି ଭାଙ୍ଗି ଯାଇଥାଏ । ଖଟ ଉପରେ ଶୋଇ ଶେଷ ରାତ୍ରିର କୁଆଁ ତାରାଟିଏ ସେ ଦେଖୁଥାନ୍ତି । ପେନ୍ଥାଏ ଅଶୋକଫୁଲ ହାତରେ ଧରି ଝର୍କା ପାଖରେ ଆବିର୍ଭାବ ହେଲେ ତାରାଶଙ୍କର । ସୁଚରିତା ନିଜକୁ ବିଶ୍ଵାସ କରି ପାରିଲେ ନାହିଁ, ତାଙ୍କ ସ୍ୱପ୍ନର ରାଜକୁମାର ତାଙ୍କୁ ଅଗନାଗ୍ନି ବନସ୍ତରୁ ଉଦ୍ଧାର କରିବାକୁ ଆସିଛି । ତାଙ୍କ ମନମନ୍ଦିରର ଦେବତା ଅବତାର ଗ୍ରହଣ କରିଛି ! ସୁଚରିତାଙ୍କର ଲୋମ ଟାଙ୍କୁରି ଉଠିଲା । ସତରେ କି ଉତ୍ତେଜନାପୂର୍ଣ୍ଣ ନଥିଲା ସେ ସାକ୍ଷାତ ! ତାରାଶଙ୍କରଙ୍କୁ ରାତି ପାହିବା ପୂର୍ବରୁ ଫେରାଇ ଦେଲେ ସୁଚରିତା । ତମ ଅପମାନ ମୁଁ ସହ୍ୟ କରିପାରିବି ନାହିଁ । ତମେ କାହାରିକୁ ଦେଖା କରନି, ଫେରିଯାଅ । ସୁଚରିତା ସେଦିନ ତାଙ୍କ ଜୀବନରେ ଦ୍ୱିତୀୟଥର ପାଇଁ ଭୁଲ କଲେ; ସିଧାସିଧି ମନା କରିଦେଲେ, ସେ ତାରାଶଙ୍କର ସହିତ ଫେରାର ହୋଇ ପାରିବେ ନାହିଁ କି ତାଙ୍କ ବଂଶ ମର୍ଯ୍ୟାଦାକୁ ଜଳାଞ୍ଜଳି ଦେଇ ପାରିବେ ନାହିଁ ।

 

ସୁଚରିତା ଏବେ ବି ତାରାଶଙ୍କରଙ୍କ ବଜ୍ର କଠିଣ ବାହୁବନ୍ଧନର ଉଷ୍ଣତା ଅନୁଭବ କରନ୍ତି-। ଶିହରଣ ଅନୁଭବ କରନ୍ତି, ଅଙ୍ଗ-ପ୍ରତ୍ୟଙ୍ଗର ନିଷିଦ୍ଧାଞ୍ଚଳରେ । ଉଲ୍ଲସିତ ହୁଅନ୍ତି ମନେ ମନେ । ପୁଲକିତ ହୁଅନ୍ତି ନିରୋଳା, ନିଛାଟିଆ ମୁହୂର୍ତ୍ତରେ ।

 

ତାରାଶଙ୍କର ସେଦିନ ଅଣଲେଉଟା ରଥରେ ଫେରିଗଲେ । ସୁଚରିତା ଯେଉଁଦିନ ତାଙ୍କଠୁ ନିମନ୍ତ୍ରଣ କାର୍ଡ଼ଟି ପାଇଥିଲେ ସେଦିନ ତାଙ୍କ କଳ୍ପନାର ସେତୁବନ୍ଧ ଭାଙ୍ଗିଯାଇଥିଲା । ତାଙ୍କର ମନେପଡ଼ିଥିଲା କାଳୀମନ୍ଦିର ପୂଜକର ଅଲୋଡ଼ା ଆଶୀର୍ବାଦ । ସୁଚରିତା ଭାବିଲେ ସେ ପୂଜକ ଯଦି ତାଙ୍କ ପାଇଁ ଶଙ୍କରାଚାର୍ଯ୍ୟ ହୋଇଥାନ୍ତେ ତା’ହେଲେ..... ।

 

ବର୍ଷଟିଏ ମାତ୍ର ଅତିବାହିତ ହୋଇନି । ଅଭିଶାପଗ୍ରସ୍ତ ପରିବାରର ଜଣ ଜଣ କରି ଡାକିହାକି ବିଦାୟ ନେଲେ ମାତ୍ର କେତୋଟି ଦିନର ବ୍ୟବଧାନରେ । ସୁଚରିତା ନିଭୃତରେ ଗୁମୁରି ଉଠିଲେ । ମୁଣ୍ଡଉପରେ ସବୁ ଜଞ୍ଜାଳ ଉଠାଇ ତାଙ୍କୁ ଆଗେଇବାକୁ ହେଲା । ଚତୁର୍ଦ୍ଦିଗ ତାଙ୍କୁ ଦେଖାଗଲା ଶୂନ୍ୟ ଶୂନ୍ୟ ମହାଶୂନ୍ୟ । ସୁଚରିତା ଆଶାକରି ନଥିଲେ ତାରାଶଙ୍କର ପୁଣି ଦେବଦୂତ ସଦୃଶ ଆସି ଦେଖାଦେବେ । ସହଯୋଗର ହାତ ବଢ଼ାଇ ଦେବେ ସୁଚରିତାଙ୍କ ଉଦ୍ଦେଶ୍ୟରେ । ସୁଚରିତା ଛାଏଁ ଛାଏଁ ସମର୍ଥ ପୁରୁଷ ତାରାଶଙ୍କରଙ୍କର ନିକଟବର୍ତ୍ତୀ ହେଲେ । ପୁନର୍ଜୀବିତ ହେଲା ତାଙ୍କର ବିଗତ ସମ୍ପର୍କ । ଅତୀତର ସେଇ ପ୍ରୌଢ଼ା ଅଶୋକ ଗଛଟି ଏବେ ବି ଫୁଲ ଭାରରେ ବେଳେ ବେଳେ ମତୁଆଲା ହେଉଛି । ହେଲେ ସୁଚରିତାଙ୍କର ଏ କ’ଣ ହେଲା ? ତାଙ୍କ ଜୀବନ ସବୁଦିନ ପାଇଁ ନିଃସଙ୍ଗ ରହିଗଲା । ତାରାଶଙ୍କର ଆସିବେ, ଯିବେ; କ’ଣ ବା ମିଳେ ଏମିତି ତାଙ୍କ ଆସିବା ଯିବାରେ ! ଏମିତି ଯେତେଥର ସେ ତାଙ୍କ ପରିଧି ଭିତରକୁ ଆସିଛନ୍ତି, ଖାଲି ଜାଳିପୋଡ଼ି ହେଇଯାଇଛନ୍ତି ।

 

ଚାଲ ଚାଲ ହୋଇ ସୁଚରିତା ଘର ଭିତରେ ପଶିଲେ । ପଲଙ୍କର ସାଇଡ୍‍ ମିରରରେ ନିଜକୁ ଦେଖିଲେ । ଏଇ ସେ ବିରହିଣୀ ସୁଚରିତା, ଚିରକୁମାରୀ ସୁଚରିତା ! ଏଇ ମିରରରେ ସେ ନିଜକୁ କେତେଥର ଗୋପନରେ ଦେଖିନାହାନ୍ତି ! କୁଆଡ଼େ ଗଲା ସେ ଉଛୁଳା ଯୌବନ, ସେ ରଙ୍ଗ, ଅଙ୍ଗ ସୌଷ୍ଠବ !! ଉତ୍ତୀର୍ଣ୍ଣ ବୟସରେ ସେ ପାଦ ରଖିଛନ୍ତି ଅନେକ ଦିନୁ । ଶରୀରରେ ଆଗର ସେ ଆକର୍ଷଣ ନାହିଁ, ଚମକ ନାହିଁ, ସାବଲୀଳତା ନାହିଁ । ଖାଲି ମାଂସ, ଚର୍ବି ବଢ଼ିଛି ଓ ତହିଁରେ ଭରିରହିଛି ଖାଲି ବ୍ୟଥା ଓ ବ୍ୟଞ୍ଜନା । ମନଚାହିଁଛି ଗୋଟାଏ ବଳିଷ୍ଠ ବାହୁବନ୍ଧନ । କିନ୍ତୁ ସେ ନିଜକୁ ବହୁବାର ପ୍ରଶ୍ନ କରି ଉତ୍ତର ପାଇନାହାନ୍ତି–ସେ କ’ଣ ଏକାନ୍ତ ଭାବେ ଆଉ କାହାର ହୋଇପାରିବେ ନାହିଁ ? ହୁଏତ ପାରିଥାନ୍ତେ । କିନ୍ତୁ ତାଙ୍କର ସବୁ ପ୍ରଶ୍ନର ଉତ୍ତର ହୋଇଛନ୍ତି ତାରାଶଙ୍କର । ସବୁ ସମସ୍ୟାର ମଝିରେ ପାଇଛନ୍ତି ତାକୁଇ । ନିଜକୁ ଅକ୍ତିଆରରେ ରଖି ପାରିନାହାନ୍ତି । କ’ଣ ମିଳିଲା ତାଙ୍କୁ ଏସବୁରୁ ! ସାମାନ୍ୟ ଅଧିକାର ଟିକିଏ ବି ସାବ୍ୟସ୍ତ କରି ପାରିଲେ ନାହିଁ । ତାରାଶଙ୍କର ପାଇଁ କେତେ କାହାର ସେ ଚକ୍ଷୁଶୂଳ ହୋଇନାହାନ୍ତି । କେତେ ସମାଲୋଚନା ବ୍ୟଙ୍ଗ-ବିଦ୍ରୂପର ଶିକାର ହେବାକୁ ନ ପଡ଼ିଛି ! କିନ୍ତୁ ସେ କେଉଁଥିରେ ଭାଙ୍ଗିପଡ଼ି ନାହାନ୍ତି । ନିଜକୁ କଠୋର କରିଛନ୍ତି । ତେଣୁ ତାଙ୍କୁ ଓ ତାରାଶଙ୍କରଙ୍କୁ ନେଇ ସଙ୍ଗଠିତ ଗୁଜବ ଓ ଅପପ୍ରଚାରକୁ ଭ୍ରୂକ୍ଷେପ କରିନାହାନ୍ତି; ବରଂ ସେ ସବୁ ତାଙ୍କୁ ଅଧିକ ଅହଂକାରୀ କରିଛି ।

 

ଦୁନିଆଯାକର ନିନ୍ଦା, ଅପବାଦ ଭିତରେ ସୁଚରିତା ପ୍ରମୋସନ ପାଇଛନ୍ତି, ପ୍ରଶଂସିତ ହୋଇଛନ୍ତି । ହେଲେ ଅଭାବ ଥିଲା ଗୋଟିଏ କଥାର । ସବୁ ଅନର୍ଥର ମୂଳ ତାରାଶଙ୍କରକୁ ସେ ବାନ୍ଧି ରଖିପାରିଲେ ନାହିଁ । ତଥାପି ତାଙ୍କର ସମର୍ଥନ ତାଙ୍କ ପାଇଁ ଥିଲା ଏକମାତ୍ର ସାନ୍ତ୍ୱନା ।

 

ମେଲ୍‌ ବୋଧେ ଷ୍ଟେସନ ଧରିଲା । ତାଙ୍କ ଜୀବନ ଭଳି ଫସର ଫାଟି ଆସୁଥିବା ରାତ୍ରିର ଗର୍ଭ ଚିରି ଭାସି ଆସିଲା ଡିଜେଲ ଇଞ୍ଜିନିର ବଜ୍ର ନିନାଦ । ସୁଚରିତାଙ୍କ ଛାତି ଭିତରଟା କ’ଣ ହୋଇଗଲା ! ସେ ଆଇନା ସାମନାରେ ଠିଆ ହୋଇ କପାଳ ଉପରକୁ ଝୁଲିପଡ଼ିଥିବା ଚୂର୍ଣ୍ଣ କୁନ୍ତଳ କେତୋଟି ସଜାଡ଼ି ନେଲେ । ଆଖିପତା ତଳେ ଗାଢ଼ କଳା ଦାଗଟା ତାଙ୍କୁ କିମିତି ଅଡ଼ୁଆ ଅଡ଼ୁଆ ଲାଗିଲା । ଅଧରୋଷ୍ଠର ଲାଲିମା କୁଆଡ଼େ ଉଭେଇ ଗଲାଣି । ପଦ୍ମ କୋରକ ସଦୃଶ ବକ୍ଷୋଜ ଦୁଇଟି ବୃହତ୍ତାକାର ହୋଇ ସ୍ଥାନ ପରିବର୍ତ୍ତନ କଲେଣି ଅନେକ ଦିନୁ । ହନୁ ହାଡ଼ ଦିଇଟା ବହଳ ମାଂସ ଭିତରେ ଲୁଚିଯାଇଥିଲେ ବି ଆଗ ଭଳି ଆଉ ମସୃଣତା ନାହିଁ ସେଥିରେ । କେତେବେଳେ କ’ଣ ଏସବୁ ହୋଇଗଲା ସୁଚରିତା ମନେପକାଇ ପାରୁ ନ ଥିଲେ । ତାରାଶଙ୍କର ଉପରେ ତାଙ୍କର ଭୀଷଣ କ୍ରୋଧ ହେଲା । ସବୁ ଦୁଷ୍ଟାମି ତା’ରି । କ’ଣ ବା ଆଉ ଏ ଦେହରେ ରଖିଛି ! ଦୁନିଆ ତ କହୁଛି ମୁଁ ତାରାଶଙ୍କର ସହିତ ଅବୈଧ ସମ୍ପର୍କ ରଖିଛି, ଅତ୍ୟଧିକ ମିଳାମିଶା କରି ନିଜର ସ୍ଥିତି ଭୁଲିଯାଉଛି । କୁହନ୍ତୁ; କାହା କହିବାରେ ତାଙ୍କର କ’ଣ ଯାଏ ଆସେ ! ତାରାଶଙ୍କର ସହିତ ନିଜ ନାଆଁଟା ଯୋଡ଼ିଦେଲା ବେଳେ ସେ କାହିଁକି ଏତେ ଉତ୍‌ଫୁଲ୍ଲ ହୋଇପଡ଼ନ୍ତି ଯେ ! ଭାଙ୍ଗି ଯାଉ ପଛେ ଦେହଟା । ମନ ତ ଅଭଙ୍ଗା ଅଛି । କୁହନ୍ତୁ ପଛେ ମୁଁ ତାରାଶଙ୍କରର.... ।

 

ସୁଚରିତା ଭାବିଲେ, ତାରାଶଙ୍କର ଏଥର ବଡ଼ ଡେରି କରିଦେଲେ, ଇଂଲିଶ ଫିଲ୍‌ମର ଲମ୍ବା ଇଣ୍ଟରଭାଲ ପରି । ଗତ ଥରର ଅଭିମାନ ଭାଙ୍ଗିବାକୁ କ’ଣ ଏତେ ସମୟ ଲାଗିଲା । କ’ଣ ଯେ ଲୋକଟାର ମଝିରେ ମଝିରେ ଏମିତି ହୋଇଯାଏ ! ସବୁ ଚାଲିଥିବ, ହଠାତ୍ ଦେଖିବ ଗୋଟାଏ ସାମାନ୍ୟ କଥାକୁ ନେଇ କ’ଣ ନା କ’ଣ କରି ବସିଛି । ତା’ ନ ହେଲେ ସଫଳତାର ଦଶନ୍ଧି ବିତାଇବା ପରେ ପୁଣି..... ।

 

ସୁଚରିତା ଗତଥର ଟିକିଏ ଅଧିକ ଭାବପ୍ରବଣ ହୋଇପଡ଼ିଥିଲେ । ସାମାନ୍ୟ କଠୋର ହେବାକୁ ଯାଇଁ କେତେ ଟାଣ କଥା ସତରେ କହି ନାହାନ୍ତି ସେ ! ତାରାଶଙ୍କର କିନ୍ତୁ ସେ କଥାର ଅର୍ଥ ବୁଝିପାରିଲେ ନାହିଁ । ପ୍ରୟୋଜନ ଅପେକ୍ଷା ଅଧିକ ଆଘାତ ପାଇଲେ । ଅଡ଼ି ବସିଲେ ନିଜ ଯୁକ୍ତିରେ । ସୁଚରିତାଙ୍କୁ ସେଥିପାଇଁ କମ୍ ମୂଲ୍ୟ ଦେବାକୁ ପଡ଼ିଲା ନାହିଁ । ଦୀର୍ଘ ଦିନ ମାନସିକ ଯନ୍ତ୍ରଣାରେ ସଢ଼ିଲେ, ତେବେ ଯାଇଁ ତାରାଶଙ୍କରଙ୍କ ଧ୍ୟାନ ଭାଙ୍ଗିଲା । ତାରାଶଙ୍କର ତେଣୁ ଲେଖିଛନ୍ତି, ତମର ସୁରକ୍ଷା ଦରକାର ନା ସୁଚରିତା ! ମୁଁ ଏବେ ପ୍ରସ୍ତୁତ ହୋଇଯାଉଛି । ତମରି ପାଖେ ପାଖେ ରହିବି ଖାଲି ଏ ଜନ୍ମର ଅବଶିଷ୍ଟ ସମୟ ନୁହେଁ, ଜନ୍ମ ଜନ୍ମାନ୍ତରରେ ।

 

ସୁଚରିତା ଶୁଣିପାରିଲେ, ସଦର ରାସ୍ତାରେ ଷ୍ଟେସନରୁ ଯାତ୍ରୀ ନେଇ ଫେରୁଥିବା ବେଗଗାମୀ ରିକ୍‌ସା ଚାଳକର ସତର୍କ ଘଣ୍ଟି । ତାଙ୍କ ଛାତିଟା ଦମ୍ ଦମ୍ ହୋଇ ପଡ଼ିଲା ଉଠିଲା । ସେ ଜାଣିପାରିଲେ ନାହିଁ ଚବିଶ ବର୍ଷ ପରେ କ’ଣ ପାଇଁ ତାଙ୍କୁ ଏ ଦୁର୍ବଳତା ପୁଣି ଗ୍ରାସ କରୁଛି । ସେ ଯେତେବେଳେ ନାରୀ-ପୁରୁଷ ସମ୍ପର୍କ ନେଇ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିଲେ, ସେତେବେଳେ ଯାହା ଥିଲେ ବର୍ତ୍ତମାନ ତା’ର ଟିକିଏ ହେଲେ ବ୍ୟତିକ୍ରମ ନାହିଁ । ଉତ୍ତୀର୍ଣ୍ଣ ଯୌବନରେ ସେ ଯେଉଁ ଉଷ୍ମତା ଅନୁଭବ କରୁଛନ୍ତି ସେଇ ଉତ୍ତେଜନାରେ ସେ ଥରୁଥିଲେ ପ୍ରଥମ ଯୌବନରେ ।

 

ପ୍ରେମ କରିବା, ବାହା ହେବା ତାଙ୍କ ପାଇଁ ଯେତେବେଳେ ସମ୍ପୂର୍ଣ୍ଣ ଦୁର୍ବୋଧ୍ୟ ଥିଲା, ସେତେବେଳେ ସେ ତାଙ୍କୁ ଖାଲି ଗ୍ରହଣ କରି ନ ଥିଲେ । ବରଂ ସର୍ବୋଚ୍ଚ ଆସନରେ ଅଧିଷ୍ଠିତ କରାଇଥିଲେ । ଏତେ ବର୍ଷ ପରେ ବି ତାଙ୍କର ପରିବର୍ତ୍ତନ ହେଲା ନାହିଁ । ନିଜ ଦେହ ଉପରେ କେତେ ଅତ୍ୟାଚାର କରି ସେ ମନ ଉପରେ କର୍ତ୍ତୃତ୍ୱ ଜାହିର ନ କଲେ; କିନ୍ତୁ ବୁଝିପାରିଲେ ନାହିଁ ନିଜକୁ ତାରାଶଙ୍କର ଉଦ୍ଦେଶ୍ୟରେ ସମର୍ପଣ କରିବାର ପ୍ରତିଦାନ ସ୍ୱରୂପ କ’ଣ ପାଇଲେ ? ଜଣ ଜଣ ହୋଇ ସମସ୍ତେ ତାଙ୍କୁ ଛାଡ଼ି ଗଲେ, ଯେଉଁମାନେ ତାଙ୍କର ଥିଲେ ପାର୍ଶ୍ୱଦେବତା–ଅଥଚ ସେ ପଡ଼ିରହିଲେ ତୁଠ ପଥର ଭଳି, ଜଣକର ସ୍ନେହ-ମମତାର କୃପା ପାତ୍ରୀ ହୋଇ ନିଭୃତ, ସଂଗୋପନରେ ।

 

ସେଇଥିପାଇଁ ସୁଚରିତା ଗତଥର ତାରାଶଙ୍କରଙ୍କୁ କହିଥିଲେ, ତମେ ତ ସବୁବେଳେ ପିଲାଙ୍କ ଭଳି ହେଉଛ–ଏବେ ମୋ କଥା କ’ଣ ହେବ । ମୋର ତ ସମୟ ସରି ଆସୁଛି, ଆଉ ବର୍ଷ କେତେଟା ପରେ ଚାକିରି ଯିବ; ହାତ ଗୋଡ଼ ଯେତେବେଳେ ରହିଯିବ–ସେତେବେଳେ ? ତମ ପିଲାଏ ତ ପାରିଗଲେଣି, ତମେ ଏଣିକି ଆସି ଏଇଠି ରୁହ; ଲୋକେ ତ ଆଉ ସନ୍ଦେହ କରିବେ ନାହିଁ ଯେ, ତମ ମୋ ଭିତରେ କିଛି ଗୋଟିଏ.... । କଥାରେ ବାଧା ଦେଇଥିଲେ ତାରାଶଙ୍କର । କହିଲେ, ତମର ଏସବୁ ଚିନ୍ତା କରିବାର ପ୍ରୟୋଜନ ନାହିଁ । ମୁଁ ବୁଝୁଛି ତମ ପାଇଁ ଏବେ ସଂରକ୍ଷଣ ଲୋଡ଼ା–ତମେ ନିଜ ଉପରେ ଏମିତି ଆସ୍ଥା ହରାଇ ବସୁଛ କାହିଁକି, ମୁଁ ବୁଝିପାରୁନାହିଁ । ମୁଁ ତ ଏବେ ବି ତମର ହୋଇ ରହିଛି ! ସୁଚରିତାଙ୍କର ସେଇ ପୁରୁଣା ସଂଳାପ । ମୁଁ ଜୀବନଟାରୁ କ’ଣ ପାଇଲି ? ଖାଲି ନିଶୂନ ଅନ୍ଧାର ଘରେ ଖୋଜି ହେଲି ସିନା ! ତମେ ନିଃସଙ୍ଗ ଜୀବନର ବିଳାପ ବୁଝିପାରିବନି ତାରାଶଙ୍କର ! କଦମ୍ବର ବେଣୁ ସ୍ଵନ କେବଳ ବୃଷଭାନୁ ଜେମାଙ୍କୁ ଦହନ କରୁଥିଲା, କଳାକାହ୍ନୁକୁ ନୁହେଁ । ତମେ ସ୍ଵାର୍ଥପର ହୁଅନା । ତମେ ସବୁ ପାଇଛ । ଜୀବନକୁ ଉପଭୋଗ କରିଛ-। ସମାଜରେ ସ୍ୱୀକୃତି ପାଇଛ–ଆଦର୍ଶ କର୍ତ୍ତାଭାବେ ତମର ପଟାନ୍ତର ନାହିଁ । ତମ ଭଲ ପାଇବାର ଯତ୍‌କିଞ୍ଚିତ ପୁଷ୍ପରେଣୁ ମୋତେ ଦିଅ । ସେତିକି ହେଉ ମୋ ଜୀବନର ସମ୍ବଳ ।

 

ତାରାଶଙ୍କର ଭୁଲବୁଝିଲେ, ସୁଚରିତା ଈର୍ଷା କରୁଛନ୍ତି । କିନ୍ତୁ ସୁଚରିତା ହିଂସା କରିବେ କ’ଣ ପାଇଁ ! ତାରାଶଙ୍କରଙ୍କ ସବୁ ବୈଭବ ଗୌରବ କ’ଣ ତାଙ୍କର ନୁହେଁ ? ସେ ଯଦି ପ୍ରକୃତରେ ଈର୍ଷାନ୍ୱିତ ହୋଇଥାନ୍ତେ ତା’ହେଲେ ତାରାଶଙ୍କର ଜୀବନର ଅଧା ରାସ୍ତାରେ ଅଟକି ଯାଇଥାନ୍ତେ । ତେଣୁ ସୁଚରିତା ଭାବିନେଇଛନ୍ତି, ହାତୀ ବନସ୍ତରେ ଥିଲେ ରାଜାଙ୍କର । ତାରାଶଙ୍କରଙ୍କ ଉପରେ ତାଙ୍କର ନୈତିକ ଅଧିକାର ହୁଏତ ନ ଥାଇପାରେ, ମାନବିକ ଅଧିକାର ତ ରହିଛି !

 

ସୁଚରିତା ଆଜି ଜୀବନର ମୂଲ୍ୟବୋଧ ବୁଝିବା ପାଇଁ ବ୍ୟାକୁଳ ନୁହଁନ୍ତି । ସମ୍ପର୍କର ଶବ ବ୍ୟବଚ୍ଛେଦ ତାଙ୍କ ନିକଟରେ ଅର୍ଥହୀନ । ତାରାଶଙ୍କରଙ୍କ ପ୍ରତ୍ୟାକ୍ଷିତ ସ୍ଵାମୀତ୍ୱ ସେ ଫେରିପାଇବାକୁ ଆଗ୍ରହୀ ନୁହଁନ୍ତି–ଶରୀରର ପ୍ରୟୋଜନ କଥା ସେ ଭୁଲି ସାରିଛନ୍ତି । କ୍ଷତ-ବିକ୍ଷତ ହେବାର ଲାଳସା ତାଙ୍କର ନିର୍ବାପିତ ହୋଇଛି । ତେଣୁ ପ୍ରୟୋଜନ କେବଳ ଟିକିଏ ସୁରକ୍ଷା !

 

ରିକ୍‌ସାଟିଏ ଆସି ଗେଟ୍ ପାଖରେ ରହିବାର ସୂଚନାରେ ତାଙ୍କ ଭାବନାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା । ଆନନ୍ଦ ଉତ୍‌ଫୁଲ୍ଲ ସୁଚରିତା ମାତ୍ର କେତୋଟି ପାହୁଣ୍ଡରେ ଗେଟ୍ ପାଖରେ ପହଞ୍ଚିଗଲେ । ତାଙ୍କ ହାତ ଅଟକିଗଲା ଫାଟକ ନିକଟରେ ଯେତେବେଳେ ସେ ଦେଖିଲେ ଠିକ୍ ଚବିଶ ବର୍ଷ ତଳର ତାରାଶଙ୍କର ରିକ୍‌ସାରୁ ଓହ୍ଲାଇ ଆସୁଛନ୍ତି ! ସେ ନିଜ ଆଖିକୁ ବିଶ୍ଵାସ କରିପାରିଲେ ନାହିଁ । ସୁଚରିତା ଦେଖୁଥିଲେ ଅବିକଳ ସେଇ ପ୍ରଥମ ପରିଚୟ ଦିନର ତରୁଣ ଅଧ୍ୟାପକ ତାରାଶଙ୍କର । କାନ୍ଧରେ ଏୟାର ବ୍ୟାଗ, ହାତରେ ବ୍ରିଫକେଶ । ମୁଠାଏ ବାଳ କାନ୍ଧ ଉପରକୁ ଝୁଲିପଡ଼ିଛି । ଲମ୍ବା ଲମ୍ବା ଟଣା ଟଣା ଆଖି ଦୁଇଟାରେ ଭରି ରହିଛି ଆବେଗତା । ସେଇ ଏକା ମୁହଁ, ନାକ, ଉଜ୍ଜ୍ୱଳଦୀପ୍ତ ମୁଖମଣ୍ଡଳ । ସୁଚରିତାଙ୍କର ବିସ୍ମୟର ସୀମା ନ ଥିଲା । ସେ ଦୃଷ୍ଟି ଫେରାଇ ଆଣିଲେ ନିଜ ଉପରକୁ-। ବର୍ତ୍ତମାନର ବିଧ୍ୱଂସ୍ତ ସ୍ତୂପ ଉପରେ ଠିଆ ହୋଇ ସେ ଯାହାକୁ ଦେଖୁଛନ୍ତି, ସେ ବିଗତ ରତ୍ନବେଦୀର ତାରାଶଙ୍କର କିମିତି ହୋଇପାରେ ?

 

ଯୁବକ ଜଣକ ଶଙ୍କାଗ୍ରସ୍ତ ମନରେ ଠିଆ ହୋଇ ରହିଥିଲେ । ତଥାପି ତାଙ୍କ ଅଧରରୁ ହସ ଚେନାଏ ଝରିପଡ଼ୁଥିଲା । ଅତି ନରମ ଗଳାରେ ଯୁବକଟି କହିଲେ, କ’ଣ ଚିହ୍ନି ପାରୁ ନାହାନ୍ତି-? ଏବଂ ପକେଟରୁ ଚିଠି ଖଣ୍ଡିଏ ବାହାର କରି ସୁଚରିତାଙ୍କ ହାତକୁ ବଢ଼ାଇ ଦେଲେ । ଚିଠି ଉପରେ ଥରଟିଏ ଆଖି ବୁଲେଇ ନେଇ ସୁଚରିତା ଆନନ୍ଦ ଗଦ୍ ଗଦ୍ ହୋଇ ଚିତ୍କାର କଲେ, “ଆରେ ତୁ ଭାନୁ-। ମୋ ପୁଅଟାକୁ ରାସ୍ତାଟାରେ ଏତେ ସମୟ ଠିଆ କରେଇ ରଖିଲିଣି, ମୁଁ ପୋଡ଼ା ମୁହିଁଟା’’ କହି କୁଣ୍ଢାଇ ପକାଇଲେ ।

 

ସେତେବେଳକୁ ପୃଥିବୀ ଉଦୟ ରାଗରେ ଆଲୋକିତ ହେବାକୁ ଲାଗିଥିଲା । ସୁଚରିତା ଠେକୁଆ ଛୁଆଟିଏ ଭଳି ଏ ଘର ସେ ଘର ବାରଣ୍ଡା ଦୁଆରେ ଖାଲି ଡେଉଁଥିଲେ ଯେମିତି । ତାଙ୍କ ପାଦ ତଳେ ଲାଗୁ ନ ଥିଲା । ତାଙ୍କ ହୃଦୟରେ ଅବଲୁପ୍ତ ମାତୃତ୍ୱର ବନ୍ୟା ଆସି ଯାଇଥିଲା । ତାଙ୍କ ଶୁଷ୍କ ହୃଦୟ ଜାହ୍ନବୀ ଦୁଇକୂଳ ଲଙ୍ଘି ଲହଡ଼ି ଭାଙ୍ଗୁଥିଲା । ସେ ଭାନୁକୁ ଆଢ଼ୁଆଳରେ ରଖି ଚିଠି ଖଣ୍ଡିକ ପୁଣିଥରେ ପଢ଼ିବାକୁ ଆରମ୍ଭ କଲେ । ଲେଖା ଥିଲା : ସୁଚରିତା ! ଭାନୁପ୍ରକାଶ ଯାଉଛି । ତାକୁ ସବୁ କଥା କହିବାକୁ ବାଧ୍ୟ ହେଲି । ଆଜିଠୁ ସେ ତମ ପାଖେ ପାଖେ ରହିବ ।

 

ସୁଚରିତାଙ୍କ ଆଖିରୁ ଦୁଇଧାର ଲୁହ ଗଡ଼ିଆସିଲା । ସେ ପଣତ କାନିରେ ଲୁହପୋଛି ଭାନୁପ୍ରକାଶକୁ ଚାହିଁଲେ । ତାଙ୍କର ମନେହେଲା, ସେ ନିଜ ହୃଦୟ ରାଜ୍ୟରେ ଯେଉଁ ତାରାଶଙ୍କରକୁ ଆଜିଯାଏ ବନ୍ଦୀକରି ରଖିଥିଲେ, ସେ ଯେମିତି ଭାନୁ ପ୍ରକାଶର ଶରୀରରେ ଆସି ଲୀନ ହୋଇ ଯାଉଛି । ବିଲୀନ ହୋଇଯାଉଛି ଯୁଗାନ୍ତରର ହା-ହାକାର ।

Image

 

କୁମ୍ଭକାର

 

ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ସେ ସମଗ୍ର ସହରାଞ୍ଚଳଟି ଯଦିଓ ଗୋଟିଏ ସ୍ଵୟଂସମ୍ପୂର୍ଣ୍ଣ ସହରର ସଂଜ୍ଞା ବହନ କରୁଥିଲା ତଥାପି ମଧ୍ୟଭାଗରେ ଥିବା ରେଲ ଲାଇନ୍‌ଟି ସହରର ବିଭକ୍ତୀକରଣରେ ଆମ ବିଚକ୍ଷଣ ପ୍ରଶାସକମାନଙ୍କୁ ସାହଯ୍ୟ କରିଥିଲା । ସରକାରଙ୍କ ସୁପାରିସ ଓ ଅନୁମୋଦନ ସତ୍ତ୍ୱେ ତତ୍‌କାଳୀନ ଉଚ୍ଚପଦସ୍ଥ ଅଫିସରମାନେ କେବଳ ସହରର ପୂର୍ବ ଭାଗଟିକୁ ସ୍ୱାୟତ୍ତ ଶାସନାଧୀନ କରି ପଶ୍ଚିମ ଭାଗଟିକୁ ପୂର୍ବଭଳି ୟୁନିଅନବୋର୍ଡ଼ ହାତରେ ଛାଡ଼ି ଦେଇଥିଲେ-। ଏହି ନୂତନ ଶାସନ ବ୍ୟବସ୍ଥା ପ୍ରଚଳନ ହେବା ଫଳରେ ଉଭୟ ଭାଗର ବାସିନ୍ଦାମାନଙ୍କ ମଧ୍ୟରେ ସାମାଜିକ, ସାଂସ୍କୃତିକ ପ୍ରାଚୀରଟିଏ ଆପେ ଆପେ କିମିତି ସୃଷ୍ଟି ହୋଇଯାଇଥିଲା କେହି ବୁଝିପାରି ନଥିଲେ ଓ ସେମାନଙ୍କୁ ସମର୍ଥନ କଲାଭଳି ଗୃହପାଳିତ ପଶୁ ଓ ଜୀବଜନ୍ତୁମାନେ ମଧ୍ୟ ଭିନ୍ନ ଭିନ୍ନ ଭାବେ ଜୀବନ ଯାପନ କରିବାକୁ ଶିଖିବାକୁ ଲାଗିଲେ । ଅବଶ୍ୟ ଏଭଳି ଐକ୍ୟ ନଷ୍ଟହେବା ମୂଳରେ ପ୍ରଥମେ ଲୋକେ ପ୍ରଶାସନର ଦୂରଦୃଷ୍ଟିହୀନତା ବୋଲି ଅଭିଯୋଗ କରୁଥିଲେ ହେଁ ପରେ ନିଜ ନିଜର ଶ୍ରେଷ୍ଠତା ଜାହିର କରିବାରେ ଯେତେବେଳେ ଅଭ୍ୟସ୍ତ ହୋଇଗଲେ, ସେତେବେଳେ ପରସ୍ପରକୁ ହୀନ ଓ ଘୃଣା ଚକ୍ଷୁରେ ଦେଖିବାକୁ ଲାଗିଲେ ଏବଂ ଏ ଧରଣର ବିଭକ୍ତୀକରଣର ଯଥାର୍ଥତା ସପକ୍ଷରେ ଯୁକ୍ତି ବାଢ଼ି ବସିଲେ । କ୍ରମଶଃ ଏ ବୈରଭାବ ଦିନେ ଏମିତି ଚରମ ପର୍ଯ୍ୟାୟରେ ଆସି ପହଞ୍ଚିଲା, ଯାହାର ତୁଳନା ଯୁଦ୍ଧୋତ୍ତର ବର୍ଲିନ ସହର ସହିତ କରାଯାଇପାରେ ।

 

ସହର-ବାସୀମାନେ ବିଭାଜନ ବେଳକୁ ସଭ୍ୟତାର ସକଳ ସ୍ୱାଦ ଯେ ଚାଖି ସାରିଥିଲେ ତା’ ନୁହେଁ, କିନ୍ତୁ ଅଗ୍ରଗତିର ସୂଚନାରେ ଦିଗ୍‌ବଳୟ ଅରୁଣାଭ ହୋଇ ଉଠିଥିଲା । ସେତେବେଳକୁ ସୂର୍ଯ୍ୟୋଦୟର ପୂର୍ବରାଗ କିଞ୍ଚିତମାତ୍ର ଉଦ୍ଭାସିତ ହୋଇଥିଲା । ଲୋକମାନେ ଅଜ୍ଞାନ ତମସାରୁ ସମ୍ପୂର୍ଣ୍ଣ ମୁକ୍ତହେବାକୁ ତଥାପି ଅନେକ ସମୟ ବାକିଥିଲା ।

 

ଶିଳ୍ପ-ବିପ୍ଳବରୁ ସହରର ଅଭ୍ୟୁଦୟ ହେବା ଫଳରେ ବାହାର ଲୋକଙ୍କ ପ୍ରାଧାନ୍ୟ ବୃଦ୍ଧିପାଇଥିଲେ ହେଁ ସୀମିତ ସଂଖ୍ୟକ ସ୍ଥାନୀୟ ଅଧିବାସୀମାନେ ସେମାନଙ୍କ ମୌଳିକତା ବଜାଏ ରଖିବାକୁ ତାରି ଭିତରେ ସଂଗ୍ରାମମୁଖର ଥିଲେ; କିନ୍ତୁ ସହରର ବଣ୍ଟୁଆରା ଘଟିବା ଫଳରେ ସେମାନେ ଏକପ୍ରକାର ହଜିଯାଇଥିଲେ ।

 

ପରିବର୍ତ୍ତିତ ଶାସନ ପ୍ରଣାଳୀ ଅନୁସାରେ ବିଜ୍ଞାପିତ ଅଞ୍ଚଳ ତା’ର ଦ୍ରୁତ ଅଗ୍ରଗତି ଅବ୍ୟାହତ ରଖିଥିଲାବେଳେ ୟୁନିଅନବୋର୍ଡ଼ ଶାସନାଧୀନ ଅଞ୍ଚଳଟି ବହୁ ପଛରେ ପଡ଼ି ରହିଥିଲା । ଏପରିକି ଅବିଭକ୍ତ ସମୟର ଉନ୍ନତିମୂଳକ ପ୍ରକଳ୍ପର ରକ୍ଷଣାବେକ୍ଷଣ ନିମନ୍ତେ ଅର୍ଥ ବ୍ୟବସ୍ଥା ମଧ୍ୟ ସମ୍ଭବ ହୋଇ ପାରୁ ନଥିଲା । ବିଜ୍ଞାପିତ ଅଞ୍ଚଳରେ ରାସ୍ତାଘାଟ ବିଦ୍ୟୁତୀକରଣ, ପକ୍‌କା ଚଉଡ଼ା ରାସ୍ତା, ସିନେମା, କ୍ଲବ, ସ୍କୁଲ, କଲେଜ, ଡାକ୍ତରଖାନା, ପାର୍କ ଇତ୍ୟାଦି ଗଢ଼ି ଉଠୁଥିଲାବେଳେ ପଞ୍ଚାୟତ ଅଧିବାସୀମାନେ ସେଇ ପୁରୁଣା ଲୁଗାକୁ ଧୋଇ ଶୁଖାଇ ପିନ୍ଧିବାକୁ ଅଭ୍ୟାସ କରୁଥିଲେ । ତେଣୁ ସାଧାରଣତଃ ଜନମାନସରେ ଗୋଟିଏ ସହର ଓ ଅନ୍ୟଟି ସହର ଉପକଣ୍ଠର ଉପହାସିତ ଗୋଟିଏ ସାଧାରଣ ଗାଆଁର ପରିଚୟ ନେଇଥିଲା ।

 

ବିଜ୍ଞାପିତ ଅଞ୍ଚଳରେ ସରକାରୀ ପଡ଼ି ଯାହା ମିଳୁଥିଲା, ତା’ର ଏକ ଚତୁର୍ଥାଂଶ ସୁଯୋଗ ପଞ୍ଚାୟତ ଲୋକେ ପାଉଥିଲେ । ବିଜ୍ଞାପିତ ଅଞ୍ଚଳରେ ବିଦ୍ୟୁତ୍ ୟୁନିଟ ଯେଉଁ ଦରରେ ଉପଲବ୍‌ଧ ଥିଲା, ସେ ସୁଯୋଗ ପଞ୍ଚାୟତ ଲୋକଙ୍କର ନଥିଲା । ଏହି ସବୁ କାରଣରୁ ଏକଦା ନିଜକୁ ଏକାନ୍ନବର୍ତ୍ତୀ ପରିବାର ମନେକରୁଥିବା ଲୋକେ ଆଞ୍ଚଳିକ ବିଭେଦର ଶିକାର ହୋଇ ନିଜକୁ ଭିନ୍ନ ଭିନ୍ନ ପୃଥିବୀର ଅଧିବାସୀ ବୋଲି ମନେକରିବାକୁ ଲାଗିଲେ ।

 

ଦେଶରେ ରାଜନୈତିକ ଦୂଷିତ ବାତାବରଣ ଯେତେବେଳେ ପ୍ରଖର ହୋଇଉଠିଲା ସେତେବେଳେ ଏ ସହରର ଦୟନୀୟତା କହିଲେ ନସରେ । ଅନେକ ଦିନ ଧରି ଲୋକମାନଙ୍କ ଭିତରର ଜମାଟବନ୍ଧା ଦ୍ୱେଷ, ଗ୍ଳାନି, ଅହଙ୍କାର, ପ୍ରତିହିଂସାର ବିସ୍ଫୋରଣ ଘଟିଲା ବିଧାନସଭା ନିର୍ବାଚନ ବେଳେ । କାରଣ ବିଜ୍ଞାପିତ ଅଞ୍ଚଳରେ ହାତୀ ସଂକେତର ଜୟଜୟକାର ଧ୍ଵନିରେ ପୃଥିବୀ ପ୍ରକମ୍ପିତ ହେଉଥିଲାବେଳେ ପଞ୍ଚାୟତର ଭୋଟରମାନେ ବୃଷଭ ପୃଷ୍ଠରେ ଆରୋହଣ କରି ବିଶ୍ୱ ପରିକ୍ରମାର ସିଦ୍ଧାନ୍ତ ନେଇ ବସିଲେ । ଶାସନଗତ ସୁବିଧା ଦର୍ଶାଇ ସହର ପୁନର୍ଗଠନ କମିଟି ଗୋଟିଏ ସହରକୁ ଦୁଇଭାଗ କରି ଯେଉଁ ଭେଦଭାବର ବୀଜ ବପନ କରିଥିଲେ କ୍ଷମତାଲୋଭୀ ନିର୍ବାଚନ ପ୍ରାର୍ଥୀଙ୍କ ଚକ୍ରାନ୍ତ ଓ ପୃଷ୍ଠପୋଷକତା ଫଳରେ ତା’ର ଅଙ୍କୁରୋଦ୍‌ଗମ ହେଲା ଏବଂ ସେ ବୃକ୍ଷର ବିଷ ପ୍ରକ୍ରିୟାରେ ଶତାଧିକ ହତାହତ ହେଲେ । ନିର୍ବାଚନ ପର୍ବ ଶେଷହେବା ପରେ, ପରସ୍ପର ନିର୍ଭରଶୀଳ ଦୁଇପ୍ରାନ୍ତର ଲୋକଙ୍କ ଭିତରେ ପ୍ରତିଶୋଧ ବହ୍ନି ଜଳି ଉଠିଲା । ଫଳରେ ପଞ୍ଚାୟତର ଛାତ୍ର-ଛାତ୍ରୀମାନେ ବିଜ୍ଞାପିତ ଅଞ୍ଚଳର ସ୍କୁଲ କଲେଜ ଯିବା ଖାଲି ବନ୍ଦ ହୋଇଗଲାନି, ତତ୍‌ସହିତ ଡାକ୍ତରଖାନା, ସିନେମା ଓ ବଜାର ଯିବା ବେଳେ ମଧ୍ୟ ଲୋକେ ବିପଦର ଆଶଙ୍କା କଲେ-। ସେହିଭଳି ବିଜ୍ଞାପିତ ଅଞ୍ଚଳର ଲୋକେ କେବଳ ଶ୍ମଶାନ ନୁହେଁ; ଦୁଧ, ମାଛ, ଚାଉଳ, ଜାଳେଣି ଓ ପନିପରିବା ଇତ୍ୟାଦି ସହଜଲବ୍‌ଧ ସୁଯୋଗରୁ ବଞ୍ଚିତ ହେଲେ । ରେଲ ଗେଟ୍‌ଟି ଉଭୟ ରାଜ୍ୟର ସୀମାରେଖା ଓ ଆଗୁଆଘାଟି ରୂପେ ଆପେ ନିର୍ଦ୍ଧାରିତ ହୋଇଗଲା ବିନା ବୁଝାମଣା ଓ ଆଲୋଚନାରେ ।

 

ଯଦିଓ ଇନ୍ଦ୍ରପ୍ରସ୍ଥ–ନୂଆଦିଲ୍ଲୀ; ପୁରୁଣା ଭୁବନେଶ୍ଵର–ନୂଆରାଜଧାନୀ ସହିତ ଏ ସହର ଓ ଗାଆଁ ଯାକ ସବୁ ଦୃଷ୍ଟିରୁ ତୁଳନା କରାଯାଇପାରେ; କିନ୍ତୁ ବିଦ୍ୱେଷ ଓ ଶତ୍ରୁତା ଦୃଷ୍ଟିରୁ ଏମାନେ ଅନେକ ଊର୍ଦ୍ଧ୍ୱକୁ ଉଠିଗଲେ ଅଳ୍ପ ସମୟ ଭିତରେ । ଅବଶ୍ୟ ଏସବୁର ନେତୃତ୍ଵ ଯେଉଁମାନେ ନେଉଥିଲେ, ସହରର ଜନ୍ମ ଇତିହାସ ସମ୍ପର୍କରେ ସେମାନେ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିଲେ । କାରଣ ସେମାନେ ରାଜନୈତିକ ହୀନମନ୍ୟତା ନେଇ ସବୁ କଥା ପରଖୁଥିଲେ ।

 

ଅବସ୍ଥା କିଛି ଦିନ ପରେ ଟିକିଏ ଶାନ୍ତ ପଡ଼ିଲା । ଅଚଳ ବ୍ୟବସ୍ଥାର ସମାଧାନ ପାଇଁ; ଯୁଧିଷ୍ଠିର ଦୁର୍ଯ୍ୟୋଧନ ନିଜ ବଂଶ ପରମ୍ପରା ଆଭିଜାତ୍ୟ ଭୁଲି ପଶାଖେଳରେ ଯେତେବେଳେ ନିମଜ୍ଜିତ ଥିଲେ ସେତେବେଳେ ଯେମିତି ସେମାନଙ୍କର ପୈତୃକ ରାଜ୍ୟ ପଞ୍ଚ କଟକକୁ ମୁହେଁ ମୁହେଁ ବାଣ୍ଟି ନେଇ ଅତି ନିର୍ବୋଧ ଭଳି ବାଜି ଲଗାଇ ଦେଇଥିଲେ, ସେହିଭଳି ଏହି ଶାନ୍ତି ଦୂତମାନେ ନିଜ ନିଜ ଭିତରେ ସହରର ଭାଗବଣ୍ଟା ସମ୍ପନ୍ନ କରିଥିଲେ । ରେଲଷ୍ଟେସନର ପୂର୍ବଦିଗ ପ୍ଲାଟଫର୍ମରେ ଯେଉଁ ମାଲଗାଡ଼ି ରାତିରେ ରହିବ, ତା’ର ସଦ୍‍ବ୍ୟବହାର ସହରାଞ୍ଚଳର ଲୋକେ କରିବେ ଓ ପଶ୍ଚିମପଟ ପ୍ଲାଟଫର୍ମରେ ଯେଉଁ ଟ୍ରେନ ରାତ୍ରି ଯାପନ କରିବ ତା’ର ରକ୍ଷଣାବେକ୍ଷଣ ଦାୟିତ୍ଵ ପଞ୍ଚାୟତର । ଗାଡ଼ିରେ ତେଲ, ଚିନି, କୋଇଲା ଯାହା ହେଉନା କାହିଁକି କେହି କାହା ଅଞ୍ଚଳ ଭିତରେ ପଶି ପ୍ରାଦୁର୍ଭାବ କରି ପାରିବେ ନାହିଁ । ଦେଶୀ ଚୋରାମଦ ଦୋକାନ; କଣ୍ଟ୍ରୋଲ ଡିଲର, ସ୍ମଗଲରମାନଙ୍କଠାରୁ ଚାନ୍ଦା ଭେଦା ଆଞ୍ଚଳିକ ଭିତ୍ତିରେ ହେବ । ଏ କ୍ଷେତ୍ରରେ ବଳପ୍ରୟୋଗ ସମ୍ପୂର୍ଣ୍ଣ ବିଧି ନିଷେଧ । ଉଭୟ ଅଞ୍ଚଳର ସଭାସମିତି ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଣ୍ଡଗୋଳ ଉପୁଜିବାର ସମ୍ଭାବନା ଥିବାରୁ ନିଷେଧାଜ୍ଞାକୁ ବଳବତ୍ତର ରଖାଗଲା । ଧର୍ମଘଟକାରୀମାନେ କେବଳ ମେଡ଼ିକାଲ, ଆମ୍ବୁଲାନ୍‌ସ, ଡାକତାର ପ୍ରେସ ଓ ବିଦ୍ୟୁତ୍ ସରବରାହକୁ ବାଦ ଦେଉଥିବା ଫର୍ମୁଲାକୁ ଅନୁସରଣ କରି ଅତ୍ୟାବଶ୍ୟକୀୟ ପଣ୍ୟ ସାମଗ୍ରୀ କ୍ଷେତ୍ରରେ କଟକଣା କୋହଳ କରି ଅନ୍ୟ ସମଗ୍ର ସମ୍ପର୍କ ସାଧାରଣ ଅବସ୍ଥା ଫେରି ନଆସିବା ପର୍ଯ୍ୟନ୍ତ ଛିନ୍ନ କରାଯାଇଥିବା କଥା ବିଜିତ ଓ ପରାଜିତ ପ୍ରାର୍ଥୀଙ୍କ ନିକଟତମ ମହଲରୁ ପ୍ରଚାରିତ ହେଲା । କେବଳ କୂଟନୈତିକ ସମ୍ପର୍କ କାଏମ ରଖିବା ପାଇଁ ବୈଦେଶିକ ରାଷ୍ଟ୍ରସହ ରାଷ୍ଟ୍ରଦୂତ ବିନିମୟ କରାଗଲା ଭଳି ଉତ୍ତମ ବୁଝାମଣା ସହକାରେ ଆଲୋଚନା ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରାଯାଇପାରେ ବୋଲି ଘୋଷଣା କରାଗଲା ।

 

ସହର-ଭିତ୍ତିକ ପଞ୍ଚବାର୍ଷିକ ପରିକଳ୍ପନାରେ ସଦ୍ୟସ୍ନାତା ବିଜ୍ଞାପିତ ଅଞ୍ଚଳ ଚିର ବସନ୍ତରେ ହୋଲି ଖେଳୁଥିଲାବେଳେ, କଳାନୈପୁଣ୍ୟ ଗର୍ବ ଗାରିମାର କୋଣାର୍କ ଅବହେଳିତ ଅବସ୍ଥାରେ ପଡ଼ିଥିଲା ଭଳି, ପଞ୍ଚାୟତ ଅଧୀନସ୍ଥ ଐତିହ୍ୟପୂର୍ଣ୍ଣ ସହରୀ ଇଲାକାଟି ଶସ୍ତା ସହାନୁଭୂତି ବ୍ୟତିରେକେ ଅନ୍ୟଥା ଲୋକଚକ୍ଷୁରେ ନ୍ୟୁନ ବିବେଚିତ ହେଉଥିଲା ।

 

ମଝିରେ ମଝିରେ ସାନବଡ଼ ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହେଉଥିଲା; କିନ୍ତୁ ତା’ ଉଚିତ ବୁଝାମଣା ଭିତରେ ସହଜରେ ସମାଧାନ ହୋଇ ଯାଉଥିଲେ ବି ତା’ର ପ୍ରତିକ୍ରିୟା ସାଧାରଣ ଲୋକଙ୍କ ଉପରେ ପଡ଼ୁଥିଲା । ସ୍ଥାନୀୟ ଅଧିବାସୀ ଉଭୟ ତରଫରେ ବାଣ୍ଟିହୋଇ ଯାଇଥିଲେ ବି ସେମାନଙ୍କୁ କେହି ଗୁରୁତ୍ଵ ଦେଉ ନ ଥିଲେ । ବାହାର ଲୋକଙ୍କର ସମାଗମ ଓ ପ୍ରଭାବ ଏତେ ବୃଦ୍ଧି ପାଇଥିଲା ଯେ, ସେମାନଙ୍କର ଶ୍ରେଷ୍ଠତା ସବୁଠି ପ୍ରମାଣିତ ହେଉଥିଲା । ପଞ୍ଚାୟତ ଅଞ୍ଚଳର ଲୋକେ ସମସ୍ତ ପ୍ରକାର ସହରୀ ଜୀବନ ଉପଭୋଗ କରୁଥିଲେ ବି ସେମାନଙ୍କ ଦୃଷ୍ଟିରେ ବିଜ୍ଞାପିତ ଅଞ୍ଚଳର ଲୋକେ ନାରୀ ସ୍ଵାଧୀନତା ଓ ଯୁବ ଉଚ୍ଛୃଙ୍ଖଳତାଯୋଗୁ ବ୍ୟଭିଚାରୀ ଓ ଦୁର୍ନୀତିଗ୍ରସ୍ତ ଆଖ୍ୟା ପାଉଥିଲେ । ସହରୀ ସଭ୍ୟତା ଅଧ୍ୟୁଷିତ ପଞ୍ଚାୟତ ଲୋକମାନଙ୍କ ଚାଲିଚଳନ ଓ ଆଚାର ବ୍ୟବହାରରେ ପାଶ୍ଚାତ୍ୟ ରଙ୍ଗର ପ୍ରଲେପ ନଥିବାରୁ ସେମାନେ ବିଜ୍ଞାପିତ ଅଞ୍ଚଳର ଲୋକମାନଙ୍କ ଚକ୍ଷୁରେ ଦ୍ଵିତୀୟ ଶ୍ରେଣୀର ନାଗରିକରୂପେ ପରିଗଣିତ ହେଉଥିଲେ ଏବଂ ତାକୁଇ କେନ୍ଦ୍ରକରି ସକଳ ସନ୍ଧିସର୍ତ୍ତକୁ ଅସ୍ଵୀକାର ପୂର୍ବକ ଏହି ପ୍ରଥମ ଶ୍ରେଣୀ ଓ ଦ୍ଵିତୀୟ ଶ୍ରେଣୀ ନାଗରିକମାନଙ୍କ ମଧ୍ୟରେ ବେଳେବେଳେ ବଳ କଷାକଷି ହୋଇଯାଉଥିଲା । ଅବଶ୍ୟ ଏସବୁ କାମ ପାଇଁ ଉଭୟ ତରଫରେ ଏକ ସ୍ଵତନ୍ତ୍ର ଶ୍ରେଣୀର ଲୋକ ସ୍ଵେଚ୍ଛାକୃତ ଭାବେ ଦାୟିତ୍ଵ ନେଇଥିଲେ ।

 

ରେଲଫାଟକ ଯେପରି ଥିଲା ସେମାନଙ୍କର ଯୁଦ୍ଧବିରତି ସୀମାରେଖା ଉଭୟ ପକ୍ଷର ସେଇଠି ଥିଲା ବେସରକାରୀ ସୈନ୍ୟ ଛାଉଣୀ । ଏକ ପକ୍ଷରେ ନେତୃତ୍ୱ ଦେଉଥିଲେ ଟ୍ରେଡ଼ମାର୍କା ନେତାମାନେ ଓ ଅପରପକ୍ଷରେ ରାମରାଜ୍ୟର ସଫଳ ରୂପାୟନେଚ୍ଛୁ ଗାନ୍ଧିବାଦୀ ଦେଶସେବକମାନେ । ଏ ଦିଗରେ ସଭ୍ୟତା ଅଧ୍ୟୁଷିତ ଅତ୍ୟାଧୁନିକ ସହର ବିପରୀତ ଦିଗରେ ଆବର୍ଜନାପୂର୍ଣ୍ଣ ଘନ ଜନବସତି । ସମାଜ, ସଂସ୍କୃତି ସବୁ ଅଲଗା, କେବଳ ଭାଷାଗତ ସାମଞ୍ଜସ୍ୟ ଛଡ଼ା ଆଉ କେହି କାହାରି ଯେପରି ଧାର ଧାରନ୍ତି ନାହିଁ ।

 

ବିଭକ୍ତୀକରଣ ପରଠାରୁ ଦୁଇ ଅଞ୍ଚଳର ଏକତ୍ରୀକରଣ ପାଇଁ ଆଦୌ ଯେ ଉଦ୍ୟମ ହେଉ ନଥିଲା ତା’ ନୁହେଁ; ଏହା ଭିତରେ ଅନୁଷ୍ଠିତ ହୋଇଯାଇଥିବା ଦୁଇଟି ସାଧାରଣ ନିର୍ବାଚନରେ ନିର୍ବାଚିତ ପ୍ରାର୍ଥୀ, କ୍ଷମତାସୀନ ଦଳର ପ୍ରଭାବଶାଳୀ ସଭ୍ୟ ହୋଇଥିବାରୁ ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଥିଲେ; କାରଣ ଏହା ଉପରେ ତାଙ୍କର ପଲିଟିକାଲ କ୍ୟାରିଅର ନିର୍ଭର କରୁଥିଲା; କିନ୍ତୁ ଦୁର୍ଭାଗ୍ୟର କଥା ତାଙ୍କର ସମସ୍ତ ପ୍ରଚେଷ୍ଟା ଅମଲାତନ୍ତ୍ରର ନାଲିଫିତାରେ ଛନ୍ଦି ହୋଇଯାଇଥିଲା-। କାରଣ ଲୋକପ୍ରତିନିଧିଙ୍କ ଅନୁମାନସିଦ୍ଧ ସମ୍ମିଶ୍ରଣ ପ୍ରସ୍ତାବ ଅମଲାତନ୍ତ୍ରର ଯୁକ୍ତିସଂଗତ ବିଭାଜନର ଅଭେଦ୍ୟ ଦୁର୍ଗର ପ୍ରାଚୀର ଭେଦକରି ପାରୁନଥିଲା ।

 

ସୁବୃହତ୍ ବଟବୃକ୍ଷ ତଳେ ସାନ ସାନ ଗୁଳ୍ମଲତା ଯେପରି ତିଷ୍ଠିପାରନ୍ତି ନାହିଁ, ବିଜ୍ଞାପିତ ଅଞ୍ଚଳର ଲୋକମାନଙ୍କ ନିକଟରେ ପଞ୍ଚାୟତର ବାସିନ୍ଦାମାନେ ନିଷ୍ପ୍ରଭ ହୋଇଯାଉଥିଲେ । କାରଣ ସେମାନେ ଶୀର୍ଷ ସଭ୍ୟତାର ସମୁଜ୍ଜ୍ୱଳ କିରଣରେ ଉଦ୍ଭାସିତ ହେଉଥିବାବେଳେ ବ୍ୟୟବହୁଳ ସହରୀ ଜୀବନ ଯାପନ କରିବାକୁ ଅକ୍ଷମ ବ୍ୟକ୍ତିମାନେ ୟୁନିଅନବୋର୍ଡ଼ ଅଞ୍ଚଳରେ ଆଶ୍ରୟ ନେଉଥିଲେ, ପରାଜିତ ମନ୍ତ୍ରୀ ସରକାରୀ ବାସଭବନ ପରିତ୍ୟାଗ କଲାଭଳି ଅସଂଖ୍ୟ କ୍ଷୋଭ ଓ ଗ୍ଳାନି ନେଇ ।

 

ସବୁଠାରୁ କୌତୂହଳର ବିଷୟ ଥିଲା, ସହରରୁ ଯେତେବେଳେ ଚାଳଘର ଉଠିଗଲା; ଚାଳଘରେ ରହିବାର ୟୁନିଅନବୋର୍ଡ଼କୁ ଉଠିଆସିଲେ । ଆଇନ ହେଲା ସହରରେ ଗୋରୁଗୁହାଳ ରହିବ ନାହିଁ (ଯଦିଓ ସହରୀ ଲୋକଙ୍କୁ ଦୁଧ ଖାଇବାକୁ ଡାକ୍ତରମାନେ ଅଧିକ ପରାମର୍ଶ ଦେଉଥିଲେ) ତେଣୁ ମେଷ, ଗୋପାଳକମାନେ ପଶ୍ଚିମ ମୁହାଁ ହେବାକୁ ବାଧ୍ୟ ହେଲେ । ରୋଜଗାର ପନ୍ଥା ବଢ଼ିଲେ ଲୋକ ପଞ୍ଚାୟତ ଛାଡ଼ି ବିଜ୍ଞାପିତ ଅଞ୍ଚଳରେ ବସା ବାନ୍ଧନ୍ତି, ଆୟ କମିଗଲେ ସହର ଛାଡ଼ି ଗ୍ରାମାଞ୍ଚଳ ମୁହାଁନ୍ତି । ଆଜି ଯିଏ ଐରାବତରେ ବସି ଅମରାବତୀର ପ୍ରଶଂସା କରୁଛି, କାଲି ସେ ଶ୍ମଶାନବାସୀଙ୍କ ସ୍ତବଗାନ କରୁଛି । ଯିଏ ପିଲାଦିନୁ ନନ୍ଦୀ ଭୃକୁଟୀର ପଦସେବା କରୁଥିଲା; ରେଲ୍‌ବ୍ରିଜ ପାରି ହୋଇଗଲେ ତାକୁ ଦେଖିବ ସେ ଓଲଟା ଗାରେଡ଼ି ପଢ଼ୁଛି । “ଖଣ୍ଟ ବଢ଼ିଲେ କରଣ” “କରଣ ଛିଡ଼ିଲେ ବେହେରାଣୀଆ” ନ୍ୟାୟରେ ମଣିଷମାନେ ନିତ୍ୟ ପ୍ରତ୍ୟହ ସ୍ଥାନ ପରିବର୍ତ୍ତନ କରି ସହରୀରୁ ମଫସଲୀ, ଅନାର୍ଯ୍ୟରୁ ଆର୍ଯ୍ୟ ହେଉଥିଲେ, କିନ୍ତୁ ସୀମାରେଖା ସେଇଠି ଥିଲା, ଯାହାର ଉଦ୍ଭବ ହସ୍ତୀ ବୁକ୍ଷଭ ସଂଘର୍ଷରୁ ହୋଇଥିଲା । ରାଜନୈତିକ ମତ ବିରୋଧ ଆଞ୍ଚଳିକ ମନୋବୃତ୍ତି, ଉଚ୍ଚନୀଚ ଭେଦଭାବ ନୀତି ପ୍ରଚଣ୍ଡ ଭାବେ ମୁଣ୍ଡ ଟେକିଥିଲା । ସାମାଜିକ କଟକଣା ଓ କୁସଂସ୍କାରଜନିତ ଅନ୍ଧ ବିଶ୍ଵାସର ତାଡ଼ନାରେ ବିଧର୍ମୀ ହୋଇଥିବା ଲୋକ ଯେପରି ନିଜର ପୂର୍ବ ସୁରୀମାନଙ୍କୁ ଧର୍ମଭୀରୁ ଆଖ୍ୟା ଦେଇ ସ୍ଵଜନ ସହିତ ସଂଗ୍ରାମ କରିଥାଏ, ବିଜ୍ଞାପିତ ଅଞ୍ଚଳ ଲୋକମାନଙ୍କଦ୍ୱାରା ବାରମ୍ବାର ତିରସ୍କୃତ ହେବା ଫଳରେ ପଞ୍ଚାୟତ ଅଞ୍ଚଳରେ ସେପରି ପ୍ରତିକ୍ରିୟା ସୃଷ୍ଟି ହେଉଥିଲା ।

 

ସାମୟିକ ଦ୍ଵନ୍ଦ୍ୱ, ଦ୍ଵେଷ; ଟଣାଓଟରା ସମ୍ପର୍କ ଭିତରେ ସହୃଦୟତା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନର କୌଣସି ସୂଚନା ନଥିଲେ ମଧ୍ୟ ଅଚଳ ଅବସ୍ଥା ସୃଷ୍ଟିହେବାର କେହି ଆଶଙ୍କା କରୁନଥିଲେ, କିନ୍ତୁ ଦିନେ ଗୋଟାଏ ବୁଲା କୁକୁରର ଭୌତିକ କାଣ୍ଡ ଫଳରେ ହଠାତ୍ ମହାଭାରତ ଯୁଦ୍ଧ ସଂଘଟିତ ହେଲା । ବିଜ୍ଞାପିତ ଅଞ୍ଚଳର ଜଣେ ନେତୃସ୍ଥାନୀୟ ବ୍ୟକ୍ତି ଯାହାଙ୍କୁ ଆଗାମୀ ଚେୟାରମ୍ୟାନ ନିର୍ବାଚନରେ ପ୍ରତିଦ୍ଵନ୍ଦ୍ୱିତା କରିବା ପାଇଁ ଲୋକେ ପ୍ରବର୍ତ୍ତାଉଥିଲେ, ତାଙ୍କ ଉଦ୍ୟମରେ ଟାଉନହଲରେ ଜଣେ ଜଗତ ବିଖ୍ୟାତ ଅଲୌକିକ ଶକ୍ତିସମ୍ପନ୍ନ ବାବାଙ୍କ ଉପାସନା ଉପଲକ୍ଷେ ଆୟୋଜିତ ଧାର୍ମିକ ସମାବେଶର ଅବ୍ୟବହିତ ପୂର୍ବରୁ, ମଣ୍ଡପର ସୁସଜ୍ଜିତ ତୈଳଚିତ୍ର ଉପରେ ପରିସ୍ରା କରିବାକୁ କେନ୍ଦ୍ର କରି ଗଣ୍ଡଗୋଳର ସୂତ୍ରପାତ ହୋଇଗଲା । ହଲ ଭିତରକୁ ଭକ୍ତଜନଙ୍କ ସହ ନେତା ମହାଶୟ ପ୍ରବେଶ କରି ଯେତେବେଳେ ଦେଖିଲେ ଗୋଟାଏ କୁତ୍ସିତ କାଳିଆ କୁକୁର ପଞ୍ଚାମୃତ ନିକ୍ଷେପ ପୂର୍ବକ ପୂଜାର୍ଚ୍ଚନାର ଉଦବୋଧନ କରୁଛି, ତାଙ୍କର ମନେହେଲା ଯେମିତି ମସ୍ତକଟି ତାଙ୍କର ଭୁଲୁଣ୍ଠିତ ହୋଇଛି । କ୍ରୋଧ ପ୍ରଜ୍ଜ୍ଵଳିତ ନେତା ମହାଶୟ ତତ୍‌କ୍ଷଣାତ୍ ଏ ଉତ୍ତ୍ୟକ୍ତ କାଣ୍ଡ ଘଟାଇଥିବା ପଶୁପ୍ରବରକୁ ଉଚିତ ଦଣ୍ଡ ଓ ତା’ର ମୁନିବକୁ କ୍ଷତିପୂରଣ ଦେବା ନିମନ୍ତେ ଅନୁଚରମାନଙ୍କୁ ନିର୍ଦ୍ଦେଶ ଦେଲେ । ଅଗ୍ନିଶର୍ମା ନେତା ଓ ତାଙ୍କର ସତ୍‍ସଙ୍ଗଗୋଷ୍ଠୀ ଛାର କୁକୁରଟାର ଆସ୍ପର୍ଦ୍ଧାର ପ୍ରତିଶୋଧ ନିମନ୍ତେ ଜରୁରୀକାଳୀନ ପରିସ୍ଥିତି ଭିତ୍ତିରେ ପ୍ରତିକାର ଲୋଡ଼ିଲେ-। ଆଦେଶ ପ୍ରାୟ ପାଞ୍ଚ ଶହ ଶୁବକ ଲାଠି, ରଡ୍ ଭୁଜାଲି ଫାର୍ଶା ଧରି ବାହାରି ପଡ଼ିଲେ । ନେତାମାନଙ୍କ ମୁଖରୁ ଶୁଣିବା ମୁତାବକ କୁକୁରଟିର ରଙ୍ଗ ଆକୃତିକୁ ଧ୍ୟାନ ରଖି ସହରରେ ଅଭିଯାନ ଆରମ୍ଭ କରିଦେଲେ । ପରସ୍ପର ମୁଖରେ କୁକୁରର ଶାରୀରିକ ଗଠନ ଏଭଳି ଭାବେ ଅତିରଞ୍ଜିତ ହୋଇଯାଇଥିଲା ଯେ, ତା’ର ସର୍ବଶେଷ ପରିଚୟ ଏକ ସିଂହ ଶାବକ ସଦୃଶ ହୋଇଯାଇଥିଲା ।

 

ଅନୁଚରବର୍ଗଙ୍କ ଧର ଧର ମାର ମାର ଧ୍ଵନିରେ ସହରର ଗଳି କନ୍ଦି ପ୍ରକମ୍ପିତ ହୋଇଗଲା । ଦୂରରୁ କୁକୁରଟାଏ ଦେଖିଲେ ତାଙ୍କର ଆଜନ୍ମ ଶତ୍ରୁଟାଏ ମିଳିଗଲା ଭଳି ଉଲ୍ଲସିତ ହୋଇ କର୍ମୀମାନେ ଦୌଡ଼ୁଥିଲେ । ରାତ୍ରି ପ୍ରଥମ ପ୍ରହର ଅତିକ୍ରମ କଲା । ସମଗ୍ର ସହରରେ ତନ୍ନତନ୍ନ କରି ଖୋଜାଗଲା; କିନ୍ତୁ ନେତାଙ୍କ କହିବା ମୁତାବକ କୁକୁରଟିଏ ସେସାନେ ଖୋଛି ପାଇପାରିଲେ ନାହିଁ । ତେଣୁ ସେଭଳି ପୋଷାକୁକୁର କେଉଁମାନେ ରଖିଛନ୍ତି, ଯାହାର ରଙ୍ଗ ଓ ଆକୃତିର ସାମଞ୍ଜମ୍ୟ ରହିଛି ତା’ର ତାଲିକାପ୍ରସ୍ତୁତ ହେଲା । କର୍ମୀମାନେ କେତୋଟି ଦଳରେ ବିଭକ୍ତ ହୋଇ ମାଂସଦୋକାନୀ ରମଜାନ, ହରି ଭାଇନା ହୋଟେଲବାଲା, ଦେଶୀମାଲ ବିକ୍ରେତା ରଘୁପଣ୍ଡା ଓ ନାଚୱାଲୀ ରସବତୀ ପ୍ରମୁଖଙ୍କ ଘର ଖାନ୍‌ତଲାସ କରି କୁକୁର ଚିହ୍ନଟ କରିବାରେ ବ୍ୟର୍ଥହେବା ପରେ ରେଲଫାଟକ ନିକଟରେ ଆସି ସମସ୍ତେ ରୁଣ୍ଡହେଲେ । ଦୀର୍ଘ ଚାରିଘଣ୍ଟା ଅବିରାମ ସଂଗ୍ରାମ ପରେ ସେମାନେ କୁକୁରଦ୍ଵାରା ପରାଜିତ ହୋଇଥିବା ଗ୍ଳାନିରେ ସେମାନଙ୍କ ମନରେ ଯେଉଁ କ୍ରୋଧ ଘନୀଭୂତ ହେଉଥିଲା, ତା’ ଯେମିତି ରେଲଫାଟକ ସୀମା ନ ପାରିହୋଇ ୟୁନିଅନବୋର୍ଡ଼ ଅଞ୍ଚଳରେ ପ୍ରବେଶ କରିବାକୁ ବାଧ୍ୟ କରୁଥିଲା ।

 

ଉପସ୍ଥିତ ଜନସାଧାରଣ ଯୁବକମାନଙ୍କର ସାଧୁ ଉଦ୍ୟମକୁ ସମର୍ଥନ ଜଣାଇବା ସଙ୍ଗେ ସଙ୍ଗେ କୁକୁରମାନଙ୍କଦ୍ଵାରା ବାରମ୍ବାର ତିରସ୍କୃତ ହୋଇଥିବାର ତିକ୍ତ ଅନୁଭୂତି ବ୍ୟାଖ୍ୟାକରି ସେମାନଙ୍କୁ ପ୍ରେରଣା ଯୋଗାଉ ଥିଲେ । ବୁଲା କୁକୁରମାନଙ୍କ ଉପଦ୍ରବ ଓ ସେମାନଙ୍କଦ୍ୱାରା ସଂକ୍ରାମକ ରୋଗର ବ୍ୟାପକତା ଓ ଜନସ୍ଵାସ୍ଥ୍ୟ ହାନି ହେଉଥିବାର ଚାକ୍ଷୁଷ ପ୍ରମାଣ ଦେଇ ବାତାବରଣକୁ ଅଧିକ ଉତ୍କଟ କରିବା ଫଳରେ ବିପରୀତ ଦିଗରେ ସୀମାଶୁଳ୍‌କ ବିଭାଗ ଚେକଗେଟ୍ ସଦୃଶ ବିରୋଧୀପକ୍ଷର ସୀମାନ୍ତରକ୍ଷୀମାନଙ୍କ ସହିତ ବାକ୍‌ବିତଭଣ୍ତା କରିବାରେ ସହାୟକ ହେଲା । କୁକୁରଟି ୟୁନିଅନବୋର୍ଡ଼ର କି ନା ତା’ର କୌଣସି ପ୍ରମାଣ ନଥାଇ ବିଜ୍ଞାପିତ ଲୋକେ ଦୃଢ଼ସ୍ଵରରେ ଦାବି ଜଣାଇଲେ, କୁକୁରଟି ୟୁନିଅନବୋର୍ଡ଼ର । ବାକ୍ ବିନିମୟ ସରଗରମ ହୋଇଉଠିଲା । ୟୁନିଅନବୋର୍ଡ଼ର ସୁରକ୍ଷାବାହିନୀ ସହଜରେ ଏକଥା ସ୍ଵୀକାର କରିବାକୁ ରାଜି ନ ହୋଇ ଅଳ୍ପ ବହୁତ ଆହତ ହେଲେ ।

 

କର୍ମୀମାନେ ନିର୍ବିରୋଧ ପଞ୍ଚାୟତ ଅଞ୍ଚଳରେ ଲାଠି ଟର୍ଚ୍ଚ ଧରି ପ୍ରବେଶ କଲେ । ଅର୍ଦ୍ଧ ରାତ୍ରୀ ପର୍ଯ୍ୟନ୍ତ ସେମାନେ ଅନ୍ଧାରୁଆ ଗଳିକନ୍ଦିରେ ପଶି ଉତ୍ପାତ କରିବା ଫଳରେ ସ୍ଥାନୀୟ ଜନସାଧାରଣ ଉତ୍‌କ୍ଷିପ୍ତ ହୋଇଉଠିଲେ । ରାସ୍ତା ଘାଟରେ ବୁଲୁଥିବା କୁକୁର ଗୋମହିଷାଦି ସେମାନଙ୍କ କିଳିକିଳା ରାବରେ ଚିରାମାରି ଦୌଡ଼ିବାକୁ ଲାଗିଲେ । ରେରେକାର ଧ୍ଵନିରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଥାଏ । କର୍ମୀମାନେ ଏଭଳି ଉନ୍ମାଦ ହୋଇଉଠିଥିଲେ; ସେମାନଙ୍କୁ ପ୍ରତିରୋଧ କରିବାର ପନ୍ଥା ଖୋଜି ପାଉ ନଥିଲେ ପଞ୍ଚାୟତ ଅଞ୍ଚଳର ତଥାକଥିତ ଯୁବକମାନେ ବାନରସେନା ଲଙ୍କା ଜୁର କଲା ଭଳି ବିଜୟ ଉଲ୍ଲାସରେ ଗୁରୁଗୌରବ ନମାନି ଅଶ୍ଳୀଳ ଗାଳିଗୁଲଜ୍ ସହ ସମଗ୍ର ଅଞ୍ଚଳର ଖାନତଲାସ ଚଳାଉଥିଲେ ଯେମିତି ଉଗ୍ରପନ୍ଥୀମାନଙ୍କୁ ଦମନ କରିବାପାଇଁ ସରକାରଙ୍କୁ ମଝିରେ ମଝିରେ କଠୋର ନୀତି ଅବଲମ୍ବନ କରିବାକୁ ପଡ଼ିଛି; କିନ୍ତୁ ସବୁ ବିଫଳ ହେଲା । କ୍ରୋଧାନ୍ଧ ଯୁବକମାନେ ଫେରିବାବେଳେ ନାନା ଅପକର୍ମ କରିବାକୁ ଛାଡ଼ି ନଥିଲେ; କିନ୍ତୁ ସେମାନେ ଅକ୍ଷତ ଅବସ୍ଥାରେ ଫେରିପାରି ନଥିଲେ । ସେମାନଙ୍କ ବର୍ଚ୍ଛା ରଡ଼ ପାଇଗନର ସମ୍ମୁଖୀନ ହେବା ପଞ୍ଚାୟତ ରକ୍ଷୀମାନଙ୍କ ଶକ୍ତିର ବାହାରେ ଥିବାରୁ ସେମାନେ ବାଧ୍ୟ ହୋଇ ଇଟା, ସୋଡ଼ା ବୋତଲ ଓ କେତୋଟି କ୍ଷୁଦ୍ର କ୍ଷେପଣାସ୍ତ୍ରର ସାହାଯ୍ୟ ନେଇ ଥିଲେ । ପ୍ରାୟ ଘଣ୍ଟାଏ କାଳ ଖଣ୍ଡ ଯୁଦ୍ଧ ପରେ ଉଭୟପକ୍ଷ ଛତ୍ରଭଙ୍ଗ ଦେଇଥିଲେ ସଙ୍ଗୀନଧାରୀ ପୋଲିସବାହିନୀର ଆଗମନ ଫଳରେ । କିନ୍ତୁ ସହରବାସୀ ତାଙ୍କର ଶେଷ ଅସ୍ତ୍ର ପ୍ରୟୋଗ ସ୍ଵରୂପ ଷ୍ଟେସନ ସଂଲଗ୍ନ କ୍ଷୁଦ୍ର ବଜାରଟିରେ ଅଗ୍ନି ସଂଯୋଗ କରିବାକୁ ଛାଡ଼ି ନଥିଲେ ।

 

ପରଦିନ ଉଚ୍ଚ ପୋଲିସ ଅଫିସର; ଜିଲା ଶାସକ; ଲୋକ ପ୍ରତିନିଧି ଓ ନେତୃସ୍ଥାନୀୟ ଲୋକଙ୍କୁ ନେଇ ବୈଠକ ବସିଲା । ଉଭୟପକ୍ଷରୁ ଗିରଫ ହୋଇଥିବା କର୍ମୀମାନଙ୍କୁ ଖଲାସ କରି ଦିଆଗଲା । ଜୀବିକା ହରାଇଥିବା ଲୋକଙ୍କୁ ସରକାରଙ୍କ ତରଫରୁ କ୍ଷତିପୂରଣ ସ୍ଵରୂପ ଯତ୍‌କିଞ୍ଚିତ ମିଳିଲା । ଆହତ ବ୍ୟକ୍ତିମାନେ ମାଗଣା ଚିକିତ୍ସାର ସୁଯୋଗ ପାଇଲେ । ଭବିଷ୍ୟତରେ ଗଣ୍ଡଗୋଳ ଯେପରି ଆଉ ନ ଉପୁଜେ ସେଥିପାଇଁ ଉଭୟ ପକ୍ଷରୁ ଦଶଜଣ କରି ସଦସ୍ୟଙ୍କୁ ନେଇ ଏକ ଶାନ୍ତିରକ୍ଷା କମିଟି ଗଠନ କରାଗଲା ବିଶେଷାଧିକାର ବଳରେ ସମସ୍ତ ବିଷୟର ଆପୋଷ ସମାଧାନ ଓ ଶାସ୍ତି ବିଧାନ କରିବାକୁ କ୍ଷମତା ଦିଆଗଲା ।

 

ସରକାରୀ; ବେସରକାରୀ ତତ୍‌ପରତା ଫଳରେ ଅବସ୍ଥା ଆୟତ୍ତାଧୀନ ହେଲା ଓ ଉଭୟ ଅଞ୍ଚଳରେ ଶାନ୍ତି ଫେରିଆସିଲା । କିନ୍ତୁ ଯେଉଁ ଝିମାଣି ଖେଳରୁ ମହାଭାରତ ସୃଷ୍ଟି ହୋଇଥିଲା ତା’ର ବିଧିବଦ୍ଧ ପ୍ରତିକାର ହୋଇପାରଲା ନାହିଁ । ଅବଶ୍ୟ ବିଜ୍ଞାପିତ ଅଞ୍ଚଳରେ ପରଦିନଠୁ ଗୋରୁଗାଈଙ୍କ ଉପରେ ଜାରୀ ହୋଇଥିବା କଟକଣା ସହିତ କୁକୁରଙ୍କ ନାମ ତାଲିକାଭୁକ୍ତ ହୋଇଥିଲା । ବହୁ ସଂଖ୍ୟକ କୁକୁର ଏ ଯୋଜନାର ଶିକାର ହେଲେ । ଥୋକେ ବିଷାକ୍ତ ଔଷଧ ଖାଇ ମହାପ୍ରୟାଣ ଲଭିଲେ । ସରକାରୀ ଅଫିସ ସାକନାରେ ବିକ୍ଷୋଭ କରୁଥିବା ସତ୍ୟାଗ୍ରହୀମାନଙ୍କ ଭଳି ବହୁ କୁକୁର ଧରା ହୋଇ ମ୍ୟୁନ୍‌ସିପାଲଟି ଗାଡ଼ିରେ ବହୁଦୂରରେ ନିର୍ବାସିତ ହେଲେ; କିନ୍ତୁ ରାସ୍ତାଘାଟରେ ସେମାନଙ୍କ ସଂଖ୍ୟା ଆଦୌ କମି ନଥିଲା; ବରଂ ସେମାନେ ଦଳବାନ୍ଧି ବିଭିନ୍ନ ଛକ ଜାଗାମାନଙ୍କରେ ଏମିତି ସଂଗଠିତ ଭାବେ ବୁଲୁଥିବାରୁ ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟର ପ୍ରତିବାଦ କରୁଥିବାରୁ କେହି କେହି ମନେକରୁଥିଲେ । ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହା ଥିଲା, କୁକୁରନିପାତ କାର୍ଯ୍ୟକ୍ରମରେ ନିଯୁକ୍ତ ଥିବା ରାଜଭୃତ୍ୟ ଓ ସେମାନଙ୍କୁ ସହଯୋଗ କରୁଥିବା ସ୍ୱେଚ୍ଛାସେବକମାନଙ୍କୁ ଦେଖିଲେ ସେମାନେ ଚିତ୍କାର କରି ନିଜର ସମଗୋତ୍ରୀମାନଙ୍କୁ କେବଳ ସତର୍କ କରାଇ ଦେଉ ନଥିଲେ, ତତ୍‌ସହିତ ନିଜର ଜନ୍ମଗତ ଅଧିକାର ମଧ୍ୟ ଦାବି କରୁଥିଲେ ।

 

ଏହି ବପ୍ୟାକ ଓ ବହୁମୁଖୀ କାର୍ଯ୍ୟକ୍ରମ ଫଳରେ ସହସ୍ରାଧିକ କୁକୁର ନିହତ ତଥା ସ୍ଥାନାନ୍ତରିତ ହେଲେ । କିନ୍ତୁ କୁକୁର ସଂଖ୍ୟା କମ୍ ହୋଇଥିବାରୁ କେହି ଅନୁମାନ କରି ପାରୁ ନ ଥିଲେ । ବିଜ୍ଞାପିତ ଅଞ୍ଚଳର କର୍ମକର୍ତ୍ତାଙ୍କ ତତ୍ପରତା ଓ ଅସମ୍ଭବ କାର୍ଯ୍ୟଦକ୍ଷତା ଏବଂ ସେମାନଙ୍କ କଡ଼ା ନଜରକୁ ଫାଙ୍କିଦେଇ କୁକୁରମାନେ ରାସ୍ତାଘାଟରେ ସ୍ଵଚ୍ଛନ୍ଦରେ ବୁଲୁଥିଲେ ।

 

ସହରର ନେତୃସ୍ଥାନୀୟ ବ୍ୟକ୍ତି ପଦସ୍ଥ ସରକାରୀ ଅଫିସରମାନେ ବିଜ୍ଞାପିତ ଅଞ୍ଚଳର ଏତାଦୃଶ୍ୟ ବିଫଳତାରେ ଉଦବେଗ ପ୍ରକାଶ କଲେ । ବିରୋଧୀ କାଉନ୍‌ସିଲରମାନେ କ୍ଷୁବ୍‌ଧ ହୋଇ ଚେୟାରମାନଙ୍କ ଇସ୍ତଫା ଦାବି କଲେ । ନୈତିକତା ଦୃଷ୍ଟିରୁ ଚେୟାରମାନ ଇସ୍ତଫା ଦେବାକୁ ସମ୍ମତ ହୋଇଥିଲେ ମଧ୍ୟ ସରକାରୀ ଦଳର ସଦସ୍ୟମାନେ ଏହା ସମସ୍ୟାର ସମାଧାନ ସମ୍ଭବ ନୁହେଁ ବୋଲି ତାଙ୍କୁ ସେଥିରୁ ନିବୃତ୍ତ କରାଇଲେ । ବିଜ୍ଞାପିତ ପରିଷଦର ପରବର୍ତ୍ତୀ ଅଧିବେସନରେ ଯେଉଁ ତଥ୍ୟ ଉପସ୍ଥାପିତ କରଯାଇଥିଲା ତା’ ସଂକ୍ଷେପରେ ହେଲା; ବିଜ୍ଞାପିତ ଅଞ୍ଚଳରେ ବୁଲାକୁକୁରମାନଙ୍କ ସଂଖ୍ୟା ପୂର୍ବରୁ ୫୦୦ ବୋଲି ଅନୁମାନ କରାଯାଇଥିଲେ ହେଁ ଏପର୍ଯ୍ୟନ୍ତ ଆମ କାର୍ଯ୍ୟକ୍ରମରେ ସହସ୍ରାଧିକ କୁକୁର ଶିକାର ହୋଇଛନ୍ତି ଏବଂ ବର୍ତ୍ତମାନ ରାସ୍ତାଘାଟରେ ଯେଉଁ ପରିମାଣରେ କୁକୁରମାନେ ବୁଲୁଛନ୍ତି ସେମାନଙ୍କ ସଂଖ୍ୟା ତିନି ଚାରି ଗୁଣ ହେବ । ଏତେ ସଂଖ୍ୟାରେ କୁକୁର ସହର ଭିତରକୁ ଆସୁଛନ୍ତି କିପରି ଓ କେଉଁଆଡ଼ୁ ତା’ ଚିନ୍ତାର ବିଷୟ । ବିଜ୍ଞାପିତ ଅଞ୍ଚଳ ଅନୁମାନ କରନ୍ତି ଏମାନେ ସବୁ ପଞ୍ଚାୟତ ଅଞ୍ଚଳରୁ ଅନୁପ୍ରବେଶ କରୁଛନ୍ତି । ୟୁନିଅନବୋର୍ଡ଼ର କୁକୁରମାନଙ୍କ ଉତ୍ପାଦିକା ଶକ୍ତି ଏତେ ପ୍ରବଳ ଯେ ଏମାନଙ୍କ ସଂଖ୍ୟା ପ୍ରତିବର୍ଷ ତିନିଗୁଣକୁ ସହଜରେ ବୃଦ୍ଧି ପାଉଛି । ଏହାବ୍ୟତୀତ ସମ୍ପୃକ୍ତ ଅଞ୍ଚଳରେ ଏମାନଙ୍କ ନିମନ୍ତେ ପ୍ରଚୁର ପରିମାଣରେ ପୁଷ୍ଟିକର ଖାଦ୍ୟ ଏତେ ସହଜଲବ୍‌ଧ ଯେ ଏମାନେ ସାଧାରଣଙ୍କ କୁକୁରଙ୍କଠାରୁ ଅଧିକ ଶକ୍ତିଶାଳୀ ଓ ବେଗଗାମୀ । ସୁତରାଂ ଏମାନଙ୍କ ଅନୁପ୍ରବେଶ ଉପରେ ରୀତିମତ କଟକଣା ରଖା ନଗଲେ ବିଜ୍ଞାପିତ ଅଞ୍ଚଳର ଗୌରବ ରକ୍ଷା ଆଦୌ ସମ୍ଭବ ନୁହେଁ ।

 

ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁସାରେ ରେଲ ଲାଇନ ଧାରରେ ସତର୍କ ପ୍ରହରୀ ନିଯୁକ୍ତି କରାଗଲା । କୁକୁରମାନେ ବିଜ୍ଞାପିତ ଅଞ୍ଚଳରେ ଯେପରି ପ୍ରବେଶ ନ କରନ୍ତି ସେଥି ନିମନ୍ତେ ବିଜ୍ଞାପିତ ଅଞ୍ଚଳର ପ୍ରସ୍ତାବନୁସାରେ ଏହି କର୍ମଚାରୀମାନଙ୍କୁ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ରାଜନୈତିକ ନେତା ତଥା ଜନସାଧାରଣଙ୍କୁ ସହଯୋଗ କରିବା ନିମନ୍ତେ ଆହ୍ଵାନ କରାଗଲା । କୁକୁରମାନଙ୍କ ବିରୁଦ୍ଧରେ ଏକରକମ ଯୁଦ୍ଧଘୋଷଣା କରାଗଲା ବୋଲି କହିଲେ ଚଳେ । ସହର ଭିତରେ କୁକୁରମାନଙ୍କ ଉପରେ ଥିବା ପୂର୍ବ କଟକଣାକୁ ବଳବତ୍ତର କରାଗଲା । ସହରବାସୀମାନଙ୍କ କୁକୁରମାନଙ୍କ ବିରୁଦ୍ଧରେ ଏକପ୍ରକାର ଜନ ଆନ୍ଦୋଳନ ସୃଷ୍ଟି କରି ଦେଲେ ।

 

ଏହି ବହୁମୁଖୀ କାର୍ଯ୍ୟକ୍ରମ ଫଳରେ ଧର୍ମରାଜରୂପୀ କୁକୁରମାନେ ସହରାଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ ଲୋପ ପାଇଯିବେ ବୋଲି ସଭିଏଁ ଆଶା କରିଥିଲେ । କିନ୍ତୁ ଏଭଳି ବ୍ୟାପକ ଅଭିଯାନ ସତ୍ତ୍ୱେ ଦୀର୍ଘ ଛଅମାସ ଅତିବାହିତ ହୋଇଯିବା ପରେ ଅବସ୍ଥା ଯାହାକୁ ତାହା ରହିଲା । କୁକୁରମାନେ ପୂର୍ବ ଭଳି ସ୍ଵଚ୍ଛନ୍ଦରେ ସବୁରି ଶ୍ଵେନ ଦୃଷ୍ଟିକୁ ଫାଙ୍କି ଦେଇ ରାଜରାସ୍ତାରେ ଚଳପ୍ରଚଳ କରୁଥିଲେ । ଅତ୍ୟାଚାରିତ କୁକୁରମାନେ ସଂଖ୍ୟା ଦୃଷ୍ଟିରୁ ପୂର୍ବାପେକ୍ଷା ଅଧିକ ଜଣାଯାଉଥିଲେ ଏବଂ ଉତ୍‌କ୍ଷିପ୍ତ ହେଲା ଭଳି ଅଧିକ ଉତ୍‌ପାତ କରୁଥିଲେ । ତେଣୁ ବିଜ୍ଞାପିତ ଅଞ୍ଚଳର କର୍ମଚାରୀମାନେ କେବଳ ସମ୍ପୂର୍ଣ୍ଣ ରୂପେ ପରାଜିତ ହୋଇ ନଥିଲେ ତତ୍‌ସହିତ ଜନସାଧାରଣଙ୍କ ମନରେ ଏକପ୍ରକାର କୋକୁଆ ଭୟ ସୃଷ୍ଟି ହୋଇ ଯାଇଥିଲା ।

 

ପର୍ଶୁରାମ ବସୁନ୍ଧରା ନିକ୍ଷତ୍ରୀ କରିବାର ପ୍ରତିଜ୍ଞା ନେଇ ଅବଶେଷରେ କ୍ଷତ୍ରୀୟଙ୍କ ଦ୍ଵାରା ପରାଭବ ପାଇଲା ଭଳି ଆଭିଜାତ ସମ୍ପନ୍ନ ଅହଂକାରୀ ସହରବାସୀ କୁକୁରମାନଙ୍କ ଦ୍ଵାରା ତିରସ୍କୃତ ହେଲେ । ବିଜ୍ଞାପିତ ଅଞ୍ଚଳ ତାଙ୍କର ସୀମିତ ରାଜସ୍ଵର ଆଉ ଅଧିକ କୁକୁର ଦମନ କାର୍ଯ୍ୟକ୍ରମରେ ବ୍ୟୟ କରିବାକୁ ପ୍ରସ୍ତୁତ ନ ହେବାରୁ କ୍ରମଶ ନିଷ୍କ୍ରିୟତା ସବୁ କ୍ଷେତ୍ରରେ ଦେଖାଦେଲା । ସରକାରୀ ବେସରକାରୀ ପ୍ରଚେଷ୍ଟା କେବଳ ସୀମାବଦ୍ଧ ରହିଲା ଆଲୋଚନା ଓ ସମାଲେଚନାରେ ।

 

ରାଜ୍ୟର ଏକ ରମଣୀୟ ସହର ଯେଉଁଠି ପ୍ରତ୍ୟହ ଦେଶ ବିଦେଶରୁ ହଜାର ହଜାର ସଂଖ୍ୟାରେ ଗଣ୍ୟମାନ୍ୟ ବ୍ୟକ୍ତିଙ୍କର ସମାଗମ ହୋଇଥାଏ ତା’ର ଏ ଦୟନୀୟ ଅବସ୍ଥାରେ ସହରବାସୀ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିବାର ପ୍ରସ୍ତାବ ନେଲେ । ସରକାରୀ ଦଳର ବହୁ ନେତୃସ୍ଥାନୀୟ ବ୍ୟକ୍ତି; ସରକାରଙ୍କୁ ସମର୍ଥନ କରୁଥିବା ବହୁ ଯୁବ ଛାତ୍ର ସଂସ୍ଥା ସାଂସ୍କୃତିକ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସରକାରଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆଶା କରି ଦାବି ଉପସ୍ଥାପନ କଲେ । ବିଜ୍ଞାପିତ ଅଞ୍ଚଳ ତାଙ୍କ ରିପୋର୍ଟରେ କର୍ମଚାରୀମାନଙ୍କ ଅପୂର୍ବ ଦକ୍ଷତା ଓ କର୍ମକୁଶଳତା ଉଲ୍ଲେଖ ଥିବାବେଳେ ବିଭିନ୍ନ ବ୍ୟକ୍ତି ବିଶିଷ୍ଟ ଓ ଅନୁଷ୍ଠାନ ସେମାନଙ୍କ ବିଫଳ ଓ ଅପାରଗତା ଦର୍ଶାଇଥିଲେ । କିନ୍ତୁ ବିଜ୍ଞାପିତ ଅଞ୍ଚଳ ନିଜର ଅଭିମତରେ ଉଲ୍ଲେଖ କରିଥିଲେ । ଏ ଧରଣର ବ୍ୟତିକ୍ରମକୁ ଦେବକୂଟ ଛଡ଼ା ଆଉ କିଛି କୁହାଯାଇ ନ ପାରେ । କ୍ଷମତାସୀନ ଦଳର ନେତାମାନେ ଏହା ପଛରେ ବିରୋଧିଦଳର ହାତଥିବା ଅଭିଯୋଗ ଆଣିଥିବା ବେଳେ ବିରୋଧିଦଳର ନେତାମାନେ ସରକାରୀ ଦଳର ଅନ୍ତର୍ଘାତୀ କାର୍ଯ୍ୟର ସୂଚନା ଦେଇ ଥିଲେ । କେତେକ ସାଂସ୍କୃତିକ ଅନୁଷ୍ଠାନ ୟୁନିଅନବୋର୍ଡ଼ ଅଞ୍ଚଳର ଅସହିଷ୍ଣୁ ମନୋଭାବର ଦୁଷ୍ପରିମାଣ ବୋଲି ଅଭିଯୋଗ ଉଠାଇ ଥିବାବେଳେ କେତେକ ସଂପୃକ୍ତ ଅଞ୍ଚଳର ପାରିପାର୍ଶ୍ୱିକ ଅବସ୍ଥା ଦୃଷ୍ଟିରୁ ଅବଶ୍ୟମ୍ଭାବୀ ବୋଲି ଅବିହିତ କରିଥିଲେ । କେତୋଟି ସ୍ୱେଚ୍ଛାସେବୀ ସଙ୍ଗଠନ ବେସରକାରୀ ପ୍ରଚେଷ୍ଟାରେ ଏହାର ନିରାକରଣ ନିମନ୍ତେ ପ୍ରସ୍ତାବ ମଧ୍ୟ ଦେଇଥିଲେ ।

 

ସବୁଠାରୁ ବିସ୍ମୟକର ତଥ୍ୟ ଥିଲା ଏହି ଦୁର୍ଭାଗ୍ୟଜନକ ପରିସ୍ଥିତିର ଯେଉଁଠୁ ସୂତ୍ରପାତ ହୋଇଥିଲା ତା’ର ନାୟକଙ୍କ ଦ୍ଵାରା ଆଗତ ପ୍ରସ୍ତାବରେ । ସେ ତାଙ୍କ ପ୍ରସ୍ତାବରେ ଲେଖିଥିଲେ କୁକୁରମାନେ ସହରରେ ଯେଉଁଭଳି ଉତ୍ପାତ ଆରମ୍ଭ କରିଛନ୍ତି ସେଥିରେ ସହରବାସୀ ଶାନ୍ତିରେ ଟିକିଏ ନିଶ୍ଵାସ ମାରିପାରିବେ ନାହିଁ ଏପରିକି ଗର୍ଭିଣୀମାନେ ଧୀରେ ସୁସ୍ଥେ ଛୁଆ ଜନ୍ମ କରିବା ମଧ୍ୟ ସମ୍ଭବ ହେବ ନାହିଁ । ଯଦି ଏହାର ନିରାକରଣ ନିମନ୍ତେ କୌଣସି ବୈଜ୍ଞାନିକ ଉପାୟ ଉଦ୍ଭାବନ କରା ନଯାଏ ତା’ହେଲେ ଦେବତା, ମନ୍ଦିର ଲୋକମାନଙ୍କ ପାଇଁ ଦୁଃସ୍ଵପ୍ନ ହୋଇଯିବ । ମଣିଷ ଗୋରୁ ଗାଈ କୁକୁରମାନଙ୍କ ଭକ୍ଷ ହେବେ । ଯାନବାହନ ଚଳାଚଳ ସେମାନଙ୍କ ଦ୍ଵାରା ନିୟନ୍ତ୍ରିତ ହେବ । ପରିସ୍ଥିତି ଏମିତି ଆକାର ଦିନେ ଧାରଣ କରିବ ଲୋକେ ସହର ଛାଡ଼ି ଅନ୍ୟତ୍ର ପଳାୟନ କରିବେ । ମୁଁ ନିଜେ ଦେଖିଛି ପଞ୍ଚାୟତ ଅଞ୍ଚଳରୁ ପ୍ରତ୍ୟହ ନିଶାର୍ଦ୍ଧରେ ଶହ ଶହ କୁକୁର ବୈଦେଶିକ ଗୁପ୍ତଚର ଭଳି ସହରରେ ପ୍ରବେଶ କରୁଛନ୍ତି । ମୋର ମନେହୁଏ ଏ ସହରବାସୀ ଯେପରି ଅଭିଶାପଗ୍ରସ୍ତ । ଗୋଟିଏ କୁକୁର ମାରିଲେ ସେ ଜାଗାରେ କୋଟିଏ କୁକୁର ଯେମିତି ରକ୍ତବୀର୍ଯ୍ୟଭଳି ଜନ୍ମ ନେଉଛନ୍ତି । ତେଣୁ ଏହାର ସ୍ଥାୟୀ ନିରୋଧ ନିମନ୍ତେ ସହର ଓ ୟୁନିଅନବୋର୍ଡ଼ର ସମ୍ପୂର୍ଣ୍ଣ ବିଭକ୍ତିକରଣ ପୂର୍ବକ ରେଲ୍‍ଲାଇନ ଧାରେ ଧାରେ ଏକ ସୁବୃହତ୍ ପ୍ରାଚୀର ନିର୍ମାଣ କରାଯାଇ ଉଭୟ ତରଫରୁ କେନାଲ ସହିତ ସଂଯୋଗ କରାଯାଉ ଓ ସଶସ୍ତ୍ର ପ୍ରହରୀ ରେଲ୍ ଗେଟର ଉତ୍ତର ପାର୍ଶ୍ଵରେ ମୁତୟନ ହୁଅନ୍ତୁ ।

 

ସରକାର ଏ ସମସ୍ତ ଅଭିଯୋଗର ତଦନ୍ତ ନିମନ୍ତେ ଏକ ଉଚ୍ଚ ପର୍ଯ୍ୟାୟର ତଦନ୍ତ କମିଟି ନିଯୁକ୍ତ କଲେ । ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହି କମିଟିର ଚେୟାରମ୍ୟାନ ରହିଲେ ଓ ତାଙ୍କୁ ସହଯୋଗ କରିବା ନିମନ୍ତେ ଜଣେ ସେବା ନିବୃତ ଦକ୍ଷ ଆଇ.ଏ.ଏସ୍ ଅଫିସରଙ୍କୁ ସେକ୍ରେଟାରୀ ଭାବେ ନିଯୁକ୍ତ କରାଗଲା । ସ୍ଥାନୀୟ ବିଧାନସଭା, ଲୋକସଭା ସଦସ୍ୟମାନଙ୍କ ସମତେ କେତେକ ପଦସ୍ଥ ଅଫିସର ଓ ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ କମିଟିରେ ସ୍ଥାନ ଦିଆଗଲା ।

 

ଛଅମାସ ପରେ ଅନୁଧ୍ୟାନ ଦଳ ବିଭିନ୍ନ ସମସ୍ୟା ଉପରେ ସ୍ଥାନୀୟ ଜନସାଧାରଣଙ୍କଠାରୁ ଯେଉଁ ମତାମତ ଓ ସାକ୍ଷ୍ୟ ଗ୍ରହଣ କରିଥିଲେ ତାରି ଭିତ୍ତିଭୂମି ଉପରେ ରିପୋର୍ଟ ସରକାରଙ୍କୁ ଦେଇଥିଲେ । କମିଟି ତାଙ୍କ ଅଭିମତରେ ଲେଖିଥିଲେ, ବହୁ ଅନୁସନ୍ଧାନ ପରେ ଜଣା ପଡ଼ିଲା, ବିଜ୍ଞାପିତ ଓ ୟୁନିଅନବୋର୍ଡ଼ ଅଞ୍ଚଳ ଉଭୟ ଭାଗର ବାସିନ୍ଦା ନିଜକୁ ଶ୍ରେଷ୍ଠ ପ୍ରମାଣିତ କରିବାକୁ ଯାଇ ସେମାନଙ୍କ ମଧ୍ୟରେ ସାମାଜିକ ଓ ସାଂସ୍କୃତିକ ପ୍ରାଚୀରଟିଏ ସୃଷ୍ଟି କରିଥିଲେ ହେଁ ଉଭୟ ଅଞ୍ଚଳର କୁକୁରମାନଙ୍କର ଘନିଷ୍ଠତା ପୂର୍ବପରି ବଜାଏ ରହିଥିଲା । ଗୋଟିଏ ଅଞ୍ଚଳର ବାସିନ୍ଦାମାନଙ୍କର କ୍ଷୟ-କ୍ଷତିରେ ଅନ୍ୟ ଅଞ୍ଚଳର ଅଧିବାସୀ ଖୁସିରେ ଫାଟିପଡ଼ୁଥିବା ବେଳେ ବିଜ୍ଞାପିତ ଅଞ୍ଚଳର କୁକୁରମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାରକୁ ସହ୍ୟ କରି ନପାରି ୟୁନିଅନବୋର୍ଡ଼ର କୁକୁରମାନେ ବିଜ୍ଞାପିତ ଅଞ୍ଚଳକୁ ପ୍ରବେଶ କରି ସେହି ଶକ୍ତିର ମୁକାବିଲା କରିବା ପାଇଁ ରାସ୍ତାରେ ବହୁ ସଂଖ୍ୟାରେ ବୁଲୁଥିଲେ । ସୁତରାଂ ବିଜ୍ଞାପିତ ଅଞ୍ଚଳରେ କୁକୁରମାନଙ୍କ ସଂଖ୍ୟା ହ୍ରାସ ପାଇ ନଥିଲା ଓ ତଥାକଥିତ କୁକୁର ମାରଣ ଅଭିଯାନରେ ୟୁନିଅନବୋର୍ଡ଼ ଅଞ୍ଚଳର ଅନେକ କୁକୁର ମୃତ୍ୟୁ ବରଣ କରିଥିଲେ ।

 

ଏଥିରୁ ପ୍ରମାଣିତ ହେଉଛି ଯେ, ଦୁଇ ଅଞ୍ଚଳର କୁକୁରମାନଙ୍କ ଉପରେ ବିଭକ୍ତିକରଣର କୌଣସି ପ୍ରଭାବ ପଡ଼ିନାହିଁ । ସେମାନେ ପରସ୍ପରର ସମ୍ପର୍କ ଅତୁଟ ରଖି ଏକାଠି ଭଲମନ୍ଦରେ ଭାଗିଦାର ହୋଇ ଜୀବନଯାପନ କରିବାକୁ ସକ୍ଷମ ହୋଇଛନ୍ତି । ଏଣୁ ଉଭୟ ଅଞ୍ଚଳର ବାସିନ୍ଦାମାନଙ୍କୁ ପୁଣି ପରସ୍ପର ମଧ୍ୟରେ ସୁସମ୍ପର୍କ ଓ ଭାତୃଭାବ ବଜାଏ ରଖି ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିବାକୁ କୁକୁରମାନଙ୍କଠାରୁ ପ୍ରେରଣା ଲାଭ କରିବା ଆଶାରଖି ଏହି ସମସ୍ୟାର ସମାଧାନ ପାଇଁ ଆମ୍ଭେ ଉଭୟ ଅଞ୍ଚଳର ସମ୍ମିଶ୍ରଣ ପାଇଁ ସୁପାରିସ କରୁଛୁ ।

 

ରିପୋର୍ଟ ଅନୁସାରେ ସରକାର ସମ୍ମତି ଦେଲେ–ତାହାହିଁ ହେଉ ।

Image

 

ସାକ୍ଷାତକାର

 

ଆଜି ମୁଁ ଆପଣମାନଙ୍କୁ ଯେଉଁ ଗଳ୍ପ ଶୁଣେଇବାକୁ ଯାଉଛି, ଏ ଘଟଣା କାଲି ପର୍ଯ୍ୟନ୍ତ ଘଟି ନ ଥିଲା । କାଲି ରାତି ଦୁଇଟା ପର୍ଯ୍ୟନ୍ତ ଏଭଳି ଘଟଣା ଘଟିବାର କୌଣସି ସମ୍ଭାବନା ମଧ୍ୟ ନ ଥିଲା । କାଲି ରାତି ଦୁଇଟା ଯାଏଁ ଏ କାହାଣୀ ସମ୍ପର୍କରେ ଅନେକ ଚିନ୍ତାକରି ଥକିଯିବା ପରେ ମୁଁ ଗୋରୁ, ଗାଈ ଖୋଜିଗଲା ଭଳି ବସ୍‍ଷ୍ଟାଣ୍ଡ ଆଡ଼େ ବାହାରି ପଡ଼ିଲି ।

 

ରାସ୍ତାଘାଟର ବିଜୁଳି ଆଲୁଅ ଲିଭିଯାଇଥିଲା । ବିଦ୍ୟୁତ୍ ସଙ୍କଟ ଯୋଗୁ ଏବେ ନୂଆ ସରକାରୀ ନିର୍ଦ୍ଦେଶ : ‘ରାତି ଏଗାରଟା ପରେ ଷ୍ଟ୍ରୀଟ୍ ଲାଇଟ୍ ଜଳିପାରିବ ନାହିଁ’ । ଆକାଶରେ ବହଳ ମେଘ । ପବନର ହାତ ଗୋଡ଼ ଅବଶ ହୋଇଗଲା ଭଳି ସମ୍ପୂର୍ଣ୍ଣ ନିଶ୍ଚଳ । ଜ୍ୟେଷ୍ଠ ମାସର ପ୍ରଚଣ୍ଡ ଗୁଳୁଗୁଳି । ଶୂନଶାନ୍ ରାସ୍ତା । ମୁଁ ଆଗକୁ ବଢ଼ି ଚାଲିଥିଲି । ମୋ ମନରେ କାହାଣୀ ପାଇଁ ତୁମୂଳ ସଂଘର୍ଷ ।

 

ମୁଁ ଗାନ୍ଧୀ ପ୍ରତିମୂର୍ତ୍ତି ପାରିହୋଇ ଆଗକୁ ବଢ଼ି ଯାଉଥିଲି ପଛରୁ ଶୁଣିପାରିଲି କିଏ ଜଣେ ଡାକୁଛି, ‘‘ବାପୁଜୀ, ବାପୁଜୀ” । ଫେରିପଡ଼ି ଦେଖିଲି, ବିପରୀତ ଦିଗରେ ଗହଳିଆ ବଗିଚା ପାଚେରୀକୁ ଲାଗି ରାସ୍ତାକଡ଼ରେ ଆଜିକୁ ପଚିଶ ବର୍ଷ ହେଲା ରାମରାଜ୍ୟ ଅବଲୋକନ କରୁଥିବା ସେହି ଲେଙ୍ଗୁଟି ପିନ୍ଧା ବାବା, ଯାହାଙ୍କ ଅଭୟ ହସ୍ତକୁ କିଏ ଜଣେ ଅନ୍ଧାର ଭିତରେ ଭିଡ଼ି ଧରିଛି । ସେ ତାଙ୍କ ହାତକୁ ଆଉ ଥରେ ହଲାଇ ଦେଇ ନିଦରୁ ଉଠାଇଲା ଭଳି ଡାକିଲା, ‘‘ବାପୁଜୀ, ବାପୁଜୀ-।” ଏଥର ବାପୁଜୀଙ୍କ ଧ୍ୟାନ ଭାଙ୍ଗିଲା । ସେ ବିରକ୍ତ ହେଲାଭଳି କହିଲେ, “କିଏ ?”

 

ଆପଣ ବୋଧେ ମୋ କଥା ଶୁଣି ଅସ୍ଥିର ହେବେଣି, ପ୍ରତିମୂର୍ତ୍ତି କ’ଣ କେବେ କଥାକହିପାରେ ? ଆପଣମାନେ ହୁଏତ ଜାଣି ନାହାନ୍ତି ପ୍ରତ୍ୟେକ ଅମାବାସ୍ୟା ରାତିରେ, ଯେତେବେଳେ ପୃଥିବୀ ଘୋର ଅନ୍ଧକାର ଭିତରେ ବୁଡ଼ିଯାଏ ପ୍ରତିମୂର୍ତ୍ତିମାନେ ସଜୀବ ହୋଇଉଠନ୍ତି-। ଖାଲି ସଜାଗ ହୋଇଉଠନ୍ତି ନାହିଁ, କଥାବାର୍ତ୍ତା ବି କରନ୍ତି । ଆପଣମାନଙ୍କୁ ମୁଁ ଏକଥା କହିଦବା ମଧ୍ୟ ଉଚିତ୍ ହେବ ମୁଁ ଅନେକ ଦିନ ଆଗରୁ ଏ କଥା ଜାଣିଥିଲି । ଖୁବ୍ ପିଲାଦିନୁ ମୁଁ ଜାଣିଥିଲି ଆମ ଗାଁର ପଶ୍ଚିମପଟେ ଥିବା ଦୁଲେଇ ଠାକୁରାଣୀ ପୂର୍ବଦିଗରେ ଥିବା ତାଙ୍କ ସାନଭଉଣୀ ନାରାୟଣୀଙ୍କ ମନ୍ଦିରକୁ ଚୈତ୍ର ଓ ଆଶ୍ୱିନ ମାସରେ ସଙ୍ଖୋଳିବାକୁ ଆସୁଥିଲେ । ଆଉ ମଧ୍ୟ ଏ ଘଟଣା ପ୍ରତ୍ୟକ୍ଷ କରିଥିବା କଥା ମୋ ପିତାମହ ସ୍ଵର୍ଗତଃ କୁଳମଣି ଦାସଙ୍କଠାରୁ ମୁଁ ଶୁଣିଥିଲି, ଯିଏ ଅତ୍ୟନ୍ତ ସତ୍ୟବାଦୀ ଓ ପୁଣ୍ୟାତ୍ମା ଥିବାରୁ ନିଜର ମୃତ୍ୟୁଭେଦ ମରିବାର ଅନେକ ଆଗରୁ କହିପାରିଥିଲେ-

 

ବୟସ ହବା ପରେ ମୁଁ ଆଉ ମଧ୍ୟ ଜାଣିପାରିଥିଲି ଖାଲି ଦେବତାମାନେ ନୁହନ୍ତି, ମହାପୁରୁଷ ପ୍ରତିମୂର୍ତ୍ତି ମଧ୍ୟ ସଜାଗ ହୋଇ ବେଳେ ବେଳେ କଥାବାର୍ତ୍ତା କରନ୍ତି । କିନ୍ତୁ ମୁଁ ଯେଉଁ ସହରରେ ବାସ କରୁଥିଲି ସେଠାରେ ବଡ଼ ବଡ଼ ମହାପୁରୁଷମାନଙ୍କର ଏତେ ବେଶୀ ସଂଖ୍ୟାର ପ୍ରତିମୂର୍ତ୍ତି ଥିଲା, ସେମାନଙ୍କ ସହିତ ବାର୍ତ୍ତାଳାପ କରିବା ଭଳି ସାହସ ମୋ ଭିତରେ ସଞ୍ଚୟ କରି ପାରୁ ନ ଥିଲି । କିମିତି କଥା ଆରମ୍ଭ କରାଯାଏ, ସେ ଧାରଣା ମଧ୍ୟ ମୋର ନ ଥିଲା ଏବଂ ସେମାନେ ମୋ ବ୍ୟବହାରରେ ଅସନ୍ତୁଷ୍ଟ ହେବାର ଭୟ କିଛିଟା ଥିଲା, କାରଣ ଏପର୍ଯ୍ୟନ୍ତ ଏତେ ଉଚ୍ଚ ପର୍ଯ୍ୟାୟର ମହାପୁରୁଷଙ୍କ ସହ କୌଣସି ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରି ପାରି ନ ଥିଲି ।

 

ମୁଁ ହଠାତ୍‌ ଏଭଳି ଦୃଶ୍ୟ ଦେଖି ଅତି କୌତୂହଳୀ ହୋଇ ପଛକୁ ଫେରିଆସି ପାଚେରୀକୁ ପଛକରି ଗଛ ଆଢ଼ୁଆଳରେ ଚୁପ୍ କରି ଠିଆହୋଇଗଲି । ମୁଁ ଏଥର ସ୍ପଷ୍ଟ ଦେଖିପାରିଲି ଧୋତି ଚାଦରରେ ଆବୃତ୍ତ ଲୋକଟି ଟିକିଏ ଆଗେଇ ଆସି କହିଲା, ‘‘ମୁଁ ଆଜ୍ଞା ରଘୁ ମହାପାତ୍ର ।”

 

ବାପୁଜୀ କିଛି ଶୁଣି ନ ପାରିଲା ଭଳି କହିଲେ; ‘‘ତମେ ଯିଏ ବି ହୁଅ, ଟିକିଏ ତଳେ ଠିଆହୋଇ କଥାବାର୍ତ୍ତା କରୁନ କାହିଁକି ? ତମର ଜାଣିବା ଦରକାର ମୁଁ ଏବେ ନ୍ୟାସନାଲ ଷ୍ଟାଚ୍ୟୁ, ମୋର ଗୋଟାଏ ରାଷ୍ଟ୍ରୀୟ ମର୍ଯ୍ୟାଦା ଅଛି । ଅଥଚ କିଛି କୁହା ନାହିଁ, ବୋଲା ନାହିଁ ତମେ ଉପରକୁ ଚଢ଼ି ଆସୁଛ ?”

 

ଏଥର ଛାୟାମୂର୍ତ୍ତିଟି ଟିକିଏ ଡରିଗଲା ଭଳି କହିଲା, ‘‘ମୁଁ ଆଜ୍ଞା ରଘୁନାଥ ମହାପାତ୍ର, ଆପଣଙ୍କ ଭଳି ଜଣେ ସ୍ଵାଧୀନତା ସେନାନୀ । ମୁଁ ଆପଣଙ୍କୁ ଜୀବିତ ଥିଲାବେଳେ ଭକ୍ତି କରୁଥିଲି, ଏବେ ବି କରୁଛି । ଆପଣମାନଙ୍କ ପ୍ରତି ମୋ ସମ୍ମାନ ଏବେ ବି ଅଫୁରନ୍ତ ।”

 

ବାପୁଜୀ ଷ୍ଟାଚ୍ୟୁର ସ୍ଵର ତଥାପି କର୍କଶଥିଲା । କହିଲେ, “ତୁମେ ସ୍ଵାଧୀନତା ସେନାନୀ ରଘୁ ମହାପାତ୍ର ହୁଅ ବା ରଘୁ ଦିବାକର ହୁଅ । ମୋ’ଠାରେ ଏବେ ତମର ଆଜି କି କାମ ! ମୋତେ କାହିଁକି ଅଯଥା ଆସି ବିରକ୍ତ କରାଉଛ ? ଏଥର ଛାୟା ମୂର୍ତ୍ତିଟି ଅତି ବିନୟ ହୋଇ କହିଲା “ମୋର ଆଜ୍ଞା ଗୋଟାଏ ଗୁହାରି ଅଛି । ଖୁବ୍ ଆଶା ନେଇ ଆପଣଙ୍କ ପାଖକୁ ଆସିଛି । ଅନେକ ଦିନର ମୋର ଆଶା, ଖାଲି ଆପଣଙ୍କ କାନରେ…।” ଗାନ୍ଧୀଜୀ ତାଙ୍କର ଚିରାଚରିତ ଢଙ୍ଗରେ ଛାୟାମୂର୍ତ୍ତିଟିର କଥାକୁ ବଳିପଡ଼ି କହିଲେ; ‘‘ହଉ ଏତେ ଭୂମିକା ନ ନେଇ ଶୀଘ୍ର କୁହ, କ’ଣ ତୁମର କହିବାର ଅଛି-?”

 

ଛାୟା ମୂର୍ତ୍ତିଟି ଏଥର ଆରମ୍ଭ କଲା, ‘‘ମୁଁ ଆଜ୍ଞା ସ୍ଵାଧୀନତା ପୂର୍ବରୁ ଜଣେ ଶିକ୍ଷକ ଥିଲି । ଆପଣଙ୍କ ସ୍ଵରାଜ୍ୟ ଆନ୍ଦୋଳନର ଆହ୍ଵାନରେ ମୁଁ ଖୁବ୍ ପ୍ରଭାବିତ ହୋଇ ବିଭିନ୍ନ ସଭା ସମିତିରେ ଯୋଗ ଦେଉଥିଲି । ସ୍କୁଲର ଛାତ୍ରମାନଙ୍କୁ ଅନୁରୂପ ଉତ୍ସାହିତ କରୁଥିଲି । ହଠାତ୍ ମୋତେ ଦିନେ ଏହି ଅଭିଯୋଗରେ ଚାକିରିରୁ ବାହାର କରି ଦିଆଗଲା । ତା’ପରେ ଦିନେ କୌଣସି ଅପରାଧ ନଥିବା ବେଳେ ମୋତେ ଥାନାକୁ ପୋଲିସ ଧରିନେଇ ନିସ୍ତୁକ ମାଡ଼ ଚଢ଼ାଇଲେ ଓ ଜେଲରେ ନେଇ ଠୁକି ଦେଲେ । ତା’ପରେ ଯେଉଁ ଅକଥନୀୟ ଅତ୍ୟାଚାର !”

 

“ସ୍ଵରାଜ୍ୟ ହେବାପରେ ତମେ ଲୋକଚକ୍ଷୁକୁ ନିଶ୍ଚୟ ଆସିଥିବ । କିଛି ନା କିଛି ଗୋଟାଏ ହୋଇଥିବ । ଲୋକେ ଖୁବ୍ ସମ୍ମାନ ଦେଇଥିବେ ।” ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିର ଦମ୍ଭୋକ୍ତି । ଲୋକଟି କିନ୍ତୁ ଆଗଭଳି ଭାବାବେଶ ହୋଇ କହିଲା, “ନାଁ, କଦାପି ହୋଇନି ।” ‘‘ତା’ପରେ ତା’ହେଲେ କ’ଣ ହେଲା ?” ଗାନ୍ଧିଜୀ ପ୍ରଶ୍ନ କଲେ ।

 

ମୁଁ ଜେଲ୍‌ରୁ ଫେରିଆସି ଦେଖେ ମୋର ହୋଇ ଆଉ କେହି ନାହାନ୍ତି । ମୋର ଛୁଆ ଦି’ଟା ଖାଇବାକୁ ନ ପାଇ ମରିଗଲେ, ମୋ ସ୍ତ୍ରୀ ନଦୀକୁ ଡେଇଁ ଆତ୍ମହତ୍ୟା କଲା । ଅଥଚ ସ୍ଵାଧୀନତା ପରେ ମୋତେ କେହି ପାଖରେ ପୂରାଇଦେଲେ ନାହିଁ, ମୁଁ ବାର ଦୁଆର ବୁଲି ଥକିଗଲି । ଆପଣ କହୁଥିଲେନା ‘‘ସ୍ଵାଧୀନତା ଆମର ଜନ୍ମସିଦ୍ଧ ଅଧିକାର” ତା’ର ସ୍ଵାଦ ଆପଣ କ’ଣ କେବେ ଉପଲବ୍‌ଧି କରିଛନ୍ତି ? ଏଇ ଦେଖନ୍ତୁ କହି ଲୋକଟି ତା’ ପିଠି ଉପରୁ ଚାଦର କାଢ଼ି ନେଲା ।

 

ଲୋକଟିର ପିଠିରେ ଅସଂଖ୍ୟ କ୍ଷତ । ମାଂସଗୁଡ଼ାକ ସଢ଼ିଯାଇ ଭୀଷଣ ଦୁର୍ଗନ୍ଧ ବାହାରୁଛି । ବାପୁଜୀ ରାମ ରାମ କହି ନାକରେ ଚାଦର ଗୁଞ୍ଜି ଦେଲେ ଓ ପ୍ରଶ୍ନ କଲେ; ‘‘ତମେ ଏବେ କ’ଣ କରୁଛ ? କରିବାର ସୁଯୋଗ ମୋତେ କେଉଁଠୁ ମିଳିଲା ? ଆପଣଙ୍କ ନାଁ ବିକି ଏଯାବତ୍ ଯେଉଁମାନେ ଖାଉଛନ୍ତି ସେମାନେ ମୋତେ ଅପଦାର୍ଥ କହି ଘଉଡ଼େଇ ଦେଲେ । ଶାସନ ଅକ୍ତିଆର କରିବାକୁ ମୋ ଭଳି ଅନେକ ଲୋକମାନଙ୍କୁ ଗୋପନରେ ହତ୍ୟାକରାଗଲା ।” ଲୋକଟି ଅତ୍ୟନ୍ତ ବ୍ୟଥିତ ହୋଇ ଉତ୍ତର ଦେଲା । ତୁମକୁ ତା’ହେଲେ କ’ଣ ହତ୍ୟାକରାଯାଇଛି ? ବାପୁଜୀଙ୍କ ପ୍ରତିମୂର୍ତ୍ତିର ବିସ୍ମୟସୂଚକ ପ୍ରଶ୍ନ ।

 

ରାଜନୈତିକ ହତ୍ୟାଷଡ଼ଯନ୍ତ୍ରରେ ମୁଁ ପ୍ରଥମେ ଶିକାର ହେଲି । ଯେଉଁମାନେ ଆପଣଙ୍କ ସତ୍ୟ, ଶାନ୍ତି, ଅହିଂସାର ଲେବ୍‌ଲ ମାରି ଶାସନଗାଦିକୁ ଆସିଲେ ସେମାନେ ମୋତେ ଅତି ନୃଶଂସଭାବେ ହତ୍ୟାକଲେ, ମୋରି ଭଳି ଆହୁରି ଅନେକଙ୍କୁ ।

 

ବାପୁଜୀଙ୍କ ପ୍ରତିମୂର୍ତ୍ତି ଲୋକଟିର ଦୟନୀୟ ଅବସ୍ଥା ଶୁଣି ପୁନଶ୍ଚ ରାମ ରାମ ଉଚ୍ଚାରଣ କଲା ଏବଂ ଅତ୍ୟନ୍ତ ମର୍ମାହତ ହେଲାଭଳି କହିଲା, “ମୋତେ ତ ଆଗରୁ ଏମିତି ହେଉଥିବା କଥା କେହି କହିନାହାନ୍ତି !”–ଆପଣଙ୍କ ପର୍ଯ୍ୟନ୍ତ ପହଞ୍ଚିଲାଭଳି ସୁଯୋଗ ବର୍ତ୍ତମାନ ଆଉ କାହାରି ନାହିଁ ଏବେ ସରକାରଙ୍କର ଯେଉଁ କଡ଼ା ଗୁଇନ୍ଦା ବ୍ୟବସ୍ଥା କେହି ଆପଣମାନଙ୍କ ଭଳି ଲୋକଙ୍କ ପାଖକୁ ପଶିବାକୁ ସାହସକରିବେ ନାହିଁ ।

 

–ତମେ ତା’ହେଲେ ଏତେ ବିପଦ ମୁଣ୍ଡେଇ କାହିଁକି ଏଠାକୁ ଆସିଛ ? ବାପୁଜୀ ଅତି ସହାନୁଭୂତିଶୀଳ ହେଲାଭଳି ପଚାରିଲେ ।

 

ଲୋକଟି ଏଥର ଆହାବ ପାଇଗଲା ଭଳି କହିଲା, ‘‘ମୋର ଗୋଟାଏ ସମାନ୍ୟ ଅଳିଅଛି । ମୁଁ ଏଇ ଚଉତରାରେ ଟିକିଏ ବସିବାକୁ ଚାହେଁ ।”

 

ବାପୁଜୀଙ୍କ ଷ୍ଟାଚ୍ୟୁ ମୁଣ୍ଡ ହଲାଇ ନାସ୍ତିବାଚକ ସୂଚନା ଦେବା ସଙ୍ଗେ ସଙ୍ଗେ କହିଲା, ତୁମେ ମୋତେ ଆଉ ଯାହା ଇଚ୍ଛା ମାଗିପାର, ତୁମକୁ କିନ୍ତୁ ଏଠି ଜାଗା ଦେବା ସମ୍ଭବ ନୁହେଁ । ମୋ ଅମୂଲ୍ୟ ଜୀବନ ବିନିମୟରେ ମୁଁ ଦେଶବାସୀଙ୍କଠାରୁ ଏତିକି ମାତ୍ର ପାଇଛି । ତୁମ ପ୍ରତି ମୋର ସହାନୁଭୂତି ରହିଛି । କିନ୍ତୁ ତୁମର ଏ ଅଯୌକ୍ତିକ, ଦାବି ଗ୍ରହଣ କରିବା ମୋ ପକ୍ଷେ ସମ୍ଭବ ନୁହେଁ ।”

 

ଲୋକଟି ଏଥର ଟିକିଏ ବିଦ୍ରୂପ କଲାଭଳି କହିଲା, “ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ମିଳିଯିବା ପରେ ଆପଣ ଏବେ ଯୁକ୍ତି ଅଯୁକ୍ତି ସିଦ୍ଧାନ୍ତ ସମ୍ମାନ କଥା କହୁଛନ୍ତି । କିନ୍ତୁ ଯେଉଁମାନେ ପ୍ରକୃତରେ ଦେଶ ପାଇଁ ପ୍ରାଣବଳି ଦେଲେ, ସେମାନଙ୍କୁ କ’ଣ ମିଳିଲା ? ଲକ୍ଷ ଲକ୍ଷ ସଂଖ୍ୟାରେ ଯେଉଁମାନଙ୍କୁ ଆପଣ ନିଆଁକୁ ଠେଲି ଦେଲେ ସେମାନଙ୍କର କ’ଣ ହେଲା ??”

 

–“ମୋର ସେ ସବୁ ଜାଣି ଏବେ କିଛି ଲାଭ ନାହିଁ । ତମ କଥା ଯଦି କେହି ଶୁଣୁନାହାନ୍ତି ତା’ହେଲେ ସତ୍ୟାଗ୍ରହ କର ଆନ୍ଦୋଳନ କର ଅଥବା ଅନଶନ କର ।”

 

“ସେ ସବୁ ଆଜିକାଲି ଯୁଗରେ ଚଳୁ ନାହିଁ । ଏପରିକି ସେ ସବୁକୁ ସମ୍ମାନ ଜଣାଇବାକୁ ଆଉ କେହି ପ୍ରସ୍ତୁତ ନୁହନ୍ତି ।” ଲୋକଟି ପ୍ରତିବାଦ କଲା ।

 

ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଏଥର ଶାସନ କଲାଭଳି କହିଲା, ‘‘ତମଦ୍ୱାରା କିଛି ହୋଇପାରିବ ନାହିଁ । କିନ୍ତୁ ତୁମେ ପାଷାଣ ମୂର୍ତ୍ତି ହୋଇ କ’ଣ ବା ପାଇବ ? ଏବେ ଦେଖୁନ କଟକ, କଲିକତାରେ କିମିତି ଷ୍ଟାଚ୍ୟୁମାନଙ୍କର ଗଳାଚ୍ଛେଦନ କରାଯାଉଛି । ବରଂ ତମେ ଭଲରେ ଅଛ । ଆମଭଳି ଅଯଥା ତିରଷ୍କୃତ ହେବା କ’ଣ ଭଲ ହେବ ତୁମ ପକ୍ଷେ ?”

 

ଲୋକଟି ତା’ ଜିଦରେ ଅଟଳ ଥିଲା । କହିଲା, ‘‘ଆପଣ ଜାଣନ୍ତି ନାହିଁ ଶହୀଦ ଦିବସ ଦିନ ଦେଶର ବଡ଼ ବଡ଼ ନେତାମାନେ ଆପଣଙ୍କୁ ପୁଷ୍ପାର୍ଘ୍ୟ ଅର୍ପଣ କଲାବେଳେ ମୁଁ ଏଇଠି ପାଖରେ ଠିଆହୋଇଥିଲି । କେହି ମୋତେ ଆଉ ଆଖିରେ ଟିକିଏ ଚାହିଁଲେ ନାହିଁ । ମୋ ହୃଦୟ ଆଜ୍ଞା ଫାଟିପଡ଼ୁଥିଲା । ମୋର ଅନେକ ଦିନର ଅଭିଳାଷ, ମୋତେ ଏଇଠି ଟିକିଏ ସ୍ଥାନ ଦେଇ ଦିଅନ୍ତୁ ଏବଂ କଥା ଶେଷ କରି ଚଉତରା ଉପରକୁ ଉଠିବାକୁ ଆରମ୍ଭ କଲା ।

 

ଏଥର ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଉତ୍ୟକ୍ତ ହେଲାଭଳି ଚିତ୍କାର କଲା, “ତମେ ତଳକୁ ଓହ୍ଲାଉଛ ନା ମୁଁ ଏଇନେ ପୋଲିସ ଡାକିବି ?”

 

ପୋଲିସ ନାଁ ଶୁଣି ଲୋକଟା ତତ୍‌କ୍ଷଣାତ୍‌ ତଳକୁ ଓହ୍ଲାଇ ଆସିଲା ଓ କ’ଣ କହିବାକୁ ଉଦ୍ୟତ ହେଉଥିଲା । ଏତିକିବେଳେ ଦୂରରୁ ନାଇଟ୍ ପ୍ୟାଟ୍ରୋଲରେ ଥିବା କନେଷ୍ଟବଳ ଆସୁଥିବାର ଦେଖାଗଲା । ଛାୟାମୂର୍ତ୍ତିଟି ଭୟରେ ଲସରପସର ହୋଇ ଅନ୍ଧକାର ଭିତରେ ଧାଇଁବାକୁ ଆରମ୍ଭ କଲା ଓ ହଠାତ୍ କୁଆଡ଼େ ଅଦୃଶ୍ୟ ହୋଇଗଲା ।

 

ମୁଁ ସେଠି ଆଉ ବେଶୀ ସମୟ ରହିପାରିଲି ନାହିଁ ପହରାଦାର କନେଷ୍ଟବଳ ଭୟରେ ମୁଁ ମଧ୍ୟ ଗୋଟାଏ ଗଳି ରାସ୍ତା ଦେଇ ଏକ ନିଶ୍ୱାସରେ ଦୌଡ଼ିବାକୁ ଆରମ୍ଭ କଲି । ସେ ରାସ୍ତା କୁଆଡ଼କୁ ପଡ଼ିଥିଲା ତା’ ଜାଣିବାର ଉପାୟ ନ ଥିଲା । ଗୋଟାଏ ବଡ଼ ଛକ ଜାଗାରେ ମୁଁ ଯାଇ ପହଞ୍ଚିଲି । ସେଠାରୁ ଏଣେ ତେଣେ ରାସ୍ତା ବିଛେଇ ହୋଇଯାଇଛି । ମୋତେ ଖୁବ୍ ନିକଟରେ ମଣିଷଙ୍କ କଥାବାର୍ତ୍ତା ଶୁଣାଗଲା । ମୁଁ ଚାରିଆଡ଼କୁ ଚାହିଁଲି । ହଠାତ୍ ମୋର ଦୃଷ୍ଟି ଆକର୍ଷଣ କଲା ଦକ୍ଷିଣ ଦିଗକୁ ଆବୋରି ବସିଥିବା ଉତ୍କଳ ଗୌରବଙ୍କ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଷ୍ଟାଚ୍ୟୁଟି । ଗୋଟିଏ କ୍ଷୁଦ୍ର ମଣିଷ ତା’ ତଳେ ଠିଆ ହୋଇ ଅତ୍ୟନ୍ତ ବିନମ୍ରଭାବେ ଡାକୁଛି, ‘‘ବାରିଷ୍ଟର ସାହେବ, ବାରିଷ୍ଟର ସାହେବ !”

 

ଆପଣ ହୁଏତ ପ୍ରଶ୍ନ କରିବେ ପ୍ରତିମୂର୍ତ୍ତିଗୁଡ଼ାକ ଏପରି କଥା କହିବା ଯଦି ମୁଁ ଆଗରୁ ଜାଣିଥିଲି ତା’ହେଲେ ଆଗେ ଏଭଳି ସୁଯୋଗ ନେଲିନି କାହିଁକି ? ଜେଜେ କହୁଥିଲେ, ଇଂରେଜ ଅମଳରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଙ୍ଗେ କଥାବାର୍ତ୍ତା କଲେ ପୋଲିସ ଧରି ନେଉଥିଲେ । ମୁଁ ବଡ଼ ହେବାପରେ ଦେଖିଲି ସେମାନଙ୍କ ପଛରେ ଆମ ଦେଶୀ ସରକାର ସବୁବେଳେ ଗୁପ୍ତଚର ଲଗେଇ ରଖିଛନ୍ତି, କାଳେ ତାଙ୍କ ବିରୁଦ୍ଧରେ କିଏ ଯାଇ ଅଭିଯୋଗ ବାଢ଼ିବ । ତେଣୁ ପ୍ରଚଣ୍ଡ ଇଚ୍ଛା ଥିଲେ ବି ମୁଁ ପୋଲିସ ଭୟରେ ନିଜର ଭେଳା ବୁଡ଼ାଇବାକୁ ଚାହୁଁ ନ ଥିଲି ।

 

ସେଇ ସାନ ମଣିଷଟି ଏଥର ମଧୁବାବୁଙ୍କ ଚଉତରା ଉପରେ ପାଦ ରଖି ପୁଣି ଥରେ ଡାକିଲା, ‘‘ବାରିଷ୍ଟର ସାହେବ !”

 

ଏଥର ମଧୁବାବୁଙ୍କ ପ୍ରତିମୂର୍ତ୍ତିରୁ ଉତ୍ତର ମିଳିଲା, ‘‘କିଏ ?”

 

ମୁଁ ଲୁହା ରେଲିଂ ଘେରା ସେହି ବେଦୀଟିର ଖୁବ୍ ନିକଟକୁ ଆସି ଚୁପ୍‌ଚାପ୍ ତଳେ ବସିଗଲି ଓ ସେମାନଙ୍କ କଥୋପକଥନକୁ ଲକ୍ଷ୍ୟ କଲି ।

 

କ୍ଷୁଦ୍ର ମାନବଟି ପ୍ରତ୍ୟୁତ ପାଇ ଅତି ଉତ୍ସାହର ସହିତ କହିଲା, “ମୁଁ ବେଙ୍ଗ !”

 

ଏଭଳି ଏକ ଅଦ୍ଭୁତ ନାଁ ଶୁଣି ମଧୁବାବୁ ଟିକିଏ ଋକ୍ଷ ଗଳାରେ କହିଲେ, “ଏଠିକି କାହିଁକି-?” ଏବଂ ଚଷମା ଖୋଲି ରୁମାଲରେ ପୋଛିଲେ ଓ ଲୋକଟି ଆଡ଼କୁ ସତର୍କ ଦୃଷ୍ଟିପାତ କଲେ-

 

ଲୋକଟି ମଧୁବାବୁଙ୍କ ପ୍ରଶ୍ନର ଉତ୍ତର ଦବାକୁ ଯାଇ କହିଲା, “ଆପଣ ଏ ରାଜ୍ୟର ମୁକୁଟହୀନ ସମ୍ରାଟ । ମୁଁ ଜାଣେ ଆପଣ ମୋ ଅନୁରୋଧ ରକ୍ଷା କରିବେ । ମୁଁ ଗୋଟାଏ ବଡ଼ ଭରସା ନେଇ ଆପଣଙ୍କ ପାଖକୁ ଆସିଛି । ମୁଁ ଆପଣଙ୍କ ଠାରୁ କିଛି ଚାହେଁନା । ମୋତେ ଏଠାରେ ଚେନାଏ ଜାଗା ଦିଅନ୍ତୁ । ମୁଁ ଟିକିଏ ବିଶ୍ରାମ କରିବି ।”

 

“ଏଠାରେ ? ଏଇଟା ତ ମୋ ଜାଗା । ତୁମକୁ ଏଠି ସେ ସୁବିଧା କିମିତି ମିଳିବ ? ମଧୁବାବୁଙ୍କ ପ୍ରତିମୂର୍ତ୍ତି କହିଲା ।

 

ଲୋକଟି ଏଥର ନରମିଗଲା ଭଳି କହିଲା, ‘‘ମୁଁ ଜାଣେ ଏଇଟା ଆପଣଙ୍କ ଜାଗା । କିନ୍ତୁ ମୁଁ କେଉଁଠି ବସିବି ! ପଚିଶବର୍ଷ ହେଲା ତ ମୁଁ ଏମିତି ରାଜ୍ୟସାରା ଘୂରିବୁଲୁଛି । କେହି ମୋତେ ପାଖରେ ପୂରାଇ ଦେଲେନି । ଆପଣ କ’ଣ ଚାହାଁନ୍ତି ଯୁଗ ଯୁଗ ଧରି ଏମିତି ମୁଁ ବୁଲୁଥିବି ?”

 

“ତୁମକୁ ଜାଗା ମିଳୁନି ବୋଲି ତମେ କ’ଣ ମୋ’ଠାରୁ ଭାଗ ସାଧିବ ? ମୋର ତ ପୁଣି ଗୋଟାଏ ସ୍ଥିତି ଅଛି ? ତୁମେ ତ ଦେଖୁଛ ଜାଗା ଏତିକି ! ତୁମକୁ ଜାଗାତକ ଦେଇଦେଲେ ମୁଁ କୁଆଡ଼େ ଯିବି ?” ଉତ୍କଳଗୌରବ ଅତ୍ୟନ୍ତ ପ୍ରାଞ୍ଜଳ ଭାବରେ ଲୋକଟିକୁ ବୁଝାଇବାକୁ ଚେଷ୍ଟା କରୁଥିଲେ ।

 

ଲୋକଟି ତା’ ଜିଦ୍ ବଜାଏ ରଖିବାକୁ ଆପ୍ରାଣ ଚେଷ୍ଟା କଲାଭଳି କହିଲା, ‘ମୁଁ ଅବଶ୍ୟ ଏ କଥା ଅସ୍ଵୀକାର କରୁନି । କିନ୍ତୁ ଆପଣଙ୍କ ପଦାଙ୍କ ଅନୁସରଣ କରି ମୋତେ ତା’ହେଲେ କ’ଣ ମିଳିଲା । ଆପଣ ଜାଣନ୍ତି ନାହିଁ ମୁଁ ଆପଣଙ୍କ ଅଧୁରା କାମକୁ ବେବଳ ସମ୍ପୂର୍ଣ୍ଣ କରିବାକୁ ଚାହିଁଥିଲି । ଆପଣ ଚାହୁଁଥିଲେ ସବୁ ଓଡ଼ିଆ ଅଞ୍ଚଳ ମିଶି ଗୋଟିଏ ପ୍ରଦେଶ ହେଉ । ଆପଣଙ୍କ ସ୍ଵପ୍ନକୁ ସାର୍ଥକ କରିବା ପାଇଁ ମୁଁ ଆନ୍ଦୋଳନ କଲି । କ’ଣ ମୋତେ ପୁରସ୍କାର ମିଳିଲା ଜାଣନ୍ତି ? ମୋତେ ଗୁଳିରେ ଉଡ଼େଇ ଦିଆଗଲା ।”

 

ଏଥର ମଧୁବାରୁ ସମବେଦନା ଜଣାଇବା ଭଳି ପ୍ରଶ୍ନ କଲେ, ‘‘ତମ ନାଁ କ’ଣ କହିଲ ?”

 

‘‘ବେଙ୍ଗପଣିଆ ।”

 

–କାହିଁ ତମ ନାଁ ତ ମୁଁ କେଉଁଠି ଇତିହାସରେ ଦେଖିବାକୁ ପାଇଲି ନାହିଁ ।

 

“ମୋ ନାଁ ଇତିହାସରେ ନାଇଁ ଆଜ୍ଞା । ମୋ ମରିବା ପରେ ଏ ରାଜ୍ୟରେ ଆଉ ଇତିହାସ ଲେଖା ହୋଇନି । ଲୋକଟି ଦୁଃଖପ୍ରକାଶ କଲାଭଳି କହୁଥିଲା ।

 

ତମେ ଏବେ କ’ଣ କରିବାକୁ ଚାହୁଁଛ ? ବାରିଷ୍ଟର ଶୀଘ୍ର ସମାଧାନ କରିଦେବା ଉଦ୍ଦେଶ୍ୟରେ ପ୍ରଶ୍ନ କଲେ ।

 

ମୋ’ପ୍ରତି ଅନ୍ୟାୟ ହୋଇଛି ସାର୍ । ମୁଁ ଆପଣଙ୍କ ପାଖରେ ପ୍ରତିବାଦ ଜଣାଉଛି ।

 

–ମୁଁ ଏବେ ଆଉ କ’ଣ କରିପାରେ ? ତୁମେ ତ ଜାଣୁଛ ମୁଁ ପଥର ପାଲଟିସାରିଛି ।

 

–ମୁଁ ବି ଆଉ ନ୍ୟାୟ କାହାଠାରୁ ଚାହୁଁନି । ମୁଁ ଆପଣଙ୍କ ଭଳି ପଥର ମୂର୍ତ୍ତିଟିଏ ହେବାକୁ ଚାହେଁ । ଦୟାକରି ମୋତେ ଏଇଠି ଟିକଏ ଜାଗା ଦେଇ ଦିଅନ୍ତୁ । ମୁଁ ଆଉ ପାରୁନି, ସମ୍ପୂର୍ଣ୍ଣ ଥକିଗଲିଣି ।

 

–‘‘ମୁଁ ତ କହି ସାରିଛି ତୁମକୁ ଏଠି ଜାଗା ଦେବା କୌଣସି ମତେ ସମ୍ଭବ ନୁହେଁ । ତୁମର ଯଦି ଏକାନ୍ତ ଇଚ୍ଛା ପଥରମୂର୍ତ୍ତି ହବ ତା’ହେଲେ ବରଂ ଏଠା ମ୍ୟୁନିସିପାଲଟି ଚେୟାରମ୍ୟାନଙ୍କ ପାଖକୁ ଯାଅ । ସିଏ ହୁଏତ ତମ ପାଇଁ କିଛି ବନ୍ଦୋବସ୍ତ କରିପାରନ୍ତି ।” ମଧୁବାରୁ ନିଜ ଯୁକ୍ତିରେ ଅଟଳ ଥିବା ଭଳି କହିଲେ ।

 

ବେଙ୍ଗପଣିଆ ନିରାଶରେ ଫେରିବା ଉଦ୍ଦେଶ୍ୟ ନେଇ ଚଉତରାରୁ ପାଦ ହଟାଇ ଆଣିଲା ଓ ଏକ ଦୀର୍ଘନିଶ୍ଵାସ ଛାଡ଼ିଲା ।

 

ମଧୁବାବୁଙ୍କ ପ୍ରତିମୂର୍ତ୍ତି ପରାମର୍ଶ ଦେଲାଭଳି କହିଲା, “ଶୁଣ ! ତୁମେ ଚେୟାରମ୍ୟାନଙ୍କୁ ଷ୍ଟାଚ୍ୟୁ କଥା କହିଲାବେଳେ ଜାଗା କଥା ପ୍ରତି ଟିକିଏ ଗୁରୁତ୍ୱ ଦେବ । ଦେଖୁଛ, ଯୁଗଟାଏ ହେଲାଣି ଏଠି ମୋ ପାଦ ବାଲିରେ ସିଝିଯାଉଛି, ମୁଣ୍ଡ ଖରାରେ ଫାଟି ପଡ଼ୁଛି; ଅଥଚ ମୋ ଦୁର୍ଦ୍ଦଶା କେହି ଉପଲବ୍‌ଧି କଲେ ନାହିଁ । ଆଉ ଏ ମୂର୍ଖ ଅଭଦ୍ର ପିଲାଗୁଡ଼ାକ ଏ କଷ୍ଟ ସାଙ୍ଗକୁ ଦହିବରା, ଚାଟ୍ ଖାଇ ମୋ ଆଡ଼କୁ ଅଇଁଠା ପତ୍ର ଫିଙ୍ଗି ଦେଉଛନ୍ତି । ଏ ପଡ଼ିଆରେ ଯେଉଁଦିନ ସଭାସମିତି ହେଲା ସେଦିନ ମୋ ଉପରେ ଯାବତୀୟ ଅତ୍ୟାଚାର । ସୁତରାଂ ଭଲ ଜାଗା ଖଣ୍ଡିଏ ପାଇଁ ତମର ପ୍ରଥମ ଦାବି ହବା ଦରକାର ।’’

 

ଉତ୍କଳଗୌରବଙ୍କ କଥା ନ ସରୁଣୁ ସେଇ କ୍ଷୁଦ୍ର ମହାତ୍ମା ଜଣକ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ । ମୁଁ ତରବର ହୋଇ ପ୍ୟାରେଡ଼ ପଡ଼ିଆ ଦକ୍ଷିଣ ଦିଗ ଚଉଡ଼ା ରାସ୍ତା ଧରିଲି । ଚିହ୍ନା ବସ୍ତାଗୁଡ଼ାକ ମୋତେ ସମ୍ପୂର୍ଣ୍ଣ ନୂଆ ନୂଆ ଲଗୁଥାଏ । ପୃଥିବୀର ଏକ ସର୍ବଶ୍ରେଷ୍ଠ ଆଶ୍ଚର୍ଯ୍ୟବସ୍ତୁ ଆବିଷ୍କାର କଲାଭଳି ମୁଁ ଆନନ୍ଦରେ ଫାଟି ପଡ଼ୁଥିଲି ଏବଂ ଏକମୁହାଁ ହୋଇ ଧାଉଁଥୁଲି । ଏମିତି କେତେ ରାସ୍ତା ଅତିକ୍ରମ କରିବା ପରେ ମୁଁ ପଛରୁ ଶୁଣିପାରିଲି କିଏ ଜଣେ କହୁଛି, ‘‘ଏଠି ଟିକଏ ଜାଗା ଦେଲେ ଆପଣଙ୍କର କ’ଣ ବିଗିଡ଼ିଯାଇଛି ।” ମୁଁ ଥକ୍‍କା ହୋଇ ଠିଆ ହୋଇଗଲି ଓ ଚତୁର୍ଦ୍ଦିଗକୁ ଆଖି ବୁଲାଇ ନେଲି । ମୋ ବାମ ଦିଗରେ ଥିବା ପ୍ରକାଣ୍ଡ ବରଗଛ ଛାଇରେ ସେଇ ଯୁଗପୁରୁଷଙ୍କ ପ୍ରତିମୂର୍ତ୍ତି ନିକଟରେ ଠିଆ ହୋଇ କିଏ ଜଣେ ଧମକଦେବାଭଙ୍ଗୀରେ କହୁଛି, “ଜାତୀୟ ମହାସ୍ରୋତରେ ଆପଣ ଆମକୁ ଭସାଇ ଦେଲେ ଆମେ କୂଳଧରା ଆଉ କେବେ ହେବୁ-? ସେ ନେଇ ଆପଣଙ୍କର କ’ଣ କିଛି ଦାୟ ଦାୟିତ୍ଵ ନାହିଁ ?

 

ମୁଁ ଅତି ସନ୍ତର୍ପଣରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତୀର ନିକଟବର୍ତ୍ତୀ ହେଲି । ମୋ’ପାଇଁ ପୂର୍ଣ୍ଣ ସୁଯୋଗ ଆସିଥିବାର ଆନନ୍ଦ ମୋତେ ବିହ୍ୱଳ କଲ। । ମୁଁ ଗଛ ଛାଇରେ ଚୁପ୍ ହୋଇ ଠିଆ ହୋଇଗଲି ।

 

ଉତ୍କଳମଣି ଏଥର ଅତି ଶାନ୍ତ ଗଳାରେ ଲୋକଟିକୁ ଜବାବ ଦେଲେ, ‘‘ଜାଗା ଦବା ନ ଦବା ତ ଅଲଗା କଥା । ମୁଁ ତ ଏବେ ତୁମକୁ ଆଦୌ ଚିହ୍ନି ପାରୁନି । ତମେ କିଏ ?’’

 

‘‘ମୋତେ ଆପଣ ଚିହ୍ନି ପାରୁ ନାହାନ୍ତି, ମୁଁ ପରା ଦିବାକର ।”

 

–ତମେ କୋଉ ଦିବାକର ? ଆମବେଳେ ତ ଅନେକ ଦିବାକର ଥିଲେ । କାଇଁ ମୁଁ ତ ତୁମକୁ କେଉଁଠି ଦେଖିଲା ଭଳି ମନେହେଉନି ।

 

–‘‘ମୋତେ ଆଜ୍ଞା ଆପଣ ଅନେକଥର ଦେଖିଛନ୍ତି । ଆମେ ସାଙ୍ଗ ହୋଇ ସତ୍ୟାଗ୍ରହ କରିଛେ, ଜେଲ ଯାଇଛେ, ଏମିତି କେତେ କ’ଣ ଉଦ୍ଭଟ କଳ୍ପନା କରିଛେ । ଅଥଚ ଆପଣ ମୋତେ ଚିହ୍ନି ପାରୁ ନାହାନ୍ତି !” ଲୋକଟିର କଥାରେ ସ୍ପଷ୍ଟ ଦମ୍ଭୋକ୍ତି ପରିଲକ୍ଷିତ ହେଉଥିଲା ।

 

–ହେଲା, ତୁମେ ମୋ ସଙ୍ଗେ ଜେଲ ଯାଇଛ, ବନ୍ୟା ବାତ୍ୟା ପ୍ରପୀଡ଼ିତ ଲୋକଙ୍କୁ ରିଲିଫ ବାଣ୍ଟିଛ, ସବୁ କରିଛ; କିନ୍ତୁ ଏବେ ଏଠିକି ଆସି କାହିଁକି ଜୁଲୁମ କରୁଛ, ଟିକିଏ ଶୁଣେ ? ଗୋପବନ୍ଧୁ ଗୋଟିଏ ସାଲିସ କରିବା ମନୋବୃତ୍ତି ନେଲା ଭଳି ପ୍ରଶ୍ନ କଲେ ।

 

–ମୁଁ ତ କହି ସାରିଛି ମୋ ଆସିବାର ଉଦ୍ଦେଶ୍ୟ କ’ଣ । ଏଇ ନିରାପଦ ସ୍ଥାନରୁ ମୁଁ ଟିକିଏ ଚାହେଁ । ଦିବାକର ନିଜ କଥାର ପୁନଃରାବୃତ୍ତି କଲେ ।

 

ଏଥର ଗୋପବନ୍ଧୁ ନିଜର ଦାଢ଼ି ଆଉଁସି ଟିକିଏ ଶକ୍ତି ସଞ୍ଚୟ କରି ନେଇ କହିଲେ, ‘‘ମୋ ପାଖରେ ଜାଗା ମିଳୁଛି ବୋଲି ତୁମକୁ କିଏ କହିଲା ? ମୋର ଜାଗା କେତେ ତମେ କ’ଣ ଦେଖିପାରୁନ ? ତା’ପରେ ଏଇଟା ମୋ ଜାଗା । ମୋର ଗୋଟାଏ ସର୍ବଭାରତୀୟ ସ୍ତରରେ ସମ୍ମାନ ରହିବ । ତୁମକୁ ଏଠି ଜାଗା ଦବା କେମିତି ସମ୍ଭବ ହେବ ?”

 

–ଆପଣ ଏବେ କୁହନ୍ତୁ–ମୁଁ ଜୀବନସାରା ଆପଣଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଂଗ୍ରାମ କଲି । ମୋର ସାରା ଶରୀର ଜଳୁଛି । ମୋତେ ଉପାୟ ବତାନ୍ତୁ ମୁଁ ଏବେ ଆଉ କୁଆଡ଼େ ଯିବି ? ମୋତେ ଶାନ୍ତି ଲୋଡ଼ା । ଏତିକି କ’ଣ ଆପଣ ମୋ’ପାଇଁ କରି ପାରିବେ ନାହିଁ ? ଆପଣ ବକ୍ତୃତା ଦେଇ ଇଂରେଜ ସରକାରଙ୍କୁ ଦୋହଲାଇ ଦେଇଥିଲେ । କାହାରିକୁ କହି ଏଇ ସାମାନ୍ୟ ବ୍ୟସ୍ତତା ଟିକିଏ କ’ଣ ଆପଣଙ୍କ ଦ୍ଵାରା ହେବ ନାହିଁ ?

 

–ଗୋପବନ୍ଧୁ ଅନୁନୟ ହେଲାଭଳି କହିଲେ, “ସେ ସମୟ ଅଲଗାଥିଲା । ଏବେ ଆମକୁ କିଏ କାହିଁକି ପଚାରିବ ?”

 

–ମୁଁ ସେସବୁ କିଛି ଶୁଣିବାକୁ ଚାହେଁନା । ଆପଣ ଜାତି ଉଦ୍ଦେଶ୍ୟରେ ଜୀବନ ଉତ୍ସର୍ଗ କରି ମହାସମ୍ମାନର ଅଧିକାରୀ ହେଲେ । ଆଉ ଯିଏ ସାରା ଜୀବନ ଆପଣଙ୍କ ପଦାଙ୍କ ଅନୁସରଣ କରି ନିର୍ଯ୍ୟାତିତ ହେଲା, ସେ ପାଇଲା କ’ଣ ? ତାକୁ ଆପଣ ପାଦରେ ଟିକିଏ ସ୍ଥାନ କ’ଣ ଇଚ୍ଛାକଲେ ଦେଇପାରିବେ ନାହିଁ ?” ଡେଙ୍ଗା ଲୋକଟି ଏଥର ବେଦୀ ଉପରକୁ ଉଠିବାକୁ ଚେଷ୍ଟା କଲା ଓ କହିଲା, “ବାସ୍ ମୁଁ ଏତିକି ଚାହେଁ ।”

 

ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଏଥର ଧୈର୍ଯ୍ୟହରା ହେଲାଭଳି ଚଢ଼ା ଗଳାରେ କହିଲା, ‘‘ତୁମକୁ ମୁଁ ବାରମ୍ବାର କହୁଛି, ଏଠାରେ ସେମିତି କିଛି ସୁବିଧା ହୋଇପାରିବ ନାହିଁ; ଅଥଚ ତୁମେ ଜବରଦସ୍ତ କରୁଛ । ତମେ କ’ଣ ଚାହୁଁଛ ମୁଁ ପୋଲିସକୁ ଖବର ଦିଏ !”

 

ଲୋକଟା ଏଥର ଟିକିଏ ଶଙ୍କି ଗଲାଭଳି କହିଲା ତା’ହେଲେ ଆପଣ କୁହନ୍ତୁ “ମୁଁ ଏବେ କୁଆଡ଼େ ଯିବି ?” ଗୋପବନ୍ଧୁଙ୍କୁ ନିରୁତ୍ତର ରହିବା ଦେଖି ଲୋକଟି ପୁନଶ୍ଚ ଦମ୍ଭୋକ୍ତିରେ କହିଲା, “ମୁଁ ଆପଣଙ୍କ ଭଳି ଗଳା ଫଟାଇ ଦେଶ ଉଦ୍ଦେଶ୍ୟରେ ଭାଷଣ ଦେଇପାରିନି ସତ; କିନ୍ତୁ ଦେଶ ପାଇଁ ତ ଗଳାରେ କାଳଫାଶ ବାନ୍ଧି ପାରିଛି । ମୋର କ’ଣ ମୌଳିକ ଅଧିକାର ହୋଇ କିଛି ନାହିଁ-?”

 

...‘‘ଏଇଟା ତୁମର ଅଧିକାର ସାବ୍ୟସ୍ତ କରିବା ଜାଗା ନୁହେଁ । ତୁମେ କୁଆଡ଼େ ଯିବ ନ ଯିବ ସେ କଥା ତୁମେ ଜାଣ । ଏଠାରେ କିନ୍ତୁ ବଳ ପ୍ରୟୋଗ ଚଳିବ ନାହିଁ । ତୁମେ ଅହିଂସାରେ ବିଶ୍ଵାସ କରନି, ଏକଥା ତମ ଉକ୍ତିରୁ ପ୍ରମାଣିତ ହେଉଛି । ଏଠାରେ ହିଂସାକାମୀମାନଙ୍କର ସ୍ଥାନ ନାହିଁ । ତମେ ଯଦି ମୋ ଭଳି ନିହାତି ପଥର ମୂର୍ତ୍ତିଟିଏ ହବାକୁ ଚାହୁଁଥାଅ ତା’ହେଲେ ସାଂସ୍କୃତିକ ସଚିବଙ୍କ ପାଖକୁ ଯାଅ । ମୋର ବିଶ୍ଵାସ ସେ ତମ କଥା ରଖିବେ ।” ଉତ୍କଳମଣି ପ୍ରତିମୂର୍ତ୍ତି ସ୍କୁଲ ଛାତ୍ରଟିକୁ ବୁଝାଇବା ଭଳି ଅତି ସରଳ ଓ ଶାନ୍ତ ଗଳାରେ କହିଲେ ।

 

ଲୋକଟା ଗୋଟେ ରାସ୍ତା ପାଇଗଲା ଭଳି ହଠାତ୍ ତଳକୁ ଓହ୍ଲାଇ ଆସିଲା ଓ ଅନନ୍ୟୋପାୟ ହୋଇ ଫେରି ପଡ଼ୁଥିବା ବେଳେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି କହିଲା, “ଟିକିଏ ଶୁଣ । ସାଂସ୍କୃତିକ ସଚିବଙ୍କୁ ତମ ଷ୍ଟାଚ୍ୟୁ କଥା କହିବା ବେଳେ କୋଉ ଜାଗାରେ ହବ ତା’ ଆଗ ଫାଇନାଲ କରି ନେଇଥିବ । ମୁଁ ଏଠାରେ କିମିତି ଅଛି ତମେ କ’ଣ ଉପଲବ୍‌ଧି କରି ପାରୁଛ ? ଏ ପାଖରେ ଯେଉଁ ଗଛଟା ଦେଖୁଛ ସେଥିରେ ପକ୍ଷୀମାନେ ବସି ମଳତ୍ୟାଗ କରୁଛନ୍ତି, ସବୁ ଆସି ମୋ ଦେହରେ ପଡ଼ୁଛି । କୁଆଡ଼ୁ କୁଆଡ଼ୁ ସବୁ ହାଡ଼, ମାଂସ, ଆବର୍ଜନା ଆଣି ମୋ ଉପରେ ଫିଙ୍ଗୁଛନ୍ତି । ସକାଳୁ ରାତି ଅଧଯାଏ ଯିମିତି ଗୋଟାଏ ତାମସା ଏଠାରେ ଚାଲିଛି । ସମ୍ମାନ ତ ଯାହା ଏବେ ଲୋକେ ଦେଉଛନ୍ତି ତା’ ଆମେ ଜାଣୁଛୁ । ବରଂ ଯାବତୀୟ ଅଶ୍ଳୀଳ, ଅକାର୍ଯ୍ୟ ପାଇଁ ଏଇ ନିରାପଦ ସ୍ଥାନକୁ ସମସ୍ତେ ବାହାରି ଆସୁଛନ୍ତି । ତେଣୁ ସ୍ଥାନ ନିର୍ବାଚନ କ୍ଷେତ୍ରରେ ଗୁରୁତ୍ଵ ଦେବାକୁ ଯେପରି ଭୁଲି ନ ଯାଅ ।”

 

ଲୋକଟି ଅଭୟ ପାଇଲା ଭଳି ଦ୍ରୁତ ପଦକ୍ଷେପରେ ଆଗକୁ ବଢ଼ିବାକୁ ଲାଗିଲା । ମୁଁ ଅନ୍ଧକାର ଭିତରେ ତାକୁ ଅନୁସରଣ କରିବାକୁ ଚେଷ୍ଟା କଲି । କିନ୍ତୁ ସେ ହଠାତ୍ କୁଆଡ଼େ କିମିତି ଲୀନ ହୋଇଗଲା । ମୁଁ ଅତ୍ୟନ୍ତ ଆନନ୍ଦବିଭୋର ହୋଇ ରାସ୍ତା ପାରିହୋଇ ଘରମୁହାଁ ହେବାର କଳ୍ପନା କରୁଥିଲି, ହଠାତ୍ ସାମନାରେ କାହାକୁ ଦେଖି ହତ୍‌ଚକିତ ହୋଇ ଠିଆହୋଇଗଲି ମୁଁ ଅତିଶୟ ଖୁସି ଭିତରେ । ରାସ୍ତାଘାଟ ଭୁଲି ଯାଇଥିବାର ପ୍ରମାଣ ପାଇଲି । ସମ୍ମୁଖରେ ପଣ୍ଡିତଜୀଙ୍କର ପ୍ରତିମୂର୍ତ୍ତିଟି ଦେଖି । ମୁଁ ଏକ ବିରାଟ ରାଜପ୍ରାସାଦ ଭିତରେ ସେତେବେଳେ ପ୍ରବେଶ କରିଥିଲି, ସାଧାରଣ ଜନପଥ ମନେକରି । ନେହେରୁଙ୍କ ପ୍ରତିମୂର୍ତ୍ତି ମୋତେ କାହିଁକି ସେତେବେଳେ ଖୁବ୍ ଆକର୍ଷଣ କଲା । ମୁଁ ହାତଯୋଡ଼ି ଅତ୍ୟନ୍ତ ବିନୟ ହୋଇ କହିଲି; ପଣ୍ଡିତଜୀ ! ଏଇ ରାମରାଜ୍ୟ ପ୍ରତିଷ୍ଠା କରିବା ପାଇଁ ତମେ କ’ଣ ବାପୁଙ୍କ ପାଖରେ ଶପଥ ନେଇଥିଲ ? ଦେଖିପାରୁଛ କ’ଣ ତମ ଦେଶରେ ଏବେ ସବୁ ହେଉଛି ! ତମ ନବରାଷ୍ଟ୍ର ନିର୍ମାଣର ପରିକଳ୍ପନା ସବୁ କୁଆଡ଼େ ଗଲା ???

 

ନେହେରୁଙ୍କ ଷ୍ଟାଚ୍ୟୁ ନିରୁତ୍ତର । ସେହିଭଳି ଅହଂକାରୀ ହୋଇ ମୋ ଆଡ଼କୁ ଚାହିଁଥିଲା । ମୁଁ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିବା ଭଳି ପୁନର୍ବାର ଡାକିଲି, ‘‘ପଣ୍ଡିତଜୀ ! ତମେ ଏ ଦେଶଟାକୁ କ’ଣ କରିଦେଲ ? ସାମାନ୍ୟ କ୍ଷମତାର ମୋହ ଗୋଟାଏ ବିରାଟ ଜାତିର ପତନର କାରଣ ହେଲା, ତମେ କ’ଣ ଏକଥା ଉପଲବ୍‌ଧି କରି ପାରିଲ ନାହିଁ ପଣ୍ଡିତଜୀ ?”

 

ଏଥର ଆପଣମାନେ ମୋ କଥାକୁ ବିଶ୍ଵାସ କରିବେ, ମୁଁ ଆଦୌ କେଉଁଠି ମିଥ୍ୟାର ଆଶ୍ରୟ ନେଇନାହିଁ; କାରଣ ଅମାବାସ୍ୟାର ଅନ୍ଧକାର ସେତେବେଳକୁ ଅପସରି ଯିବାକୁ ବସିଥିଲା । ତେଣୁ ନେହେରୁଙ୍କ ପ୍ରତିମୂର୍ତ୍ତିରୁ କୌଣସି ଜବାବ ମିଳିଲା ନାହିଁ । ମୁଁ ଗୋଟାଏ ଦୀର୍ଘଶ୍ଵାସ ଛାଡ଼ି ଷ୍ଟାଡ଼ିୟମ୍‍ ରାସ୍ତା ଧରି ଫେରିପଡ଼ିଲି । ଶେଷ ପ୍ରଣାମ ଜଣାଇବାକୁ ଗଲାବେଳେ ମୁଁ ଦେଖିବାକୁ ପାଇଲି ନେହେରୁଙ୍କ ଆଖିରୁ ଯେପରି ଦୁଇ ଧାର ଲୁହ ଝରି ପଡ଼ୁଛି । ସେତେବେଳକୁ ପୂର୍ବଦିଗରେ ସୁନ୍ଦରା ଫାଟିବାକୁ ଆରମ୍ଭ କରିଥିଲା । ହାତଘଡ଼ିର ତାରିଖ ଅନେକବେଳୁ ଜୁନ ୨୫ ହୋଇ ଯାଇଥିଲା । ମୁଁ କାହାଣୀ ପାଇଁ ପ୍ରଚୁର ଉପାଦାନ ନେଇ ମହାନନ୍ଦରେ ଫେରୁଥିଲି, ଦେଖିଲି; ଷ୍ଟାଡ଼ିୟମ୍‍ ପୂର୍ବପାଖ ଗେଟରେ ଥିବା ଜଣେ ଶ୍ରମିକନେତାଙ୍କର ପ୍ରତିମୂର୍ତ୍ତି ନିକଟରେ କେତେଜଣ ମଜୁରିଆ କୋଡ଼ି, କୋଦାଳ ଧରି ଠିଆ ହୋଇ ରହିଛନ୍ତି । ମୁଁ ସେମାନଙ୍କ ନିକଟକୁ ଆସି ପ୍ରଶ୍ନକଲି, ‘‘ଏଠାରେ କ’ଣ ଆଉ କୌଣସି ମହାପୁରୁଙ୍କ ପ୍ରତିମୂର୍ତ୍ତି ବସିବାର ଅଛି ?” ଜଣେ କୁଲି ଶ୍ରମିକନେତାଙ୍କ ଆଡ଼କୁ ହାତ ଦେଖାଇ କହିଲା, “ଏ ପ୍ରତିମୂର୍ତ୍ତି ଜଣେ ମିଲ ମାଲିକ ସରକାରଙ୍କ ଠାରୁ କିଣି ନେଇଛନ୍ତି । ଏଠାରୁ ୟାଙ୍କୁ ନେଇ ଯିବାକୁ ଆମେ ଆସିଛୁ । ଆଗାମୀ କାଲିଠାରୁ ମିଲ ଭିତରେ ଏହି ପ୍ରତିମୂର୍ତ୍ତିଟି ସ୍ଥାନ ପାଇବ ।” ଶ୍ରମିକମାନଙ୍କ କଥାରେ ମୋ ମନରେ କୌଣସି ଭାବାନ୍ତର ସୃଷ୍ଟି ହେଲା ନାହିଁ । ମୁଁ କେବଳ ଭାବୁଥିଲି, ଏହି ଅମାବାସ୍ୟାର ରାତିଟା କାହିଁକି ସବୁବେଳେ ପୃଥିବୀକୁ ଗ୍ରାସ କରି ରଖୁନି !

Image

 

Unknown

ମାରୀଚ

 

ମହେନ୍ଦ୍ରଗଡ଼ ମହକକୁମାର ସେଇ ପୁରୁଣା ଘରଟି ଯେଉଁଦିନ ଚୂନ ଧଉଳା ହେଲା, ସେଦିନ ଚାରିଆଡ଼େ ପ୍ରଚାର ହୋଇଗଲା; ଜ୍ୟୋତିଷଙ୍କର ରାଜନୀତିରୁ ସନ୍ୟାସୀ ନେଇ ତାଙ୍କ ପୈତୃକ ବାସଭବନକୁ ଫେରିଆସୁଛନ୍ତି । ଦୀର୍ଘ ଦଶବର୍ଷ ମେୟର ରହିବା ପରେ, ନିକଟରେ ଅନୁଷ୍ଠିତ ହୋଇଥିବା ନଗର ନିଗମ ନିର୍ବାଚନରେ ସେ ଶୋଚନୀୟ ଭାବେ ପରାଜିତ ହୋଇ ଏହି ସିଦ୍ଧାନ୍ତ ନେଇଛନ୍ତି, ଗ୍ରାମାଞ୍ଚଳର ଦୀନଦୁଃଖୀମାନଙ୍କ ସେବାରେ ସେ ନିଜକୁ ନିୟୋଜିତ କରିବେ ।

 

ପ୍ରାୟ–ମଫସଲ ମହେନ୍ଦ୍ରଗଡ଼ର ଜନସଂଖ୍ୟା ଦଶ ହଜାରରୁ କିଛି ବେଶୀ ହେବ । ଫରେଷ୍ଟ ରେଞ୍ଜର, ଡାକଘର, ସବରେଜିଷ୍ଟର ଅଫିସ, ହାଇସ୍କୁଲ, ଥାନା ଓ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇ ମହେନ୍ଦ୍ରଗଡ଼ ଗଡ଼ଜାତ ଓ ମୋଗଲବନ୍ଦୀର ସୀମା ନିର୍ଦ୍ଧାରଣ କରୁଥିଲା ।

 

‌ମୁଁ ନୂଆକରି ମାସେ ହେବ ସେଠି ଜଏନ୍ କରିଥାଏ–ଶୁଣିଲି, ଜ୍ୟୋତିଶଙ୍କର ମହେନ୍ଦ୍ରଗଡ଼ ଫେରୁଛନ୍ତି । ପୁରୁଣା ରାଜବାଟୀକୁ ଲାଗି ତାଙ୍କ ପରିତ୍ୟକ୍ତ ଘରଟିର ମରାମତି ଆରମ୍ଭ ହୋଇଯାଇଛି । ଜ୍ୟୋତିଶଙ୍କରଙ୍କ ଭଳି ଜଣେ ପ୍ରତାପୀ ଲୋକ, ଯାହାଙ୍କ ପରାକ୍ରମରେ ଏତେବଡ଼ ସହରଟା ହୁଲସ୍ତୁଲ କମ୍ପୁଥିଲା, ସେ ଏତେ ଛୋଟ ଜାଗାରେ କିମିତି ଆବଦ୍ଧ ହୋଇ ରହିବେ ତା’ ମୋତେ ଆଶ୍ଚର୍ଯ୍ୟ ଲାଗୁଥିଲା । ଭୟ ମଧ୍ୟ ଲାଗୁଥିଲା ବ୍ଲକ୍ ଭଳି ଏକ ବଦନାମ ସଂସ୍ଥାରେ ଚାକିରି କରିଥିବାରୁ ।

 

ଜ୍ୟୋତିଶଙ୍କରଙ୍କୁ ମୁଁ ଆଠ/ଦଶବର୍ଷ ହେଲା ଜାଣିଥିଲି । ସହରରେ ତାଙ୍କର ଗୋଟାଏ ପ୍ରକାଣ୍ଡ କୋଠାଘର ଥିଲା ନଈ କୂଳକୁ ଲାଗି; ଯେଉଁଠି ଆମେ କେତେବର୍ଷ ମେସ୍‌କରି ରହୁଥିଲୁ ଓ ସେହି ସମୟ ଭିତରେ ଜ୍ୟୋତିଶଙ୍କର ପ୍ରତ୍ୟକ୍ଷ ସମ୍ପର୍କରେ ଆସିଥିଲୁ । ଅବଶ୍ୟ ସେ କୋଠାଟା ବିକ୍ରି ହୋଇଗଲା ସେ ଦ୍ଵିତୀୟଥର ଯେତେବେଳେ ନିର୍ବାଚନ ଲଢ଼ିଲେ । ସେତେବେଳେ ଜ୍ୟୋତିଶଙ୍କର ଷୋଳସମର୍ଥ ଥିଲେ । ଧନ-ସମ୍ପତ୍ତି ପ୍ରତି ତାଙ୍କର ଆଦୌ ଲାଳସା ନ ଥିଲା । ଥରଟିଏ ଜିଣି ଯାହା ଅର୍ଜ୍ଜୁଥିଲେ ପରବର୍ତ୍ତୀ ନିର୍ବାଚନ ବେଳେ ସେତିକ ବାଜି ଲଗେଇ ଦେଉଥିଲେ–ଯେଉଁଟାଥିଲା ଜ୍ୟୋତିଶଙ୍କରଙ୍କର ଗୋଟାଏ ଭଲଗୁଣ । ରାଜନୀତି କଲେ ଅନେକ ଅପଯଶ ତ ମିଳେ, ତେବେ ଅନୁପାତ ଦୃଷ୍ଟିରୁ ଜ୍ୟୋତିଶଙ୍କର ତା’ର ଅନେକ ଊର୍ଦ୍ଧ୍ଵରେ ଥିଲେ ।

 

ଜ୍ୟୋତିଶଙ୍କର ଆସିବାର ଦି’ଦିନ ପରେ ସନ୍ଧ୍ୟାବେଳେ ଥରେ ଦେଖା କରି ପରିଚୟ ଦେଲି । ଭାରି ଖୁସି ହେଲେ ସେ । ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଉପରେ ଆମର ଆଲୋଚନା ହେଲା । କିନ୍ତୁ ସେ ଆଗଭଳି କୌଣସିଥିରେ ଉତ୍ସାହୀ ଥିବାର ମୁଁ ଲକ୍ଷ୍ୟ କରିପାରିଲି ନାହିଁ । ମୋର ମନେହେଲା ଭଙ୍ଗା ଦେହ ମନ ନେଇ ସେ ଯିମିତି ତାଙ୍କ ଅବଶିଷ୍ଟ ଜୀବନ ଏଠି ନିରୋଳାରେ କଟାଇବାକୁ ଆସିଛନ୍ତି ! ବହୁ କଥା ଭିତରେ ମୁଁ ସେଦିନ ପ୍ରଶ୍ନ କରିବାକୁ ସାହସ କରି ନ ଥିଲି, ତାଙ୍କ ଅଲିଅଳ କନ୍ୟା କାଞ୍ଚନ ସମ୍ପର୍କରେ । ଜ୍ୟୋତିଶଙ୍କରଙ୍କ ରାଜନୀତିରେ ସେ ଥିଲେ ଏକପ୍ରକାର ସହକର୍ମୀ । କୌଣସି ଜଟିଳ ପରିସ୍ଥିତି ଆସିଲେ; ସେ କେବଳ ତାଙ୍କର ପରାମର୍ଶ ନେଉ ନ ଥିଲେ, ସାହାଯ୍ୟ ମଧ୍ୟ ଲୋଡ଼ୁ ନଥିଲେ । ଆମ ମେସ୍‌ର ତଳ ମହଲାରେ ଯେତେବେଳେ ଜ୍ୟୋତିଶଙ୍କର ରହୁଥିଲେ ସେତେବେଳେ ମୁଁ ଲକ୍ଷ୍ୟ କରିଛି ତାଙ୍କର ସେଇ ଏକମାତ୍ର ସନ୍ତାନକୁ । ଜ୍ୟୋତିଶଙ୍କରଙ୍କ ରାଜନୀତି ବିଶେଷ କରି କାଞ୍ଚନଙ୍କ ଉପରେ ନିର୍ଭର କରୁଥିଲା ଓ ସେ କାହିଁ କେତେ ଗୁଣରେ ଅଧିକ ଲୋକପ୍ରିୟ ଥିଲେ । କାଞ୍ଚନ ଯେମିତି ସୁନ୍ଦରୀ ଓ ବିଚକ୍ଷଣା ଥିଲେ, ସେମିତି ଥିଲେ ସ୍ନେହୀ ଓ ପରୋପକାରୀ । ସାରା ସହରରେ ପ୍ରତ୍ୟେକଟି ସମସ୍ୟା ତାଙ୍କରିଦ୍ଵାରା ସେତେବେଳେ ସମାଧାନ ହେଉଥିଲା । ମୁଁ ପଚାରିବି ପଚାରିବି ହୋଇ ସେଦିନ ବିଦାୟ ନେଲି, ହେଲେ ମୋର ସତ୍‌ସାହସ ହେଲାନି ପଚାରିବାକୁ–କାଞ୍ଚନ ବର୍ତ୍ତମାନ କ’ଣ କରୁଛନ୍ତି ଓ କେଉଁଠି ଅଛନ୍ତି ।

 

ପ୍ରାୟ ଆଠଦିନ ପରେ–ନଈ ବନ୍ଧରେ ମୁଁ ବୁଲୁଥାଏ, ଦେଖିଲି, ଜ୍ୟୋତିଶଙ୍କର ଆସୁଛନ୍ତି-। ଧୋତି, ସାଧା ପଞ୍ଜାବିରେ ଆବୃତ ଜ୍ୟୋତିଶଙ୍କରଙ୍କ ହାତରେ ଖଣ୍ଡେ ବିଲିଆଡ଼ ଷ୍ଟିକ୍ । ମୋତେ ଖଣ୍ଡେ ଦୂରରୁ ଦେଖି ସେ ହସ ହସ ହୋଇ ଅଭିବାଦନ ଜଣାଇଲେ । ଆମେ ଦୁହେଁ ଆଗକୁ ବଢ଼ିଲୁ-। ଜ୍ୟୋତିଶଙ୍କର ମୋତେ ମହେନ୍ଦ୍ରଗଡ଼ କେମିତି ଲାଗୁଛି ପଚାରିବା ସଙ୍ଗେ ସଙ୍ଗେ ତାଙ୍କ ବାଲ୍ୟ ଅନୁଭୂତିରୁ କିଛିଟା ଅତି କୌତୂହଳୀ ହୋଇ କହି ଚାଲିଲେ । ନଈ ବନ୍ଧରେ ଆମେ ଖଣ୍ଡେ ଦୂର ଆଗେଇବା ପରେ କହିଲେ, ଏଇଠି ଟିକିଏ ବସିବା । ସହର ସେତେବେଳେ ପ୍ରାୟ ଦେଢ଼ ମାଇଲ ପଛରେ ରହିଯାଇଥାଏ । ଆମେ ବନ୍ଧ ଉପରେ ଥିବା ଏକ ପ୍ରକାଣ୍ଡ ନିମ୍ବଗଛ ତଳେ ବସିପଡ଼ିଲୁ-

 

ସେତେବେଳକୁ ଦିନ ରତ ରତ ହେବାକୁ ଆରମ୍ଭ କଲାଣି । ଜ୍ୟୋତିଶଙ୍କର ଦରଛିଣ୍ଡା କଥାର ଖିଅ ଧରିଲେ–ଆଗେ ଏ ଜାଗାର ଗୋଟାଏ ମହାତ୍ମ୍ୟ ଥିଲା । ଆମେ ପିଲାଦିନେ ଧରିନେଇଥିଲୁ ଏ ଗଛଟା ନିଶ୍ଚୟ ଜଗନ୍ନାଥଙ୍କ ଦାରୁ ହେବ । ପ୍ରହରାଜପୁର ରଘୁ ପଣ୍ଡିତେ ଦିନାକେତେ ଏଠି ଫୁଲ ପାଣି ଦେଉଥିଲେ । ପୁଣି କ’ଣ ହେଲା କେଜାଣି ଲୋକେ ଆଉ ମାନିଲେ ନାହିଁ । ମାନିଥାନ୍ତେ କାହିଁକି ? ଅନେକ ଦିନ ଯାଏ ଗଛ ମୂଳରେ ହୁଙ୍କା ଉଠିଲା ନାହିଁ କି ସାପ ଚଢ଼ିଲେ ନାହିଁ–ତେଣୁ ଲୋକଙ୍କ ବିଶ୍ୱାସ ଭାଙ୍ଗିଗଲା । ଆମ ଲୋକଙ୍କ କଥା ଜାଣୁନ ! ସେଇନେ ଯାହାକୁ ଦିଅଁ କହୁଥିବେ, ସେଇନେ କହିବେ ପଥର । ଆଜି ଯାହାକୁ ମୁଣ୍ଡରେ ମୁଣ୍ଡେଇ ଥିବେ କାଲିକୁ ଦେଖିବ ତାକୁ ଅତଳ ଜଳଧିରେ ଫିଙ୍ଗି ଦେଇଥିବେ ।

 

ତୁମେ ମୋତେ କାହିଁକି ଦେଖୁନ ! ଏଇ ମହେନ୍ଦ୍ରଗଡ଼ ପାଇଁ ମୁଁ କ’ଣ ନ ସହିଛି, ନ କରିଛି ! କିନ୍ତୁ ମୋତେ କ’ଣ ମିଳିଲା ? ଏଠି ଜଣ ଜଣ କରି ପଚାରିବ ମୋର ସର୍ବସ୍ୱ ନେଇ କ’ଣ ଏମାନେ ଦେଲେ ?

 

ଏଇ ଦେଖ, ନଈ ମଝିରେ ଏ ଯେଉଁ ଭଉଁରୀଟା ଖେଳୁଛି ଏଇଟା କ’ଣ କହିପାରିବ ? ଏତେ ଦିନ ମହେନ୍ଦ୍ରଗଡ଼ରେ ରହିଲଣି, ଅଥଚ ଜାଣିପାରିଲ ନାହିଁ, ଏଇଥିରୁ ସବୁ ବୁଝିବ ! ଏଠୁ ଫେରି ଯାଇ ଲୋକଙ୍କୁ କ’ଣ କହିବ–କ’ଣ ଦେଖିଲ, କ’ଣ ଶୁଣିଲ ? ଜ୍ୟୋତିଶଙ୍କର ଟିକିଏ ରହିଯାଇ କହିଲେ, ମହେନ୍ଦ୍ରଗଡ଼ରେ ଅନେକ ଇତିହାସ ସୃଷ୍ଟି କରିଛି ମୁଁ, କିନ୍ତୁ ଲାଭ କ’ଣ ହେଲା ? ଲୋକମାନଙ୍କ ମୁହଁରେ ତ ଯିମିତି କିଏ ତୁଣ୍ଡିବାନ୍ଧି ଦେଲା, କହିବ କିଏ ?

 

ସେଇଠି ସେଦିନ ଜ୍ୟୋତିଶଙ୍କରଙ୍କଠାରୁ ଶୁଣିଥିଲି–ମହେନ୍ଦ୍ରଗଡ଼ର ଇତିହାସ : ମହେନ୍ଦ୍ର ଗଡ଼ର ପୂର୍ବତନ ଶାସକଙ୍କ ଅତ୍ୟାଚାର ବିରୁଦ୍ଧରେ ପ୍ରଜାଆନ୍ଦୋଳନକୁ ମୁଁ ଏଠିକୁ ପ୍ରଥମେ ଡାକିଆଣିଥିଲି । ଅତି କମ୍ ବୟସରୁ ରଜାଙ୍କ ଅନ୍ୟାୟ ଓ ପ୍ରଜାପୀଡ଼ନକ କାହାଣୀର ପ୍ରତିକ୍ରିୟା ରୂପନେଲା ମୁଁ ଯୁବକାବସ୍ଥାରେ ପହଞ୍ଚିବା ସଙ୍ଗେ ସଙ୍ଗେ । ସେତେବେଳକୁ ସ୍ଵାଧୀନତାର ସୁନ୍ଦରା ଫାଟି ଆସୁଥିଲା । କଲେଜ ଛାଡ଼ି ମୁଁ ଫେରିଆସିଲି ମହେନ୍ଦ୍ରଗଡ଼ ଓ ରଜାଙ୍କୁ ପ୍ରତିବାଦ ଜଣାଇଲି ତାଙ୍କର ପ୍ରତିଟି ଅନ୍ୟାୟ ଆଚରଣରେ । ସେତେବେଳେ ସମୟ ଥିଲା ଅଲଗା । ସାମନ୍ତ ରଜାମାନେ ବ୍ରିଟିଶ୍ ସରକାରଙ୍କର ପ୍ରଧାନ ଭକ୍ତ ଥିଲେ । ସେମାନେ ଚାହୁଁ ନ ଥିଲେ ଦେଶ ଏତେ ଶୀଘ୍ର ସ୍ଵାଧୀନ ହେଉ । ବିଦେଶୀ ଶାସକଙ୍କ ସହାୟତାରେ ସେମାନେ ଜନତାକୁ ଶୋଷଣ କରିବାକୁ ଆଉ ସୁଯୋଗ କେଉଁଠୁ ପାଇବେ ! ତେଣୁ ବ୍ରିଟିଶ୍ ସରକାରଙ୍କ ସହ ସଲାସୁତୁରା କରି ଲୋକମାନଙ୍କୁ ଛେଳି ମେଣ୍ଢା ପରି ନିର୍ଯ୍ୟାତିତ କରୁଥିଲେ । ମୁଁ ମହେନ୍ଦ୍ରଗଡ଼ ପ୍ରଥମେ ଫେରି ଲୋକମାନଙ୍କୁ ଏକଯୁଟ କରେଇଲି ଆମକୁ ମଣିଷ ଭଳି ବଞ୍ଚିବାକୁ ହେବ । ମାନବିକ ଅଧିକାରର ଗନ୍ଧ ମୁଁ ବିଞ୍ଚିଦେଲି ମହେନ୍ଦ୍ରଗଡ଼ ଷ୍ଟେଟର ପ୍ରତିଟି ଅଞ୍ଚଳରେ । ଏଇ ଯେଉଁ ମାଟି କୁଦଟା ନଈ ସେପାରିରେ ଦେଖୁଛ, ସେଠି ଆଗେ ସିଂହପାଟଣା ବୋଲି ଗୋଟାଏ ଗାଆଁ ଥିଲା, ଲୋକସଂଖ୍ୟା ଚାରିଶ ପାଞ୍ଚଶ ସରିକି ଥିଲା–ମୋ ଯଜ୍ଞର ପ୍ରଥମ ଶ୍ଳୋକ ସେମାନେ ଉଚ୍ଚାରଣ କଲେ । ଶହେ ଜଣ ଭେଣ୍ଡିଆ ମୋ ସହିତ ହାତ ମିଳାଇଲେ ଜୀବନକୁ ପାଣି ଛଡ଼େଇକରି । କିନ୍ତୁ ଚଣ୍ଡାଳ ରଜା କ’ଣ କଲା ଜାଣ ? ସରକାର ଓ ପୋଲିସକୁ ହାତ କରିନେଲା ଓ ଟ୍ରକ୍ ବୋଝେଇ କରି କଟକରୁ ନମ୍ବରୀ ଗୁଣ୍ଡା ବୋହି ଆଣି ଗାଁ ଗାଁ ଘର ଘର କରି ଛାଡ଼ିଦେଲା, ଆଉ ସେ ଯଜ୍ଞର ଆହୂତି ଦିଆଗଲା ସିଂହପାଟଣାର ତରୁଣ ରକ୍ତରେ । ଲୋକେ ଗାଁ ଗଣ୍ଡା ଛାଡ଼ି ପଳାଇଲେ ଘରଦ୍ୱାର ଭାଙ୍ଗି ସମତୁଲ କରି ଦିଆଗଲା । ଏଇ ଯେଉଁ ଭଉଁରୀଟା ନଈ ମଝିରେ ତମେ ଦେଖୁଛ, ତାକୁ ଲୋକେ ସେତେବେଳେ ମୋହନା ଗଣ୍ଡ ବୋଲି କହୁଥିଲେ । ନଦୀଧାରକୁ ଲାଗି ଅକାତକାତ ପାଣିର ତୀଖା-। ସେଇଠି କିଛି ନ ହେଲେ ଶହେ ଯୁବକଙ୍କର ହାତ ଗୋଡ଼ ବାନ୍ଧି ଜୀଅନ୍ତା ଅବସ୍ଥାରେ ଆଣି ଫିଙ୍ଗି ଦେଲେ । ରାଜାଙ୍କ ଅନ୍ୟାୟର ପ୍ରତିବାଦ ଜଣାଇ ନଦୀ ତା’ର ଗତି ପଥ ବଦଳାଇ ଦେଲା । ଲୋକମାନେ କିନ୍ତୁ କେହି କିଛି ଜାଣିଥିବା ଦେଖିଥିବା କଥା ଆଦୌ ବାହାରେ ପ୍ରକାଶ କଲେ ନାହିଁ କି ଏ ଯାବତ୍ କରି ନାହାନ୍ତି ।

 

ତୁମେ କେବେ ରାଜନଅରକୁ ଗଲେ ଦେଖିବ, ରାଣୀ ଉଆସକୁ ଲାଗି ଯେଉଁ ଭଙ୍ଗାଘର ଦି’ବଖରା ରହିଛି, ସେଇଠି ମୋତେ ତିନିବର୍ଷ ବନ୍ଦ ରଖାଯିବା ପରେ ସର୍ତ୍ତାଧୀନ ମୁକ୍ତି ପାଇଲି । କିନ୍ତୁ ପରେ ପରେ ସ୍ଵରାଜ୍ୟ ଆସିଲା, ମୁଁ ପୁଣି ପ୍ରସ୍ତୁତ ହୋଇଗଲି, ରାଜାଙ୍କୁ ମୁକାବିଲା କରିବାକୁ ହେବ । ରାଜନ୍ୟମଣ୍ଡଳୀଙ୍କର ଚକ୍ରାନ୍ତ ଫେଲ୍‌ମାରିଲା, ଭାରତ ୟୁନିଅନ ସହିତ ମିଶିବା ଛଡ଼ା ଉପାୟ ନାହିଁ । ମହେନ୍ଦ୍ରଗଡ଼ର ରାଜାସାହେବ ତ୍ରିଭୁବନଗଙ୍ଗ ଦେଶୀୟ ରଜ୍ୟ-ମିଶ୍ରଣ ଚୁକ୍ତିରେ ସ୍ଵାକ୍ଷର କଲେ, ମୁଁ ସେଦିନ ମୁକ୍ତି ଦିବସ ପାଳନର ଆହ୍ୱାନ ମହେନ୍ଦ୍ରଗଡ଼ରେ ଦେଲି ।

 

ରଜା ସାହେବ ଶାସନ ହସ୍ତାନ୍ତରିତ କଲାବେଳେ ତାଙ୍କର ଶ୍ରେଷ୍ଠ ଉପହାର ମୋତେ ଦେଇଯିବାକୁ ଭୁଲିଲେ ନାହିଁ । ମୋତେ ଜବରଦସ୍ତି ଛନ୍ଦିଦେଲେ ଗୋଟିଏ ଦାସୀ କନ୍ୟା ସହିତ, ଯିଏ ମୋ ସହିତ ପାପ ପ୍ରଣୟରେ ଲିପ୍ତରହି ଅନ୍ତସତ୍ତ୍ୱା ହୋଇଛିବୋଲି ପ୍ରଚାର କରାଗଲା । ରାଜନୈତିକ ପ୍ରତିଦ୍ଵନ୍ଦୀ ହୋଇ ତ୍ରିଭୁବନଗଙ୍ଗ ମୋତେ ଯେଉଁ ଚରମ ଶାସ୍ତିଦେଲେ ମୋତେ ମାନିନେବାକୁ ପଡ଼ିଲା ଯଦିଓ ସେ ଝିଅଟିକୁ ମୁଁ ପୂର୍ବରୁ କେବେ ଦେଖି ନଥିଲି, ପ୍ରେମ-ପ୍ରଣୟ ତ ଦୂରର କଥା ! ମୋ ଚରିତ୍ର ସଂହାରର ସୁଯୋଗ ନେଲେ ଲମ୍ପଟୀରଜା ତ୍ରିଭୁବନଗଙ୍ଗ–ଆତଙ୍କ ଓ ପ୍ରଲୋଭନରେ ଝିଅଟି ମୋ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କଲା, ଅବଶ୍ୟ ପରେ ସେ ସ୍ଵୀକାର କରିଥିଲା, ମହେନ୍ଦ୍ରଗଡ଼ ରାଜବଂଶର ରକ୍ତକଣିକା ତା’ ଦେହରେ ମିଶିଯାଇଛି । ମୋତେ ନୈତିକ ପତନର ସୁଡ଼ଙ୍ଗ ପଥ ନିକଟରେ ପହଞ୍ଚାଇ ରାଜାସାହେବ ଗାଦି ଛାଡ଼ିଲେ, ବିବୃତ ହେଲା ଷ୍ଟେଟ ଉଦ୍ଦେଶ୍ୟରେ ଶୁଭେଚ୍ଛା ବାର୍ତ୍ତା ସମ୍ବାଦପତ୍ରରେ ।

 

ଆଜି ତୁମେ ମହେନ୍ଦ୍ରଗଡ଼ର ରାଜାଙ୍କୁ ଦେଖୁଛ । ଗଣତନ୍ତ୍ରର ସଚ୍ଚା ପୂଜାରୀ । ରାମରାଜ୍ୟ ପରିଷଦରୁ ଆରମ୍ଭ କରି ସାତଥର ଦଳ ପରିବର୍ତ୍ତନ କରିସାରିଲେଣି । ହେଲେ ପ୍ରତିଥର ନୂଆ ସଙ୍କେତରେ ନିର୍ବାଚନ ଜିଣୁଛନ୍ତି ଓ ମନ୍ତ୍ରୀପରିଷଦର ସଭ୍ୟ ହେଉଛନ୍ତି । ତମେ କ’ଣ ୟା’କୁ ଗଣତନ୍ତ୍ର କହୁଛ ! ଏମିତି ଯେଉଁମାନେ ଶାସନ କରୁଥିଲେ; ସେମିତି ଦେଖିବାକୁ ଗଲେ ଦେଶଟା ତାଙ୍କର । ଦେଶ ସ୍ଵାଧୀନ ନହେବା ଯେଉଁମାନେ ଚାହୁଁଥିଲେ ସେମାନଙ୍କର ଗୋଟାଏ ବଡ଼ ଚାହିଦା ଆଜି ପ୍ରତି ରାଜନୈତକ ଦଳରେ ରହିବାକୁ ତମେ କ’ଣ ଗଣତନ୍ତ୍ର କହିବ ? ଯୋଉ ଦଳରେ ଯେତେ ଅଧିକ ରାଜା, ଜମିଦାର, ଶିଳ୍ପପତି ରହିବେ, ସେ ଦଳ ସେତେ ଟାଣୁଆ । ସେଇଥି ପାଇଁ ନୂତନ ସମ୍ବିଧାନ ପ୍ରଣୟନ ହେବାମାତ୍ରେ ରାଜାରାଜୁଡ଼ା ଦଳ ଭାଇବିରାଦରମାନଙ୍କୁ ନେଇ ବିଭିନ୍ନ ଦଳରେ ମିଶିଗଲେ-। ଆମ ଲୋକଙ୍କୁ ନେଇ ତ ଦଳ ! ଦଳପତିମାନେ ଅଲଗା କିମିତ ହେବେ ? ଯେଉଁମାନେ ଅତୀତରେ ଶୋଷକ ଥିଲେ, ସେମାନଙ୍କ ଉପରେ ଜନସେବକର ମୋହର ଲଗାଇଦେଲେ ।

 

ଲୋକେ ଭୁଲିଗଲେ ସିଂହପାଟଣାର ଦମନଲୀଳା, ମୋହନା ଗଣ୍ଡର ଜଳଭଉଁରୀ; ସବୁ ପୁରୁଣା ଦିନର ବ୍ୟଥା-ବେଦନା । ରାଜା ଅନାୟାସରେ ବିଜୟୀ ହେଲେ ଅସଂଖ୍ୟ ଅମାନୁଷିକ ଅତ୍ୟାଚାରର ପୁରସ୍କାର ସ୍ଵରୂପ । ମୁଁ ମହେନ୍ଦ୍ରଗଡ଼ ଛାଡ଼ିଲି । ଗଣତନ୍ତ୍ର ପ୍ରତିଷ୍ଠାର ସମସ୍ତ ଆଶାକୁ ଏହି ନିମ୍ବଗଛମୂଳେ ପୋତିପକାଇଲି, ଯେଉଁଦିନ ସନ୍ଧ୍ୟାରେ ବିଜୟ ପର୍ବର ମନୋରଞ୍ଜନ ପାଇଁ ମାଳଅଞ୍ଚଳରୁ ତରୁଣୀମାନଙ୍କୁ ଧରି ଡଙ୍ଗାଟିଏ ଆସି ଏଇ ଘାଟରେ ଲାଗିଲା ।

 

ସହରରେ ରହିବା ଫଳରେ ମୁଁ ଆଉ ରାଜାଙ୍କ ପ୍ରତିଦ୍ଵନ୍ଦୀ ହୋଇ ରହିଲି ନାହିଁ । ସେ ଶୀର୍ଷ ରାଜନୀତିକୁ ଉଠିଗଲେ, ମୁଁ ପଡ଼ିରହିଲି ନଗର ନିଗମ ହତା ଭିତରେ । ରଜା ତ୍ରିଭୁବନଗଙ୍ଗଙ୍କ ଶୋଷଣର ଅବାରିତ ପ୍ରବାହ ଥିଲା ଅନ୍ତଃସଲିଳା ଫଲ୍‌ଗୁ ଭଳି । ତାଙ୍କ ମନଭିତରେ ଲୁଚି ରହିଥିବା ମଣିଷଖିଆ ବାଘକୁ ସେ ସିନା ଗଣତନ୍ତ୍ରର ଖୋଳ ପିନ୍ଧାଇ ଦେଲେ କିନ୍ତୁ; ଜିହ୍ୱାର ଜ୍ଵାଳାକୁ ସମ୍ବରଣ କରୁଛନ୍ତି କେତକେ ? ପ୍ରଚଳିତ ତ୍ରୁଟିପୂର୍ଣ୍ଣ ପ୍ରଥାରେ ପଞ୍ଚାୟତରାଜ ଗଠନ ଓ ଭୋଟ ମାଧ୍ୟମରେ ସରକାର ଗଠନର ସୁଯୋଗ ଦଳପତିମାନଙ୍କ ଭଳି ରାଜାମହାରାଜାମାନେ ମଧ୍ୟ ନେଲେ, ସମାନ ସୁଯୋଗ ଲାଭକଲେ ରାଜା ତ୍ରିଭୁବନଗଙ୍ଗ । କ୍ଷମତାର ଧାରୁଆ ତରବାରୀ ଦେଖାଇ ସମସ୍ତଙ୍କ ମୁହଁ ବନ୍ଦ କରିଦେଲେ । ସ୍ୱରାଜ୍ୟ ବେଳର ଅର୍ଦ୍ଧମୃତପ୍ରାୟ ଜନସାଧାରଣଙ୍କୁ ଆହୁରି ତଳକୁ ଖସାଇ ଦିଆଗଲା, ସେମାନଙ୍କ ପାଟି ଯେପରି ନଖୋଲୁ । ଚତୁର ତ୍ରିଭୁବନଗଙ୍ଗ ନିଜର ହିଂସ୍ର ପ୍ରବୃତ୍ତି ଉପରେ ଗଣତନ୍ତ୍ରର ସୂକ୍ଷ୍ମ ଧାରଟିଏ ଟାଣିଆଣିଲେ, ଯେଉଁ ଅମୃତଧାରାରେ ପାଠୁଆ ଅପାଠୁଆ ସଭିଏଁ ଏଯାଏଁ ପହଁରୁଛନ୍ତି ।

 

ମୋର ଦୁର୍ଭାଗ୍ୟ, ରାଜାସାହେବଙ୍କ କୋପଦୃଷ୍ଟିରୁ ମୁଁ ଶେଷପର୍ଯ୍ୟନ୍ତ ରକ୍ଷା ପାଇପାରଲି ନାହିଁ । ନଗର ନିଗମର ଶେଷ ନିର୍ବାଚନ ବେଳକୁ ସହରାଞ୍ଚଳ ଉନ୍ନୟନ ଦପ୍ତର ତ୍ରିଭୁବନଗଙ୍ଗଙ୍କ ହାତରେ ଥିଲା । ମୋତେ ଖବର ଆସିଲା, ପ୍ରତିଦ୍ଵନ୍ଦ୍ୱିତାରୁ ଓହରି ଯିବାକୁ ହେବ । କିମିତ ମୁଁ ସେ ପ୍ରସ୍ତାବ ଗ୍ରହଣ କରିଥାନ୍ତି ! ହେଲେ ଶକୁନ୍ତଳାର ଅତୃପ୍ତ ଆତ୍ମା ମୋତେ ସ୍ମରଣ କରାଇଦେଲା ସିଂହପାଟଣା ଓ ମୋହନାଗଣ୍ଡର ନାରକୀୟ ବିଭୀଷିକା, ରାଜନଅରର ବନ୍ଦୀଶାଳା ଏବଂ ନିରୀହା ଦାସୀକନ୍ୟା ପ୍ରତି ବଳାତ୍କାର ।

 

କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ ବିଷୟଥିଲା, କାଞ୍ଚନ ମୁଁ ପ୍ରତିଦ୍ଵନ୍ଦ୍ୱିତା କରିବା ବିପକ୍ଷରେ ମତଦେଲା–ଗାନ୍ଧୀବାଦକୁ ନେଇ ରାଜନୀତି କରିବା ସମୟ ଚାଲିଯାଇଥିବାର ଯେତେବେଳେ ଯୁକ୍ତି ବାଢ଼ିଲା । କାଞ୍ଚନର ଅନିଚ୍ଛାସତ୍ତ୍ୱେ ମୁଁ ମୋର ଆଦର୍ଶବାଦରେ ଅଟଳ ରହିଲି ଓ ମୁଁ ଭୌତିକବାଦରେ ବିଶ୍ଵାସ କରେନି ବୋଲି ତାକୁ ବୁଝାଇଦେଲି । ହେଲେ ତାକୁ ବୁଝାଇପାରଲି ନାହିଁ, ଶକୁନ୍ତଳା କାହିଁକି ଏତେ କମ୍ ବୟସରେ ମରିଗଲେ ଓ ତାଙ୍କ ଅକାଳ ମୃତ୍ୟୁପାଇଁ ପାପାତ୍ମା ତ୍ରିଭୁବନଗଙ୍ଗ ସମ୍ପୂର୍ଣ୍ଣ ଦାୟୀ । ସରକାରୀଦଳର ସମର୍ଥନ ମୋ’ଠାରୁ ପ୍ରତ୍ୟାହୃତ ହେଲା, ତଥାପି ରାଜା ତାଙ୍କର ଶେଷ ଅସ୍ତ୍ର ପ୍ରୟୋଗ କଲେ; ବର୍ବରତାର ଚରମସୀମାକୁ ଚାଲିଗଲେ । ନିର୍ବାଚନର ଆଠଦିନ ପୂର୍ବରୁ କାଞ୍ଚନକୁ ଅପହରଣ କରାଗଲା ରାଜପୁତ୍ରଙ୍କ ବିଜୟ ପଥକୁ ନିଷ୍କଣ୍ଟକ କରିବା ପାଇଁ ଏବଂ ମୋର ସମସ୍ତ ନୈତିକ ସାହସ ଉପରେ କୁଠାରଘାତ କରାଗଲା । କାଞ୍ଚନ ପାଇଁ ମୋର ବୈଧ ପୈତୃକ ହା-ହାକାର ହୋଇଉଠିଲା, ହେଲେ ମୁଁ ଉପାୟଶୂନ୍ୟ ଥିଲି । କାରଣ କାଞ୍ଚନ ଯୁବରାଜଙ୍କ ସହ ଘନିଷ୍ଠ ମିଳାମିଶାର ଚରମ ପର୍ଯ୍ୟାୟକୁ ଆସିଥିବା କଥା ନିଜେ ତ୍ରିଭୁବନ ଘୋଷଣା କଲେ ଓ ଯେଉଁ ରାଜପ୍ରାସାଦରେ ତା’ର ଅଣୁସତ୍ତାର ଉଦ୍ଭବ ହୋଇଥିଲା, ସେଠାକୁ ସେ ଫେରିଯିବ ରାଜବଧୂ ହୋଇ ।

 

ଜ୍ୟୋତିଶଙ୍କର ସେତେବେଳକୁ ଉତ୍ତେଜନାରେ ଥରୁଥିଲେ । ମୋ କାନ୍ଧରେ ହାତଭରାଦେଇ ଠିଆହୋଇପଡ଼ି କହିଲେ, ଚାଲଯିବା । ରାତି ସେତେବେଳକୁ ଘନେଇ ଆସୁଥିଲା । ସିଂହପାଟଣା ଡିହରେ ବିଲୁଆମାନେ ଚିତ୍କାର କରୁଥିଲେ । ଜ୍ୟୋତିଶଙ୍କର ସେଆଡ଼କୁ ବାଡ଼ି ଉଠାଇ କହିଲେ, ଏଇ ଯେଉଁ ନିଆଁଗୁଡ଼ାକ ସେଠି ବୁଲୁଛି, ସେଗୁଡ଼ାକ କ’ଣ ଜାଣିଛ ? ଏଗୁଡ଼ାକ ସେଇ କଞ୍ଚା ମଣିଷ-ରକ୍ତ ଖିଆ ବିଲୁଆ, ପାଟି ମେଲାଇ ତମ ଗଣତନ୍ତ୍ରକୁ ପରିହାସ କରୁଛନ୍ତି । ଆଉ ନଦୀରେ ଧାର ନଥିବା ବେଳେ ଏଇ ଭଉଁରୀ କ’ଣ ପାଇଁ ଖେଳୁଛି ଜାଣ ? ବୋଧହୁଏ ତାକୁ ଆଉ କାହାରି ଜଣକର ପ୍ରୟୋଜନ ରହିଛି–ହୁଏତ ସେ ବ୍ୟକ୍ତି ମୁଁ ହୋଇପାରେ ଅଥବା ତ୍ରିଭୁବନଗଙ୍ଗ ।

 

ଆମେ ଅନ୍ଧକାର ଭିତରେ ତରବର ହୋଇ ଫେରିପଡ଼ିଲୁ । ଜ୍ୟୋତିଶଙ୍କରଙ୍କ ତାଗିଦଥିଲା ଏ କଥା ମୁଁ ଯେମିତି କେଉଁଠି ପ୍ରଘଟ ନକରେ । ମହେନ୍ଦ୍ରଗଡ଼ରେ ମୁଁ କେବେ ଜ୍ୟୋତିଶଙ୍କରଙ୍କୁ ଆଉ ନଦୀବନ୍ଧରେ ଦେଖିନି । କେତେଥର ତାଙ୍କୁ ଭେଟିବାକୁ ଯାଇଛି, କିନ୍ତୁ ସବୁଥର ଭିତରୁ ଗୋଟିଏ ପ୍ରକାର ଖବର ଆସେ; ‘‘ବାବୁ ଅସୁସ୍ଥ, ଡାକ୍ତର ମନା କରିଛନ୍ତି, କାହାସହିତ ଦେଖା କରିପାରିବେ ନାହିଁ ।”

 

ମୁଁ ରେଲଓୟେ ସର୍ଭିସ କମିଶନରେ ନିଯୁକ୍ତି ପାଇଁ ମହେନ୍ଦ୍ରଗଡ଼ ଛାଡ଼ିଲି । କିନ୍ତୁ ଜ୍ୟୋତିଶଙ୍କରଙ୍କ କଥାରଖି ମୋହନାଗଣ୍ଡର ଜଳଭଉଁରୀକି ମୋ ନିଜ ଭିତରେ ଆଜିଯାଏ ସାଇତି ରଖିଥିଲି । ଆଜି ଜ୍ୟୋତିଶଙ୍କର ବା ତ୍ରିଭୁବନ କେହି ନାହାନ୍ତି–ଦୁଇବର୍ଷତଳେ ଉଭୟେ ହୃଦରୋଗରେ ଆକ୍ରାନ୍ତ ହୋଇ ମାସେ ବ୍ୟବଧାନରେ ବିଦାୟ ନେଇଛନ୍ତି । ମହେନ୍ଦ୍ରଗଡ଼ ରେଲ ଜଙ୍କ୍‌ସନ୍ ଉଦ୍‌ଘାଟନ ଉତ୍ସବରେ ଯୋଗଦେବାକୁ ଆସିଥିବାବେଳେ ମୁଁ କିମିତି ସେ ଅନୁଦ୍‌ଘାଟିତ ଇତିହାସକୁ ଆଉ ଗୋପନ ରଖିଥାନ୍ତି–ତେଣୁ ମହେନ୍ଦ୍ରଗଡ଼ ରେଲଷ୍ଟେସନକୁ ‘ଜ୍ୟୋତି ନଗର’ ନାମରେ ନାମିତ କରିବା ପାଇଁ ପ୍ରସ୍ତାବ ଦେଇ ମୋ ଅଗ୍ରଲେଖା ଏଇଠି ଶେଷ କରୁଛି ।

Image

 

ଉତ୍ତର ପୁରୁଷ

 

ଧନୁ ବେବର୍ତ୍ତାଙ୍କୁ ବାଦ ଦେଇ ନରେନ୍ଦ୍ରପୁର ବିଷୟରେ ଯେପରି କିଛି କୁହା ଯାଇ ନ ପାରେ, ନରେନ୍ଦ୍ରପୁରକୁ ଛାଡ଼ି ଧନୁ ବେବର୍ତ୍ତାଙ୍କ ସମ୍ପର୍କରେ ମଧ୍ୟ ସେପରି କିଛି କହିବା ମୁଷ୍କିଲ । ଲୋକେ ନରେନ୍ଦ୍ରପୁର କହିଲେ ଧନୁବେବର୍ତ୍ତାଙ୍କୁ ବୁଝୁଥିଲେ ଓ ଧନୁବେବର୍ତ୍ତା କହିଲେ ନରେନ୍ଦ୍ରପୁର ବୋଲି ଧରି ନେଉଥିଲେ ।

 

ମୋଟାମୋଟି ଭାବେ ଧନୁବେବର୍ତ୍ତା ଥିଲେ ନରେନ୍ଦ୍ରପୁରର କ୍ଷମତାପ୍ରାପ୍ତ ମୁରବି । ତାଙ୍କ ହାତ ଉଠିଲେ ନରେନ୍ଦ୍ରପୁର ଚେଇଁ ଉଠୁଥିଲା । ସେ ମୁଣ୍ଡ ନଚାଇଲେ ସମସ୍ତେ ଏକସ୍ଵରରେ ହଁ ଭରୁଥିଲେ, ତାଙ୍କ ତୁଣ୍ଡରୁ ନାହିଁ ଶବ୍ଦ ବାହାରିଗଲେ ନରେନ୍ଦ୍ରପୁରରେ ନୀରବତା ବିରାଜୁଥିଲା ।

 

ପ୍ରକୃତରେ ଧନେଶ୍ଵରବାବୁ ସେ ଗାଆଁରେ ପ୍ରତ୍ୟେକ ଭଲ-ମନ୍ଦ, ସୁଖ-ଦୁଃଖର ସମାନ ଅଂଶୀଦାର ଥିଲେ । ଯେମିତ ପ୍ରତାପୀ ଓ ପ୍ରତିପତ୍ତିଶାଳୀ ଥିଲେ; ସେମିତି ଥିଲେ ଉଦାର ଓ ପରୋପକାରୀ । ଏଣ୍ଟ୍ରାନ୍‌ସ ପାସ୍‍ କରି ମଧୁପୁରଗଡ଼ରେ କିଛି ଦିନ ଦିୱାନ ରହିବାପରେ ଚାକିରି ଛାଡ଼ି ସ୍ଵରାଜ୍ୟ ଆନ୍ଦୋଳନରେ ଯୋଗଦେଇଥିଲେ । ରାଜନୀତି କରି ଅର୍ଥ ଉପାର୍ଜନ କରିବାର ଅଭିଳାଷ ରଖିଥିଲେ ସେ କାହିଁ କେତେ ଉଚ୍ଚକୁ ଉଠି ଯାଇଥା’ନ୍ତେ । କିନ୍ତୁ ସେ ବୁଝିଥିଲେ ରାଜନୀତିର ଠିକ୍ ଅର୍ଥ ଦେଶ ଶାସନ ନୁହେଁ । ସେ ବାରମ୍ବାର ମତବ୍ୟକ୍ତ କରି ଆସିଥିଲେ ରାଜନୀତି ସେବାଭିତ୍ତିକ ହେବା ଉଚିତ । ତେଣୁ ସ୍ଵାଧୀନତା ପରେ ସେ ନିଜ ଜୀବନକୁ ରାଜନୀତି-ସର୍ବସ୍ଵ କରିପାରିଲେ ନାହିଁ, ନରେନ୍ଦ୍ରପୁର ଭିତରେ ନିଜର କର୍ମକ୍ଷେତ୍ର ସୀମିତ ରଖିଲେ । ତାଙ୍କୁ ଏବେ ବି କେହି କେହି କହିଥାନ୍ତି–ଧନେଶ୍ଵରବାବୁ ଆମର ହେଲେ ଖାଣ୍ଟି କଂଗ୍ରେସିଆ ।

 

ଧନେଶ୍ଵରବାବୁଙ୍କ ପ୍ରଚେଷ୍ଟାରେ ଏକ ଆଦର୍ଶ ଗ୍ରାମ ଭାବେ ନରେନ୍ଦ୍ରପୁର ଖ୍ୟାତିଅର୍ଜନ କଲା । ସଂଖ୍ୟାଧିକ ସଭ୍ୟ, ଶିକ୍ଷିତମାନଙ୍କ ଯୋଗୁଁ ନରେନ୍ଦ୍ରପୁର ଭଳି ଫାଳିକିଆ ଗାଆଁଟିକୁ ପାଖ ଆଖ ଅଞ୍ଚଳରେ ପ୍ରାୟ ଲୋକେ ଜାଣୁଥିଲେ, ପ୍ରତ୍ୟେକ ପରିବାରର ଚିଠା ସମସ୍ତଙ୍କ ଜିଭ ଅଗରେ ଥଲା । ଯେତେବେଳେ ରାଜ୍ୟର ପଞ୍ଚସ୍ତରୀ ଭାଗ ଗାଆଁକୁ ସଡ଼କ ଯୋଗାଯୋଗ ନଥିଲା, ସେତେବେଳେ ସେଠାକୁ ତିନିଖଣ୍ଡ, ବସ୍‍ ଚଳୁଥିଲା, ଘର ଘରକେ ବିଜୁଳି ଆଲୁଅ । ତେଣୁ ଲୋକେ କଥା କଥାକେ ନରେନ୍ଦ୍ରପୁରର ଉଦାହରଣ ଓ ଧନେଶ୍ଵରବାବୁଙ୍କ ତ୍ୟାଗ ଓ ନିଷ୍ଠାର ନମୁନା ବାଢ଼ୁଥିଲେ । ଗାଆଁଟିରେ ବାର-ତେରଟି ପରିବାର ହେଲେ କ’ଣ ହେଲା–ବୁଦ୍ଧି, ବିଦ୍ୟାରେ କିନ୍ତୁ ସମସ୍ତେ ଧୁରନ୍ଧର ଥିଲେ । ତେଣୁ ସାରା ଅଞ୍ଚଳରେ ଚହଳ ପଡ଼ିଥିଲା–ନରେନ୍ଦ୍ରପୁର ! ଧନୁ ବେବର୍ତ୍ତା-!! ତେଣୁ ଧନୁ ବେବର୍ତ୍ତାଙ୍କୁ ନେଇ ନରେନ୍ଦ୍ରପୁର ଓ ନରେନ୍ଦ୍ରପୁରକୁ ନେଇ ଧନୁ ବେବର୍ତ୍ତା କହିଲେ ହୁଏତ ଅତ୍ୟୁକ୍ତି ହେବ ନାହିଁ ।

 

ନରେନ୍ଦ୍ରପୁର ଗାଆଁ ଭିତରକୁ ପଶିଗଲା ବେଳକୁ ଯେଉଁ ଘରଟି ପ୍ରଥମେ ଦୃଷ୍ଟିକୁ ଆସେ, ସେ ଘରଟି ହେଉଛି ଧନେଶ୍ଵରବାବୁଙ୍କର । ମେଘନାଦ ପାଚେରୀ ଭଳ ପ୍ରକାଣ୍ଡ ଖୁଆଡ଼ ଭିତରେ ପଛପଟକୁ ଖଣ୍ଡିଏ କୋଠାଘର ଓ ସାମନାକୁ ଦି’ବଖରା ମଉଡ଼ମରା ଚାଳଘର ବୁନିୟାଦ୍ ପରିବାରର ସୂଚନା ଦେଉଥିଲେ ।

 

ବେବର୍ତ୍ତାଙ୍କର ଏକମାତ୍ର ପୁଅ ସାଧୁଚରଣ ରାଜ୍ୟ ନିର୍ମାଣ ବିଭାଗର ଜଣେ ବିଖ୍ୟାତ ଇଞ୍ଜିନିୟର ଥିଲେ । ଚାକିରି ପରେ ପୁରୁଣା ଘରକୁ ଭାଙ୍ଗି କୋଠା ତୋଳିଲେ, ହେଲେ ଆଗଭଳି ରହିଯାଇଥିଲା ସାମନାରେ ଚାଳଘର ଦି’ବଖରା, କେବଳ ଧନେଶ୍ଵରଙ୍କ ଜିଦ୍ ଫଳରେ । ସାଧୁଚରଣଙ୍କ ମନ ବୁଝିଲା ନାହିଁ, ଖୁବ୍ ବିମୁଖ ହେଲେ, କିନ୍ତୁ ବାପାଙ୍କ କଥା ଭଙ୍ଗିପାରିଲେ ନାହିଁ । ପୂର୍ବପୁରୁଷଙ୍କ ସ୍ମୃତି ବହନ କରି ଘର ଦି’ବଖରା ରହିଗଲା । କୋଠାଘର ସହିତ ଚାଳଘରକୁ ସଂଯୋଗକଲା ଏକ ବିରାଟ ପଥର ପାଚେରୀ । ଧନେଶ୍ଵର ଖୁସିହେଲେ ।

 

ଇଞ୍ଜିନିୟର ସାଧୁଚରଣ ପ୍ରତିବର୍ଷ ଗ୍ରୀଷ୍ମ ଅବକାଶରେ ତାଙ୍କ ନଈକୂଳିଆ ଜନ୍ମସ୍ଥାନ ନରେନ୍ଦ୍ରପୁରକୁ ଆସନ୍ତି । ସାରାବର୍ଷ ଭିତରେ ତାଙ୍କୁ ଫୁରସତ ମିଳେ କେବଳ ସେହି ଆମ୍ବପଣସ ପଚା ପ୍ରଚଣ୍ଡ ଖରାଦିନେ । ପ୍ରାୟ ଦଶ-ବାରବର୍ଷ ଚାକିରି ଜୀବନ ଭିତରେ ଏ ହେଲା ତାଙ୍କର ସାମ୍ବତ୍ସରିକ ରୁଟିନ । କଳ କାରଖାନାପୂର୍ଣ୍ଣ ସହରରେ ଖରାଦିନଟାକୁ ସେ ଆଦୌ ସହ୍ୟକରି ପାରନ୍ତି ନାହିଁ । ବର୍ଷଯାକର ସଞ୍ଚିତ ଛୁଟିକୁ ବାନ୍ଧି ସେ ବାହାରି ଆସନ୍ତି ଦୂର ମଫସଲକୁ ଦିନ କେତେଟା ଶାନ୍ତି ଓ ନିରୋଳାରେ କଟାଇବା ପାଇଁ ।

 

ସାଧୁଚରଣଙ୍କୁ ତାଙ୍କ ଘରଟା ତିଆରି ହେବାଦିନୁ କିମିତି ଖାପଛଡ଼ା ଲାଗୁଛି । ତେଣୁ ସୁବିଧା ଦେଖି ସେ ବାପାଙ୍କୁ ଅନେକଥର କହିଛନ୍ତି, ସାମନା ଘର ଦି’ବଖରା କୋଠା କରିବା–ନିଆଁ ପାଣିର ଯାହା ହାଲ୍ ହେଲଣି, ଏ ଚାଳଘର ଦିନେ ବିପଦର କାରଣ ହେବ । ବୃଦ୍ଧ ଧନେଶ୍ୱରଙ୍କ ହନୁହାଡ଼ ଏ ଭିତରେ ଖସି ଯାଇଥିଲେ ବି ତାଙ୍କର ସେଇ ପୁରୁଣା ଯୁକ୍ତି; ଏତେବଡ଼ ଘରଟାରେ ତ ରହିବାକୁ ବୋଇଲେ ଲୋକ ଦି’ଜଣ । ବାପା ଗୋଁସାପା ଅମଳର ମଉଡ଼ମରା ଘରେ ତୋର କାହିଁକି ଏତେ ଅରଠି ଲାଗିଛି । କୋଉ କୋଠାଘର ତୋର ୟା ସଙ୍ଗେ ସମାନ ହେବ ! ମୁଁ ଥିବାଯାଏ ଆଉ–ତୁ ଆସି ରହିଲାବେଳେ ତୋର ଯାହା ଇଚ୍ଛା ତା’ କରିବୁ ।

 

ବାପାଙ୍କ ମଉଡ଼ମରା ଘର ଦି’ବଖରା ପ୍ରତି ଥିବା ମମତା ସାଧୁଚରଣ ବହୁଦିନ ଧରି ଲକ୍ଷ୍ୟ କରିଛନ୍ତି । ସାଲାଣି ଘରଛପର ବେଳେ ତାଙ୍କର ସେଇ ପୁରୁଣା ପ୍ରସ୍ତାବ ବାରମ୍ବାର ନାକଚ ହୋଇଛି । ତେଣୁ ଏ ବର୍ଷ ଘରଛପରବେଳେ ସେ ନୂଆଘରର ପ୍ରସ୍ତାବ ଦେବା ଆଉ ପସନ୍ଦ କଲେ ନାହଁ । ସେ ବୁଝିଗଲେ ବାପା ଥିବାଯାକେ କଦାପି ହେଲେ ସେକଥା କରେଇ ଦେବେ ନାହିଁ । ଅଯଥା ସେହି କଥାକୁ ବାରମ୍ବାର କହି କାହିଁକି ତାଙ୍କ ମନରେ ଆଉ ଦୁଃଖ ଦେବେ ! ତେଣୁ ଘରଛପର ଆରମ୍ଭ ହେବା ମାତ୍ରେ ସାଧୁଚରଣ ପଛପଟ ବାରଣ୍ଡାରେ ବସି ଜଣେ ଅଭିଜ୍ଞ ଲୋକଭଳି କାମ ବରାଦ କଲେ ।

 

ଘର ଭିତରେ ଥାଇ ଧନେଶ୍ଵର ସାଧୁଚରଣଙ୍କର ଘର ପ୍ରତି ଆକର୍ଷଣ ବୃଦ୍ଧିପାଇଥିବା ସୂଚନାରେ ବିହ୍ଵଳିତ ହେଉଥିଲେ ଓ ସାନ ନାତିକୁ କୋଳରେ ଧରି ଗେଲ କରିବା ବାହାନାରେ ସାଧୁଚରଣଙ୍କ ଉପରେ ଗୋପନ ଦୃଷ୍ଟିପାତ କରୁଥିଲେ । ସାଧୁଚରଣଙ୍କ ଭଳି ଜଣେ ଖ୍ୟାତନାମା ଇଞ୍ଜିନିୟର, ଯାହାଙ୍କ ତତ୍ତ୍ଵାବଧାନରେ ରାଜ୍ୟର ସର୍ବୋଚ୍ଚ କୋଠାଘର, ସୁବୃହତ୍ ବନ୍ଧ, ସୁଦୀର୍ଘ ସଡ଼କ ଓ ବଡ଼ ବଡ଼ କଳ କାରଖାନା ନିର୍ମାଣ ହେଉଛି, ସେ ଯେତେବେଳେ ତାଙ୍କ ପୁରୁଣା ଚାଳଘର ଖଣ୍ଡିକର ମରାମତିରେ ବ୍ୟସ୍ତ, ସେତେବେଳେ ଧନେଶ୍ଵରଙ୍କର ପୁଲକିତ ହେବା ସ୍ଵାଭାବିକ ଥିଲା ।

 

ସାଧୁଚରଣ କିଛି ସମୟ ଏମିତି କାମ ବରାଦ କରିବା ପରେ, ହଠାତ୍ କ’ଣ ଭାବି ନିଶୁଣି ଦେଇ ଚାଳର ମଥାନ ଉପରକୁ ଉଠିଗଲେ । ତାଙ୍କର ବିଜ୍ଞାନୀ ଆଖି ଦୁଇଟି ଚାଳର ବିଭନ୍ନ ଅଂଶରେ ଘୂରିବୁଲିଲା ।

 

ଧନେଶ୍ଵର ଦେଖିଲେ, ସାଧୁଚରଣ ଟଳିଲା ପାଦରେ ତାଳୁ ଉପରେ ଟହଲ ମାରୁଛନ୍ତି । ସେ ଭାବିଲେ, ସାଧୁଚରଣ ଜଣେ ବଡ଼ ଇଞ୍ଜିନିୟର ହେଲେ କ’ଣ ହେଲା ଏମିତି ଦଦରା ଚାଳରେ କେବେହେଲେ ବୁଲିବାର ଅଭ୍ୟାସ ରଖି ନଥିବେ । ତାଙ୍କ ମନରେ କେଜାଣି କାହିଁକି ଏକ ଆସନ୍ନ ବିପଦ ଆସି ଦେଖାଦେଲା । ସେ ତରତର ହୋଇ ପିଲାଟିକୁ ଡାକି ଦାଣ୍ଡ ମଝିକୁ ଆସି ଚତ୍କାର କଲେ, ସାଧୁଚରଣ ! ତୁମେ ଚାଳ ଉପରେ ଚଢ଼ି କ’ଣ କରୁଛ ? ତଳକୁ ଓହ୍ଲାଇ ଆସ । ସାଧୁଚରଣଙ୍କ ସନ୍ଧାନୀ ଦୃଷ୍ଟି ବାପାଙ୍କ ଉପରେ ପଡ଼ିଲା । କଅଁଳା ପିଲାଟାକୁ ଧରି ଉଦୁଉଦିଆ ଖରାରେ ମଝିଦାଣ୍ଡରେ ଠିଆହୋଇଛନ୍ତି । ସେ ଚାଳ ଉପରେ ଥାଇ ଜବାବ ଦେଲେ, “ବାପା ! ମୁଁ ଓହ୍ଲାଇଯାଉଛି ତମେ ଛାଇକୁ ଚାଲ ।”

 

ଧନେଶ୍ଵର କିନ୍ତୁ କିଛି ଜବାବ ଦେଲେ ନାହିଁ, ସେଇଠି ଠିଆ ହୋଇ ଅତି ବିୟନଭାବେ ତାଙ୍କଆଡ଼େ ଚାହିଁରହିଥିଲେ । ସେ ଯେମିତି ମନେ ମନେ ଈଶ୍ଵରଙ୍କୁ ଡାକୁଥିଲେ, ହେ ପ୍ରଭୁ ! ମୋ ପୁଅକୁ ଭଲରେ ଭଲରେ ତଳକୁ ଓହ୍ଲାଇ ଦିଅ ।

 

ବାପାକୁ ନୀରବ ଓ ନିଶ୍ଚଳ ଦେଖି ସାଧୁଚରଣ କହିଲେ, ତମେ କାହିଁକି ଭୟ କରୁଛ, ମୋର କିଛି ହବନି, ମୁଁ ଠିକ୍ ଓହ୍ଲାଇ ଯିବି । ତମେ ବାରଣ୍ଡାକୁ ଉଠିଯାଅ, ପିଲାଟା ଖରାରେ ଆଉଟି ହୋଇଯାଉଛି ।

 

ଧନେଶ୍ଵର ସାଧୁଚରଣଙ୍କ କଥାଶୁଣି ନ ଶୁଣିଲା ପରି ଆଦେଶ ଦେବା ଭଙ୍ଗୀରେ କହିଲେ, “ତମେ ଓହ୍ଲାଇ ଆସନା । ଏଇଟା କ’ଣ ଢଳେଇ ଛାତ ହୋଇଛି ! ମୁଁ କହୁଛି ଓହ୍ଲାଇ ଆସ-।”

 

ସାଧୁଚରଣ ବାରମ୍ବାର କହୁଥାନ୍ତି, ତମେ ଛାଇକୁ ଚାଲିଯାଅ, ପିଲାଟା ସିଝିଯାଉଛି । କିନ୍ତୁ ଧନେଶ୍ୱରଙ୍କର ସେଇ ଏକା ଜିଦ୍–ତମେ ଆଗ ତଳକୁ ଆସ, ତା’ପରେ ମୁଁ ଛାଇକୁ ଯିବି ।

 

ଦୁହେଁ ଦୁହିଁଙ୍କ କଥାରେ ଅଟଳ । କାହାର ପାଦ ଟିକିଏ ହେଲେ ପଛକୁ ଘୁଞ୍ଚୁ ନଥାଏ ।

 

କିଛ ସମୟ ପାଇଁ ଏହି ଉକ୍ତି-ପ୍ରତ୍ୟୁକ୍ତିର ବିରତି ଘଟିଲା । ଧନେଶ୍ଵର ବିସ୍ଫାରିତ ନୟନରେ ଚାହିଁରହିଥାନ୍ତି ସାଧୁଚରଣଙ୍କୁ ଏକ ଅବୋଧ୍ୟ ଶିଶୁଭଳି ଏବଂ ସାଧୁଚରଣ ଚାଳର ମଥାନରେ ଅବିଚଳିତ ଭାବେ ଠିଆହୋଇ ବାପାଙ୍କ ଅନୁନୟଭଙ୍ଗୀକୁ ଯେପରି ପରୀକ୍ଷା କରୁଥାନ୍ତି । ହଠାତ୍ ଧନେଶ୍ୱରଙ୍କର କ’ଣ ହେଲା କେଜାଣି, ସେ ଜଣେ ବଡ଼ ଦାର୍ଶନିକ ଭଳି ଛପରାଳିମାନଙ୍କୁ ଆଦେଶ ଦେଲେ, “ଘରଛପର ବନ୍ଦକରି ତମେମାନ ଶୀଘ୍ର ଓହ୍ଲାଇ ଆସ । ଏ ଘରର ଏଣିକି ଆଉ କୌଣସି ପ୍ରୟୋଜନ ନାହିଁ, ତମେ ସବୁ କାନ୍ଥ ଭାଙ୍ଗିବାରେ ଲାଗିପଡ଼, କାଲିଠୁଁ ଏଠି କୋଠା ତେଳା ଆରମ୍ଭ କରଯିବ ।”

Image

 

ବନଜ୍ୟୋତ୍ସ୍ନା

 

ଅମରକଣ୍ଟକ ପର୍ବତର ନିମ୍ନ ଭାଗରେ ଏକ ସୁରମ୍ୟ ପ୍ରସ୍ତର ଚଟାଣ । ପାଣ୍ଡୁର ବର୍ଣ୍ଣର ଚଟାଣଟି ପ୍ରଖର ପବନରେ ଆବର୍ଜନା ଶୂନ୍ୟ ହୋଇ ଏକ ସୁସଜ୍ଜିତ ମଣ୍ଡପ ଭଳି ଦୃଶ୍ୟମାନ । ପୂର୍ବଦିଗ ବ୍ୟତୀତ ଅନ୍ୟ ତିନୋଟି ପାର୍ଶ୍ଵକୁ ଆବୃତ୍ତ କରିଛି ଘନ ଜଙ୍ଗଲ । କାହିଁ କେତେ ଦୂରକୁ ଲମ୍ବି ଯାଇଥିବା ନିଙ୍ଘଚ ବନରାଜିର ପ୍ରାରମ୍ଭିକ ସୂଚନା ସେଠାରୁ ମିଳୁଥିଲା । ଚଟାଣର ପୂର୍ବ ଦିଗରେ ଗୋଟିଏ କ୍ଷୁଦ୍ର ସରୋବର । ଐଶାନ କୋଣରେ ଏକ ଦେବୀ ବିଗ୍ରହ । ସରୋବରର ସ୍ଵଚ୍ଛ ସଲିଳରେ ପଦ୍ମ କୁମୁଦର ସମାହାର । ସୁର୍ଯ୍ୟୋଦୟ ହେବାକୁ ଆଉ ବେଶୀ ବିଳମ୍ବ ନଥିଲା । ଉଷାର ଉଜ୍ଜ୍ୱଳ ଆଲୋକରେ ସେତେବେଳକୁ ଚତୁର୍ଦ୍ଦିଗ ଉଦ୍ଭାସିତ ହୋଇ ସରିଥାଏ । ସରୋବରରେ ଅର୍ଦ୍ଧ ପ୍ରସ୍ଫୁଟିତ ଅବସ୍ଥାରେ ଦୋଳନରତ କେତୋଟି ବିରହ ଦଗ୍‌ଧ ପଦ୍ମକୋରକ ହୃଦୟର ଆବେଗକୁ ପ୍ରତିହତ କରି ନପାରି ଅଂଶୁପ୍ରଭାଙ୍କ ପ୍ରତୀକ୍ଷାରେ ଉତ୍ତେଜନାରେ ଯେପରି ଥରୁଥାନ୍ତି !

 

ଘନ କୁହୁଡ଼ି ଆଚ୍ଛାଦିତ ଅମରକଣ୍ଟକ ପର୍ବତ । କୁହୁଡ଼ିର ବହଳ ପ୍ରଲେପ ସ୍ଵର୍ଗ-ମର୍ତ୍ତ୍ୟକୁ ଏକାକାର କରୁଥିଲା । ଚତୁର୍ଦ୍ଦିଗରେ ନୀରବତାର ରାଜତ୍ଵ, ବାୟୁମଣ୍ଡଳରେ ନବ ପଲ୍ଲବିତ ବୃକ୍ଷରାଜିର ଏକ ଅପୂର୍ବ ଝଙ୍କାର । ଶୁଭେନ୍ଦୁ ପ୍ରାକୃତିକ ସୌନ୍ଦର୍ଯ୍ୟର ଏହି ଅପୂର୍ବ ସମାବେଶକୁ ଲକ୍ଷ୍ୟ କରୁଥିଲେ । ନିର୍ମଳ ଆକାଶ ତଳେ ଘୂମନ୍ତ ଅମରକଣ୍ଟକ । ପାଦ ଦେଶରେ ବିଶାଳ ରତ୍ନବେଦୀ ସଦୃଶ ମଣ୍ଡପ । ଘନ ଅରଣ୍ୟାବୃତ୍ତ ମଣ୍ଡପକୁ ଲାଗି ମନୋରମ ପୁଷ୍କରିଣୀ । ପୁଷ୍କରିଣୀରେ ଦୋଳାୟମାନ ଶତଦଳ କୁମୁଦିନୀଙ୍କର ମିଳନ ଓ ବିଚ୍ଛେଦର ମିଶ୍ରରାଗ । ଏହି ସୁବିନ୍ୟସ୍ତ ରଙ୍ଗମଞ୍ଚଟି ଶୁଭେନ୍ଦୁଙ୍କ ମନରେ କାହିଁକି ପ୍ରଚଣ୍ଡ ଭାବାନ୍ତର ଆଣିଦେଲା । ଏକ ପରାଜିତ ନାୟକ ଭଳି ସେ ମଣ୍ଡପର ଗୋଟିଏ ପାର୍ଶ୍ଵରୁ ଅନ୍ୟ ପାର୍ଶ୍ଵକୁ ଅସ୍ଥିର ପଦଚାରଣ କରୁ କରୁ ତାଙ୍କ ରୌଦ୍ର ପ୍ରପୀଡ଼ିତ ହୃଦୟାକାଶରେ ଚଲା ବାଦଲଟିଏ ଦେଖାଦେଲା ଭଳି ସେ ମନେ ମନେ ଉଲ୍ଲସିତ ହୋଇଉଠିଲେ । ତାଙ୍କ ଶୂନ୍ୟ ମନ୍ଦିରରେ ଅଚାନକ କୋଳାହଳ, ଅସଂଖ୍ୟ ଘଣ୍ଟା ଘଣ୍ଟି ପ୍ରତିଧ୍ଵନିତ ହେବାକୁ ଲଗିଲ ।

 

ଶୁଭେନ୍ଦୁ ଅନୁଭବ କଲେ ସେ ଯେପରି ଏକ ନୂଆ ଦୁନିଆକୁ ବାହାରି ଆସିଛନ୍ତି । ଦୁଃଖ-ଯନ୍ତ୍ରଣାର ଆକ୍ରମଣାତ୍ମକଭଙ୍ଗୀ ତାଙ୍କୁ ଆଉ ବିଚଳିତ କରୁନି । ସେ ଯେମିତି ଏକ ସ୍ଵର୍ଗୀୟ ସୁଖର ନିକଟବର୍ତ୍ତୀ ହେଉଛନ୍ତି । ତାଙ୍କ ମନଭିତରେ ବସା ବାନ୍ଧିଥିବା ସକଳ ଦୁଃଖ ଯେପରି ମିଳାଇ ଯିବାକୁ ବସିଛି । ସୃଷ୍ଟି ହୋଇଛି ଆନନ୍ଦ ଉଚ୍ଛ୍ୱସର ଏକ ଯୁଗାନ୍ତକାରୀ ଶିହରଣ । ଶୁଭେନ୍ଦୁ ଏହି ଆକସ୍ମିକ ପରିବର୍ତ୍ତନରେ ବିସ୍ମିତ ହୋଇ ପଡ଼ିଲେ । ମନେହେଲା, ସେ ଯେପରି ନବଜନ୍ମ ଲାଭ କରିବାକୁ ଯାଉଛନ୍ତି । ତାଙ୍କ ସମ୍ମୁଖରେ ପୃଥବୀର ଭିନ୍ନ ରୂପ ସମ୍ଭାର । ଦଗ୍‌ବିଜୟୀ ଅଶ୍ଵ ପୃଷ୍ଠରେ ଆରୋହଣ କରି ସେ ଦେବଲୋକ ଆଡ଼କୁ ଯିମିତି ଅଗ୍ରସର ହୋଇଯାଉଛନ୍ତି । ବେଦନାର ଆର୍ତ୍ତନାଦ ତାଙ୍କୁ ଆଉ ସ୍ପର୍ଶ କରିପାରୁନି ।

 

ଛଅମାସ ଛୁଟି ନେଇ ବସି ରହିବା ପରେ ଶୁଭେନ୍ଦୁ ନିଜକୁ ପ୍ରସ୍ତୁତ କରିଥିଲେ ପୁଣିଥରେ ଜୀବନ ଯୁଦ୍ଧରେ ଅବତୀର୍ଣ୍ଣ ହେବା ପାଇଁ । ସ୍ଥାନ ପରିବର୍ତ୍ତନ କଲେ ଭାରାକ୍ରାନ୍ତ ମନ ହୁଏତ ଟିକିଏ ହାଲୁକା ହେବ, ଏଇ ଭରସାରେ ସେ ଓଡ଼ିଶା ଛାଡ଼ି ଆସିଥିଲେ । ସେତେବେଳେ ଶୁଭେନ୍ଦୁଙ୍କର ନିଜ ଉପରେ ଟିକିଏ ହେଲେ ଭରସା ନଥିଲା । ସେ ଧରିନେଇଥିଲେ ତାଙ୍କ କଳ୍ପନାର କୋଣାର୍କ ଅଧୁରା ରହିଗଲା । ଅସମ୍ପୂର୍ଣ୍ଣ ଅଧ୍ୟାୟର ପଂକ୍ତି ସେ ଜୀବନରେ ଆଉ ଖୋଜି ପାଇପାରିବେ ନାହଁ ।

 

ନର୍ମଦାଙ୍କର ଅକାଳ ବିୟୋଗ ଶୁଭେନ୍ଦୁଙ୍କୁ ଖାଲି ପ୍ରଭାବିତ କରି ନଥିଲା । ବରଂ ତାଙ୍କ ଭିତର ମଣିଷଟାକୁ ଅତି ବିଭତ୍ସ ଭାବେ ହତ୍ୟା କରି ପକାଇଥିଲା । ମର୍ମାନ୍ତିକ ବେଦନାରେ ପୋତିପକାଇବାକୁ ଚେଷ୍ଟା କରିଥିଲେ, ହେଲେ ପାରିଲେ ନାହିଁ । ଖାଲି ବୃଥା ପ୍ରଚେଷ୍ଟା କଲେ । ସମୟ ନଷ୍ଟହେଲା, କିନ୍ତୁ ସେ ଦାଗ ଲିଭିଲା ନାହିଁ କି କ୍ଷତ ସ୍ଥାନରେ ମାଂସ ଭରିଲା ନାହିଁ, ବେଦନା ଲାଘବ ହେବା ତ ଦୂରର କଥା !

 

ଶୁଭେନ୍ଦୁ ବହୁଦିନ ଧରି ବଛଣାରେ ପଡ଼ି ରହିଲେ । ଦୁଃଖ ଅନୁଶୋଚନାର ଗୁମ୍ଫାରେ ବସି ଗୁମୁରି ଉଠିଲେ । ଧୈର୍ଯ୍ୟ ଓ ସାହସ ଧରିବାର ପ୍ରେରଣା ତାଙ୍କୁ ସ୍ପର୍ଶ କଲାନି, ମନ ଅମାନିଆହେଲା । ନର୍ମଦା ସ୍ମୃତିର ମଝିଗଣ୍ଡରେ ସେ ଭାସି ଉଠିଲେ ଅର୍ହନିଶ । ଶେଷରେ ସହକର୍ମୀମାନେ ପରାମର୍ଶ ଦେଲେ, ତମର ଏଭଳି କାପୁରୁଷତା ଶୋଭା ପାଉନି ଶୁଭେନ୍ଦୁ ! ମଣିଷ ଏହି ସାମାନ୍ୟତମ ବ୍ୟତିକ୍ରମର ଯଦି ସମ୍ମୁଖୀନ ହୋଇ ନପାରିଲା ତା’ହେଲେ ଦୀର୍ଘ କର୍ମମୟ ଜୀବନରେ ସେ ଅଗ୍ରସର ହେବ କିମିତ ! ଶୁଭେନ୍ଦୁ ଜୀବନ-ଦର୍ଶନ, ଈଶ୍ଵରଙ୍କ ଚିରାଚରିତ ନୀତି-ନିୟମର ଉପାଖ୍ୟାନ ପଢ଼ିଲେ; ଅଭିନୟ କରିବାର ସାହସ ବାନ୍ଧିଲେ; ସ୍ମୃତି ବିଜଡ଼ିତ ଓଡ଼ିଶା ଛାଡ଼ି ଚାଲି ଆସିଲେ ଦୂରଦୂରାନ୍ତକୁ ।

 

ଶୁଭେନ୍ଦୁ କଳ୍ପନା କରିନଥିଲେ ତାଙ୍କ ମନରେ ଏମିତି ଦିନେ ପୁଣି ପରିବର୍ତ୍ତନ ଆସିବ । ଶତଚେଷ୍ଟା କରି ବିଫଳ ହେବା ପରେ ସେ ହତୋତ୍ସାହ ହୋଇପଡ଼ିଥିଲେ । ସୂର୍ଯ୍ୟ ଉଠିବାକୁ ଆହୁରି ବିଳମ୍ବ ଥିଲା । ଶତଦଳର ପୂର୍ଣ୍ଣ ବିକଶିତ ଅଧରରେ ହାସ୍ୟରେଖା ଗାଢ଼ତର ହୋଇ ଆସୁଛି । ଶୁଭେନ୍ଦୁ ତନ୍ମୟ ହୋଇଉଠିଲେ । ନର୍ମଦାର ସ୍ମୃତି ତର୍ପଣ କରିବାର ପ୍ରୟୋଜନୀୟତାକୁ ସେ ମନେ ମନେ ହଠାତ୍‌ ଅସ୍ଵୀକାର କରିବସିଲେ । ଆତ୍ମଶକ୍ତି ଉପରେ ପ୍ରଭୃତ୍ଵ ବିସ୍ତାର କଲାଭଳି ଶକ୍ତି ତାଙ୍କ ଭିତରେ ଯେପରି ଜାଗ୍ରତ ହେଉଥିବାର ସେ ଅନୁଭବ କଲେ । ସେ ଅଗ୍ରସର ହୋଇଗଲେ ଦେବୀ ବିଗ୍ରହ ନିକଟକୁ କାହାରି ପ୍ରେରଣା ଲାଭ କଲା ଭଳି ।

 

ଶୁଭେନ୍ଦୁ ଦେବୀମୂର୍ତ୍ତିକୁ ପଛ କରି ଧୀରେ ଧୀରେ କିମିତି ଫେରି ପଡ଼ିଲେ ଜାଣିପାରିଲେ ନାହିଁ । ସ୍ଥାନଟିର ମହତ୍ତ୍ଵ ସେ କେବଳ ରାସ୍ତା ସାରା ଚିନ୍ତା କରୁଥିଲେ । ସେତେବେଳକୁ ଅମରକଣ୍ଟକ ପର୍ବତର ଘନ ଜଙ୍ଗଲ ଭିତରେ ଥିବା ଆଦିବାସୀ ବସ୍ତିଟି ଜୀବନ ଯାତ୍ରାରେ ଚହଲି ଉଠିଥିଲା । ଏହି ନବନିର୍ମିତ ସହରଟି ସହିତ ଶୁଭେନ୍ଦୁଙ୍କର ପରିଚୟ ମାତ୍ର ଦିନ ଦଶଟିର । ଶୁଭେନ୍ଦୁ ଭାବିଲେ ଏଣିକ କିଛି ଅସୁବିଧା ହେବନି । ଏହି ମନୋରମ ସ୍ଥାନଟିରେ ସେ ସହଜରେ କେତୋଟି ମାସ ବିତାଇ ପାରିବେ । ସାର୍ଥକ ଜୀବନର ଅନ୍ଵେଷଣ କରିବେ ଏଇ ପ୍ରାକୃତିକ ସୌନ୍ଦର୍ଯ୍ୟରେ । ଏଠାରେ ସହରୀ ଜୀବନର ଯନ୍ତ୍ରଣା ନାହିଁ । ଜନସମାଜ ପାଇଁ ପ୍ରକୃତିର ଅକଳନ ଉପଢୌକନ ଭିତରୁ ସେ କିଛିଟା ନିଜର କରିବେ ।

 

ଶୁଭେନ୍ଦୁ ଅଫିସରୁ ସେଦିନ ସହଳ ଫେରିଆସିଲେ । ତାଙ୍କ ମନରେ ନୂଆ ଉତ୍ସାହ ଉଦ୍ଦୀପନା । ଘରକୁ ଫେରି ସାଙ୍ଗେ ସାଙ୍ଗେ ସେ ପ୍ରସ୍ତୁତ ହୋଇଗଲେ ଟିକିଏ ବାହାରକୁ ବୁଲିଯିବା ପାଇଁ । ବଗିଚାର ପୁଷ୍ପରାଗ ତାଙ୍କୁ ଆକର୍ଷଣ କଲା । ସେ ପୁଷ୍ପୋଦ୍ୟାନର ଗୋଟିଏ ପ୍ରାନ୍ତରୁ ଅନ୍ୟପ୍ରାନ୍ତ ପର୍ଯ୍ୟନ୍ତ ପରିକ୍ରମା କରିବାକୁ ଲାଗିଲେ । ସମ୍ମୁଖରେ ତାଙ୍କର ଶୋଭାଶ୍ରୀ ଅମରକଣ୍ଟକ । ମନରେ ପ୍ରତ୍ୟୁଷର ସେହି ଅପୂର୍ବ ସୌନ୍ଦର୍ଯ୍ୟ ପ୍ରତିଫଳିତ ହେଲା । ତାଙ୍କର ଏହି ଭାବାନ୍ତର ପାଇଁ ସେ ନିଜକୁ ବାରମ୍ବାର ପ୍ରଶ୍ନ କରୁଥିଲେ, ତାଙ୍କ ପାଇଁ ଏ ଜ୍ଵାଳାମୟୀ ମର୍ତ୍ତ୍ୟ ଆଜି ଅମରାବତୀ ସାଜିଛି କ’ଣ ପାଇଁ ? ଏ ହିଂସ୍ରଜନ୍ତୁପୂର୍ଣ୍ଣ ଘନାରଣ୍ୟ ହୋଇଛି ନନ୍ଦନକାନନ ! ଅତୀତର ଦେବଭୂମି ତପୋବନରେ ସାଧକ ହେବାର ତାଙ୍କ ଅଭିଳାଷ କାହା ସକାଶେ ଆଜି ବିପର୍ଯ୍ୟସ୍ତ ? ମନେହେଲା, ସେ ଯେମିତି କେଉଁଠି ହଜିଯାଉଛନ୍ତି । ତାଙ୍କ ଚତୁର୍ଦ୍ଦିଗରେ ଲକ୍ଷେ କଦମ୍ବର ସୁରଭି । ସେ ଆଜି କାହିଁକ ଏତେ ଆତ୍ମହରା ହେଉଛନ୍ତି ବୁଝିପାରୁନାହାନ୍ତି ! ପ୍ରାତଃ ଭ୍ରମଣ କାଳରେ ଅମରକଣ୍ଟକର ପଦ୍ମ ସରୋବର ତାଙ୍କୁ ଆହ୍ଲାଦିତ କଲା, ସୃଷ୍ଟିର ସର୍ବୋତ୍ତମ ଆଶ୍ଚର୍ଯ୍ୟ ବସ୍ତୁ ତାଙ୍କ ହାତମୁଠାରେ ଆସି ଯେପରି ରହିଯାଇଛି । ତାଙ୍କର ଇଚ୍ଛାହେଉଛି ସେ ପାହାଡ଼ର ଶିଖର ଦେଶକୁ କିପରି ସହଜରେ ଉଠିଯାଆନ୍ତେ । ଦୃଷ୍ଟିଗୋଚର ହୁଅନ୍ତା, ଦେବ ସଭାର ନର୍ତ୍ତନମୁଖର ରମ୍ଭା, ମେନକା, ଉର୍ବଶୀ, ତିଳୋତ୍ତମାଙ୍କର ଛନ୍ଦାୟିତ ପଦଯୁଗଳ । ଯୋଗାସୀନ ମହର୍ଷିଙ୍କ ଭଳି ସେ ଅମୃତ କଳସୀର ସୁଧା ପାନାର୍ଥେ ଅପସରୀମାନଙ୍କର ଅନୁଧାବନ କରନ୍ତେ ।

 

ଶୁଭେନ୍ଦୁ ଦୁର୍ନିବାର ଲାଳସାରେ ଆତ୍ମବିସ୍ମୃତ ହୋଇପଡ଼ିଲେ । ଯେଉଁ ଅସ୍ତାଚଳରେ ନର୍ମଦାର ସ୍ମୃତି କୁହେଳିକା ଭଳି ବିଲୀନ ହୋଇଯାଇଥିଲା ସେହି ଅସ୍ତରାଗ ଭିତରୁ ଏକ ମଳିନ ଚନ୍ଦ୍ରମା ଜ୍ୟୋତିଦୀପ୍ତ ହୋଇ ବାହାରି ଆସିଲା । ବିସ୍ମୟ ଚକିତ ଶୁଭେନ୍ଦୁ ବିଭୋର ହୋଇପଡ଼ିଲେ । ତାଙ୍କୁ ଯେପରି କିଏ କହୁଥିଲା; ଶୁଭ ! ତୁମେ କ’ଣ ଜାଣନା ଏହି ଅମରକଣ୍ଟକରୁ ନର୍ମଦାର ଉତ୍ପତ୍ତି-। ଏ ସ୍ଥାନ ହେଉଛି ଦେବତାମାନଙ୍କର ନିତ୍ୟ କ୍ରୀଡ଼ାସ୍ଥଳୀ । ତମେ ଆତ୍ମବିସ୍ମୃତ ହେବା ସ୍ଵାଭାବିକ ଶୁଭ ! ଏଇଠୁ ତମ ହୃଦୟ-ମନ୍ଦାକିନୀର ଆବିର୍ଭାବ । ତମେ ଆତ୍ମହରା ହବନି ତ ଆଉ କିଏ ହେବ-! କାହିଁ କେତେ ଦୂରରେ ନର୍ମଦା ନିଜର ସତ୍ତା ହରାଇଛି ତମର ଆଖି ପାଇବ ନାହିଁ । ତମେ କ’ଣ ନର୍ମଦାର ସାଗର ସଂଗମ ଦେଖିନ ? ନର୍ମଦାର ଜୀବନଯାତ୍ରା ଶେଷ ହୋଇଛି ଶୁଭ ! ସେ ବିଲୀନ ହୋଇଯାଇଛି ସେହି ସର୍ବବ୍ୟାପୀ ସତ୍ତାରେ । ତମେ ପାଗଳାମି ଛାଡ଼ ଶୁଭ ! ତୁମକୁ ବହୁଦୂର ଅଗ୍ରସର ହେବାକୁ ପଡ଼ିବ । ଏଇ ନିରାପଦ ସ୍ଥାନଟିକୁ ତୁମେ ନିଜର କର । ହଁ, ଏଇ ସ୍ଥାନଟି ହିଁ ତମ ପାଇଁ ସକଳ ଦୃଷ୍ଟିରୁ ଉପାଦେୟ ।

 

ସେହି ଅପୂର୍ବ ‘ଶୁଭ’ ସମ୍ବୋଧନଟି ଶୁଭେନ୍ଦୁଙ୍କ ହୃଦୟରେ ବଜ୍ରଭଳି ଭେଦକରିଗଲା । ସର୍ବାଙ୍ଗରେ ଏକ ତଡ଼ିତ୍‍ ପ୍ରବାହ । ଶୁଭେନ୍ଦୁ ପ୍ରକୃତିସ୍ଥହେବାକୁ ଚେଷ୍ଟାକଲେ । ସେ ଦେଖିଲେ ପଶ୍ଚିମ ଦିଗନ୍ତରେ ଯେଉଁ ଉଜ୍ଜ୍ୱଳ ଜ୍ୟୋତିଷ୍କଟି ତାଙ୍କର ଦୃଷ୍ଟି ଗୋଚର ହେଉଥିଲା, ତାଙ୍କର ନିକଟବର୍ତ୍ତୀ ହୋଇଛି । ସଂଭ୍ରମ ଶୁଭେନ୍ଦ, ଲଜ୍ଜିତହେଲେ । ତାଙ୍କର ଅସମ୍ଭବ ଭାବପ୍ରବଣତା ପାଇଁ ମର୍ମାହତ ହେଲେ ମଧ୍ୟ ।

 

ଶୁଭ ! ମୋତେ କ’ଣ ଚିହ୍ନି ପାରୁନ ? ମୁଁ ପରା ଦେବବାଳା !! ଶୁଭେନ୍ଦୁଙ୍କର ଉତ୍ତେଜନା ପ୍ରଶମିତ ହୋଇସାରିଥିଲା । ସେ ସ୍ଵାଭାବିକ ଅବସ୍ଥାକୁ ଫେରିଆସିବାକୁ ପ୍ରୟାସ କରୁଥିଲେ । ସେ ମନେ ମନେ ଭାବିଲେ, କେତେ ବଡ଼ ଭୁଲ ସେ ଆଜି ସତେ କରି ନାହାନ୍ତି ! କଥା ଦେଇଥିଲେ ଅଫିସ ଫେରନ୍ତା ଦେବବାଳାଙ୍କୁ ଆଣି ତାଙ୍କ ଘର ଦେଖାଇ ଯିବେ; ଅଥଚ ସେ ଦୀର୍ଘ ସମୟ ଧରି ଏଇ ଉଦ୍ୟାନ ମଧ୍ୟରେ ଏକ ବଦ୍ଧ ପାଗଳ ଭଳି ବୁଲୁଛନ୍ତି । ଶୁଭେନ୍ଦୁଙ୍କ ନିରବତା ଲକ୍ଷ୍ୟ କରି ଦେବବାଳା କହିଲେ; ‘‘ମୁଁ କିଛି ମନେକରୁନି ଶୁଭ ! କିନ୍ତୁ ତୁମକୁ ଏଠି ଏଭଳି ଅବସ୍ଥାରେ ମୁଁ ଦେଖିବି ବୋଲି ଆଶା କରୁ ନଥିଲି । ଦୀର୍ଘ ତିନିଘଣ୍ଟା ଅପେକ୍ଷା କରିବା ପରେ ମୁଁ ନିଜେ ବାହାରି ଆସିଲି; ଆଉ ଏଠି ଆସି ଠିଆହୋଇଛି ଯେ ଠିଆହୋଇଛି । ଆଉ ତମେ ? ତମେ କେଉଁ ରାଜ୍ୟରେ ଥିଲ କେଜାଣି; ମୁଁ ତୁମ ସାମ୍ନାରେ ଛିଡ଼ାହୋଇଛି; ଅଥଚ ତମେ ମୋତେ ଯେମିତି ଦେଖିପାରୁନ ! ମୁଁ ତୁମକୁ କ’ଣ ସବୁ କହିଲି ତମେ କ’ଣ ଜାଣି ପାରିଛ ? ଶୁଭେନ୍ଦୁ ଆଉ କ’ଣ କୁହନ୍ତେ । ନୀରବ ଶୋଭାଯାତ୍ରୀଟିଏ ଭଳି ଚାଲି ଚାଲି ହୋଇ ବଙ୍ଗଳା ଉପର ମହଲାକୁ ଉଠିଲେ, ପଛେ ପଛେ ଦେବବାଳା ।

 

ଶୁଭେନ୍ଦୁଙ୍କର ବଙ୍ଗଳାକୁ ଲାଗିଥିବା ପ୍ରକାଣ୍ଡ ଅଯତ୍ନ ପାଳିତ ଉଦ୍ୟାନଟିର ପ୍ରାକୃତିକ ପ୍ରାଚୁର୍ଯ୍ୟର ବିବିଧତା କିପରି ନିଃସଙ୍ଗତାର ଏକମାତ୍ର ସହଚର ହୋଇଛି ଏବଂ ନର୍ମଦାର ସ୍ଵରଲିପି ଉଭେଇ ଯିବାରେ ସେ କିପରି ସହାୟକ ହୋଇଛି ଏବଂ ପ୍ରଭାତ ଭ୍ରମଣ କାଳରେ ସେ ଅମରକଣ୍ଟକ ପାଦଦେଶରେ କି ଅପୂର୍ବ ଶୋଭା ସଂଦର୍ଶନ କଲେ; ଏଇକଥା ଉପରେ ଆଲୋଚନା ଚାଲିଲା କିଛି ସମୟ । ଶୁଭେନ୍ଦୁଙ୍କର ପୁନର୍ବାସନ ଦପ୍ତରରେ ନବନିଯୁକ୍ତି ଓ ଦେବବାଳାଙ୍କର ଆଦିବାସୀ ଉନ୍ନୟନ ପ୍ରକଳ୍ପର ବହୁବିଧ ଯୋଜନା ସମ୍ପର୍କରେ ପରସ୍ପରକୁ ପରିଚିତ କରିବାକୁ ଉଦ୍ୟମ ମଧ୍ୟ ଚାଲିଲା । ଦେବବାଳା ଆଦିବାସୀ ଲୋକଙ୍କର ସଂସ୍କୃତି ଓ ଜୀବନଯାତ୍ରା ସମ୍ପର୍କିତ ଅସଂଖ୍ୟ ଅନୁଭୂତିର ଚିଠା ପ୍ରସ୍ତୁତ କରିବାର ଉପକ୍ରମ କଲେ ।

 

ଶୁଭେନ୍ଦୁଙ୍କୁ ଅବଶ୍ୟ ଏ ସବୁ ଆଲୋଚନା ଭଲଲାଗୁ ନଥିଲା । ତେଣୁ ସେ ଆଗ୍ରହ ସହକାରେ ଦେବବାଳାଙ୍କୁ ଶୁଣିପାରୁ ନଥିଲେ । ତାଙ୍କ ମନ ଯେମିତି ଅନ୍ୟ କେଉଁଠି ହଜିଯାଇଥିଲା, ତାଙ୍କ ମନ ଭିତରେ ସେଇ ମଧୁର ସମ୍ବୋଧନ ‘ଶୁଭ’ ଶବ୍ଦଟି ବାରମ୍ବାର ପ୍ରତଧ୍ଵନିତ ହେଉଥିଲା । ତାଙ୍କ ଆଖି ଆଗରେ ଆଜି ଦେବବାଳା ଯେମିତି ଭିନ୍ନ ପରିଗ୍ରହ ଧାରଣ କରିଛନ୍ତି । ଦେବବାଳା ନର୍ମଦାଙ୍କର ଯଦି ଏତେ ନିକଟତମ ହୋଇ ନଥାନ୍ତେ ତା’ହେଲେ ସେ ଆଜି ତାଙ୍କୁ ଦ୍ଵିତୀୟ ନର୍ମଦା ବୋଲି ଘୋଷଣା କରିଥାନ୍ତେ ଅତି ସହଜରେ । କିନ୍ତୁ ସେମାନଙ୍କ ସାମାଜିକ ସମ୍ପର୍କକୁ ସେ କିମିତ ଅସ୍ଵୀକାର କରିବେ ! ଶୁଭେନ୍ଦୁ ଜାଣିଥିଲେ ତାଙ୍କପାଇଁ ନର୍ମଦା ଓ ଦେବବାଳାଙ୍କ ଭିତରେ ଯଦିଓ ପ୍ରତିଯୋଗିତା ହୋଇନଥିଲା; ତଥାପି ଉଭୟଙ୍କ କେନ୍ଦ୍ରବିନ୍ଦୁରେ ଥିଲେ ଶୁଭେନ୍ଦୁ । ଦେବବାଳା ପ୍ରତିଯୋଗିତାରୁ ଓହରି ଯାଇଥିଲେ । ଯେଉଁ ଦିନ ସେ ଜାଣିଲେ ନର୍ମଦା ତାଙ୍କୁ ଭୀଷଣ ଭାବେ ଚାହେଁ । ନର୍ମଦା ଓ ଦେବବାଳାଙ୍କ ଭିତରେ ବୟସର ବିଶେଷ ତାରତମ୍ୟ ନଥିଲା । ତେଣୁ ଶୁଭେନ୍ଦୁ ସାମାଜିକ କଟକଣାର ଉର୍ଦ୍ଧ୍ଵରେ ବେଳେ ବେଳେ ଦେବବାଳାଙ୍କୁ ନରମ ପରିହାସ କରୁଥିଲେ, କିନ୍ତୁ ତା’ କେବେ ସୀମାତିକ୍ରମ କରି ନଥିଲା । ନର୍ମଦା ଓ ଶୁଭେନ୍ଦୁଙ୍କ ସ୍ଵଳ୍ପ ଜୀବନ ଯାତ୍ରାରେ ଦେଦବାଳା ଥିଲେ ଏକପ୍ରକାର ନିର୍ଦ୍ଦେଶିକା ! ବିଶ୍ୱବିଦ୍ୟାଳୟର ସହପାଠିନୀ ଅଭିସାରିକା ଦେବବାଳାଙ୍କୁ ସେ ଘଟଣା ଚକ୍ରରେ ପଡ଼ି ସମ୍ବୋଧନ କରିଥିଲେ ‘‘ଦେବୀଅପା’’ ।

 

ବିବାହ ପରେ ନର୍ମଦାଙ୍କଠାରୁ ଶୁଭେନ୍ଦୁ ଶୁଣିଥିଲେ; ଦେବୀଅପାର କିମିତି ଆକର୍ଷଣ ଥିଲା ତାଙ୍କ ପ୍ରତି । ସେ ଏକାନ୍ତଭାବେ ତାଙ୍କୁ ଯିମିତ ଚାହୁଁଥିଲା ଓ ନର୍ମଦାର ପଥ ପରିଷ୍କାର କରି ସେ ବିବାହ ନ କରିବାର କିମିତ ସଂକଳ୍ପ ନେଲା । ଦେବବାଳା ଅଧ୍ୟାପନାରେ ଯୋଗଦେଲେ । ସୀମିତ ମାୟାବନ୍ଧନର ଆକର୍ଷଣକୁ ତ୍ୟାଗ କରି ପ୍ରକୃତିର ପୂଝାରିଣୀ ସାଜିଲେ । କିନ୍ତୁ ଶୁଭେନ୍ଦୁ, ଯେତେଥର ଦେବବାଳାଙ୍କୁ ଭେଟିଛନ୍ତି ତାଙ୍କ ସ୍ନେହ-ମମତାର ଜାଲ ଭିତରେ ଛନ୍ଦିହୋଇଯାଇଛନ୍ତି, ତାଙ୍କ ପ୍ରତି ସହଜରେ ପ୍ରଲୁବ୍‌ଧ ହୋଇଛନ୍ତି । ଅତୀତର ସାଗର ମନ୍ଥନ କରି ଲକ୍ଷ୍ମୀଙ୍କୁ ଆବିଷ୍କାର କଲାଭଳି ଶୁଭେନ୍ଦୁ ଦେବବାଳାଙ୍କ ମଝିରେ କହି ଉଠିଲେ, ଦେବୀଅପା ! ମୁଁ ଆଜି ଗୋଟାଏ ନୂଆ ମଣିଷ ହୋଇଯାଇଛି । ତମ ଅତୀତର ଶୁଭ ଆଜି ଯେମିତି ନବଜନ୍ମ ଲାଭ କରିଛି । ଏଭଳି ସୌନ୍ଦର୍ଯ୍ୟ ମୁଁ କେଉଁଠି ଦେଖି ନଥିଲି ଦେବୀଅପା ! ମୋର ମନେହେଉଛି; ମୁଁ ମୋ ପୂର୍ବାବସ୍ଥା ଫେରିପାଇଛି । ମୁଁ ଜଣେ ସ୍ଵୟଂସମ୍ପୂର୍ଣ୍ଣ ମଣିଷ ହୋଇଯାଇଛି ।

 

ଏ ଭିତରେ ରାତ୍ରି ଭୋଜନ ଶେଷ ହୋଇଥିଲା । ଦେବବାଳା ଫେରିଯିବା ପାଇଁ ଆଗ୍ରହ ପ୍ରକାଶ କଲେ । କିନ୍ତୁ ହିଂସ୍ରଜନ୍ତୁପୂର୍ଣ୍ଣ ଜଙ୍ଗଲ ପଥ ବିପଦ-ସଂକୁଳଥିବାରୁ ସହଜରେ ରାତ୍ରି ଯାପନ ପାଇଁ ରାଜି ହୋଇଗଲେ । କଥା ରହିଲା, ସକାଳୁ ସେମାନେ ପ୍ରାତଃ ଭ୍ରମଣରେ ଅମରକଣ୍ଟକର ପ୍ରସ୍ରବଣ ଦେଖିବେ, ତା’ପରେ ଏଇଠୁ ଆରମ୍ଭ ହେବ ଅଫିସ ଯାତ୍ରା ।

 

ଶୁଭେନ୍ଦୁ ସେଦିନ ପରମ ତୃପ୍ତିରେ ଭୋଜନ କରିଥିଲେ । ଅନେକ ଦିନ ଧରି ସେ ଏମିତି କେବେ ଖାଇପାରି ନଥିଲେ । ଝର୍କାଦେଇ ଘର ଭିତରେ ପ୍ରବଳ ବେଗରେ ପବନ ପ୍ରବେଶ କରୁଥିଲା । ଶୁଭେନ୍ଦୁଙ୍କର ମନେହେଲା ସେ ଘରଟି ନର୍ମଦାର ସୁରଭିରେ ଯେପରି ପରିପୂର୍ଣ୍ଣ ହୋଇଯାଇଛି । ବାହାରେ ହିମପାତ ହେଉଥିବାର ସୂଚନା । ପବନର ଗୁରୁ ଗମ୍ଭୀର ଗର୍ଜନ । ପିଞ୍ଜରାବଦ୍ଧ ହେଲାଭଳି ଘର ଭିତରେ ନୀଡ଼ବିହୀନ ଦୁଇଟା ଶୁକଶାରୀ । ଶୁଭେନ୍ଦୁ ଝର୍କା ପାଖରେ ଠିଆହୋଇ ବାହାରର ଅନ୍ଧକାର ଭିତରରେ କ’ଣ ଖୋଜି ହେଉଥିଲେ । ତାଙ୍କର ମନେପଡ଼ିଲା, ସେ କିମିତି ଥରେ ନର୍ମଦା ବୋଲି ଅନ୍ଧକାରରେ ଦେବବାଳାଙ୍କ ପଣତ ଧରି ଟାଣି ଦେଇଥିଲେ ଓ ତାଙ୍କର ଏ ଦୁଷ୍ଟାମି ପାଇଁ ଉଭୟେ ଲାଜେଇ ପଡ଼ିଥିଲେ । କିନ୍ତୁ ତାଙ୍କର ବା ଦୋଷ କ’ଣ ? ନର୍ମଦା ଓ ଦେବବାଳାଙ୍କ ଶାରୀରିକ ଗଠନାକୃତି ଭିତରେ ଯେଉଁ ସାମଞ୍ଜସ୍ୟ ଥିଲା, ସେଥିରେ ଯେ କେହି ଏମିତି ଭୁଲ କରିବ ।

 

ଶୁଭେନ୍ଦୁକୁ ‘ଶୁଭ’ ବୋଲି କେବଳ ପୃଥିବୀର ଦୁଇଟି ପ୍ରାଣୀ ସମ୍ବୋଧନ କରୁଥିଲେ, ନର୍ମଦା ଓ ଦେବବାଳା । ସେ ଗଭୀର ରାତ୍ରିରେ ବାରମ୍ବାର ‘ଶୁଭ’ ଡାକରେ ସେ ଟିକିଏ ଚହଲି ଗଲାଭଳି ହେଲେ । ତାଙ୍କର ଯେପରି ମନେହେଲା ସେ ଭୀଷଣ ଭାବେ ପ୍ରତାରିତ ହୋଇଛନ୍ତି । ନର୍ମଦାର ସାଗରସଂଗମ ହୋଇନି । ସେ ଝର୍କା ଆଡ଼େ ବାହାରକୁ ସେମିତି ଚାହିଁରହିଥାନ୍ତି । ଦେବବାଳାଙ୍କ ତାଗିଦ ତାଙ୍କୁ ଆଦୌ ପ୍ରଭାବିତ କଲାନି । ତାଙ୍କ ସମ୍ମୁଖରେ ଦିଗନ୍ତ ବିସ୍ତାରୀ ନିରନ୍ନ ଅନ୍ଧକାର । ଅମରକଣ୍ଟକ ଘୁମେଇ ପଡ଼ିଛି । ଦୃଷ୍ଟିଗୋଚର ହେଉନି ସେ ପ୍ରସ୍ରବଣଟି, ଯେଉଁଠୁ ନର୍ମଦାର ଉତ୍ପତ୍ତି । ତଥାପି ତାଙ୍କ ଆଖି ଆଗରେ ଉଦ୍ଭାସିତ ହେଉଛି ସକାଳ ଓ ସଂଧ୍ୟାର ପ୍ରତିଛବି । କର୍ଣ୍ଣ ଗହ୍ୱରରେ ପ୍ରତିଧ୍ଵନିତ ହେଉଛି, ଶୁଭ, ଶୁଭ, ଶୁଭ ।

 

ଶୁଭେନ୍ଦୁ ଘରଭିତରକୁ ଫେରି ଚାହିଁଲେ । ଦେବବାଳା ନିଦ୍ରା ଯିବାର ଉପକ୍ରମ କରୁଛନ୍ତି-। ମୁହଁଟିକୁ ବାଦଦେଇ ଶରୀରର ଅବଶିଷ୍ଟ ଅଂଶ ଢାଙ୍କି ଦେଇଚନ୍ତି ଦେବବାଳା ଓ କିଛି ଚିନ୍ତା କଲାଭଳି ଛାତର କଡ଼ି ଗୁଡ଼ାକୁ ଜଳ ଜଳ କରି ଚାହିଁ ରହିଛନ୍ତି । ଶୁଭେନ୍ଦୁ ଓ ଦେବବାଳାଙ୍କ ଚକ୍ଷୁ ମିଳିତ ହେଲା । ଶୁଭେନ୍ଦଙ୍କ ନିର୍ବୋଧ ପ୍ରଶ୍ନରେ; ‘‘ଆଚ୍ଛା ଦେବୀଅପା ! କହିପାରିବ ଅମରକଣ୍ଟକରୁ ପୁଣି ଏକ ନର୍ମଦା କ’ଣ ଜନ୍ମ ନେଇପାରିବ ନାହିଁ ?”

 

ଦେବବାଳା ଚକିତ ହେଲେ ଶୁଭେନ୍ଦୁଙ୍କର ଏ ଧରଣର ଅପ୍ରତ୍ୟାଶିତ ପ୍ରଶ୍ନରେ । କିନ୍ତୁ ନିଜକୁ ସଂଜତ କରିନେଇ କହିଲେ, ଅମରକଣ୍ଟକରୁ ହୁଏତ ଆଉ ଏକ ଗିରିଝର ଜନ୍ମ ନେଇପାରେ, କିନ୍ତୁ ତୁମେ ତାକୁ ନର୍ମଦା ବୋଲି କିମିତି କହିବ ? ଶୁଭେନ୍ଦୁ ସନ୍ତୁଷ୍ଟ ହେଲା ନାହିଁ ଦେବବାଳାଙ୍କ ନାସ୍ତିବାଚକ ଉତ୍ତରରେ । କହିଲେ, ମୁଁ ଆଜି ଦେଖିଛି ଅମରକଣ୍ଟକର ସେ ପ୍ରସ୍ରବଣ । ଯେଉଁଠୁ ତମ ନର୍ମଦାର ଉତ୍ପତ୍ତି ହୋଇଥିଲା ବୋଲି କହୁଥିଲ । କି ମନୋରମ ସେ ଦୃଶ୍ୟ ! ଅମରଲୋକ ବିଭୋର ହେଉଥିବେ ସେ ଶୋଭାରାଜିରେ । ସୃଷ୍ଟିର ସର୍ବଶ୍ରେଷ୍ଠ ସୌନ୍ଦର୍ଯ୍ୟ ସେଇଠି ଏକତ୍ରିତ ହୋଇଛି । ପବ୍ମ କୁମୁଦର ଆମନ୍ତ୍ରଣରେ ଦିଗପାଳମାନେ ପଥଭ୍ରଷ୍ଟ ହେବା ବିଚିତ୍ର ନୁହେଁ । ତମେ ବୁଝିପାରିବ ନାହିଁ ଦେବୀଅପା ! ମୁଁ କିମିତି ନବଜନ୍ମ ପାଇଲି । ସେତିକିବେଳୁ ମୁଁ ହୋଇଛି ଜଣେ ଭିନ୍ନ ମଣିଷ । ମୋ ହୃଦର ସମସ୍ତ କାଳିମା ଦୂରିଭୂତ ହୋଇଛି । ଦୀର୍ଘ ଦିନ ଧରି ମୋ ଭିତରେ ଯେଉଁ ପଶୁତ୍ଵ ରାଜତ୍ଵ କରୁଥିଲା ସେ ଆଜି ଅମୃତ ପାନକରି ଦେବତା ହୋଇଛି ।

 

ଦେବବାଳା ତର୍କ କଲେ ନାହିଁ । ଆଖି ବନ୍ଦ କରି ଶୋଇବାକୁ ଚେଷ୍ଟାକଲେ । ଶୁଭେନ୍ଦୁଙ୍କ ସହ ଯୁକ୍ତି କରି ତାଙ୍କ ପାଗଳାମି ବଢ଼େଇବାକୁ ସେ ପସନ୍ଦ କରୁ ନଥିଲେ । ଶୁଭେନ୍ଦୁ ବୁଝିଲେ ଦେବବାଳା ପରାଜିତ ହୋଇଛନ୍ତି । ଦେବବାଳାଙ୍କର ଏ ପ୍ରଥମ ପରାଜୟ ଅବଶ୍ୟ ନୁହେଁ । ପରାଜୟ ତାଙ୍କ ଜୀବନର ଅଙ୍ଗ ଭୂଷଣ ହୋଇଛି । ହାରିବା-ଜିଣିବାର ସଂଜ୍ଞା ତାଙ୍କ ନିକଟରେ ଭିନ୍ନ-। ଶୁଭେନ୍ଦୁ ଦେଖିଲେ ଦେବୀଅପା ଏ ଭିତରେ ସମ୍ପୂର୍ଣ୍ଣ ଶୋଇଯାଇଛନ୍ତି । ତାଙ୍କର ସନ୍ଦେହ ହେଲା–ସେ ଯେପରି ଶୋଇ ଯାଇ ନାହାଁନ୍ତି, ଶୋଇବାର ଅଭିନୟ କରୁଛନ୍ତି । ଅପଲକ ନୟନରେ ଶୁଭେନ୍ଦୁ ଚାହିଁଥିଲେ ଦେବବାଳାଙ୍କୁ । ତାଙ୍କ ଓଷ୍ଠାଧାର ସାମାନ୍ୟ ଥରି ଉଠୁଥିବାର ଲକ୍ଷ୍ୟ କଲେ ଶୁଭେନ୍ଦୁ-

 

ଅହେତୁକ ଭାବେ ଅତି ସନ୍ତର୍ପଣରେ ଶୁଭେନ୍ଦୁ ଦେବବାଳାଙ୍କର ନିକଟବର୍ତ୍ତୀ ହେଲେ । ତାଙ୍କ ଶରୀରରେ ଅସଂଖ୍ୟ ଜ୍ଵଳନର ଦାବାଗ୍ନି । ସେତେବେଳକୁ ଗୋଟାଏ ଜାନ୍ତବ କ୍ଷୁଧା ତାଙ୍କୁ ଯେପରି ଗ୍ରାସ କରି ସାରିଥିଲା । ସେ ହାତବଢ଼ାଇ ଦେଲେ ଦେବବାଳା ଉଦ୍ଦେଶ୍ୟରେ । ସେ ଭାବୁଥିଲେ, ଦେବବାଳାଙ୍କୁ ହଲାଇ ଦେଇ କହିବେ ଦେବୀଅପା ! ତମ ଛଳନାର ଅଭିନୟ ସହିତ ମୁଁ ସମ୍ପୂର୍ଣ୍ଣ ପରିଚିତ । ତମେ ଆଉ କେତେ ଦିନ ଏମିତି ନିଜକୁ ଠକିବ ! ତୁମେ ସିଧାସିଧି କହିଦିଅ, ହଁ ଅମରକଣ୍ଟକରୁ ନର୍ମଦାର ପୁନଃ ଜନ୍ମ ହେବ । କିନ୍ତୁ ଶୁଭେନ୍ଦୁଙ୍କ ହାତ ଅଟକି ଗଲା । ସେ ଦେଖିଲେ ସେ ଯାହାକୁ ଏପର୍ଯ୍ୟନ୍ତ ଦେବବାଳା ବୋଲି କହୁଥିଲେ, ସେ ହେଉଛନ୍ତି ନର୍ମଦା । ସରୋବରର ଶତଦଳ ପାଖୁଡ଼ାରେ ଯେଉଁ ଉତ୍ତେଜନା ସେ ଅନୁଭବ କରିଥିଲେ ତାରି ପୁନରାବୃତ୍ତି ହୋଇଛି ଦେବବାଳାର ଅଧରୋଷ୍ଠରେ ।

 

ଶୁଭେନ୍ଦ୍ରଙ୍କ ଚକ୍ଷୁପତା ଉତ୍ତେଜନାରେ ବନ୍ଦହୋଇ ଆସିଲା । ଗୋଟାଏ ପଶୁଶକ୍ତି ତାଙ୍କୁ ଯେପରି ଲଗାମ ଛଡ଼ା କରିବାକୁ ବସିଥିଲା । ସେ ଦେବବାଳାଙ୍କୁ ସେ ମୁହୂର୍ତ୍ତରେ ଦେବବାଳା ବୋଲି ସ୍ଵୀକାର କରିବାକୁ ମଧ୍ୟ ପ୍ରସ୍ତୁତ ନଥିଲେ । ତାଙ୍କୁ କିଏ ଯେପରି ପ୍ରେରଣା ଯୋଗାଇ ଦେବା ଭଳି କହିଦେଉଥିଲା, ଶୁଭେନ୍ଦୁ ! ଏ ପ୍ରକୃତରେ ତମରି ନର୍ମଦା, ଠିକ୍ ଗୁପ୍ତଗଙ୍ଗା ଭଳି । ସେ ନିଜକୁ ଯିମିତି ଅକ୍ତିଆରରେ ରଖିବାର କ୍ଷମତା ହରାଇ ବସିଥିଲେ । ତାଙ୍କ ଅଭ୍ୟନ୍ତରରେ ଏକ ଉଜ୍ଜ୍ୱଳ ଆଲୋକ ହଠାତ୍ ପ୍ରତିଭାତ ହେଲା । ଶୁଭେନ୍ଦୁ, ପାପ-ପୁଣ୍ୟର ସଂଘର୍ଷ, ଦେବତା-ଦାନବର ପ୍ରହେଳିକା, ମନ ଓ ବିବେକର ଉକ୍ତି-ପ୍ରତ୍ୟୁକ୍ତି; ଧର୍ମ, ଅଧର୍ମ ନ୍ୟାୟ-ଅନ୍ୟାୟର ବିତର୍କ ଭିତରେ ଗୋଟାଏ ସମାଧାନ ଚାହୁଁଥିଲେ । ଦେବବାଳା ନର୍ମଦାର ରୂପାନ୍ତରିତ ହୋଇଯାଇଥିଲେ । ଶୁଭେନ୍ଦୁଙ୍କୁ ଦେବବାଳା ଆଉ ଦେଖାଯାଉନଥିଲେ । ନିଭୃତ କୋଠରୀରେ ନର୍ମଦାଙ୍କୁ ସେ ବନ୍ଦୀ କରି ରଖିପାରିବାର ଅପୂର୍ବ ଉତ୍ସାହ ତାଙ୍କୁ ଅନୁପ୍ରେରଣା ଯୋଗାଉଥିଲା । ତାଙ୍କ ଭିତରେ ଏକ ଅଦମନୀୟ ଶକ୍ତି ମୁଣ୍ଡ ଟେକି ଠିଆ ହୋଇଥିଲା । ସେ ଦୁଇ ହାତରେ ଭରା ଦେଇ ଦେବବାଳାଙ୍କ ଉପରେ କେତେବେଳେ ଯେ ଝୁଲି ପଡ଼ିଲେଣି ତା’ ଜାଣିପାରି ନଥିଲେ ।

 

ଏତିକି ବେଳେ ରାତ୍ରିର ଗଭୀର ନିର୍ଜନତା ଭଙ୍ଗକରି ପ୍ରଚଣ୍ଡ ଏକ ବଜ୍ର ନିନାଦରେ ପୃଥିବୀ ପ୍ରକମ୍ପିତ ହେଲା । ଆକାଶ ସତେ ଅବା ଛିଡ଼ି ପଡ଼ିଲା, ଚହଲି ଉଠିଲା ଅମରକଣ୍ଟକ । ଶୁଭେନ୍ଦୁ ଜୟଯାତ୍ରାର ସୂଚନା ପାଇଲା ଭଳି ଦେବବାଳାଙ୍କ ଘୁମନ୍ତ ଶରୀରଟାକୁ ଭିଡ଼ିଧରି ଚାଦରରେ ନିଜକୁ ଢାଙ୍କିପକାଇଲେ । ନର୍ମଦାର ସାଗର ସଂଗମ ହେଲା ନା ଦେବବାଳା ନବଜନ୍ମ ଲାଭ କଲେ ତାରି ଅନ୍ୱେଷଣରେ ଶୁଭେନ୍ଦୁ ଅନ୍ଧାର ଭିତରେ ଖାଲି ଅଣ୍ଡାଳି ହେଉଥିଲେ ।

Image

 

ମହାପୁରୁଷ

 

ନଗରନିଗମର ପୁରୁଣା ନଥିପତ୍ରରୁ ଯଦିଓ ସେ ସଂକୀର୍ଣ୍ଣ ଗଳିଟିର ନାଁ ସନ୍ଥ ଦାମୋଦର ମାର୍ଗ ବୋଲି ପ୍ରମାର ମିଳୁଥିଲା, ତେବେ ମାଦଳା ପାଞ୍ଜି ଓ ଇତିହାସକାରମାନେ ସନ୍ଥ ଦାମୋଦରଙ୍କ ଭଳି ଜଣେ ମହାପୁରୁଷଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ନୀରବ ରହିଛନ୍ତି । ଲୋକ ମୁଖରେ ମେବେଠୁଁ ସେ ରାସ୍ତାଟି ଅନ୍ୟ ନାମରେ ପ୍ରଚଳିତ ହେଲା ତା’ ଏବେ ମଧ୍ୟ କହିବା ମୁଷ୍କିଲ । ତେବେ ଗଣକବି ନାଗରୀମୋହନ ବୈଷ୍ଣବ ସାହିତ୍ୟକୁ ପୁଣି ଲୋକପ୍ରିୟ କରିବାକୁ ସଂକଳ୍ପ ନେବା ଦିନୁ ଜୋରଜବରଦସ୍ତି ସେ ରାସ୍ତାକୁ ସନ୍ଥ ଦାମୋଦର ମାର୍ଗ ବୋଲି ଲୋକଙ୍କ ଉପରେ ଲଦି ଦେଇଛନ୍ତି । ସନ୍ଥ ଦାମୋଦର ନାଗରୀମୋହନଙ୍କ ପିତାଙ୍କ ପ୍ରପିତାମହ ବୋଲି କୌଣସି ପ୍ରମାଣ ନଥାଇ ଦାବି କରନ୍ତି ଓ ଇତିହାସକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରି କହନ୍ତି ସନ୍ଥ ଦାବୋଦର କଳା ପାହାଡ଼ର ପୁରୀ ଆକ୍ରମଣ ଖବର ଜଗନ୍ନାଥଙ୍କ ସ୍ୱପ୍ନାଦେଶ ପାଇ ସେବାୟତମାନଙ୍କୁ ସତର୍କ କରିଦେଇନଥିଲେ ଜଗନ୍ନାଥ ସଂସ୍କୃତି ସବୁଦିନ ପାଇଁ ଲୋପ ପାଇଯାଇଥାନ୍ତା । ଏତଦ୍‍ବ୍ୟତୀତ ପୁରୁଣା ଜଗନ୍ନାଥ ମନ୍ଦିର ପୋତି ହୋଇ ପଡ଼ିଥିବା ଢିପ ଜାଗାକୁ ଏବେ କେତେ ଦିନ ଧରି ସେ ସନ୍ଥଙ୍କର ସମାଧିସ୍ଥଳ ବୋଲି ଦାବିକରି ଆସିଛନ୍ତି ।

 

ସନ୍ଥ ସନ୍ୟାସ ବ୍ରତ ଗ୍ରହଣପରେ ତାଙ୍କର ପର ପୁରୁଷମାନେ ଗୃହୀ ବୈଷ୍ଣବ ଭାବେ ନିଷ୍ଠାର ସହ ଜଗନ୍ନାଥ ମହିମା ପ୍ରଚାର କରି ଆସୁଥିବାବେଳେ ତାଙ୍କ ପରିବାରରେ ଲମ୍ବୋଦର ନାମକ ଜଣେ ମହାତ୍ମାଙ୍କର ପୁଣି ଆବିର୍ଭାବ ହେଲା । ଲମ୍ବୋଦର ଅତି ବିଚକ୍ଷଣ ଓ ଅସାଧାରଣ ବୁଦ୍ଧିସମ୍ପନ୍ନ ବ୍ୟକ୍ତି ଥିଲେ ଓ ଠାକୁର ରାଜାଙ୍କର ଛାମୁକରଣଭାବେ ନିଯୁକ୍ତି ପାଇ ମରହଟ୍ଟା ଶାସନ କାଳରେ ଅତି ଚତୁରତାର ସହ ଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ୱ ମରହଟ୍ଟାମାନଙ୍କ ଠାରୁ କାଢ଼ି ନେଇଥିଲେ । ତାଙ୍କ ଅସୀମ ପ୍ରଭୁ ଭକ୍ତିରେ ପ୍ରୀତ ହୋଇ ମଉଡ଼ମଣି ତାଙ୍କୁ ଅଠରନଳାଠାରୁ ମହାବୀରଙ୍କ ଲଗାଏତ ନଅଶ ନଉବାଟୀ ସମ୍ପତ୍ତି ନିଷ୍କର ଖଞ୍ଜି ଦେଇଥିଲେ । କିନ୍ତୁ ଲମ୍ବୋଦର ତାଙ୍କ ପୂର୍ବପୁରୁଷଙ୍କ ପଦାଙ୍କ ଅନୁସରଣ କରି ରାଜା ପ୍ରଦତ୍ତ ସମ୍ପତ୍ତି ଶ୍ରୀଜୀଉଙ୍କ ଛପନ ଭୋଗରେ ସାମିଲ କରି ଦେଇଥିଲେ । ଅବଶ୍ୟ ଏ କଥା ସ୍ୱୟଂ ନାଗରୀମୋହନ ଶ୍ରୀମନ୍ଦିର ଇତିହାସରୁ ଆବିଷ୍କାର କରିବା ପରେ ଲୋକେ ଅବଗତ ହେଲେ ।

 

ନାଗରୀମୋହନଙ୍କ ପ୍ରପିତାମହ ଓଡ଼ିଆ ଧର୍ମ-ସାହିତ୍ୟର ଜଣେ ପ୍ରବର୍ତ୍ତକ ଥିଲେ । ପଶ୍ଚିମ ଓଡ଼ିଶାର ମହିମା ଗାଦିରୁ ଦୀକ୍ଷା ନେଇ ସେ ଯେତେବେଳେ ଶ୍ରୀକ୍ଷେତ୍ର ଫେରିଲେ, ଆମ ରକ୍ଷଣଶୀଳ ସମାଜରେ କେହି ତାଙ୍କୁ ଭର୍ତ୍ତି କରି ଦେଲେନି । ଅଭିମାନୀ ନରୋତ୍ତମ ଏଥିରେ ତିଳେ ମାତ୍ର ବିମୁଖ ନହୋଇ ଶ୍ରୀମନ୍ଦିର ସମ୍ମୁଖରେ ଆସ୍ଥାନ ଲଗାଇଲେ । ଭକ୍ତବତ୍ସଳ-ଜଗନ୍ନାଥ ଶ୍ରୀମନ୍ଦିର ତ୍ୟାଗ କରି ସିଂହଦ୍ଵାରରେ ଭକ୍ତ ନରୋତ୍ତମଙ୍କ ନିକଟରେ ଆସି ଦର୍ଶନ ଦେଲେ । ସମାଜର ବଡ଼ ପଣ୍ଡାମାନଙ୍କର ମୁଣ୍ଡ ନଇଁଗଲା । ଦିବ୍ୟ ଜ୍ଞାନ ପ୍ରାପ୍ତ ନରୋତ୍ତମଙ୍କର ଯେଉଁ ଦିନ ମହାପ୍ରୟାଣ ହେଲା ସେଦିନ ମନ୍ଦିର ଚୂଡ଼ାରେ ଶାଗୁଣା ବସିଥିବାର ପ୍ରମାଣ ମାଦଳା ପାଞ୍ଜିରେ ଖୋଜି ପାଇଛନ୍ତି ବୋଲି ନରୋତ୍ତମ ଶ୍ରାଦ୍ଧ ସଭାରେ ନାଗରୀମୋହନ ସେଦିନ ପ୍ରକାଶ କରିଥିଲେ ଏବଂ ପୂର୍ବର ସମସ୍ତ ତଥ୍ୟ ଓ କିମ୍ବଦନ୍ତୀ କପୋଳକଳ୍ପିତ ଓ ଅସମର୍ଥିତ ବୋଲି ଅବିହିତ କରି ନରୋତ୍ତମଙ୍କ ଜନ୍ମସ୍ଥାନ ପୁରୀ ଓ ସେ ତାଙ୍କର ବଂଶଧର ବୋଲି ଦୃଢ଼ତାର ସହ ଘୋଷଣା କରିଥିଲେ ।

 

ନାଗରୀମୋହନଙ୍କ ଡ୍ରଇଁ ରୁମର ବାମ ଦିଗରେ ଯେଉଁ ତୈଳ ଚିତ୍ରଟିକୁ ଏବେ ସ୍ଥାନ ଦିଆଯାଇଛି ସେଇଟି ହିଁ ହେଉଛି ତାଙ୍କ ପିତାମହୀ ଲାବଣ୍ୟ ଦେବୀଙ୍କର । ପିତାମହ ରଘୁନନ୍ଦନ ଇଂରେଜମାନଙ୍କ ଗୁଳିରେ ଅଳ୍ପ ବୟସରେ ପ୍ରାଣ ହରାଇଲା ପରେ ଲାବଣ୍ୟଙ୍କୁ ଯେତେବେଳେ ସତୀ ହେବାକୁ ବାଧ୍ୟ କରାଗଲା ସେ ପ୍ରକାଶ୍ୟଭାବେ ତା’ର ବିରୋଧ କଲେ । ସତୀଦାହ ଓ ବାଲ୍ୟ ବିବାହ ବିରୁଦ୍ଧରେ ଓଡ଼ିଶାରୁ ପ୍ରଥମ ମହିଳାଭାବେ ଆନ୍ଦୋଳନର ସୂତ୍ରପାତ କରିଥିଲେ ସାଧ୍ଵୀ ଲାବଣ୍ୟ । ସ୍ଵାମୀ ଇଂରେଜଙ୍କୁ ବିରୋଧ କରି ଶହୀଦ ହେଲେ ଓ ସାମାଜିକ କଳଙ୍କର ଉଚ୍ଛେଦ ନିମନ୍ତେ ନାରୀ ଆନ୍ଦୋଳନର ଆହ୍ଵାନ ଦେଇ ଲାବଣ୍ୟ ସାଧ୍ଵୀ ହେଲେ; ନାଗରୀମୋହନ ଆନ୍ତର୍ଜାତିକ ନାରୀ ବର୍ଷ ଉପଲକ୍ଷେ ଗୋଟିଏ ଧାରାବାହିକ ଆଲୋଚନାରେ ଏହାକୁ ଓଡ଼ିଶାର ପ୍ରଥମ ନାରୀ ଜାଗରଣ ବୋଲି ଦାବି କରିଥିଲେ । ତେଣୁ ଶ୍ଵେତ ଗଙ୍ଗା ଉପରେ ଥିବା ଲାବଣ୍ୟଙ୍କ ସ୍ମୃତିପୀଠ ନଣ୍ଡା ଚଉରାକୁ ତାଜମହଲ ଭଳି ଏକ ଦର୍ଶନୀୟ ସ୍ଥାନରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ।

 

ନାଗରୀମୋହନଙ୍କ ପିତା ବ୍ରଜସୁନ୍ଦର କିନ୍ତୁ ଏମାନଙ୍କଠାରୁ ସମ୍ପୂର୍ଣ୍ଣ ପୃଥକ୍‍ ଥିଲେ । ଲାବଣ୍ୟ ସତ୍ୟାଗ୍ରହରେ ଜେଲ ଯାଇ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଭାବେ ନିର୍ବିରୋଧ ଦଶବର୍ଷ ପର୍ଯ୍ୟନ୍ତ ଆଇନ ସଭାର ସଦସ୍ୟ ରହିଥିଲେ । ସ୍ୱାୟତ୍ତ ଶାସନ ପ୍ରବର୍ତ୍ତନ ପରେ ଶ୍ରୀକ୍ଷେତ୍ରରେ ଯେତେ ସବୁ ଉନ୍ନତିକର କାର୍ଯ୍ୟ ହୋଇଛି ସବୁର ସୂତ୍ରପାତ ଥିଲେ ବ୍ରଜସୁନ୍ଦର । ତେଣୁ ପୁରୀର ଗୋଟିଏ ପ୍ରସିଦ୍ଧ ପାଠାଗାର, ଗୋଟିଏ ହାଇସ୍କୁଲର ନାମକରଣ ବେଳେ ଲୋକେ ତାଙ୍କୁ ଭୁଲି ଯାଇନଥିଲେ ।

 

ନାଗରୀମୋହନବାବୁ ଭଗିରଥ ଭଳି ନିଜର ଚଉଦ ପୁରୁଷ ଉଦ୍ଧାର କରି ବଡ଼ଦାଣ୍ଡରେ ଛାତି ଫୁଲାଇ ଚାଲିବା ଲୋକ ହିସାବରେ ଥିଲେ ପ୍ରଥମ । ତାଙ୍କର ଅକ୍ଳାନ୍ତ ପରିଶ୍ରମ ଓ ଗବେଷଣା ତାଙ୍କୁ ଉଚ୍ଚ ବଂଶର ସମ୍ମାନ ଆଣି ଦେଇଥିଲା । ତାଙ୍କଭଳି ତାଙ୍କ ପୂର୍ବପୁରୁଷମାନେ ବଂଶାନୁକ୍ରମେ ଓଡ଼ିଶାର ଧର୍ମ, ସଂସ୍କୃତି, ସାହିତ୍ୟର ପ୍ରତିନିଧିତ୍ୱ କରି ଆସିଥିଲେ ତା’ର ପ୍ରମାଣ ହାତେ ହାତେ ଧରି ନାଗରୀମୋହନ ସମସ୍ତଙ୍କୁ ଚାଲେଞ୍ଜ କରୁଥିଲେ । ଏସବୁ ସତ୍ତ୍ୱେ ସେ ଯେଉଁ ଦିନ ଦେଶ ରକ୍ଷା ଆଇନ ବଳରେ ଗିରଫ ହେଲେ ସେଦିନ ସାରା ସହର ବିଭିନ୍ନ ପ୍ରତିକ୍ରିୟାରେ ଚହଲି ଉଠିଥିଲା ।

 

ତାଙ୍କର କେତେକ ସମର୍ଥକ ତାଙ୍କ ମୁକ୍ତି ଦାବିକରି ସରକାରଙ୍କୁ ସ୍ମାରକ ଲିପି ଦେଲେ । ବନ୍ଦୀ ମୁକ୍ତି କମିଟି ନାମରେ ଗୋଟିଏ ସଂସ୍ଥା ଜନ୍ମ ନେଲା ଖାସ ନାଗରୀମୋହନଙ୍କ ସକାଶେ ।

 

ସହରରେ ଦିନଟିଏ ପୂର୍ଣ୍ଣ ହରତାଳ ପାଳନ କରାଇବାରୁ ଶାସନକଳ କେବଳ ଥରଟିଏ କମିଟିର ପ୍ରତିନିଥିମାନଙ୍କ ସହ ଆଲୋଚନାରେ ମିଳିତ ହୋଇଥିଲେ, ଯାହା ସମ୍ପୂର୍ଣ୍ଣ ନୈରାଶ୍ୟଜନକ ବୋଲି କମିଟିର ମୁଖପାତ୍ର ପରେ ଘୋଷଣା କରିଥିଲେ ।

 

ଏ ଆଲୋଚନା ଚକ୍ରର ପ୍ରାୟ ଚାରିମାସ ପରେ ନାଗରୀମୋହନ ପିତୃ ଶ୍ରାଦ୍ଧ ଉପଲକ୍ଷେ ଦଶ ଦିନ ପାଇଁ ପ୍ୟାରୋଲରେ ଖଲାସ ହୋଇ ସେଦିନ ସଂଧ୍ୟାରେ ଆତତାୟୀ ଗୁଳିରେ ପ୍ରାଣ ହରାଇଥିଲେ । ଏ ଦୁର୍ଭାଗ୍ୟଜନକ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ନାଗରୀମୋହନଙ୍କର ପୁତ୍ର ଆଦିତ୍ୟକୁ ଯେତେବେଳେ ପୋଲିସ ଗିରଫ କଲେ, ସେତେବେଳେ ସହରରେ ଦ୍ୱିତୀୟ ଥର ପାଇଁ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । କିନ୍ତୁ ତା’ ଥିଲା, ନାଗରୀମୋହନ ଗିରଫ ହେବା ଦିନ ପ୍ରତିକ୍ରିୟାର ସମ୍ପୂର୍ଣ୍ଣ ବିପରୀତ । ବନ୍ଦୀ ମୁକ୍ତି କମିଟିର ସଭ୍ୟମାନଙ୍କ ଆଗ୍ନେୟ ଶପଥ ଓ ବାକ୍ ସଂଜମତା ସତ୍ତ୍ୱେ ସହରର ଲୋକ ମୁଖରୁ ଯାହା ଶୁଣା ଯାଇଥିଲା, ତାକୁ ଅନୁମୋଦନ କରି ଆଦିତ୍ୟ ଗୋଟିଏ ସିଂହ-ଶାବକ ଭଳି ତାଙ୍କ ଜମାନବନ୍ଦୀରେ ନିଜକୁ ଅପରାଧୀର କାଠଗଡ଼ା ଭିତରକୁ ଠେଲି ଦେଇଥିଲେ । ସମ୍ବାଦପତ୍ର ଏ ଚାଞ୍ଚଲ୍ୟକର ଘଟଣା ସମ୍ପର୍କରେ ଯେଉଁ ତଥ୍ୟ ପରିବେଷଣ କରିଥିଲେ ତା’ର ମର୍ମା°ଶ ହେଲା :–

 

“ନାଗରୀମୋହନ କେତେକ ଅସମର୍ଥିତ ଯୁକ୍ତି ଉପରେ ନିଜକୁ ପ୍ରତିଷ୍ଠିତ ବଂଶଜ ବୋଲି ପ୍ରମାଣ କରାଇ, ତାଙ୍କ ବିରୁଦ୍ଧରେ ଥିବା ଗୁରୁତର ଅଭିଯୋଗକୁ ରାଜନୈତିକ ରୂପ ଦେଇ ପଦତ୍ୟାଗ କରିଥିଲେ ଓ ଏହା ଫଳରେ ସେ ଜଣେ ଉଚ୍ଚ ଆଦର୍ଶବାଦୀ ବୋଲି ନିଜକୁ ସାବ୍ୟସ୍ତ କରିଥିଲେ ଏବଂ ଧର୍ମ ସାହିତ୍ୟର ଉଦ୍‌ଗାତା ଓ ମୁଖ୍ୟ ପ୍ରବର୍ତ୍ତକ ବୋଲି ନିଜକୁ ସିଦ୍ଧ କରିବାକୁ କେତେକ ବିଜ୍ଞାପନ ପ୍ରୟାସୀ ଯୁବକମାନଙ୍କ ସମର୍ଥନ ଲାଭ ପୂର୍ବକ ବହୁଳ ପ୍ରଚାର ମାଧ୍ୟମରେ ଧର୍ମ ଓ ସଂସ୍କୃତି ନାଁରେ ନାନା ଅସ୍ଵାଭାବିକ କାର୍ଯ୍ୟରେ ଲିପ୍ତରହିବା, ଗବେଷଣା ବାହାନାରେ ଅସଂଖ୍ୟ ପ୍ରାଚୀନ ଗ୍ରନ୍ଥ ଓ ତଥ୍ୟ ସମ୍ବଳିତ ଦଲିଲକୁ ଅର୍ଥ ଲାଳସାରେ ବିଦେଶରେ ବିକ୍ରି କରିବା, ଦେବାଳୟ ଓ ସ୍ଥପତିରୁ ମୂଲ୍ୟବାନ ମୂର୍ତ୍ତି ଅପସାରଣ କରିବା, ଜଣେ ପ୍ରାଚୀନ କବିଙ୍କ ଅପ୍ରକାଶିତ ପାଣ୍ଡୁଲିପିକୁ ସାବଲୀଳ ଭାଷାରେ ଲେଖି ସ୍ଵରଚିତ ସଂଜ୍ଞା ଦେଇ ସମର୍ଥକମାନଙ୍କ ଦ୍ଵାରା ଅନୁମୋଦନ କରାଇନେବା ଏବଂ ଗୋଟିଏ ବିଦେଶୀ ଗୁପ୍ତଚର ସଂସ୍ଥା ସହିତ ଜଡ଼ିତ ରହି ରାଜ୍ୟରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବାରେ ତାଙ୍କର ଅବାଞ୍ଛିତ ଭୂମିକା ଓ ସାହିତ୍ୟ ସାଧନା ଅନ୍ତରାଳରେ ତାଙ୍କର ପ୍ରଚ୍ଛନ୍ନ ଯୌନ ବୁଭୁକ୍ଷତା ତାଙ୍କୁ ମୃତ୍ୟୁର ନିକଟବର୍ତ୍ତୀ କରାଇଥିଲା । ତେଣୁ ଆଦିତ୍ୟ ଆଇନକୁ ନିଜ ହାତକୁ ନେଇ ସନ୍ଥ ଦାମୋଦର ମାର୍ଗକୁ ଆଉ ଅଧିକ ସଂକୁଚିତ କରିବାକୁ ଦେଇ ନଥିଲେ ।”

Image